Unknown

 

 

 

 

 

 

 

 

 

 

 

ଝାଟି ମାଟିର ସଂସାର

ଶ୍ରୀ ଗଦାଧର ପାଢ଼ୀ

 

 

 

 

 

 

 

 

 

ଉତ୍ସର୍ଗ

 

ଏହି ଝାଟି ମାଟି ଦୁନିଆର ସରଳ ମଣିଷକୁ ବିଶ୍ୱାସ କରି ଯେ ପ୍ରାଣପଣେ ଭଲପାଇଛି ତାହାରି ହାତରେ...

 

ନିଜକଥା

 

ଯାହା ଦୁନିଆରେ ମୋଟେ ଘଟେ ନାହିଁ, ତାହା ଲେଖକ ଘଟାଇଥାଏ । ଯାହା ଦୁନିଆରେ ଶୁଣିବାକୁ ମିଳେ ନାହିଁ ତାହା ଲେଖାରୁ ଶୁଣିବାକୁ ମିଳେ । ଆଖିରେ ସବୁ ପଡ଼େ, ପୁଣି ଚାଲିଯାଏ ।

 

ଏହି ପରିବର୍ତ୍ତନଶୀଳ ଦୁନିଆରେ ସବୁ ଘଟିଥାଏ । ସତକୁ ମିଛ, ମିଛକୁ ସତ ଲେଖିବା ହେଉଛି ଲେଖକ ଓ କବିମାନଙ୍କର ଅଭ୍ୟାସ ।

 

ମୋର ଏହି ଲେଖାଟି ସଂପୂର୍ଣ୍ଣ କାଳ୍ପନିକ । ଏହାର ପ୍ରକାଶର ଭାର ଶ୍ରୀଯୁକ୍ତ ଅନସୂୟା ପ୍ରସାଦ ପାଠକ ସାଦରେ ବହନ କରିଥିବାରୁ ଏ ଲେଖକ ଚିରକୃତଜ୍ଞ ।

 

ବିନୀତ

ଲେଖକ

୨ ମଇ ୧୯୬୫

Image

 

ଏକ

 

ଏହି ଝାଟିମାଟିର ଦୁନିଆରେ ଯେ ଆଜି କନ୍ୟା ହୋଇ ଜନ୍ମ ହୋଇଛି ସେ ହେବ କାଲିକୁ ଜାୟା ଓ ତହିଁ ପରଦିନ ହେବ ଜନନୀ । ତା’ପରେ ସେ ଆରମ୍ଭ କରିବ ତେଲ ଲୁଣର ସଂସାର । ଯୌବନର ସୁନେଲି କଳ୍ପନା, ଜୀବନକୁ ଉପଭୋଗ କରିବାର ପ୍ରବଳ ଚେଷ୍ଟା ନାନା ଅଭାବ ଓ ଅସୁବିଧା ମଧ୍ୟରେ କେଉଁଆଡ଼େ ଯେ ଉଭେଇ ଯିବ ତା’ର ଗତି ନିରୂପଣ କରିବା କଷ୍ଟସାଧ୍ୟ ।

 

ଏହା ହେଉଛି ଜୀବନ । ତଥାପି ଦୁନିଆରେ ବଞ୍ଚି ରହିବାକୁ ପଡ଼ିବ । ବଞ୍ଚି ରହିବା ମଣିଷ ଜୀବନର ଏକମାତ୍ର ଲକ୍ଷ୍ୟ । ସମସ୍ତେ ବଞ୍ଚନ୍ତି । ସେ ବଞ୍ଚିବେ । ସୁନନ୍ଦା ମଧ୍ୟ ବଞ୍ଚିଛି ।

 

ସୁନନ୍ଦା ଦୀର୍ଘ ବ୍ୟବଧାନପରେ ଚିଠି ଦେଇଛି । ତା’ର ଜନ୍ମଦିନକୁ ଯିବାପାଇଁ ନିମନ୍ତ୍ରଣ । ଚିହ୍ନା ଚିହ୍ନା ଅକ୍ଷର । ପ୍ରତି ଅକ୍ଷରରେ ଭରି ରହିଛି ସୁନନ୍ଦାର ଆତ୍ମ ନିବେଦନ । ସେ ନିଶ୍ଚୟ ଯିବେ । ସୁନନ୍ଦାର ଅନୁରୋଧ ଏଡ଼ିବାର କ୍ଷମତା ଆଜି ତାଙ୍କର ନାହିଁ ।

 

ସୁମନ୍ତ ଆକାଶ ପାତାଳ କେତେ କ’ଣ ଭାବିବାକୁ ଲାଗିଲେ । ଏହି ସୁନନ୍ଦା ହେଉଛି ତାଙ୍କର ସ୍ୱପ୍ନରାଜ୍ୟର ରାଜକୁମାରୀ । ସେ ତାଙ୍କର କଳ୍ପନାକୁ ବାସ୍ତବତାରେ ପରିଣତ କରିବ । ସୁନନ୍ଦା ପାଖରେ ପୁଣି ଅଭିମାନ ? ସୁନନ୍ଦା ଦୂରେଇ ଯାଇଛି । ଆକାଶଠାରୁ ପୃଥିବୀର ଦୂରତ୍ୱ ଅପେକ୍ଷା ତାହା ମଧ୍ୟ ଆହୁରି ଦୂର ।

 

ମସ୍ତିସ୍କ ମଧ୍ୟରେ ନାନା ପ୍ରକାର ଭାବନାର ସ୍ରୋତ ଛୁଟି ଚାଲିଛି । କ’ଣ କବିତା ଲେଖିବେ ? ସୁନନ୍ଦା କବିତା ପଢ଼ିବାକୁ ଭଲଯାଏ । କବିତା ପଢ଼ି ସେ ଆନନ୍ଦ ପାଏ । କବିତା ସେ ବୁଝେ । ସେ ଭିନ୍ନ ଉପାଦାନରେ ଗଢ଼ା ।

 

ଏ ମୁଣ୍ତରୁ ସେ ମୁଣ୍ତ ଯାଏ ତାଙ୍କ କପାଳ ଉପରେ ଲମ୍ବି ଯାଇଥାଏ ଚିନ୍ତାର ଦାଗ । ସୁମନ୍ତ କଲମ ଚଳାଇଲେ...

 

‘‘ତାକୁ ଘେନି ଯିବି ଦୂରେ ବହୁଦୂରେ

ଯେଉଁଠି ନଥିବ ସମାଜର ଉପହାସ,

ଯେଉଁଠି କେବଳ ସଦା ଲାଗିଥିବ

ଦୁଇ ଜୀବନରେ ମିଳନର ମହାରାସ ।’’

 

ସୁମନ୍ତ ଚିତ୍କାର କରିଉଠିଲେ । ନା, ନା, ଅସମ୍ଭବ, କଳ୍ପନା । ସେ ସାମାଜିକ ଜୀବ । ସେ ଚାହାନ୍ତି ସମାଜ । ସମାଜ ମଧ୍ୟରେ ରହି ସେ ବ୍ୟଭିଚାର କରିବାକୁ ଭଲ ପାଆନ୍ତି । ସମାଜ ପରୋକ୍ଷରେ ତାଙ୍କୁ ଏ ସୁବିଧା ଦିଏ । ତେଣୁ ସମାଜ ନିକଟରେ ଋଣୀ ।

 

ସମାଜ ଯେ କେବଳ ଏକା ସୁମନ୍ତଙ୍କୁ ଏ ସୁବିଧା ଦେଇଛି ତାହା ନୁହେଁ । ବିବାହ ସମୟରେ ହୋମକୁଣ୍ତର ଅଗ୍ନି ଦେବତାଙ୍କୁ ସାକ୍ଷୀରଖି ଅନେକ ସ୍ତ୍ରୀ ମଧ୍ୟ ଏହି ସମାଜ ଭିତରକୁ ଆସିବେ ଲଲାଟରେ ସତୀର ସିନ୍ଦୂର ପିନ୍ଧି, ପିଙ୍ଗଳାର ମନୋବୃତ୍ତି ଧରି ଜୀବନ ଉପଭୋଗ କରିବାକୁ । ସମାଜ ନିକଟରେ ସେମାନେ ମଧ୍ୟ କୌଣସି ଗୁଣରେ ସୁମନ୍ତ ଅପେକ୍ଷା କମ୍‌ ଋଣୀ ହେବେ ନାହିଁ । ସେଥିପାଇଁ ମଣିଷ ସମାଜର ‘ଚନ୍ଦ୍ରବନ୍ଧନୀ’ ମଧ୍ୟରେ ଆବଦ୍ଧ ହେବାପାଇଁ ଏତେ ଲାଳାୟିତ । ଏଥିପାଇଁ ମଣିଷ ଏ ସମାଜ ତିଆରି କରିଅଛି । ସମାଜର ଅର୍ଗଳ ଭାଙ୍ଗି ଯେ ଦୂରରେ ରହିଯାଏ ସେ ହୁଏ; ଘୃଣ୍ୟ ସେ ପାଏ ଅପମାନ । ଏଣୁ ସମାଜକୁ ଯାବୁଡ଼ି ଧରି ରଖିବାକୁ ହେବ । ଏହାର ମୂଳଦୁଆକୁ ଏପରି ଶକ୍ତ କରିବାକୁ ହେବ ଯେପରି କୌଣସି କ୍ଷୟକାରୀ ଶକ୍ତି ଏହାର କୌଣସି ଅନିଷ୍ଟ ଘଟାଇ ନ ପାରେ ।

 

ସୁମନ୍ତ ମନେ ମନେ ହସିବାକୁ ଲାଗିଲେ । ଏ ହସର ମୂଲ୍ୟ ସେ କେବଳ ବୁଝନ୍ତି ।

 

ତେବେ କ’ଣ ଲେଖିବେ ଛୋଟ ଗଳ୍ପ ? ସୁନନ୍ଦା ଗଳ୍ପ ପଢ଼େ । ସେ ଅନେକ ଗଳ୍ପ ପଢ଼ିଛି-। ଗଳ୍ପର କୌଣସି ଅଂଶ କେବେହେଲେ ତା’ର ଜୀବନ ଉପରେ ରେଖାପାତ କରିନାହିଁ । କଲମ ଥୋଇଦେଇ ସୁମନ୍ତ ଘର ମଧ୍ୟରେ ପଦଚାରଣ କରିବାକୁ ଲାଗିଲେ ।

 

କିଛିକ୍ଷଣ ଚିନ୍ତାକରି ପୁଣି ସେ କଲମ ଧରିଲେ । ଟେବୁଲ ଉପରେ ରାଇଟିଂପେଡ଼୍‌ ଖୋଲାହୋଇ ପଡ଼ିଥାଏ । ପେଡ଼୍‌ରୁ ଗୋଟିଏ କାଗଜ ଟାଣିନେଇ ଆରମ୍ଭ କଲେ...‘‘ଆସନ୍ତୁ ।’’

 

ଭିତରକୁ ପଶି ଆସିଲେ ପ୍ରଶାନ୍ତ । ନିମନ୍ତ୍ରଣ ପତ୍ରଟି ବଢ଼ାଇ ଦେଇ କହିଲେ ‘‘ନମସ୍କାର-।’’

 

‘‘ପ୍ରତି ନମସ୍କାର ଜଣାଇଲେ ସୁମିତ୍ରା ।

 

‘‘ଆପଣ କ’ଣ ଶ୍ରୀମତୀ ଦାସ ?’’

 

‘‘କେବଳ ଶ୍ରୀମତୀ ଦାସ ନୁହେଁ । ଶ୍ରୀମତୀ ସୁମିତ୍ରା ଦାସ ।’’

 

ସୁମିତ୍ରାଙ୍କ ଅଧର କୋଣରେ ଫୁଟି ଉଠିଲା ହସର ସରୁ ରେଖା ଗୋଟିଏ ।

 

‘‘କ୍ଷମା କରିବେ । ନାମଟା ଜାଣି ନଥିଲି । ତେଣୁ ଅସୁବିଧାରେ ପଡ଼ିବାକୁ ହେଲା ।’’ ପ୍ରଶାନ୍ତଙ୍କ କଥାରେ ଥିଲା କାତରୋକ୍ତି ।

 

‘‘ଆପଣ ନିଶ୍ଚୟ ସନ୍ଧ୍ୟାକୁ ଯିବେ । ଆମେ ଆପଣଙ୍କ ଅପେକ୍ଷାରେ ଥିବୁଁ । ଦେଖନ୍ତୁ ମି. ଦାସ ଯେପରି ଯାଆନ୍ତି । ଏତିକି ଅନୁରୋଧ । ଆଶାକରେ ଭୁଲିବେ ନାହିଁ’’ କହି ପ୍ରଶାନ୍ତ ବିଦାୟ ନେବାକୁ ଚାହିଁଲେ ।

 

‘‘ନ ଗଲେ କ’ଣ ଚଳିବ ନାହିଁ’’ ? ପଚାରିଲେ ସୁମିତ୍ରା ।

 

ଯଦି ଚଳିଥାନ୍ତା ତେବେ ପରିଶ୍ରମ କରି ଏତେ ବାଟ ଆସିବାର ପ୍ରୟୋଜନ ବା କ’ଣ ଥିଲା ?’’ ଏତିକି କହି ସାରି ପ୍ରଶାନ୍ତ ଅନାଇଲେ ସୁମିତ୍ରାର ମୁହଁକୁ ।

 

ସୁମିତ୍ରା ହସି ହସି କହିଲେ ‘‘ଆପଣଙ୍କର ପାରିଶ୍ରମିକ ବାବଦକୁ କପେ ଚା ଓ ରିକ୍‌ସା ଖର୍ଚ୍ଚଟା ଦେଇଦେଲେ ଆପଣ ନିଶ୍ଚୟ ସନ୍ତୁଷ୍ଟ ହେବେ ଯେ ଆପଣଙ୍କ ଶ୍ରମର ମୂଲ୍ୟ ଆପଣ ପାଇ ଯାଇଛନ୍ତି ।’’

 

‘‘ଆପଣ ମି: ଦାସଙ୍କ ସଙ୍ଗରେ ଗଲେ ଯାଇ ମୋର ଶ୍ରମର ମୂଲ୍ୟ ମୋତେ ମିଳିବ । ଆଶା କରେ ଆପଣ କଷ୍ଟ ସ୍ୱୀକାର କରି ନିଶ୍ଚୟ ଯିବେ ।’’

 

‘‘ଦେଖନ୍ତୁ ମୋ ତରଫରୁ ମୁଁ ଆପଣଙ୍କୁ ନିର୍ଭର ଜବାବ୍‌ ଦେଇପାରେ । ମାତ୍ର ମି: ଦାସଙ୍କପାଇଁ କୌଣସି ପ୍ରତିଶ୍ରୁତି ଦେବାକୁ ମୁଁ ସମ୍ପୂର୍ଣ୍ଣ ଅକ୍ଷମ ।’’ ଏତିକି ସୁମିତ୍ରା ଏକ ନିଶ୍ୱାସରେ କହି ବାହାରକୁ ଦୃଷ୍ଟି ନିକ୍ଷେପ କଲେ ।

 

‘‘ମି: ଦାସଙ୍କୁ ମୋ ତରଫରୁ ଅନୁରୋଧ କରିବେ । ସେ ଯେପରି ଯାଆନ୍ତି । ଏହି ଭାର ଆପଣଙ୍କ ଉପରେ ଲଦି ଦେଇ ମୁଁ ନିଶ୍ଚିନ୍ତ ହେବାକୁ ଚାହେଁ ।’’

 

‘‘ଦେଖୁଛି ଆପଣ ନିହାତି ସ୍ୱାର୍ଥପର । ମୋ ଉପରେ ଆପଣ ଦାୟିତ୍ୱର ବୋଝ ଲଦି ଦେଇ ଖସିଯିବାକୁ ବସିଛନ୍ତି । ଆପଣ ସନ୍ଧ୍ୟାବେଳକୁ ଆସନ୍ତୁ । ମି: ଦାସ ଅଫିସରୁ ଫେରିଥିବେ । ଆପଣଙ୍କ ସଙ୍ଗେ ଆଳାପ ହେବ । ସେ ମଧ୍ୟ ଯାଇପାରନ୍ତି ।’’

 

‘‘ଦେଖନ୍ତୁ ଶ୍ରୀମତୀ ଦାସ ! ଜୋତା ସିଲାଇଠାରୁ ଆରମ୍ଭ କରି ଚଣ୍ତୀ ପାଠ ପର୍ଯ୍ୟନ୍ତ ଭାର ମୋ ଉପରେ ।’’

 

‘‘ସେ କାର୍ଯ୍ୟକ୍ରମ ଭିତରେ ସନ୍ଧ୍ୟାକୁ ଆସିବାଟା ଯୋଡ଼ିଦେଲେ କ’ଣ ଚଳିବ ନାହିଁ ?’’

 

ପ୍ରଶାନ୍ତ କୌଣସି ଉତ୍ତର ଦେଇ ନ ପାରି ନିଜକୁ ଅସହାୟ ମଣିବାକୁ ଲାଗିଲେ ।

 

ପୁଣି ସୁମିତ୍ରା ଆରମ୍ଭ କଲେ ‘‘ଆପଣ ଯେତେବେଳେ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେ ଅବସ୍ଥାରେ ଆପଣଙ୍କୁ ପୁନଶ୍ଚ ଅନୁରୋଧ କରିବା ନିହାତି ଅସମୀଚୀନ । ତେବେ ଆମ୍ଭେମାନେ ନିଶ୍ଚୟ ଯିବାକୁ ଚେଷ୍ଟା କରିବୁଁ ।’’

 

‘‘ଚେଷ୍ଟା କରିବୁ ନ କହି ନିଶ୍ଚୟ ଯିବୁ ବୋଲି କହିଲେ ବୋଧେ–ହୁଏ କାନକୁ ଭଲ ଶୁଭିବ-।’’

 

‘‘ଆପଣଙ୍କ କାନକୁ ସିନା ଭଲ ଶୁଭିବ । ତେବେ ଆମ୍ଭମାନଙ୍କୁ ଯେ କଷ୍ଟ ସହିବାକୁ ପଡ଼ିବ’’ କହି ସୁମିତ୍ରା ଆଗନ୍ତୁକଙ୍କ ମୁହଁକୁ ଏକ ଧ୍ୟାନରେ ଅନାଇଲେ । ‘‘ଆହା ଆପଣ ଏତେ ବେଳ ଯାଏ ନ ବସି ସେମିତି ଛିଡ଼ା ଛିଡ଼ା ଏତେ କଥା କହି ଗଲେଣି । କ୍ଷମା କରବେ । ମୋର ନଜର ମୋଟେ ସେ ଆଡ଼କୁ ନାହିଁ ।’’

 

‘‘ବିଶେଷ ଅସୁବିଧା ହୋଇନାହିଁ । ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ପିଲାମାନଙ୍କୁ ପଢ଼ାଇବାରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅଭ୍ୟସ୍ତ ।’’

 

ସୁମିତ୍ରା କହିଲେ ‘‘ଭଦ୍ରାମି ଖାତିରିରେ ସିନା ଏ କଥା କହୁଛନ୍ତି; କିନ୍ତୁ ଫାଟକ ପାର ହୋଇ ରାସ୍ତା ଧରିବା ମାତ୍ରେ ଆରମ୍ଭ କରିଦେବେ ‘‘ନେଷ୍ଟି ଓଡ଼ିଆରୀ ! ଏମାନେ ପୁଣି ଭଦ୍ରାମିର ଧାର ଧାରନ୍ତି ? ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଗୋଡ଼ ଘୋଳି ହୋଇ ଛିଡ଼ି ପଡ଼ିଲା । ତଥାପି ଟିକିଏ ବସିବାର ବ୍ୟବସ୍ଥା ମଧ୍ୟ ହୋଇପାରିଲା ନାହିଁ । ବସି ପଡ଼ିଥିଲେ ସତେ ଯେପରି ଚେୟାରଟା ମାରା ହୋଇ ଯାଇଥାନ୍ତା ?’’ ପୁଣି କହିଲେ ‘‘ଏତେ କଥାରେ ମୋର କିଏ ଥାଏ ? ଦୟା କରି ଟିକିଏ ବସି ଯାଆନ୍ତୁ । ଅନ୍ତତଃ ଅଯଥା ବଦ୍‌ନାମରୁ ମଣିଷ ରକ୍ଷା ପାଇବ ।’’ ହସି ଦେଇ କହିଲେ ସୁମିତ୍ରା ।

 

‘‘ବଦ୍‌ନାମ ଯଦି ନ କରେ ?’’

‘‘ଯୁକ୍ତି ଛଳରେ ସମସ୍ତେ ଏପରି କହିଥାନ୍ତି । ମାତ୍ର ପ୍ରକୃତରେ ମନୁଷ୍ୟର ସ୍ୱଭାବ ସମ୍ପୂର୍ଣ୍ଣ ଭିନ୍ନ । ସେ ଯାହା ନିଜକୁ ଦେଖାଇ ହୁଏ ତାହା ତା’ର ସ୍ୱରୂପ ନୁହେଁ ।’’

‘‘ଦେଖନ୍ତୁ ଶ୍ରୀମତୀ ଦାସ । ଦୁନିଆରେ ତ ସମସ୍ତେ ସମାନ ନୁହଁନ୍ତି ?’’

‘‘ସ୍ତ୍ରୀମାନଙ୍କ କଥା ବିଚାର କଲେ କିଛି ପାର୍ଥକ୍ୟ ପରିଲକ୍ଷିତ ହୋଇପାରେ । ମାତ୍ର ପୁରୁଷମାନଙ୍କ କ୍ଷେତ୍ରରେ ମୋର ଉକ୍ତି ସର୍ବଦା ପ୍ରଯୁଜ୍ୟ ।’’

‘‘ଏହାର ଅର୍ଥ ?’’

ଆପଣ ନିଶ୍ଚୟ ବୁଝିଥିବେ । ସାମାନ୍ୟ ମାତ୍ର ଦେଖା-ସାକ୍ଷାତରେ ସବୁ ଜିନିଷର ଅର୍ଥ ବିଶଦଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ ନାହିଁ । ଆରେ ବାବା, ଦୟା କରି ଟିକିଏ ବସନ୍ତୁ । ଯଦି ବସିବାକୁ ଚାହାନ୍ତି ନାହିଁ ତେବେ ଏଠାକୁ ନ ଆସି ବୁକ୍‌ ପୋଷ୍ଟରେ ନିମନ୍ତ୍ରଣ ପତ୍ର ପଠାଇ ଦେଇଥିଲେ ମଧ୍ୟ ଚଳିଥାନ୍ତା । ବସନ୍ତୁ ଚା’ ଆଣୁଛି’’ କହି ସୁମିତ୍ରା ବିଦାୟ ନେଲେ ।

ସୁମନ୍ତ କଲମ ଥୋଇ ଦେଇ ଚିନ୍ତା କରିବାକୁ ଲାଗିଲେ । ଅନେକ ଦିନର କଥା । ତାଙ୍କର ପୂର୍ବରୁ ସୁନନ୍ଦା ସଙ୍ଗେ ମୋଟେ ପରିଚୟ ନ ଥିଲା । ଘଟଣା ଚକ୍ରରେ ପଡ଼ି ସେ ଦିନେ ଆସିଥିଲେ ସୁନନ୍ଦା ଘରକୁ ଠିକ୍‌ ଯେପରି ଆସିଛନ୍ତି ପ୍ରଶାନ୍ତ । ଦେଖାଯାଉ କେଉଁ କଥା କେଉଁଆଡ଼େ ଯାଉଛି ।

ପୁଣି ସୁମନ୍ତ ଆରମ୍ଭ କଲେ...ସୁମିତ୍ରା ଚା’ ଆଣିବାପାଇଁ ଗଲେ ଭିତରକୁ । ପ୍ରଶାନ୍ତ ଡ୍ରଇଂ ରୁମ୍‌ରେ ବସି ବସି ଚାରିଆଡ଼କୁ ଆଖି ବୁଲାଇଲେ । ଘରର ସାମନା ପଟକୁ ଗୋଟିଏ ଛୋଟ ସୋ କେଶ୍‌ ରଙ୍ଗ ବେରଙ୍ଗର ପ୍ଲାଷ୍ଟିକ୍‌ ଖେଳନାରେ ଭରା । ତା’ଉପରକୁ ଗୋଟିଏ ଫ୍ରେମ୍‌ରେ ବନ୍ଧା ମି: ଦାସ ଓ ଶ୍ରୀମତୀ ଦାସଙ୍କର ଦୁଇଟି ଫଟୋ ।

ପ୍ରଶାନ୍ତ ଅପଲକ ନୟନରେ ଅନାଇ ରହି ଶେଷରେ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେଲେ । ସେ ଲକ୍ଷ୍ୟ କଲେ ମି: ଦାସ ଓ ଶ୍ରୀମତୀ ଦାସଙ୍କର ମଧ୍ୟରେ ରହିଛି ବହୁତ ଅସାମଞ୍ଜସ୍ୟ । ମି: ଦାସଙ୍କର ଋକ୍ଷ ଚେହେରା ଓ ମୁଖର ଭାବ ଏକାବେଳକେ ଉଦାସିଆ; କିନ୍ତୁ ଶ୍ରୀମତୀ ଦାସ ସମ୍ପୂର୍ଣ୍ଣ ଭିନ୍ନ । ଆଖିରେ ଦୁନିଆକୁ ଉପଭୋଗ କରିବାର ଚାହାଣି । ହସ ହସ ମୁହଁ ସାଙ୍ଗକୁ ଅଧର କୋଣରେ ଅତୃପ୍ତିର ହସ ।

 

ସେ ଭାବିବାକୁ ଲାଗିଲେ ତେବେ କ’ଣ ଶ୍ରୀମତୀ ଦାସ ଅତୃପ୍ତ ଜୀବନ ନେଇ କେବଳ ବଞ୍ଚିବାର ଛଳନା ମାତ୍ର କରନ୍ତି ? ତାଙ୍କର ଅଭାବ ବା କ’ଣ ? ଆଇ: ପି: ଏସ୍‌: ସ୍ୱାମୀ । ଅଜସ୍ର ଟଙ୍କା ସୁନା । ଦାସଦାସୀର ଅଭାବ ନାହିଁ । ମଣିଷ ଏହା ଅପେକ୍ଷା ଆଉ ଅଧିକା କ’ଣ ବା ଆଶା କରେ ?

 

ଭିତରକୁ ପଶି ଆସିଲେ ସୁମିତ୍ରା । ଦାମିକା କପ୍‌ ପ୍ଳେଟରେ ବାଦାମି ରଙ୍ଗର ଚା’ । ପ୍ରଶାନ୍ତଙ୍କ ହାତକୁ କପ୍‌ଟି ବଢ଼େଇ ଦେଇ ସୁମିତ୍ରା ଦେବୀ ଚେୟାର ଟିକିଏ ଦୂରକୁ ଘୁଞ୍ଚାଇ ନେଇ ବସିଲେ । ପ୍ରଶାନ୍ତ ଚା’ କପ୍‌ରେ ଓଠ ଲଗାଇଲେ ।

 

ସେ ବିଦାୟ ନେବା ପୂର୍ବରୁ ପୁଣି ସୁମିତ୍ରାଙ୍କୁ ଅନୁରୋଧ କରି କହିଲେ ଆଶା କରେ ଆପଣମାନେ ଆମକୁ ହତାଶ କରିବେ ନାହିଁ । ତେବେ ବିଦାୟ ନେଉଛି ।

 

‘‘ପୁଣି ଆଉ କେବେ ଶୁଭାଗମନ ହେବ ?’’ ପଚାରିଲେ ସୁମିତ୍ରା । ପ୍ରଶାନ୍ତ କୌଣସି ଉତ୍ତର ନ ଦେଇ ‘‘ନମସ୍କାର’’ କହି ଚାଲିଗଲେ ବାହାରକୁ । ସୁମିତ୍ରା କିଛିକ୍ଷଣ ସେଆଡ଼କୁ ଅନାଇ ରହି ପରେ ଦୃଷ୍ଟି ଫେରାଇଲେ ।

 

ପ୍ରଶାନ୍ତ ଚାଲିଯାଇଛନ୍ତି । ସମୟ ସାଢ଼େ ଚାରି । ମି: ଦାସ ଫେରିବେ ସନ୍ଧ୍ୟା ପରେ । ସେ ପ୍ରତିଦିନ ଠିକ୍‌ ସେହି ସମୟରେ ଫେରନ୍ତି । ଦିନେ ଦିନେ ମଧ୍ୟ ଫେରୁ ଫେରୁ ରାତି ଆଠ ନଅ-

 

ସୁମିତ୍ରା ଫୋନ୍‌ କରି ମି: ଦାସଙ୍କୁ ସନ୍ଧ୍ୟା ପୂର୍ବରୁ ଆସିବାକୁ ଅନୁରୋଧ କଲେ । ମି: ଦାସ ଅନିଚ୍ଛା ପ୍ରକାଶ କରି କହିଲେ ବିଶେଷ ଜରୁରି କାମ ଅଛି । ତେଣୁ ସେ ରାତିର ଆଗରୁ କୌଣସି ପ୍ରକାରେ ବୋଧ-ହୁଏ ଆସିପାରିବେ ନାହିଁ । ସୁମିତ୍ରା ଅସହିଷ୍ଣୁ ଭାବ ପ୍ରକାଶ କରି କହିଲେ ‘‘ମୁଁ ଜାଣେ ତୁମେ ମୋର କୌଣସି ଅନୁରୋଧ କେବେ ରକ୍ଷା କର ନାହିଁ । ମୁଁ ଅପେକ୍ଷା କରିଛି । ତୁମେ ନିଶ୍ଚୟ ଆସିବ । ଆସିଲେ ସାଥୀ ହୋଇ ସନ୍ଧ୍ୟାବେଳକୁ କଲେଜକୁ ଯିବା । ପ୍ରିନ୍‌ସିପାଲ ସାହେବ ନିମନ୍ତ୍ରଣ କରିଛନ୍ତି । ଦେଖ ନିଶ୍ଚୟ ଆସିବ । ନ ହେଲେ ଚଳିବ ନାହିଁ । ଏତିକି କହି ସେ ରିସିଭରଟି ଥୋଇ ଦେଇ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ିଲେ । ଏହା ହେଉଛି ସୁମିତ୍ରାଙ୍କର ଜୀବନ । ସେ ହରି କହିଲେ ସ୍ୱାମୀ କହନ୍ତି ହର । କେଉଁ ସ୍ତ୍ରୀ ନ ଚାହେଁ ସ୍ୱାମୀର ସ୍ନେହ ? ସୁମିତ୍ରା ତ ସ୍ୱାମୀଙ୍କଠାରୁ ଆଉ ଅଧିକା କିଛି ଆଶା କରନ୍ତି ନାହିଁ । ସେ କେବଳ ଚାହାନ୍ତି ପଦେ ମାତ୍ର ସ୍ନେହବୋଳା କଥା ଓ ସମୟ ଅସମୟରେ......

 

ବିଶେଷ କିଛି ଭାବି ପାରିଲେ ନାହିଁ । ଆଖି କୋଣରେ ମୁକ୍ତା ବିନ୍ଦୁ ପରି ଦୁଇ ଟୋପା ଲୁହ ଜମି ଗଲା । ସେ କାନ୍ଦିବେ । ମନ ପୂରାଇ କାନ୍ଦିବାକୁ ତାଙ୍କର ଇଚ୍ଛା । ଲାଭ ବା କ’ଣ ମିଳିବ ସେଥିରୁ । ତାଙ୍କର ଆଖି ଲୁହର ମୂଲ୍ୟ କିଏ ପୁଣି ଦେବ ? ଯେ ଲୁହର ଅର୍ଥ ବୁଝେ ତା’ ପାଖରେ ଲୁହ ଢାଳିବାରେ ଆନନ୍ଦ ଥାଏ ।

 

ଶ୍ରୀଯୁକ୍ତ ରମଣୀ ରଞ୍ଜନ ଦାସ ହେଉଛନ୍ତି ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସର । ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ଅର୍ଥ ଶାସ୍ତ୍ରରେ ଏମ୍‌ ଏ: ପାଶ୍‌ କଲା ପରେ ସେ ପ୍ରଥମେ ବଲାଙ୍ଗିର କଲେଜରେ ଅଧ୍ୟାପକଭାବରେ ନିଯୁକ୍ତି ପାଇ ମାତ୍ର ଦୁଇଟି ବର୍ଷ ଚାକିରୀ କରି ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦୁଇ ବର୍ଷ ହେଲା ଟାଟା ନଗରରେ ଏଡ଼ିସ୍‌ନାଲ ଏସ୍‌: ପି:- ଭାବରେ ଅବସ୍ଥାନ କରୁଅଛନ୍ତି । ବର୍ମା ମାଇନସ ରୋଡ଼ ଉପରେ ସରକାରଙ୍କ ବିରାଟ ବଙ୍ଗଳା । ସେଠାରେ ରହନ୍ତି ମି: ଦାସ ।

 

ମି: ଦାସଙ୍କର ସାବନା ରଙ୍ଗର ଦେହକୁ ଖାକି ପୋଷାକଟି, ଆହୁରି ଅସୁନ୍ଦର କରିପକାଏ-। ଏହା ଶ୍ରୀମତୀ ଦାସ ହୃଦୟଙ୍ଗମ କରନ୍ତି; ମାତ୍ର ଖୋଲିକରି କିଛି କହି ପାରନ୍ତି ନାହିଁ । କାଳେ ସ୍ୱାମୀଙ୍କର ମନ କଷ୍ଟ ହେବ । ସେ ତେବେ ବେଳେ ବେଳେ କଥା ପ୍ରସଙ୍ଗରେ କହନ୍ତି ମଣିଷ ପୋଲିସ୍‌ ଚାକିରୀ କଲା ବୋଲି କ’ଣ ତା’ର ନିଜର ଗୋଟାଏ ରୁଚି ନାହିଁ ଯେ ସବୁବେଳେ ଖାକି ପୋଷାକ ପିନ୍ଧିବ ? ଏପରି କଥା କହିବାର ଅର୍ଥ ମି: ଦାସ ମୋଟେ ବୁଝନ୍ତି ନାହିଁ । ସେ କେବଳ ଗମ୍ଭୀର ହୋଇ କହନ୍ତି ‘‘ଖାକି ନ ପିନ୍ଧିଲେ କ’ଣ ଚଳୁଛି’’ ।

 

ସୁମିତ୍ରା ଦେବୀ ନିଜକୁ ଅସହାୟ ମନେ କରନ୍ତି । ସେ ଭାବନ୍ତି ଦେହରେ କେବଳ ପଶୁର ବଳଗୁଡ଼ାଏ ପୂରାଇ ଯେ ଗର୍ବ ଅନୁଭବ କରେ ତା’ ପାଖରେ ଆତ୍ମ ନିବେଦନର ଅର୍ଥ ବା କ’ଣ ଥାଇପାରେ । ପଶୁ ଓ ମଣିଷ ମଧ୍ୟରେ ସେ ତଫାତ୍‌ ଖୋଜନ୍ତି । ଯେଉଁ ମଣିଷ ବିବେକ ଓ ଜ୍ଞାନଶୂନ୍ୟ ସେ ପଶୁଠାରୁ ମଧ୍ୟ ହୀନ । ଏହା ହେଉଛି ତାଙ୍କର ସିଦ୍ଧାନ୍ତ ।

 

ସନ୍ଧ୍ୟା ହେବାକୁ ଯାଉଛି । ହଠାତ୍‌ ଗାଡ଼ିଟି ଆସି ବାରଣ୍ତାକୁ ଲାଗି ଛିଡ଼ା ହେଲା । ମି: ଦାସଙ୍କ ପାଖକୁ ଯାଇ ସୁମିତ୍ରା ଦେବୀ କହିଲେ ମୁଁ ତୁମ ଅପେକ୍ଷାରେ ଥିଲି । ଶୀଘ୍ର ପୋଷାକ ବଦଳ କରି ପକାଅ, ଟିକିଏ ଜଳଖିଆ ଖାଇ ନିଅ । ମୁଁ ଲୁଗା ପିନ୍ଧି ବାହାରୁଛି । ପହଞ୍ଚୁ ପହଞ୍ଚୁ ଡେରି ହୋଇଯିବ ।’’

 

ମି: ଦାସ ବିରକ୍ତିର ଭାବ ପ୍ରକାଶ କରି କହିଲେ ‘‘ମଣିଷ ତୁମ ଜ୍ୱାଳାରେ ଆଉ ବଞ୍ଚିବା ଅସମ୍ଭବ । ତୁମର ଯଦି ଯିବାର ଥିଲା ତୁମେ ତ ଯାଇଥାନ୍ତ । ମୋତେ ପୁଣି ଭିଡ଼ି ଓଟାରି ନେବାରେ ତୁମର ବା ଲାଭ କ’ଣ ?’’

 

ତୁମେ ତ ଜାଣ ‘ସାହିତ୍ୟ’ର ମୁଁ ମୋଟେ ଧାର ଧାରେ ନାହିଁ । ସେ ସାହିତ୍ୟରୁ ବା ମୋତେ କ’ଣ ମିଳିବ ? କେତୋଟି ପାଗଳ ଏକଜୁଟ ହୋଇ କେବଳ ଚର୍ଚ୍ଚା କରିବେ ଯେତେବେଳେ ଅବାନ୍ତର କଥା । କିଏ କହିବ ପ୍ରିୟା ! ତମର ଆଖିରେ ଛୁଟେ ଅଶ୍ରୁର ବନ୍ୟା, ପୁଣି ଆଉ କିଏ କହିବ ପ୍ରିୟ ! ସୁଦୂର ବିଦେଶରେ ତୁମପାଇଁ ଝୁରି ଝୁରି ମରେ ରାଜକନ୍ୟା ଝାଉଁବଣ ତଳେ....ଏସବୁ ବାଜେ କଳ୍ପନା, ଏଥିରେ ମଣିଷ ବଞ୍ଚିବାର ଖୋରାକ ପାଏ ନାହିଁ । ବଞ୍ଚିବାର ଦିଗ ଆଉ ଗୋଟିଏ ପୁଣି ଅଛି ।

 

ସୁମିତ୍ରା ଦେବୀଙ୍କ ହୃଦୟ ଥରାଇ ବାହାରି ଆସିଲା ଗୋଟାଏ ଦୀର୍ଘଶ୍ୱାସ । ତାଙ୍କର ମାନସ-ସରୋବରର ଶୁଭ୍ର ଶତଦଳ କ୍ରମେ ନିଷ୍ପ୍ରଭ ହୋଇ ଆସିଲା । ଲୁଗା ବଦଳ କରିବାକୁ ଗଲେ ଶ୍ରୀମତୀ ଦାସ ।

 

କୋଡ଼ିଏ ପଚିଶ ମିନିଟ୍‌ ପରେ ବାହାରି ଆସିଲେ ସୁମିତ୍ରା । ଲହୁଣୀ ରଙ୍ଗର ଦେହକୁ ଆକାଶୀ ରଙ୍ଗର ଶାଢ଼ୀ ଓ ତା’ସାଙ୍ଗକୁ ଗୋଲାପି ବ୍ଳାଉଜୁ ବେଶ୍‌ ମାନିଥାଏ । ମି: ଦାସ ବାହାରେ ଅପେକ୍ଷା କରିଥାଆନ୍ତ । ଶ୍ରୀମତୀ ଦାସ ଟିକିଏ ଗେହ୍ଲେଇ ହୋଇ କହିଲେ ‘‘ଶାଢ଼ୀକୁ ବ୍ଳାଉଜୁଟା ମେଚ କଲା ନା ଆଉ ଗୋଟିଏ ବଦଳ କରିଦେବି ?’’

 

‘‘ଓଃ ତୁମେ ଚାଲିଲ’’ କହି ଗାଡ଼ିରେ ଷ୍ଟାଟ୍‌ ଦେଲେ ମି: ଦାସ । ଗାଢ଼ କଳା ରଙ୍ଗର ଫିଏଟ ଗାଡ଼ି । ସରକାରଙ୍କଠାରୁ କରଜ କରି ଗାଡ଼ି ନୂଆ କିଣା ହୋଇଛି । ମାସକୁ ମାସ ଦରମାରୁ କଟିଯାଏ ଦେଢ଼ଶହ ଟଙ୍କା । ପ୍ରତିମାସ ପହିଲା ବେଳକୁ ଘରେ ଗୋଟାଏ ଛୋଟକାଟିଆ ବାଦୀପାଲା ସୃଷ୍ଟି ହୁଏ । କେବଳ ଏହି ଗାଡ଼ି ଟଙ୍କା ପରିଶୋଧ ନେଇ । କାରଣଟା ହେଉଛି ମି: ଦାସଙ୍କର ଗାଡ଼ି କିଣିବାର ଇଚ୍ଛା ନ ଥିଲା । କେବଳ ସୁମିତ୍ରା ଦେବୀଙ୍କର ଅଯଥା ଜିଦ୍‌ ବଜାୟ ରଖିବାକୁ ଯାଇ ସେ ଆଜି ଏ ଦହଗଞ୍ଜ ।

 

କଳାରାସ୍ତା ଉପରେ ଗାଡ଼ି ଚାଲିଛି । ସୁମିତ୍ରା ଦେବୀଙ୍କର ମନର ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ନଷ୍ଟ ହୋଇ ନାହିଁ । ନିଜକୁ ନିଜେ ପଚାରି ଯାଉଥାନ୍ତି ସେ କ’ଣ ମି: ଦାସଙ୍କ ଚକ୍ଷୁରେ ଏତେ ହେୟ ? ସ୍ତ୍ରୀ ହେଲେ ବୋଲି କ’ଣ ତାଙ୍କର ଗୋଟାଏ କିଛି ନାହିଁ ? ସେ କାହିଁକି ଏତେ ଅପମାନ ସହ୍ୟ କରିବେ ?

 

ତାଙ୍କର ଅମାନିଆ ମନଟା ମନେ ମନେ ବିଦ୍ରୋହ ଘୋଷଣା କଲା । କାହା ବିରୁଦ୍ଧରେ ଏ ବିଦ୍ରୋହ ? ଯାହାର ହୃଦୟ ନାହି, ଯାହାର ବୁଝିବାର କ୍ଷମତା ନାହିଁ, ଯେ ଅନ୍ୟର ମନ ଜାଣି କଥା କହି ନ ଜାଣେ ସେ ପୁଣି କେଉଁ ଦାବୀ ନେଇ ଦୁନିଆକୁ ଆସେ ସଂସାର ବାନ୍ଧିବାକୁ । ସେ ପୁଣି କେଉଁ ଯୋଗ୍ୟତା ବଳରେ ହୁଏ ଗୋଟିଏ ସ୍ତ୍ରୀର ସ୍ୱାମୀ ? ଏ ଭଳିଆ ଶତ ଶତ ପ୍ରଶ୍ନ ମନ ମଧ୍ୟରେ ଉଦ୍ରେକ ହୋଇ ପୁଣି କେଉଁ ଆଡ଼େ ଉଭେଇ ଗଲା ।

 

ଗାଡ଼ି ଯାଇ ଅଟକିଲା କଲେଜ ଗେଟ୍‌ ନିକଟରେ । ନିଜେ ପ୍ରିନ୍‌ସିପାଲ ସାହେବ ଆସି ପାଛୋଟି ନେଲେ ଦାସ ଦମ୍ପତ୍ତିଙ୍କୁ । ଅଳ୍ପ ଦୂରରେ ଛିଡ଼ା ହୋଇଥିଲେ ପ୍ରଶାନ୍ତବାବୁ । ପ୍ରିନ୍‌ସିପାଲ ପ୍ରଶାନ୍ତବାବୁଙ୍କ ସଙ୍ଗେ ମି: ଦାସଙ୍କୁ ପରିଚୟ କରାଇ ଦେଇ କହିଲେ ଏ ହେଉଛନ୍ତି ଅଧ୍ୟାପକ ଶ୍ରୀ ପ୍ରଶାନ୍ତକୁମାର ମହାପାତ୍ର, ଓଡ଼ିଆରେ ଫାଷ୍ଟକ୍ଳାସ୍‌ ପାଇ ନୂଆ ହୋଇ କଲେଜରେ ଜଏନ୍‌ କରିଛନ୍ତି-। ମି: ଦାସ ନମସ୍କାର ଜଣାଇଲେ ।

 

ପ୍ରଶାନ୍ତବାବୁ ପ୍ରତିନମସ୍କାର ଜଣାଇ କୃତଜ୍ଞତା ଜ୍ଞାପନ କଲେ; ଯେହେତୁ ମି: ଦାସ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଆସି ପାରିଛନ୍ତି । ‘‘ଦେଖନ୍ତୁ ପ୍ରଶାନ୍ତବାବୁ ! ଆପଣ ତ ଜାଣନ୍ତି ପୋଲିସ ଚାକିରୀ, ଦାୟିତ୍ୱ କିଛି ତ କମ୍‌ ନୁହେଁ । ସେସବୁ ବୁଝିସାରି ଏସବୁ ବାଜେ ବିଷୟରେ ମୁଣ୍ତ ପୂରାଇବାକୁ ବେଳ ମିଳିବ କୁଆଡ଼ୁ ? ଏମିତି କହି ସେ ସୁମିତ୍ରା ଦେବୀଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ମି: ଦାସଙ୍କର ଏ ଧରଣର କଥାବାର୍ତ୍ତାରେ ସୁମିତ୍ରା ଦେବୀ ମୋଟେ ସନ୍ତୁଷ୍ଟ ନୁହଁନ୍ତି । ଶ୍ରୀମତୀ ଦାସ ଖୁବ୍‌ ଭଲଭାବେ ଜାଣିଛନ୍ତି ଯେ ଆଇ. ପି. ଏସ୍‌ ହେବାପାଇଁ ଯେତିକି ବିଦ୍ୟା ଦରକାର ତା’ଠାରୁ ମି: ଦାସ ଅଧିକା କିଛି ଦୁନିଆରେ ଜାଣନ୍ତି ନାହିଁ । ସୁମିତ୍ରା ଦେବୀଙ୍କ ମତରେ ମି: ଦାସ ହେଉଛନ୍ତି ଅର୍ଥଶାସ୍ତ୍ରର ଗୋଟିଏ ବଡ଼ ବହି । ଏତିକି ବ୍ୟତୀତ ସେ ମି: ଦାସଙ୍କ ସମ୍ବନ୍ଧରେ ଅନ୍ୟ କୌଣସି ଉଚ୍ଚ ଧାରଣା ପୋଷଣ କରିପାରନ୍ତି ନାହିଁ ।

 

ସୁମନ୍ତ କଲମ ଥୋଇଦେଇ ଭାବିବାକୁ ଲାଗିଲେ ସାମାନ୍ୟ କେତୋଟି ଦିନର ଦେଖାସାକ୍ଷାତ ପରେ ସୁନନ୍ଦା ମଧ୍ୟ ଦିନେ କହିଥିଲା ‘ସୁମନ୍ତ ! ହୁଏତ ତୁମେ ବିଶ୍ୱାସ କରିବ ନାହିଁ ମୁଁ ତୁମକୁ କେତେ ଭଲପାଏ । ସୁନନ୍ଦାର ସ୍ୱାମୀ ଅଛନ୍ତି । ପୁତ୍ର କନ୍ୟା ନେଇ ସୁନନ୍ଦା ସଂସାର କରିଛି । ତେବେ ସୁନନ୍ଦା କାହିଁକି ତାକୁ ଭଲପାଏ ? ଏହି ପ୍ରଶ୍ନ ସେ ନିଜକୁ ନିଜେ ପଚାରିଥିଲେ । ସୁନନ୍ଦା ସୁମିତ୍ରା ପରି ଦୁନିଆରେ ଅନେକ କିଛି ଖୋଜି ଖୋଜି ଯେତେବେଳେ କିଛି ପାଇପାରିଲା ନାହିଁ ଓ ନିଜକୁ ଅସହାୟ ମଣୁଥିଲା, ଠିକ୍‌ ସେହି ସମୟରେ ସୁନନ୍ଦା ସଙ୍ଗେ ହେଲା ସୁମନ୍ତର ପରିଚୟ । ଉଭୟେ ଉଭୟଙ୍କୁ ଅତି ନିକଟରେ ପାଇଥିଲେ । ସୁନନ୍ଦା ଯାହା ଖୋଜୁଥିଲା ସେ କ’ଣ ତାହା ହେଲେ ସୁମନ୍ତଠାରୁ ଏତେ ଦିନ ପରେ ପାଇଲା ?

 

ପୁଣି ସୁମନ୍ତ ଲେଖିବାକୁ ଆରମ୍ଭ କଲେ.....

 

ଅନେକ ସମୟରେ ସୁମିତ୍ରା ଦେବୀ ଭାବନ୍ତି ଏତେ ପାଠ ପଢ଼ି, ଉଚ୍ଚ ଚାକିରୀ କରି ଯେ ପରିବାର ଭରଣପୋଷଣ କରିପାରେ ସେ ପୁଣି ଏତେ ସାଧାରଣ ଜ୍ଞାନଶୂନ୍ୟ ହୋଇପାରେ କିପରି-? ଏ ପ୍ରକାର ମଣିଷକୁ ତେବେ କ’ଣ ପାଗଳ କୁହାଯିବ ? ପାଗଳର ମଧ୍ୟ ହୃଦୟ ଅଛି । ପାଗଳ ମଧ୍ୟ ଅନ୍ୟ ଜଣକୁ ବୁଝାଇବାକୁ କ୍ଷମ ହୁଏ ।

 

ପ୍ରକୃତରେ ତାଙ୍କର ସ୍ୱାମୀ ପାଗଳ ନୁହଁନ୍ତି । ସେ ହେଉଛନ୍ତି ଗୋଟିଏ ହୃଦୟହୀନ ଅକର୍ମଶୀଳା । ପ୍ରକୃତରେ ସେ ଯଦି ପଥର ହୋଇ ନ ଥାନ୍ତେ ତେବେ ସୁମିତ୍ରା ଭଳି ସ୍ତ୍ରୀକୁ ସେ ଆଜି ଅବହେଳା କରୁଥାନ୍ତେ କାହିଁକି ?

 

ମି: ଦାସ ବୁଝନ୍ତି ଜୀବନର ଅର୍ଥ ହେଉଛି ଧନ, ସମ୍ପତ୍ତି, କୋଠାବାଡ଼ି । ଯାହାର ଏତିକି ଦୁନିଆରେ ନାହିଁ, ସେ ଜୀବନର ଆକ୍ଷରିକ ଅର୍ଥ ମଧ୍ୟ ଜାଣେ ନାହିଁ । ଯେଉଁ ଲୋକ ପେଟପାଇଁ ବାରଦୁଆରରେ ହାତ ପାତେ ତା’ର ବଞ୍ଚିବାରେ ବା କେଉଁ ମୂଲ୍ୟ ଥାଏ ?

 

ସ୍ତ୍ରୀର ଅର୍ଥ ମି: ଦାସଙ୍କ ଭାଷାରେ ଗୋଟାଏ ପତଳା ରବରରେ ତିଆରି ବେଲୁନ୍‌ । ଏପରି କହିବାର ଉଦ୍ଦେଶ୍ୟ ଯେ କ’ଣ ସେ ବୋଧହୁଏ ଏକା ଜାଣନ୍ତି । ପୋଲିସ ବିଭାଗରେ କାମ କଲା ପରେ ସେ ଜାଣିପାରିଛନ୍ତି ଦୁନିଆରେ ଯେତେ ପ୍ରକାର ଅପରାଧ ଆଜି ମଣିଷ କରିବାକୁ ଯାଉଅଛି ସବୁଥିରେ ଅଛି ଏହି ‘ସ୍ତ୍ରୀ’ । ପେଟପାଇଁ ମନୁଷ୍ୟ ନରହତ୍ୟା କରେ ନାହିଁ । ପେଟପାଇଁ ଲୋଡ଼ା ଦୁଇ ଓଳିରେ ଦୁଇମୁଠା ଖାଦ୍ୟ ।

 

ସ୍ତ୍ରୀର ମନ ନେବାପାଇଁ; ସ୍ତ୍ରୀର କୃତ୍ରିମ ସ୍ନେହରୁ କଣିକାଏ ପାଇବା-ପାଇଁ କବି କଲମ ଧରେ, ନେତା ସଭାସମିତିରେ ଭାଷଣ ଦେଇ ବାହାଦୂରୀ ନିଏ । ହାକିମ ମୁଦାଲାଠାରୁ ପାଉଣା ଆଦାୟ କରେ, ବେପାରୀ କିଳା-ପୋତେଇ କରେ, ମନ୍ତ୍ରୀ ପଥ ହୁଡ଼ି ବିପଥଗାମୀ ହୁଏ । ସବୁ ଅନର୍ଥର ମୂଳ ହେଉଛି ଏହି ‘ସ୍ତ୍ରୀ’ । ଆଜି କେହି ଦମ୍ଭ କରି କହିପାରିବ କୌଣସି ଗୋଟିଏ ସ୍ତ୍ରୀ ତାକୁ ଜୀବନ ଦେଇ ଭଲ ପାଇଛି କି ? କେହି ଯଦି ଏହା କହେ ତାକୁ ମି: ଦାସ ନାନାପ୍ରକାର ଉଦାହରଣ ଦେଇ କହିବେ ‘ଅନ୍ୟକୁ ଭଲ ପାଇବା’ ସ୍ତ୍ରୀର ଧର୍ମ ନୁହେଁ । ସ୍ତ୍ରୀକୁ ସମସ୍ତେ ଭଲ ପାଇପାରନ୍ତି । ମାତ୍ର ସେ ଭଲ ପାଇ ଜାଣେ ନାହିଁ । ଭଗବାନ ସେତିକି ତାକୁ ଦାନ କରି ନାହାନ୍ତି । ସ୍ତ୍ରୀର ଅନ୍ୟ ଅର୍ଥ ହେଉଛି ‘ଛଳନାର ପ୍ରତିମୂର୍ତ୍ତି’ । ମି: ଦାସଙ୍କୁ କେହି ପ୍ରତିବାଦ ମଧ୍ୟ କରନ୍ତି ନାହିଁ । କାହିଁକି ନା ସମସ୍ତେ ଅଳ୍ପ ବହୁତ ପରିମାଣରେ ଏହା ବୋଧହୁଏ ହୃଦୟଙ୍ଗମ କରନ୍ତି ।

 

ଖ୍ୟାତନାମା ସାହିତ୍ୟିକ ଶ୍ରୀ ଅମିୟ ମହାନ୍ତି ସେ ଦିନ ସଭାପତିର ଆସନ ଅଳଙ୍କୃତ କରିଥାନ୍ତି । ପ୍ରାରମ୍ଭିକ ସଙ୍ଗୀତ ଗାଇଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଆଖପାଖ ଅଞ୍ଚଳରୁ ଅନେକ ଶ୍ରୋତା ଆସିଥାନ୍ତି । ଓଡ଼ିଶାରୁ ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାର ଓ କବି ମଧ୍ୟ ବିଶେଷଭାବେ ନିମନ୍ତ୍ରିତ ହୋଇ ଆସିଥାନ୍ତି । ସଭାପତି ମହୋଦୟ ସ୍ୱ-ରଚିତ କବିତା ପାଠ କରିବାକୁ ଆହ୍ୱାନ ଜଣାଇଲେ । ମଞ୍ଚ ଉପରକୁ ପ୍ରଥମେ ଆସିଲେ ଅଧ୍ୟାପକ ପ୍ରଶାନ୍ତବାବୁ । ବେଶ୍‌ ରୁଚି ମାର୍ଜିତ ଚେହେରା । ପ୍ରଶସ୍ଥ ଲଲାଟ । ଖଣ୍ତାଧାର ପରି ନାକ । ସ୍ରଷ୍ଟାର ଗୋଟିଏ ନିଖୁଣ ପ୍ରତିମା କହିଲେ ଚଳେ । ପରିଧେୟ ଧୋତି ଓ ପଞ୍ଜାବି । ଆଖିରେ ବଳିଷ୍ଠ ଚାହାଣୀ । ବାର୍‌ଲାଇଟର ଉଜ୍ଜ୍ୱଳ ଆଲୁଅରେ ଚେହେରାଟା ଅନ୍ୟର ମନକୁ ଆକର୍ଷଣ କରିବାରେ ଯଥେଷ୍ଟ ଶକ୍ତି ସଞ୍ଚୟ କରିଛି ବୋଲି ମନେ ହେଉଥାଏ ।

 

ସୁମିତ୍ରା ପ୍ରଶାନ୍ତବାବୁଙ୍କୁ ଦେଖି ହଠାତ୍‌ ଚମକି ପଡ଼ିଲେ । ପ୍ରାୟ ଦୁଇଘଣ୍ଟା ପୂର୍ବରୁ ସେ ଏହାଙ୍କୁ ଏତେ ନିକଟରେ ଦେଖିଥିଲେ; କିନ୍ତୁ କାହିଁ, ଏହାଙ୍କର ଚେହେରାରେ ଗୋଟାଏ ଆକର୍ଷଣ ଶକ୍ତି ଅଛି ବୋଲି ତ ମନେ ହେଉ ନ ଥିଲା । ପ୍ରକୃତରେ ପ୍ରଶାନ୍ତବାବୁ କ’ଣ ସତେ ସୁନ୍ଦର ? ସେ ଅନେକ ଦିନ ଧରି ପ୍ରତି ଗୋଧୂଳିରେ ଏହି ରୂପପରି ଗୋଟିଏକୁ ମନେ ମନେ ପୂଜା କରି ଆସିଛନ୍ତି-। ସେ ମନେ ମନେ କହିଲେ ହେ ଭଗବାନ, କିଏ ସେ ଭାଗ୍ୟବତୀ ନାରୀ ଯେ ଏହାଙ୍କ ପାଖରୁ....-। ବିଶେଷ କିଛି ଭାବି ପାରିଲେ ନାହିଁ । ‘ଆଖିରେ କ’ଣ ଗୋଟାଏ ପଡ଼ିଗଲା’ କହି ରୁମାଲରେ ଲୁହ ପୋଛିଲେ ।

 

ପ୍ରଶାନ୍ତବାବୁ ଭାବପ୍ରବଣ ହୋଇ କେତେବେଳୁ ଯେ କବିତା ଆବୃତ୍ତି କଲେଣି ତାହା ଶ୍ରୀମତୀ ଦାସଙ୍କୁ ଜଣା ନାହିଁ । ସେ ଏକଧ୍ୟାନରେ କେବଳ ତାଙ୍କର ଶାନ୍ତ, ସୌମ୍ୟ ମୂର୍ତ୍ତିଟିକୁ ଅନାଇ ରହି ମନ ମଧ୍ୟରେ କେତେ କେତେ କଳ୍ପନାର ରଙ୍ଗିନ୍‌ ଛବି ଅଙ୍କନ କରି ଯାଉଥାଆନ୍ତି । ପ୍ରଶାନ୍ତବାବୁ ଟିକିଏ ଉଚ୍ଚଗଳାରେ ପଢ଼ିଲେ...

 

ନଦୀ ସାଥେ ସମୁଦ୍ରର

ପଦ୍ମ ସାଥେ ଭ୍ରମରର ମିଳନ ପରି

ମୁଁ ଚାହେଁ ଏକ ନିବିଡ଼ ମିଳନ

ଯେଉଁ ମିଳନରେ

ତୁମର ହେଉ ବା ମୋର ହେଉ

ଗୋଟିଏ ପ୍ରାଣ ଲଭିବ ନିର୍ବାଣ ।

 

ଏହାପରେ ସୁମିତ୍ରାଙ୍କର ମନର କଥା, ପ୍ରାଣର କଥା ପ୍ରଶାନ୍ତବାବୁ ଜାଣିଲେ କିପରି ? ସେ କ’ଣ ତାହାହେଲେ ବସୁ ଖୋଲି କରି ତାଙ୍କୁ କହିଦେଇଛନ୍ତି ? ଅନେକ ସମୟରେ ମଣିଷ ଯାହା ଭାବୁଥାଏ ସେହି କଥା ଅନ୍ୟ ମୁଖରୁ ଶୁଣି ସେ ତାହାପ୍ରତି ଆକୃଷ୍ଟ ହୁଏ । ସୁମିତ୍ରାଙ୍କ ମନ ମଧ୍ୟରେ ପ୍ରଶାନ୍ତବାବୁଙ୍କର କବିତାଟି ଯଥେଷ୍ଟ ରେଖାପାତ କରିଛି । ସୁମିତ୍ରା ପ୍ରକୃତରେ ଚାହାନ୍ତି ଏକ ନିବିଡ଼ ମିଳନ । ଯେଉଁ ମିଳନର ଅର୍ଥ ପ୍ରକୃତରେ ହେବ ନିର୍ବାଣ ।

 

ମି: ଦାସ ଅର୍ଥହୀନ ଦୃଷ୍ଟିରେ ଏପଟ ସେପଟ ଅନାଉଥାନ୍ତି । ସେ ଇତି ମଧ୍ୟରେ ଦୁଇ ତିନିଥର ସୁମିତ୍ରା ଦେବୀଙ୍କୁ ‘ଚାଲିଯିବା’ କହି ଅସ୍ତବ୍ୟସ୍ତ କରି ଦେଲେଣି । ଶ୍ରୀମତୀ ଦାସ ପ୍ରତିଥର କହନ୍ତି ‘‘ଏଠିତ ତୁମର ଥାନା, ହାଜତ, ଦାଗୀଙ୍କର କାରବାର ନୁହେଁ । ଏଠି ଯେଉଁମାନେ ଅଛନ୍ତି ସେମାନେ ଦେଶ ଓ ଜାତିର କର୍ଣ୍ଣଧାର । ଏହିମାନେ ଆମ ଦେଶର ଭବିଷ୍ୟତ ବଂଶଧରଙ୍କ ମୁଖରେ ଭରି ଦେବେ ଭାଷା । ଏମାନଙ୍କଠାରୁ ଭାଷା ନେଇ ଦେଶ ଓ ଜାତିର ସମ୍ୱିଧାନ ଗଠିତ ହେବ ।

 

‘‘ରଖିଦିଅ ହେ ତୁମର ଭାଷା । ତୁମର ସାହିତ୍ୟରୁ ଆମକୁ କ’ଣ ମିଳିବ ? ତୁମେ ସାହିତ୍ୟ-ଜଗତରେ ବିଚରଣ କରି କରି ନିଜକୁ ହଜାଇ ଦିଅ ଆମେ ଚାଲିଲୁଁ’’ କହି ମି: ଦାସ ଉଠିଲେ । କହିଲେ ‘‘ଡ୍ରାଇଭରକୁ ପଠାଇ ଦେବି, ସେ ତୁମକୁ ନେଇଯିବ ।’’ ସୁମିତ୍ରା କୌଣସି ପ୍ରତିବାଦ ନ କରି କେବଳ ସ୍ୱାମୀଙ୍କ ମୁହଁକୁ ବୋକା ଭଳି ଚାହିଁ ରହିଲେ । ମନେ ମନେ କହିଲେ ପ୍ରକୃତରେ ଏ କ’ଣ ମଣିଷ ନୁହଁନ୍ତି ? ହେ ପ୍ରଭୁ ! ମୋତେ ଶୀଘ୍ର ମୁକ୍ତି ଦିଅ । ଏଭଳି ଲୋକ ସାଥିରେ ଆଉ ମୁହୂର୍ତ୍ତକ ସୁଦ୍ଧା ଚଳିବାକୁ ଯେ ସାହସ ହେଉ ନାହିଁ ।

 

ସୁମିତ୍ରା ଦେବୀଙ୍କର କରୁଣ ନିବେଦନ ଭଗବାନଙ୍କ ଶ୍ରୁତି ଗୋଚର ହେଲା କି ନାହିଁ ଭଗବାନଙ୍କୁ ଜଣା । ସୁମିତ୍ରାଙ୍କ ଅନ୍ତର ଘୃଣାରେ ପୂରି ଉଠିଲା । ସେ ଅସ୍ପଷ୍ଟ ସ୍ୱରରେ କହି ଉଠିଲେ ମଣିଷ ଭିତରେ ଏ ଭଳିଆ ପଶୁ ମଧ୍ୟ ଅଛନ୍ତି ?

 

ଏହା ଭିତରେ କେତେ ସମୟ ବିତି ଗଲାଣି । ସଭାପତି ମହୋଦୟ ତାଙ୍କର ବକ୍ତବ୍ୟ ମଧ୍ୟ କେତେବେଳୁ ଆରମ୍ଭ କରିଦେଲେଣି ।

 

ସୁମିତ୍ରା ମନେ ମନେ କଷ୍ଟ ଅନୁଭବ କରୁଥାନ୍ତି । ପ୍ରିନ୍‌ସିପାଲ ସାହେବ, ପ୍ରଶାନ୍ତବାବୁ ଏମାନେ ତାଙ୍କ ସ୍ୱାମୀ ସମ୍ୱନ୍ଧରେ କ’ଣ ଧାରଣା କରିବେ । ସମସ୍ତଙ୍କୁ ବାରକଥା ଏପଟ ସେପଟ କରି ଦିଆଯାଇପାରେ । ମାତ୍ର ପ୍ରଶାନ୍ତବାବୁଙ୍କୁ ଏତେ ସହଜରେ ଏପଟ ସେପଟ କରାଯାଇ ପାରିବ ନାହିଁ । ସେ ଅତିମାତ୍ରାରେ ଚାଲାକ, କେହି ଶିରାରେ ଚାଲିଲେ ସେ ପ୍ରଶିରାରେ ଚାଲିବା ବ୍ୟକ୍ତି ।

 

ମି: ଦାସଙ୍କର ଏହି ଦୂର୍ଗୁଣପାଇଁ ସୁମିତ୍ରା କୌଣସିଆଡ଼େ ଯିବାପାଇଁ ବାହାରନ୍ତି ନାହିଁ । ସେ ସଭାର ଚାରିଆଡ଼େ ଆଖି ବୁଲାଇ ନେଲେ । କେତେ ଉଚ୍ଚପଦସ୍ଥ ବ୍ୟକ୍ତି, ଭଦ୍ର ମହିଳାଙ୍କର ସମାଗମ । ସମସ୍ତେ ବେଶ୍‌ ଭଦ୍ର ଓ ମାର୍ଜିତ । ଅଭଦ୍ରାମି ଏମାନଙ୍କ ପାଖରେ ପଶିବାକୁ ସାହସ କରି ପାରିନି ।

 

ସୁମିତ୍ରା ସଭାପତିଙ୍କର ବତ୍କୃତା ଶୁଣିବାକୁ ମନୋନିବେଶ କଲେ । ସଭାପତି ଗୁରୁଗମ୍ଭୀର ସ୍ୱରରେ କହୁଥାନ୍ତି ‘‘ଭାଷା ହେଉଛି ସାହିତ୍ୟ ଏବଂ ସାହିତ୍ୟ ହେଉଛି ଭାଷା । ସାହିତ୍ୟକୁ ସମୃଦ୍ଧ କରିବାକୁ ହେଲେ ତା’ ପାଇଁ ପ୍ରଥମେ ଭାଷାର ଉନ୍ନତି ସାଧନ ଦରକାର । ଆମର ଯଥେଷ୍ଟ କ୍ଷେତ୍ର ରହିଛି । ଆମ୍ଭେମାନେ ସେସବୁର ସଦ୍‌ବ୍ୟବହାର କରି ଜାଣୁ ନାହିଁ । ତେଣୁ ଆମ୍ଭମାନଙ୍କର ସାହିତ୍ୟ ଆଜି ଅନ୍ୟ ଦେଶ ଓ ଅନ୍ୟ ଜାତିର ସାହିତ୍ୟଠାରୁ ଅନେକ ପଛରେ ପଡ଼ିରହିଛି । ଆମ୍ଭମାନଙ୍କୁ ପ୍ରଥମେ ‘ଚୁଲିଶାଳରୁ’ ସାହିତ୍ୟର ସୃଷ୍ଟି କରିବାକୁ ହେବ ।’’

 

ଗୋଟାଏ ଚହଳ ପଡ଼ିଗଲା । ସମସ୍ତେ କୁହାକୁହି ହେଲେ ‘ଚୁଲିଶାଳରୁ କିପରି ସାହିତ୍ୟ ସୃଷ୍ଟି ହେବ’ ?

 

ସଭାପତି ପୁଣି ଆରମ୍ଭ କଲେ ‘‘ଚୁଲିଶାଳରୁ ସାହିତ୍ୟ’’ର ଅର୍ଥ ହେଉଛି ଆମର ନାରୀ ଜାତିକୁ ଯଥେଷ୍ଟ ସ୍ୱାଧୀନତା ଦେବାକୁ ପଡ଼ିବ । ସେମାନେ ଆଜି ଅବହେଳିତ । ଯେଉଁ ଜାତି, ଯେଉଁ ଦେଶ ନାରୀକୁ ସମ୍ମାନ ଦେଇ ଶିଖେ ନାହିଁ, ତାକୁ ତା’ର ନାଯ୍ୟ ଅଧିକାର ଦେବାକୁ ଜାଣିନାହିଁ ସେ ଦେଶ ଯେତେ ସଭ୍ୟ, ଶିକ୍ଷିତ ବୋଲି ଦୁନିଆରେ ଗର୍ବ କଲେ ସୁଦ୍ଧା ମୁଁ କେବେ ଅକୁଣ୍ଠିତ ଚିତ୍ତରେ ତାହା ସ୍ୱୀକାର କରି ନେବାକୁ ପ୍ରସ୍ତୁତ ନୁହେଁ । ‘ଯେ ଜାୟା ସେ ହୁଏ ଜନନୀ’ ଏହା ଯେପରି ସୃଷ୍ଟିର ନିୟମ, ଠିକ୍‌ ସେହିପରି ଦେଶ କହ, ସମାଜ କହ, ଜାତି କହ, ଏସବୁର ଉନ୍ନତି ନାରୀଜାତିର ଉନ୍ନତି ବ୍ୟତୀତ ଚିନ୍ତା କରିବା ପାଗଳର ଖେୟାଲ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ନାରୀ କ୍ରୀତଦାସ ନୁହେଁ । ତାଙ୍କୁ ଯଥେଷ୍ଟ ସମ୍ମାନ ଦେବାକୁ ହେବ । ଯେଉଁ ଘରେ ଯେଉଁ କୁଟୁମ୍ବରେ ନାରୀ ତା’ର ଉପଯୁକ୍ତ ମର୍ଯ୍ୟାଦା ପାଇପାରେ ନାହିଁ, ସେ ଘରେ ସଭ୍ୟ ଜଗତର ଆଲୋକ ପ୍ରବେଶ କରିଛି ବୋଲି ଯଦି କେହି କହେ ମୁଁ କହିବି ସେ ସଭ୍ୟତା ଶବ୍ଦର ବ୍ୟୁତ୍ପତ୍ତି ମଧ୍ୟ ଜାଣେନାହିଁ । ନାରୀକୁ ତା’ର ଉପଯୁକ୍ତ ପାଉଣା ଦିଅ । ସେ ଆମର ମାଆ, ନମସ୍ୟା ।

 

ଘନ ଘନ କରତାଳିରେ ସଭା ଉଛୁଳି ପଡ଼ିଲା । ବିଦାୟ ସଙ୍ଗୀତ ପରେ ମଞ୍ଚ ଉପରକୁ ଆସିଲେ ପ୍ରିନ୍‌ସିପାଲ ସାହେବ କୃତଜ୍ଞତା ଜ୍ଞାପନ କରିବାକୁ । ସଭା ଶେଷ ହେବା ପରେ ପ୍ରଶାନ୍ତ ବାବୁ ଆଗେଇ ଆସିଲେ ଶ୍ରୀମତୀ ଦାସଙ୍କ ପାଖକୁ ।

 

ସୁମିତ୍ରା ଦେବୀ କହିଲେ ‘‘ଦେଖନ୍ତୁ ମି: ମହାପାତ୍ର ! ଆପଣଙ୍କ କଥାନୁସାରେ ଆମ୍ଭେମାନେ ଆସିଲୁ; କିନ୍ତୁ ଆପଣ ଯଦି....’’ ।

 

‘‘ମୁଁ ଯଦି କଥା ନ ରଖେ ତେବେ ସିନା ମୋତେ କହିବେ ।’’

 

‘‘ଆପଣ ଆମର ସେଆଡ଼େ କେବେ ଯାଉଛନ୍ତି ?’’

 

‘‘ସୁବିଧା ଦେଖି ନିଶ୍ଚୟ ଯିବି ।’’

 

‘‘ଦେଖନ୍ତୁ, ଭୁଲିବେ ନାହିଁ ।’’

 

ପ୍ରଶାନ୍ତ ବାବୁ ନାଟକୀୟ ଛନ୍ଦରେ କହିଲେ ‘‘ମନେ ରଖିବାର ପ୍ରୟୋଜନ ଯେଉଁଠାରେ ମୋଟେ ନାହିଁ ସେଠାରେ ଭୁଲିଯିବାର ଅବକାଶ ମଧ୍ୟ ମୋଟେ ନ ଥାଇପାରେ ।’’

 

‘‘ଆଚ୍ଛା ନମସ୍କାର’’ କହି ସୁମିତ୍ରା ଦେବୀ ପ୍ରଶାନ୍ତ ବାବୁଙ୍କ ଆଡ଼କୁ ହାତ ବଢ଼ାଇ ଦେଲେ କରମର୍ଦ୍ଦନ ନିମିତ୍ତ ।

 

ପ୍ରଶାନ୍ତ ବାବୁ ଖୁବ୍‌ ହୁସିଆର ଲୋକ । ଏତେ ସହଜରେ ସେ ଟଳିଯିବାର ଲୋକ ନୁହଁନ୍ତି-। କେବଳ ନମସ୍କାର କହି ଅଳ୍ପ ହସି ଦେଲେ । ସୁମିତ୍ରା ଦେବୀଙ୍କର ହାତଟି ସେହିପରି ଶୂନ୍ୟେ ଶୂନ୍ୟେ ଫେରିଗଲା ।

 

ଦୁଇ

 

ଟେବୁଲ ଉପରେ କାଗଜପତ୍ର ବିକ୍ଷିପ୍ତଭାବେ ପଡ଼ିଥାଏ । ସୁମନ୍ତ ଭାବୁଥାନ୍ତି ସୁନନ୍ଦାର ସେହି ଦିନର କେଇପଦ କଥା । ସୁନନ୍ଦା ଅଶ୍ରୁପୂର୍ଣ୍ଣ ନୟନରେ ନିବେଦନ କରିଥିଲା ‘‘ମୋତେ କେବେ ଭୁଲ ବୁଝିବ ନାହିଁ ସୁମନ୍ତ । ତୁମେ ମୋର ଜୀବନର ସମସ୍ତ ଇତିହାସ ଜାଣ । ଦେଖ ଯେପରି ମୋତେ ରାସ୍ତାରେ ଛିଡ଼ା ନ କରାଅ ।’’

 

ତେବେ ସୁନନ୍ଦା କ’ଣ ତାକୁ ବିଶ୍ୱାସ କରେନାହିଁ ? ଯଦି ବିଶ୍ୱାସ କରିଥାଆନ୍ତି ତେବେ ଏ ପ୍ରକାର ନିବେଦନ କାହିଁକି ବା କରିବାକୁ ଯାଆନ୍ତା ? ସୁନନ୍ଦାକୁ ତ ସେ କେବେ ହେଲେ ଦୁର୍ବ୍ୟବହାର କରିନାହିଁ । ଦୁନିଆର ଭାସମାନ ସ୍ରୋତରେ ସବୁ ଭାସି ଯାଇଛି । ଯାହା ଯାଇଛି ଚିରଦିନ ପାଇଁ ଯାଇଛି । ଆଖି ଫେରାଇଲେ ମଧ୍ୟ ଆଖିରେ ପଡ଼େ ନାହିଁ ।

 

ସୁମନ୍ତ ଆଖିରୁ ଲୁହ ପୋଛିଲେ । ସୁନନ୍ଦା ତାଙ୍କୁ ଭୁଲ ବୁଝିଲା କାହିଁକି ? ସୁମନ୍ତ କ’ଣ ଗୋଟାଏ ହୃଦୟହୀନ ପଶୁ ? ସୁନନ୍ଦା ଅଧିକ ବା କ’ଣ ତାଙ୍କୁ ଦେଇଥାନ୍ତା । ଯାହା କିଛି ସୁନନ୍ଦା ଦେଇନାହିଁ ସେତିକି କେବଳ ବାକୀ । କେତୋଟି ଦିନ କଟାଇବାପାଇଁ ତା’ର ସମ୍ବଳ ମାତ୍ର । ସୁମନ୍ତ ଅଧିକ କିଛି ଭାବି ପାରିଲେ ନାହିଁ । ପୁଣି ଲେଖି ବସିଲେ....।

 

ସୁମିତ୍ରା ଦେବୀଙ୍କ ପିଲାବେଳର କଥା । ଯେତେବେଳେ ଯୌବନ କାଉଁରୀ କାଠି ଛୁଆଇଁ ତାଙ୍କର ସର୍ବାଙ୍ଗରେ ଭରିଦେଲା ଅଫୁରନ୍ତ ସୌନ୍ଦର୍ଯ୍ୟ ଯେ ଦେଖିଲା । ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ବାଟଚଲା ବାଟୋଇ ମଧ୍ୟ ଘଡ଼ିଏ ନ ଅନାଇ ଆଗକୁ ପାଦ ବଢ଼ାଇ ପାରିଲା ନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ ମାତ୍ର କଥା ‘ଏ ରୂପ କେଉଁଠି ଥିଲା’ ?

 

ନିଧି ଅଜା ହେଉଛି ଗାଁ ଗୋଟାକର ଅଜା । ସେ ସୁମିତ୍ରାଙ୍କୁ ରାସ୍ତାଘାଟରେ ଦେଖିଲାମାତ୍ରେ ପାକୁଆ ପାଟିରେ ହସ ଫୁଟାଇ କହନ୍ତି ‘‘ତୋର ମୋର ଯଦି ରାଜି, କ’ଣ କରିବ କାଜି ?’’ ସେ ଟିକିଏ ବିରକ୍ତ ହୋଇ ସେତେବେଳେ କହୁଥିଲେ ବୟସ ପୁଣି ଉଠି ଆସୁଛି ? ବୁଢ଼ାର ରସିକତା ଦେଖ ।

 

ନିଧି ଅଜା ହସି ଦେଇ କହିଥିଲେ ‘ଆଲୋ ମୋର ଯାଉଛି ତ ତୋର ଆସୁଛି । କେବଳ ‘‘ଯା’’ ଓ ‘‘ଆ’’ ର ସିନା ପାର୍ଥକ୍ୟ । ନଚେତ୍‌ ସବୁତ ଠିକ୍‌ ଅଛି । ବୋଉକୁ କହ ସବୁ ଠିକ୍‌ ହୋଇଯିବ-। ବାପା ପଇସାବାଲା ଲୋକ । ଆଜିକାଲି ପଇସା ଖର୍ଚ୍ଚ କଲେ କ’ଣ ବା ଦୁନିଆରେ ଅଭାବ ରହିଯିବ । ଦୁଇପାଟିକୁ ଦୁଇପଟ ପଥର ଦାନ୍ତ । ତା’ପରେ ଟାଙ୍ଗରା ମୁଣ୍ତରେ ହାତ ବୁଲାଇ କହନ୍ତି ‘ସବୁ ପଇସାର ଖେଳ’ । ଧନ ଥିଲା ପୁଅ ଛୋଟା ହେଲେ ମଧ୍ୟ କନ୍ଦର୍ପ ବୋଲାଏ । ମୂର୍ଖ ପଣ୍ତିତ ହୁଏ । ଅନ୍ଧ ମଧ୍ୟ ହୁଏ କମଳଲୋଚନ । ମୋର ପଇସା ନାହିଁ ବୋଲି ସିନା ବୋଉ ବାପା ରାଜି ହେଉ ନାହାନ୍ତି । ନୋହିଲେ ତୋର ମୋର କେତେବେଳୁ ସରନ୍ତାଣି ।

 

ତେବେ ପଇସା କ’ଣ ଦୁନିଆରେ ସବୁଠାରୁ ସାର ବସ୍ତୁ ? ଧନ ଦେଇ କ’ଣ ମନ ମଧ୍ୟ କିଣା ହୁଏ ? ତାହା ଯଦି ହୁଏ ନାହିଁ ତେବେ ନିଧି ଅଜା ପଇସା ପଇସା ବୋଲି ଏତେ ବୋବାଳି କାହିଁକି ବା ଛାଡ଼ୁଥିଲେ ?

 

ତା’ର ବିବାହ ହୋଇ ନ ଥାଏ । ଯାହା ଘରେ ପୁଅଝିଅ ଥାଆନ୍ତି ବାରଆଡ଼ୁ ତେରକଥା ପଡ଼େ । ଏ କାନରୁ ସେ କାନକୁ କେତେ କଥା ଆସେ ଓ ପୁଣି ଆସିବା ବାଟରେ ଫେରିଯାଏ । ସାରିଆ ମା କହିଲା ‘‘ସାଆନ୍ତାଣୀ ଆମ ‘ଦେଈ’ ଯାହା ଘରକୁ ଯିବେ ତା ଘର ପୂରିଉଠିବ । ବିନା ଆଲୁଅରେ ଅନ୍ଧାର ଘର ଆଲୁଅ ହୋଇଯିବ’’ ।

 

ସାରିଆ ମା’ର କଥା ଶୁଣି ହାରାମଣୀ ରାମ କି ବିଷ୍ଣୁ ବୋଲି କିଛି କହନ୍ତି ନାହିଁ । ଅରକ୍ଷିତ ଗୁହାରୀ ଭଣ୍ତାରି ଆଗରେ କେଉଁ ପଣକୁ ଅବା ଲେଖା ? ସାରିଆ ମା ଅବା କ’ଣ ବୁଝିବ-? ତା’ର ବୁଦ୍ଧି ବା କେତେ ? ଯେ ଯାହା କହିଲା ସେ ଶୁଣି ଶୁଣି ବନେଇ ଚୁନେଇ କହିଲା । ହାରାମଣୀ ଶୁଣି ଶୁଣି ଦିନେ କହିଲେ, ଦେଖ ସାରିଆ ମା, ମୁକ୍ତାମାଳ ମର୍କଟ ଗଳାରେ ଶୋଭା ପାଏନାହିଁ । ଝିଅକୁ ଜାଣି ଜୋଇଁ ନ ହେଲେ ସବୁ ବ୍ୟର୍ଥ ହୋଇଯିବ ।

 

ସାରିଆ ମା ଜିଭ କାମୁଡ଼ି ପକେଇ କହିଲା, ‘‘ଏ କି କଥା କହୁଛ ମା’ସାଆନ୍ତାଣୀ । ଆମ ଦେଈଙ୍କି ଜୋଇଁ ମିଳିବେ ନାହିଁ ? ସାଆନ୍ତେ ବାର ପୂନେଇ ତେର ପରବରେ ଚାଲିଗଲା ଲୋକକୁ ଖୁଆଇ ପିଆଇ ବିଦା କରୁଛନ୍ତି । ଆଉ ନିଜ ଝୁଅବେଳକୁ ସେ କ’ଣ ପଇସା ଖର୍ଚ୍ଚ କରି ପରଘର ପୁଅଟେ ଖରିଦ କରି ଆଣିବେ ନାହିଁ ? ସେଥିପାଇଁ ତୁମେ ମଥାରେ ଏତେ ଚିନ୍ତା ପୂରାଇ କଳାକାଠ ହୋଇଗଲଣି ?’’

 

ସାରିଆ ମା ବୁଝେ ପଇସା ଖର୍ଚ୍ଚ କଲେ ସବୁ ମିଳେ । ସାଆନ୍ତଙ୍କର ପଇସା ଯେତେବେଳେ ଅଛି ସେତେବେଳେ ତାଙ୍କୁ କୋଉ କଥା ବା ଅଭାବ ରହିବ । ମନକଲେ ସରଗରୁ ଚାନ୍ଦ ଆଣି ଥୋଇ ଦେବେ ।

 

ହାରାମଣୀ ଥିଲାବାଲା ଘର ବୋହୂ । ଅସୁମାରୀ ଧନଦରବ । କୌଣସି କଥା ଊଣା ନାହିଁ । ଯେପରି ରୂପ ସେପରି ଗୁଣ । ଶାଶୁ କହନ୍ତି ବୋହୂ ମୋର ସାକ୍ଷାତ ଲକ୍ଷ୍ମୀ ପ୍ରତିମା ।

 

ହାରାମଣୀ ଅମାୟିକ ବ୍ୟବହାର ବଳରେ ସମସ୍ତଙ୍କୁ ନିଜର କରି ନେଇଥାନ୍ତି; କିନ୍ତୁ ପାରି ନ ଥାନ୍ତି ନିଜର ସ୍ୱାମୀଙ୍କୁ । ତାଙ୍କର ରୂପ ସ୍ୱାମୀଙ୍କୁ ମୋଟେ ପ୍ରଭାବିତ କରିପାରେ ନାହିଁ । ସ୍ୱାମୀ ତାଙ୍କୁ ଦେଖିଲେ ନିଆଁରେ କୁଟା ପଡ଼ିଲା ପ୍ରାୟ ଜଳି ଉଠୁଥିଲେ । ସବୁ ନିର୍ଯ୍ୟାତନା ସେ ନିରବରେ ସହ୍ୟ କରି ଲୁହ ଢାଳୁଥିଲେ । ସେ ସବୁ ଅଙ୍ଗରେ ଲିଭାଇଛନ୍ତି । ଏଣୁ ସେ ମନେ ମନେ କହୁଥିଲେ ଏ ରୂପରେ ବା କି ଦରକାର ଥିଲା ? ରୂପ ସ୍ତ୍ରୀପାଇଁ ଆଶୀର୍ବାଦ ନ ହୋଇ ଅନେକ ସମୟରେ ଅଭିଶାପରେ ପରିଣତ ହୁଏ । ରୂପ କିଏ ନ ଚାହେଁ ? ସମସ୍ତେ ରୂପ ଚାହାନ୍ତି, ସମସ୍ତେ ସୌନ୍ଦର୍ଯ୍ୟର ଉପାସକ ।

 

ହାରାମଣୀଙ୍କର ଗୋଟିଏ ମାତ୍ର ଚିନ୍ତା ଝିଅ କିପରି ସତ୍‌ପାତ୍ରରେ ପଡ଼ିବ । ଯେତେଆଡ଼ୁ ଯେତେ ସମ୍ୱନ୍ଧ ଆସେ ହାରାମଣୀ କୌଣସିଥିରେ ରାଜି ହୁଅନ୍ତି ନାହିଁ । ସେ ଯିଦ୍‌ ଧରି ବସନ୍ତି, ସବୁ ଭାଙ୍ଗିଯାଏ ।

 

ଦାସଙ୍କ ଘରୁ ଖବର ଆସିଲା, କଚେରୀ ମେଳାରୁ ଭିତିରିଆ ଖବର ଦେଇ ଭିତରପୁରକୁ ଡାକ ପଠାଇଲେ । ହାରାମଣୀ ଗୋଟି ଗୋଟି ବୁଝୁଥାନ୍ତି । ପୁଅ କେମିତି, ପାଠ କ’ଣ ପଢ଼ିଛି, ଦେଖିବାକୁ କେମିତି, ସ୍ୱଭାବ କେମିତି, କେତେଆଡ଼ୁ ଯେ କେତେ କଥା ପଚାରିଲେ ତା’ର ହିସାବ ନାହିଁ ।

 

ଜ୍ୟୋତିଷେ କହିଲେ ‘‘ମା’ ମରଦ ପୁଅ କଥା କ’ଣ ଏତେ ବାରିବାକୁ ଅଛି ? ଖାଇ ପିଇ ମାଖି ପିନ୍ଧି ଝୁଅ ସୁଖରେ ରହିଲେ ତ ହେଲା ? ସେଇଠି ଦିଅ, କୌଣସି କଥାରେ ଅସୁବିଧା ରହିବ ନାହିଁ । ରାଣୀଭଳି ସୁଖଭୋଗ କରିବ ।

 

ହାରାମଣୀ ମନେ ମନେ ହସିବାକୁ ଲାଗିଲେ । ରାଣୀ ଜୀବନରେ ପୁଣି ଥାଏ ସୁଖଭୋଗ ? ଦାମିକା ଶାଢ଼ୀ, ଦାମିକା ଗହଣା ପିନ୍ଧିଲେ କ’ଣ ମଣିଷ ଜୀବନରେ ସବୁ ସୁଖ ପାଇଥାଏ ? ସେତ ନିଜେ ଜମିଦାର ଘର ବୋହୂ । ଶୋଇବା ଘରେ ଅପେକ୍ଷା କରି କରି ସେ ଆଖି ଲୁହରେ ଯେ କେତେଦିନ ତକିଆ ଭିଜାଇ ଦେଇଛନ୍ତି ସେ କଥା କେବଳ ସେ ଜାଣନ୍ତି । ଅସ୍ଥାନର ଘା’ ଦେଖି ହୁଏ ନାହିଁ କିମ୍ବା ଦେଖାଇ ହୁଏ ନାହିଁ । କାହାକୁ କହିବେ ଏ କଥା ? ସବୁ କର୍ମ ଆଦରି ସହିଛନ୍ତି । କୌଣସି ଦିନ ଯଦି ସ୍ୱାମୀଙ୍କପାଖରେ ଅଝଟ କରନ୍ତି ତେବେ ସଙ୍ଗେ ସଙ୍ଗେ ମିଳିଯାଏ ପିଠି ଉପରେ ତାଙ୍କର ପାଉଣା ।

 

ଅନ୍ତରର କୋହ ଚାପିରଖି ହାରାମଣୀ କହିଲେ ‘‘ପିଲାଟିର ଦେହର ରଙ୍ଗ କଥା କହିଲେ ନାହିଁ ତ ?’’

 

ଜ୍ୟୋତିଷେ ଆନନ୍ଦରେ ଗଦ୍‌ ଗଦ୍‌ ହୋଇ କହିଲେ ‘‘ମା’ ରାଧାକୁ କୃଷ୍ଣ ।’’ ହାରାମଣୀ ମୁହଁ ବୁଲେଇ ନେଲେ । କହିଲେ ‘‘ହାୟ ଭଗବାନ... ।’’

 

ଠିକ୍‌ କହିଛ ମା’ ସବୁ ସେହି କାଳିଆର ଖେଳ । ନୋହିଲେ ଏମିତି ଘର ଏମିତି ବର କ’ଣ ସହଜରେ ମିଳେ । ମା’ ମୋର ହେବ ରାଜରାଣୀ । ବୁଝିଲ ମା’, କୋଷ୍ଠି ବି ଖୁଣିବାକୁ ନାହିଁ । ରାଜଯୋଟକ, କାହାରି ଗୋଟାଏ ମେଳକ ସିନା ହୁଏ ମା । ଏକାବେଳକେ......କହିଲି ପରା ମା’ କୌଣସି କଥାରେ ଖୁଣିବାକୁ ନାହିଁ ।

 

କୌଣସି କଥା ହାରାମଣିଙ୍କ ମନକୁ ଗଲା ନାହିଁ । ଯେତେହେଲେ ତ ଜୋଇଁ କଳା । ସେ ପାତ୍ର ସଙ୍ଗରେ ସୁମିତ୍ରାର ବିବାହ ସେ କଳ୍ପନା ସୁଦ୍ଧା କରିପାରିଲେ ନାହିଁ । କାହାକୁ କହିବେ ? ଶୁଣିବ କିଏ ? ମନ କଥା ମନରେ ରହିଲା । କହିଲେ ‘ହେ ଭଗବାନ୍‌ ! ଏହା କ’ଣ ତୋର ବୁଝାମଣା ? ତୋ ମନରେ ଯଦି ଏତେ କଥା ଥିଲା ସୁମିତ୍ରାକୁ ଏତେ ରୂପ ଦେଲୁ ବା କାହିଁକି ? ସୁମିତ୍ରା କ’ଣ ସେ ପାତ୍ରକୁ ପାଇ ଜୀବନରେ ସୁଖୀ ହେବ ?

 

ସୁଖ ଟଙ୍କା ସୁନାରେ ନ ଥାଏ । ସୁଖ ଥାଏ ମନ ଭିତରେ । ଚିରା ମସିଆ ଲୁଗା ପିନ୍ଧି, ତିନି ଓଳିରେ ଓଳିଏ ଖାଇ ସ୍ତ୍ରୀ ଯଦି ସ୍ୱାମୀଠାରୁ ସମୟ ଅସମୟରେ ପଦେଅଧେ ଶୁଣି ଖୁସି ହୁଏ ତାହା ହେଉଛି ତା’ର ସ୍ୱର୍ଗସୁଖ । ସେ ସୁଖ ବା କେତେଜଣ ପାଆନ୍ତି ?

 

କିଏ ନ ଖାଇ ନ ପିଇ ବା ଦୁନିଆରେ ବଞ୍ଚେ ? ଖାଇପିଇ ବଞ୍ଚିବା ମଣିଷ ଜୀବନର ଲକ୍ଷ୍ୟ ନୁହେଁ । ମଣିଷ ଜୀବନଯାତ୍ରା ପଥରେ ନାନା ବାଧାବିଘ୍ନ ମଧ୍ୟରେ ଗତି କରେ । ସବୁ ସେ ହସି ହସି ସହ୍ୟ କରିନିଏ କେବଳ ଜଣକ ସୁଖକୁ ଚାହିଁ । ସେ ଜଣକ କିଏ ?

 

କୁଢ଼ କୁଢ଼ ଟଙ୍କା, ରାଶି ରାଶି ସୁନା, ଅକଳନ୍ତି ଧନସମ୍ପଦ ମଣିଷକୁ ଶାନ୍ତିରେ ବୁଡ଼ାଇ ରଖିପାରେ ନାହିଁ । ସ୍ତ୍ରୀ ଯଦି ସ୍ୱାମୀର ସୁଖ ଦୁଃଖର ଭାଗିଦାର ହୋଇ ନ ପାରେ, ସ୍ୱାମୀ ଯଦି ସ୍ତ୍ରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ ନ ପାରେ ସେହିଠାରେ ସଂସାର ଫାଟିଯାଏ । ସଂସାର ବିଷଲାଗେ । ମଣିଷ ସବୁବେଳେ ଅନ୍ୟ ପନ୍ଥା ଖୋଜେ ।

 

ସୁମନ୍ତର ଆଖି ଆଗରେ ଖେଳିଗଲା ସୁନନ୍ଦାର ଅଶ୍ରୁଭରା ଦୁଇଟି ଆଖି । ଏହି ସୁନନ୍ଦା ମଧ୍ୟ ଦିନେ କହିଥିଲା ସୁମନ୍ତ ! ତୁମେ କିପରି ଜାଣିଲ ଦୁନିଆରେ ମୁଁ ଅସୁଖୀ ବୋଲି । କାହିଁ କେହି ତ ମୋତେ ଆଜିଯାଏ ଏ କଥା କହି ନାହାନ୍ତି । ଯେ ଯେତେ ଆସନ୍ତି ସମସ୍ତେ ମୋତେ ଦେଖି ହିଂସାକରି କହନ୍ତି ସୁନନ୍ଦାଭଳି କେତେଜଣ ବା ଦୁନିଆରେ ଅଛନ୍ତି ?

 

ସୁମନ୍ତ ହସି ହସି କହିଥିଲେ ‘‘ସେମାନଙ୍କ କଥାର ଅସଲ ଉଦ୍ଦେଶ୍ୟ ତୁମେ ବୁଝି ନ ପାରି ଗର୍ବରେ ବୋଧହୁଏ ଫାଟି ପଡ଼ୁଥିଲ । ଏବେ ବୁଝ ମୁଁ ଯାହା କହିଲି, ମୋକଥାରେ କେତେଦୂର ସତ୍ୟତା ଅଛି । ତୁମେ ନିଜକୁ ନିଜେ ପଚାର ତା’ର ଉତ୍ତର ତୁମେ ପାଇବ ।’’

 

ସୁନନ୍ଦା କେବଳ ଉଚ୍ଚସ୍ୱରରେ କାନ୍ଦି କାନ୍ଦି ସୁମନ୍ତର କୋଳକୁ ଆଉଜି ପଡ଼ିଥିଲା ।

 

ସୁମନ୍ତ ପୁଣି ଲେଖାରେ ମନନିବେଶ କଲେ....

 

ରଜତଚନ୍ଦ୍ର ବାହାର ବାରଣ୍ତାରେ ବସି କେତେ କ’ଣ ଭାବୁଥିଲେ । ସୁମିତ୍ରାର ବିବାହ ଆଷାଢ଼ ଶେଷକୁ ହେବ । ଦାସଙ୍କ ଘରେ କଥା ଛିଡ଼ିଯାଇଛି । ପିଲାଟି ଏମ: ଏ: ପାଶ କରିଛି । ନୂଆ ହୋଇ ଚାକିରି କରିବ । ତିନିମହଲା କୋଠା । ସୁମିତ୍ରାର କୌଣସି ଅସୁବିଧା ହେବ ନାହିଁ । ଘର ଅବସ୍ଥା କାହିଁରେ କ’ଣ ! ଦାସଙ୍କୁ ବା କିଏ ନ ଜାଣେ ? ତାଙ୍କ ଘରେ ବନ୍ଧୁ ବାନ୍ଧିବେ । ରଜତଚନ୍ଦ୍ରଙ୍କୁ ପ୍ରଶଂସାକରି କହିବ ଦୂରଦର୍ଶୀ ଲୋକ କିନା, ସେଥିପାଇଁ ଉପଯୁକ୍ତ ଘରେ ବନ୍ଧୁ ବାନ୍ଧିଲେ ।

 

ଦିନା ବାଉରି, ରାମ ବେହେରା, ନବଘନ ଦଳେଇ ଏମାନେ ହେଉଛନ୍ତି ରଜତଚନ୍ଦ୍ରଙ୍କ ଦେହଲଗା ଚାକର । ପାଟିରୁ ହୁଁ ବାହାରିଲା ମାତ୍ରେ ସଙ୍ଗେ ସଙ୍ଗେ ହାଜର । ସେ ଦିନ ରଜତଚନ୍ଦ୍ରଙ୍କୁ ଅଫିମ ନିଶାଟା ଟିକିଏ ଜୋର ହୋଇଥାଏ । ଦିନା ବାଉରି ଅଙ୍ଗ ମର୍ଦନ କରୁ କରୁ ରାମ ବେହେରାକୁ ଲକ୍ଷ୍ୟକରି କହିଲା, ବୁଝିଲୁ ରାମିଆ ପଞ୍ଚକୋଶୀ ମଧ୍ୟରେ ସାଆନ୍ତଙ୍କୁ ନ ଚିହ୍ନେ କିଏ ? ରାମିଆ ଯୋଡ଼ିଦେଲା ‘ଚିହ୍ନିବା କଥା କ’ଣ କହୁଛୁରେ ବାଉରି ଟୋକା । ନାଁ ଶୁଣିଲାମାତ୍ରେ ଛାନିଆରେ ଘରେ ପଶିବା କଥା କହ । ତୁତ ନିଜେ ଆଖିରେ ଦେଖୁଛୁ । ହେଇ କାଲିକାପରି ଲାଗୁଛି । ପୁଅ ଆସିଥିଲା ନିଶାପ କରିବାକୁ । ଯିମିତି ନିଶ ଫୁଲାଇ କଥାକହିବାକୁ ବାହାରିଛି ଶଶୁର ଆଉ ଯାଏ କୁଆଡ଼େ ?’

 

‘‘ତୋ ବଡ଼ିମା ଥାଉ ଦେଖା ନା । ଲୋକେ ହସିବେ । କହୁ କହୁ ବହୁତ କହିଗଲୁଣି । ଆରେ ତୁମେ ସବୁତ ଲାଙ୍ଗୁଡ଼ ଯାକି ବସିଥିଲ । ହେଲେ ମୋ ଦେହକୁ ସେ କେଉଟ ଟୋକାର ବହପ କ’ଣ ଗଲାକି ? ଏପଟ ସେପଟ ଅନାଇଲି । ସାଆନ୍ତଙ୍କୁ ସେ ବେଳେ ପଚାରେ କିଏ ହୋ । ମୋ ଦେଖିଲା କାମ କରିଦେଲି ।

 

ରାମିଆ ପଙ୍ଖାଟା ଥୋଇଦେଇ କହିଲା ‘‘କେଡ଼େ ପାରିଲାବାଲାଟା ହେ । ଧରାଧରି ହୋଇ ଗଡ଼ାପଡ଼ା ହେଉଥିଲ । ପୁଅର ନିଶରେ ଯେମିତି ହାତଟା ପଡ଼ିଛି ଆଉ ଯାଏ କୁଆଡ଼େ । ହେଲେ ମୁଁ ଥିଲିବୋଲି ।’’

 

‘‘ଥାଉ ଥାଉ ବହପ ଦେଖା ନା ।’’

 

ସାରିଆ ମା’ କହିଲା ‘‘ସାଆନ୍ତାଣୀ ବିଜେ କରିବେ, ସାଆନ୍ତେ ।’’

 

ସାଆନ୍ତାଣୀ ନାମ ଶୁଣିଲାକ୍ଷଣି ଯେ ଯୁଆଡ଼େ ଛୁ । ହାରାମଣୀ ଅଳ୍ପ ଦୂରରେ ଛିଡ଼ା ହେଲେ । ମଥା ଉପରୁ ନାକସରିକି ଓଢ଼ଣା । ପାଞ୍ଚ ପିଲାର ମା’ ହେଲେଣି; ତଥାପି ମୁହଁ କେହି ଦେଖି ନାହାନ୍ତି ।

 

ରଜତଚନ୍ଦ୍ର ପଚାରିଲେ ‘‘କୁଆଡ଼େ ?’’

 

‘‘ଶୁଣୁଛି ଦାସଙ୍କ ଘରେ କ’ଣ.... ?’’

 

‘‘ଓଃ ସୁମିତ୍ରାର ବିବାହ କଥା କହୁଛ ?’’

 

‘‘ହଁ ।’’

 

‘‘ଆସନ୍ତା ଆଷାଢ଼ ଶେଷକୁ ଦିନ ଧାର୍ଯ୍ୟ ହୋଇଛି ।’’

 

‘‘ତେବେ କ’ଣ ସେହି ଦାସ ଘରେ.... ?’’

 

‘‘ଜବାବ ଦିଆ ସରିଲାଣି ।’’

 

‘‘ସେଠାରେ ନ କଲେ କ’ଣ ଚଳନ୍ତା ନାହିଁ ?’’

 

‘‘ଅସୁବିଧାଟା କ’ଣ ଶୁଣେ ?’’

 

ହାରାମଣି ଟିକିଏ ଅନୁଚ୍ଚସ୍ୱରରେ କହିଲେ ‘‘ଅସୁବିଧା ସେମିତି କିଛି ନୁହେଁ ଯେ... ।’’

 

‘‘ତେବେ ଆପତ୍ତିର କାରଣ ?’’

 

‘‘ସେହି ଜୁଆଁଇ କଥା କହୁଥିଲି ।’’

 

‘‘ପାଠ ବହୁତ ପଢ଼ିଛି । ଚାକିରୀ କଲେ ମୋଟା ଦରମା ପାଇବ । ଆହେ ଚାକିରୀ କଥା ପଚାରେ କିଏ ? ଯାହା ଅଛି ସାତ ପୁରୁଷ ଖାଇଲେ ସରିବ ନାହିଁ ।’’

 

‘‘ସେସବୁ ଶୁଣିଛି ଯେ, ହେଲେ ପୁଅଟି ଟିକିଏ କଳା... ।’’

 

‘‘କ୍ଷତି କ’ଣ ?’’ କହି ରଜତଚନ୍ଦ୍ର ଅନାଇଲେ ହାରାମଣୀଙ୍କୁ । ‘‘ସୁମିତ୍ରା କ’ଣ ସୁଖୀ ହୋଇପାରିବ ? ମୁଁ କହୁଛି ଯେ ଝିଅ ଜାଣି ଜୋଇଁ କର । ଝିଅତ କାହାରି ବଂଶ ମର୍ଯ୍ୟାଦା, କୋଠାବାଡ଼ି, ଧନ ଦୌଲତ କିମ୍ବା ପାଠକୁ ବିଭା ହେବ ନାହିଁ । ଝିଅ ଯାହାକୁ ବିଭା ହେବ ସେ ପାତ୍ରଟି ଯେପରି... ।’’

 

ହାରାମଣୀଙ୍କ ପାଟିରୁ କଥା ଛଡ଼ାଇ ନେଇ କହିଲେ, ‘‘ସୁନ୍ଦର ନ ହେଲେ ଝିଅ ମନକୁ ଯିବ ନାହିଁ । ଏହି କଥା ତ କହୁଛ ?’’

 

‘‘...ହଁ ।’’

 

ରଜତଚନ୍ଦ୍ର କହିଲେ ‘‘ତାହା ହେଲେ ମୁଁ ତୁମ ମନକୁ ଯାଉ ନାହିଁ ।’’

 

ହାରାମଣୀ ନିରୁତ୍ତର ।

 

ରଜତଚନ୍ଦ୍ର କାହାରି କଥା ଶୁଣିବାର ଲୋକ ନୁହଁନ୍ତି । ସେ ଯାହା ବୁଝନ୍ତି ସେୟା କରନ୍ତି । କେବଳ ଦେହ ଓ ସମ୍ପତ୍ତି ଜୋରରେ । ଏହି ନୀତି ଯୋଗୁ ବାପ ଅମଳର ପୋତାମାଲ ଯାଇ ଖୋରଧା, କଟକ ପ୍ରଭୃତି ସ୍ଥାନରୁ ହାତ ଉଧାରି ଛାଡ଼ି ହାଣ୍ତନୋଟ ହେଲାଣି । ସଦାବେଳେ କଚେରିରେ ମାଲିମକଦ୍ଦମା ଲାଗି ରହିଥାଏ ।

 

ହାରାମଣୀ ତଥାପି କହିଲେ ‘‘ମୋର କଥା ଟିକିଏ ମାନ ।’’

 

‘‘କହିଲ କ’ଣ କହୁଛ ।’’

 

‘‘ମୁଁ କହୁଥିଲି କି ଦାସ ଘରେ ନ କରି ନରଣପୁର ପ୍ରହରାଜ ଘରେ କଲେ କ’ଣ କ୍ଷତି ହୁଅନ୍ତା ?’’

 

‘‘ଓଃ ହରି ପ୍ରହରାଜ ପୁଅ ସୁରିଆ କଥା କହୁଛ ?’’

 

‘‘ପିଲାଟି ପଢ଼ୁଛି । କେଇଦିନ ପରେ ଡାକ୍ତରଟିଏ ହେବ । ମୋଟା ପଇସା ରୋଜଗାର କରିବ । ଘର ଅବସ୍ଥା ସୁଧୁରିବ ନାହିଁ । ସବୁବେଳେ କ’ଣ କାହାରି ଏକା କଥା ରହିଛି ?’’ କହିଲେ ହାରାମଣୀ ।

 

‘‘ଓଃ...ତାହାହେଲେ ତୁମେ କହୁଛ ବାଉରି, କଣ୍ତରା ଘରେ ରୂପବାନ୍‌ ପୁଅ ଯଦି ଥାଏ ସେଠାରେ ମଧ୍ୟ ବନ୍ଧୁ ବନ୍ଧାଯାଇପାରେ ?’’

 

ମୁଁ ତ ସେ କଥା କହୁ ନାହିଁ ?’’

 

ରଜତଚନ୍ଦ୍ର ଗର୍ଜନକର କହିଲେ ‘‘ହଁ ତୁମେ ସେୟା କହୁଛ । କାହିଁ ରଜତଚନ୍ଦ୍ର ଆଉ କାହିଁ ହରି ପ୍ରହରାଜ ? ଲୋକେ କ’ଣ କହିବେ ? ମଣିଷର ପୁଣ ତ ଆତ୍ମସମ୍ମାନ ଜ୍ଞାନ ରହିଛି । ପୁଣି ଦାସଙ୍କ ଘରେ ଜବାବ ଦିଆସରିଲାଣି । ତୁମେ ଗଲ, ତୁମର କୌଣସି କଥା ମୋ ମୁଣ୍ତକୁ ପଶୁ ନାହିଁ-।’’

 

ହାରାମଣୀ ଅନୁନୟ କରି ପୁଣି କହିଲେ ‘‘ଟିକିଏ ମୋ କଥା ଶୁଣ । ମୁଁ ସ୍ତ୍ରୀ, ଏଣୁ ସ୍ତ୍ରୀ ଜୀବନର ଦୁଃଖ ମୁଁ ବୁଝେ । ସେଥିପାଇଁ ତୁମକୁ ଏତେ ନେହୁରା ହୋଇ..।’’

 

‘‘ତୁମର ମନେ ରଖିବା ଉଚିତ୍‌ ଯେ ସ୍ତ୍ରୀର ଦୁଃଖ ବୁଝି ତା ଆଖିରୁ ଲୁହ ପୋଛିବାକୁ ପୁରୁଷ ଜନ୍ମ ହୋଇ ନାହିଁ । ତାକୁ ଶାସନ କରିବାକୁ ପୁରୁଷର ଜନ୍ମ ।’’

 

ହାରାମଣୀ ଚମକି ପଡ଼ିଲେ, ମନେ ମନେ ଆବୃତ୍ତି କଲେ ‘‘ସ୍ତ୍ରୀକୁ ଶାସନ କରିବାକୁ ପୁରୁଷର ଜନ୍ମ ?’’

 

ଯେଉଁସବୁ ଲେଖକ କବି କହନ୍ତି ସ୍ତ୍ରୀ ଆଦ୍ୟାଶକ୍ତି, ତେବେ ସେମାନେ କ’ଣ ପୁରୁଷ ପଦବାଚ୍ୟ ନୁହଁନ୍ତି ?’’ ଏହି ଗୋଟିଏ ପ୍ରଶ୍ନ ହାରାମଣୀଙ୍କ ମନ ମଧ୍ୟରେ ବିଜୁଳିଭଳି ଖେଳିଗଲା ।

 

ଆଖିରୁ ଲୁହ ପୋଛି ହାରାମଣୀ ଫେରିଲେ ।

 

ରଜତଚନ୍ଦ୍ର କହନ୍ତି ସ୍ତ୍ରୀ ଗୋଟିଏ ଜିହ୍ୱାହୀନ ପଶୁ । ପରାଙ୍ଗପୃଷ୍ଠ ଉଦ୍ଭିଦଠାରୁ ମଧ୍ୟ ସେ ଅଧିକ ସ୍ୱାର୍ଥପର । ସ୍ତ୍ରୀ ଯାହା କିଛି ଅଭିଯୋଗ କରେ, ସବୁଥିରେ ତାହାର ସ୍ୱାର୍ଥ ପୂର୍ଣ୍ଣମାତ୍ରାରେ ନିହିତ ଥାଏ । ରଜତଚନ୍ଦ୍ରଙ୍କର ଏ ପ୍ରକାର ଅବାନ୍ତର ଯୁକ୍ତି ବିରୁଦ୍ଧରେ ପ୍ରତିବାଦ କରିବାକୁ ଯିବ କିଏ ? କାହାର ବା ଆତ୍ମସମ୍ମାନ ଜ୍ଞାନ ନାହିଁ ?

 

ଜ୍ୟୋତିଷଙ୍କର କଥା ହାରାମଣୀଙ୍କ ମନେପଡ଼ିଲା । କାହାର ସିନା ଗୋଟାଏ ମେଳକ ହୁଏ ତେବେ ଆମ ଦେଈଙ୍କର ଏକାବେଳକେ ଦଶ ମେଳକ । ପୁଅ କୋଷ୍ଠି ସଙ୍ଗେ ଝିଅ କୋଷ୍ଠି ଆଉ ଦେଖିବାକୁ ନାହିଁ । ରାମଚନ୍ଦ୍ର ସୀତାଙ୍କର ମେଳକଠାରୁ ମଧ୍ୟ ଏ ମେଳକ ବଳେ ।

 

ମନେ ମନେ ହାରାମଣୀ ହସିଲେ । ସତେ ଯେପରି ମହାରାଜା ଜନକ ଶିବଧନୁ ଭଙ୍ଗ ପରେ ଜୋତିର୍ବିଦ ପଣ୍ତିତଙ୍କୁ ଡକାଇ କୋଷ୍ଠି ଦେଖାଇ ବିବାହ କରାଇଥିଲେ । ସବୁ ପ୍ରବଞ୍ଚକ ଏକାଠି ଠୂଳ । ଯେ ଯାହାର ସ୍ୱାର୍ଥପାଇଁ ବ୍ୟସ୍ତ । ମନକଥା ମନରେ ମାରି ହାରାମଣୀ ଗଲେ ସୁମିତ୍ରା ପାଖକୁ-। ସୁମିତ୍ରା ସେତେବେଳକୁ ଗାଢ଼ ନିଦରେ ଶୋଇଯାଇଥାଏ । ସୁମିତ୍ରାର ପଲଙ୍କ ନିକଟରେ ଛିଡ଼ାହୋଇ ଝିଅଟିକୁ ଘଡ଼ିଏ ଅନାଇ ରହିଲେ । ଅଜ୍ଞାତସାରରେ ପାଟିରୁ ବାହାରିଆସିଲା ‘‘ଏ ବାପ ନା କଂସେଇ ?’’

 

ତହିଁ ଆରଦନ ପୁଣି ସଦର ମେଲାରେ ବସିଲା ଗୁଲିଆ ଓ ଜୁଆଡ଼ିମାନଙ୍କର ଆଡ଼୍‌ଡ଼ା । ସ୍ୱୟଂ ରଜତଚନ୍ଦ୍ର ମଧ୍ୟ ଉପସ୍ଥିତ । ସମସ୍ତଙ୍କ ମୁହଁରେ ରଜତଚନ୍ଦ୍ରଙ୍କର ପ୍ରଶଂସା ।

 

ରାମିଆ, ଦିନା, ନବଘନ ସ୍ୱରର ଲହରୀ ମେଲିଦେଇ ସାଆନ୍ତଙ୍କର ସ୍ତୁତି ଗାନରେ ବ୍ୟସ୍ତ । ରଜତଚନ୍ଦ୍ର କେବଳ ଉପଭୋଗ କରୁଥାନ୍ତି । ହଠାତ୍‌ ପଚାରିଲେ ‘ହଇରେ ଦିନା ! ଦେଈଙ୍କ ବିଭାଘର କଥା ଶୁଣିଲୁଣି ?’’

 

‘‘ସାଆନ୍ତେ ! ପାଟିରୁ ପରା ଲାଳ ବୋହିଲାଣି । ହେଲେ ସାଆନ୍ତେ ! ସବୁ ତ ହେବ, ତେବେ...’’ କହିରାମିଆ ଅଟକି ଗଲା । ସେ ବାଟ ଦେଇ ସେତେବେଳେ ଚାଲିଗଲା ସାରିଆ ମା’ ।

 

ସାରିଆ ମା’କୁ ସମସ୍ତଙ୍କର ଭୟ । ସେ ହେଉଛି ସାଆନ୍ତାଣୀଙ୍କର ବିଶ୍ୱାସୀ ଲୋକ । ସାଆନ୍ତେ କୁଆଡ଼େ ଗଲେ, କା ଝିଅ ବୋହୂଙ୍କୁ ଶାଢ଼ୀ ଗହଣା ଖରିଦ୍‌ କରି ପଠାଇ ଦେଲ, ରାମିଆର ନୂଆ ନୂଆ ଯୋଜନା କ’ଣ ଏସବୁ ହିସାବନିକାଶର ଜମାଖର୍ଚ୍ଚ ତାଲିକା ସାରିଆ ମା’ ହାତରେ । ପ୍ରତି ସଞ୍ଜବେଳକୁ ସାଆନ୍ତାଣୀଙ୍କୁ ବୁଝାଇ ଦିଏ । ରାମିଆର ଦାନାପାଣି ଉଆସରୁ କେତେଦିନୁ ଉଠିଯାଆନ୍ତାଣି । ହେଲେ ଅରକ୍ଷିତକୁ ଦଇବ ସାହା ହେଲା ଭଳି ତା’ର ସବା ସାନଭଉଣୀ ପୁଆଣି ପରେ ପରେ ଶାଶୁଘରୁ ପଳାଇ ଆସି ବାପଘରେ ରହିଛି । ସାଆନ୍ତଙ୍କର ସେଥିପାଇଁ ରାମିଆକୁ ଏତେ ଆଦର ।

 

ରାମିଆ ଏପଟ ସେପଟ ଚାରିଆଡ଼କୁ ଅନାଇ ପୁଣି ଆରମ୍ଭ କଲା, ‘‘ସାଆନ୍ତେ ! ଦେଈ ଆମର ଯେଉଁଠି ବିଭା ହେବେ ସତେ କ’ଣ ବୋମ୍ୱାଇ, କଲିକତାରେ ତାଙ୍କର ବଡ଼ ବଡ଼ କୋଠା ଅଛି ?’’

 

ନବଘନ ସମ୍ଭାଳେ କେତେକେ । ରାମିଆ ଉପରେ ଝାମ୍ପିପଡ଼ି କହିଲା ‘‘ଶୁଙ୍ଘି ଶୁଙ୍ଘି କହିଲେ ସୈନ୍ଧବ ଲବଣ । ଆବେ କଲିକତା ବୋମ୍ୱଇ କଥା କ’ଣ କହୁଛ । ବିଲାତ କଥା କହ । ସାଆନ୍ତେ ତୋ ଭଳିଆ ହୋଇଛନ୍ତି ଯେ ନ ଦେଖି ନ ଜାଣି ବନ୍ଧୁ ବାନ୍ଧିବେ ।’’

 

‘‘ଦେଖ୍‌ ନବାଭାଇ ! କଥା ତ କହିବୁ ଚିହିଁଙ୍କି ପଡ଼ୁଛୁ କିଆଁ ? ତୁ କ’ଣ ବେଶି ଜାଣୁ, ମା’ ସାଆନ୍ତାଣୀ ପରା କହୁଥିଲେ ମାସକୁ ଘର ଭଡ଼ା ମିଳେ ଲକ୍ଷେ ଟଙ୍କା ।’’

 

ନବଘନର ଆଖି ଦୁଇଟା କପାଳକୁ ଉଠିଗଲା । ସେ କହିଲା ‘‘ଏଁ....ଲକ୍ଷେ ଟଙ୍କା ? ତାହାହେଲେ ତ ଆମ ଦେଇ ଘିଅ ଖାଇ ଦୁଧରେ ହାତ ଦୋଇବେ ?’’

 

‘‘ନୋହିଲେ କ’ଣ ସାଆନ୍ତେ ନ ଜାଣି ନ ଶୁଣି ବନ୍ଧୁ ବାନ୍ଧୁଛନ୍ତି । ସାଆନ୍ତେ ବି ଆମର କେଉଁ ଊଣା କି ? ବୁଢ଼ା ସାଆନ୍ତ ଅମଳର ଯାହା ପୋତାମାଲ ରହିଛି, ସାଆନ୍ତେ ଯଦି ବସିଲାଠାରୁ ବି ନ ଉଠନ୍ତି ତେବେ ମଧ୍ୟ ହାତ ଗଣତି ଯିବ ସାତ ପୁରୁଷ । ସାଆନ୍ତେ ଆମର ଊଣା ଲୋକ ଭାବୁଛୁ ?’’

 

ଦିନା ବାଉରି ଶୁଣି ଶୁଣି କହିଲା ‘‘ୟାକୁ କହନ୍ତି ମଣିକାଞ୍ଚନ ଯୋଗ । ଘର ଜାଣି ବନ୍ଧୁ କରିବୁ । ମନ ଜାଣି କଥା କହିବୁ । ତେବେ ଯାଇ ସିନା ମଣିଷପଣକୁ ଲେଖା ହୋଇବୁ । ଆରେ ସାରା ରାଇଜରେ ସାଆନ୍ତଙ୍କଭଳି ମଣିଷଟେ ଯଦି ଖୋଜି ବାହାର କରିଦେବୁ ତେବେ ମୋ ନାଆଁରେ କୁତା ପାଳିବୁ ।’’

 

ରଜତଚନ୍ଦ୍ର ହସିଦେଇ କହିଲେ ‘‘କୁତା ପାଳିବ ଯେ, ଖାଇବାକୁ ପୁଣି ଦେବ କିଏ ?’’

 

ରାମିଆ କହିଲା ‘‘ସାଆନ୍ତଙ୍କ ଭଳି ମଣିଷ ମିଳିବେ ନା ସିଏ ପାଇବ । ଭଉଣୀଟା ଆଜକୁ ଦୁଇବର୍ଷ ହେଲା ଶାଶୁଘରୁ ଆସିଲା । ଏକେତ ଆମର ନଥିଲା ଘର । ଆଜି ଜାଳ ଅଛିତ କାଲି ଲୁଣ ନାହିଁ । କାଲି ଲୁଣ ମିଳିଲା ଯଦି ଚାଉଳ ନାହିଁ । ହେଲେ ଆମକୁ ବାଧୁଛି ? ସାଆନ୍ତେ ଯେଉଁଦିନ କହିଲେ ‘ରାମିଆ ! ବେପରବାୟ ହୋଇ ରହିଥା । ଦୁନିଆରେ କାହାରି ପେଟ ଅପୋଷା ରହିବ ନାହିଁ ।’ ସେହି ଦିନୁ ମୁଁ ଜାଣିଛି ସାଆନ୍ତଙ୍କ କଥା । ମୁଁ କାହାକୁ କେବେ କିଛି କହିଛି ? ଆଉ କେହିହେଲେ କେତେ ନ୍ୟାୟ ନିଶାପ ଯାଆନ୍ତାଣି’’ ।

 

ମର୍ଦ୍ଦନରେ ମୂଖ ସୁନ୍ଦର’ ଏହା ହେଉଛି ମହାପୁରୁଷଙ୍କ ବାଣୀ । ରଜତଚନ୍ଦ୍ର ତ ମୂର୍ଖ ନୁହନ୍ତି । ସେ ବେଶ୍‌ ଜାଣିବା ଶୁଣିବା ଲୋକ । ଏକ ଘରଭାଙ୍ଗି ସାତଘର, ସାତଘର ଭାଙ୍ଗି ଏକଘର କରିବାରେ ସେ ଧୂରନ୍ଧର । ରାମ, ଦିନା ବା ତାଙ୍କୁ ବଳିବେ କେତେକେ ? ସେ କହିଲେ ‘‘ଦିନା ! ଦେଈ ବିଭାଘର ଶୁଣି ଗାଁ ଲୋକେ କ’ଣ କହୁଛନ୍ତି ?’’

 

‘‘କହିବାକୁ ଆଉ ବଳପାଇବେ ସାଆନ୍ତେ ? ଯେ ଶୁଣୁଛି ସେ ପରା କାବାହୋଇ ଘଡ଼ିଏ ଅନେଇ ରହୁଛି-। ସାଆନ୍ତେ କେଡ଼େ ବଡ଼ ଘରେ ବନ୍ଧୁ ବାନ୍ଧୁଛନ୍ତି ! ଏଇ କଥା ପରା ସବୁରି ମୁହଁରେ-।’’

 

ରଜତଚନ୍ଦ୍ର ମନେ ମନେ ଗର୍ବ ଅନୁଭବ କରୁଥିଲେ । ସେ ଦାସଙ୍କ ଘରେ ବନ୍ଧୁବାନ୍ଧିବେ । ପୂର୍ବ ଜନ୍ମର ସୁକୃତ ନ ଥିଲେ କ’ଣ ଏ ଘରମିଳେ ?

 

X X X

 

ଦାସଙ୍କ ଘରେ ବନ୍ଧୁବାନ୍ଧି ରଜତଚନ୍ଦ୍ର ସ୍ୱର୍ଗସୁଖ ଅନୁଭବ କଲେ । ବିଭାଘରେ ହଜାର ହଜାର ତାଙ୍କର ବୋହିଗଲା । ଏହି ଧାରଣା ସେ ସମସ୍ତଙ୍କ ମଧ୍ୟରେ ଜନ୍ମାଇବାପାଇଁ ରାମିଆ, ନବଘନ ପ୍ରଭୃତିଙ୍କ ମୁହଁରେ ଡାକବାଜି ଯନ୍ତ୍ର ଖଞ୍ଜିଦେବାର ମଧ୍ୟ ବ୍ୟବସ୍ଥା କରିଦେଲେ ।

 

ରାମିଆ କହହିଲା ‘‘ସେ ନିଜେ ପରା ଦେଖଛି ଜୋଆଁଇ ବାବୁଙ୍କ ଯେଉଁ ବୋତାମ, ଚେନ୍‌ ଘଣ୍ଟା କିଣାହେଲା ନଗଦ ପଡ଼ିଲା ପଚିଶ ହଜାର । ବାଟଖର୍ଚ୍ଚ ବାବଦ ମୋଟାମୋଟି କୋଡ଼ିଏ ହଜାର । ଝୁଅପାଇଁ ଗହଣାଗାଣ୍ଠିରେ ନଗଦ ଚାଳିଶହଜାର । ଏମିତି ଏଆଡ଼ୁ ସେଆଡ଼ୁ ମିଶାଇ ରାମିଆ ହିସାବ ଦେଲା ନଗଦ ଲକ୍ଷେ ଟଙ୍କା । ସାଆନ୍ତେ କ’ଣ କାଣି କଉଡ଼ିଟିଏ ଖର୍ଚ୍ଚ କରିଛନ୍ତି । ସାଆନ୍ତାଣୀଙ୍କର ହାତବାକ୍‌ସରୁ ପରା ଏତିକି ବାହାରିଲା । ଭିତରି ମାଲ କଥା ଛାଡ଼..... ଆମେ ଅଦା ବେପାରୀ ଜାହଜ ମୂଲେଇ ଲାଭ କ’ଣ ?’’

 

ଜୋଇଁକୁ ଦେଖି ହାରାମଣୀଙ୍କର ମନବୋଧ !! ଦୁଆର ବନ୍ଧରେ ମଥାଟା ବାଡ଼େଇ ଦେଲେ ଯେ ମଲା ପର୍ଯ୍ୟନ୍ତ ଚିହ୍ନ ରହିଲା । ଦେଖିଲା ଲୋକେ କହିଲେ ଝୁଅ ଜନମ ପରଘରକୁ । ଏତେ ଅଧୈର୍ଯ୍ୟ ହେଲେ ଚଳିବ ନା ?

 

ହାରାମଣୀଙ୍କ ମନକଥା କେହି ବୁଝି ପାରିଲେ ନାହିଁ । ସେ ଝୁଅକୁ କୁଣ୍ଢାଇ ପକାଇ କହିଲେ ‘‘ସୁମିତ୍ରା ! ଯଦି ଜୀବନରେ କେବେ ଦୁଃଖ ପାଉ, ଅଶାନ୍ତି ଭୋଗକରୁ ସେତେବେଳେ ମୋତେ ଦୋଷ ଦେବୁ ନାହିଁ । ତୋର ଦୁଃଖପାଇଁ ଦାୟୀ ତୋର ବାପା । ମୁଁ ମାଇପି ଲୋକ । କହିଲି, ବୁଝେଇଲି, କାନ୍ଦିଲି; ମାତ୍ର କଛି ଲାଭହେଲା ନାହିଁ । ଭଗବାନ କରନ୍ତୁ ତୋର କାଚ ବଜ୍ରହେଉ’’ କହି ହାରାମଣୀ ପଡ଼ିଗଲେ ।

 

ସେହି ଦିନଠାରୁ ହାରାମଣୀ ବିଛଣାରୁ ଉଠି ନାହାନ୍ତି । କେବଳ ମୁଁହରେ ଗୋଟିଏ କଥା ‘‘ମୋର ସୁନା ପ୍ରତିମାକୁ କାହା ହାତରେ ସମର୍ପି ଦେଲ ?’’ ହାରାମଣୀ ଆଖି ବୁଜିଲେ । ଅତୃପ୍ତ ଆତ୍ମା ନଶ୍ୱରପିଣ୍ତ ତେଜି ଚାଲିଗଲା ।

 

ସୁମନ୍ତ କଲମ ଥୋଇଦେଇ କହି ପକାଇଲେ । ଧନ୍ୟ ସେ ଜନନୀ, ଧନ୍ୟ ତୋର ସ୍ନେହ-। ମାଆ ହୋଇ ସନ୍ତାନର ଦୁଃଖ ବା କିପରି ଦେଖନ୍ତା ?

 

ତିନି

 

ସୁମନ୍ତ ଅନେକ ସମୟଧରି ଚିନ୍ତାକଲେ କାହିଁକି ହାରାମଣୀ ଏତେ ବ୍ୟସ୍ତ ହୋଇପଡ଼ିଲେ ? ରଜତଚନ୍ଦ୍ରଙ୍କର ବ୍ୟବହାର ଓ ରୂପରେ ସେ କ’ଣ ତେବେ ସନ୍ତୁଷ୍ଟ ନଥିଲେ ?

 

ଯେଉଁଠାରେ ରୂପ ନାହିଁ ସେଠାରେ କ’ଣ ଗୁଣର ମଧ୍ୟ ଅଭାବ ଥାଏ ? କୋଇଲିର ରୂପ ଦେଖିତ କେହି ମୁଗ୍‌ଧ ହୁଏ ନାହିଁ ? ମହାକାଳ ଫଳର ନାଲି ଟହ ଟହ ରୂପତ କାହାରିକୁ ପ୍ରଭାବିତ କରିପାରେ ନାହିଁ ?

 

ପୁଣି ସୁମନ୍ତ ଚିନ୍ତା କଲେ ସୁନା ଅପେକ୍ଷା ଲୁହା ବିଶେଷ ପ୍ରୟୋଜନୀୟ ବସ୍ତୁ । ତେବେ ମଣିଷ ସୁନା କିଣିବାକୁ ଏତେ ଆଗ୍ରହ ପ୍ରକାଶ କରେ କାହିଁକି ?

 

ହାରାମଣୀ ଆଜି ସ୍ୱର୍ଗରେ । ନଚେତ୍‌ ସୁମନ୍ତ ତାଙ୍କୁ ବୋଧହୁଏ ପଚାରନ୍ତେ ‘‘ତୁମେ ରମଣୀରଞ୍ଜନଙ୍କୁ ଦେଖିଲା ମାତ୍ରେ କିପରି ଜାଣିପାରିଲ ଯେ ସୁମିତ୍ରା ତାଙ୍କୁ ନେଇ ମୋଟେ ସୁଖରେ କାଳ କାଟିପାରିବ ନାହିଁ । ସେ ପାଠ ପଢ଼ିଛି । ପଇସାବାଲାଙ୍କର ପୁଅ । ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ମଧ୍ୟରେ ସୁମିତ୍ରା ବୁଡ଼ିରହିବ । ଦାସଦାସୀ ପଣ ପଣ ଖଟିବେ ।

 

ସୁମିତ୍ରା ଅଭାବ ବା କ’ଣ ହେବ ଯେ ସେ ସୁଖୀ ହୋଇପାରିବ ନାହିଁ ? ତୁମେ ନାରୀ କ’ଣ ତୁମେ ଜାଣ ? ତେବେ କୁହ ସୁମିତ୍ରା କାହିଁକି ସୁଖୀହୋଇ ପାରିବ ନାହିଁ ?

 

ହଠାତ୍‌ ସୁନନ୍ଦା କଥା ମନେପଡ଼ିଲା । ସୁନନ୍ଦା ବା କେଉଁ ସୁଖରେ ଅଛି ? ସୁମନ୍ତ ଭାବିଲେ ତେବେ ସବୁ ରୂପବତୀ ସ୍ତ୍ରୀଙ୍କ କପାଳରେ କ’ଣ ବିଧାତା ପୁରୁଷ ଜନ୍ମକାଳରୁ ଦୁଃଖର ବୋଝ ଲଦିଦେଇଛି ? ସେ ଭାବନା-ରାଜ୍ୟରୁ ଫେରି ଆସି ପୁଣି ଲେଖିବାକୁ ଆରମ୍ଭ କଲେ.....

 

ପ୍ରଥମେ ସୁମିତ୍ରା ସ୍ୱାମୀଘରକୁ ନୂଆହୋଇ ଆସିଲା ଦିନଠାରୁ ନିଜକୁ ସେଠାକାର ଆବାହାଓ୍ୱା ମଧ୍ୟରେ ମିଶାଇ ନେବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ପାରିଲେ ନାହିଁ । ସେ ନିଜକୁ ଅସହାୟା ମଣିଲେ । ସତେ ଯେପରି କେଉଁ ରାକ୍ଷସପୁରୀ ମଧ୍ୟରେ ସେ ଅଛନ୍ତି ।

 

ଦାସ ଦାସୀ ଏପରି କି ଗୃହରେ ଯେଉଁମାନେ ଅତି ଆପଣାର ଲୋକ ଥିଲେ ସମସ୍ତେ ଏକସ୍ୱରରେ ତାଙ୍କର କୁତ୍ସା ଗାନ କରିବାକୁ ଲାଗିଲେ ।

 

ଘରର ଚାକରାଣୀ ପାରୀ । ନାମ ମାତ୍ରକୁ ସେ ଚାକରାଣୀ ମାତ୍ର ସମସ୍ତେ ତା ସଙ୍ଗେ ଜଗିରଖି କଥାବାର୍ତ୍ତା କରନ୍ତି । ଟିକିଏ ପାଟି ହୁଡ଼ିଲେ ସେ ତିନି ପୁରୁଷଙ୍କ ପିଣ୍ତ ବାଢ଼ିବ । ସେ ସୁମିତ୍ରାଙ୍କୁ ଦେଖୁ ଦେଖୁ ମୁହଁ ବୁଲେଇ ନେଇ ଶୁଣାଇ ଶୁଣାଇ କହିଲା ‘‘ଟହକ ଚିକ୍‌କଣ ଠାରକୁ....ଆହୁରି କ’ଣ କହି ଆସୁଥିଲା କିନ୍ତୁ କୃଷ୍ଣାଦେବୀଙ୍କୁ ଦେଖି କିଛି ନ ଜାଣିଲାପରି ତୁନି ନିଜ କାମରେ ଲାଗିଗଲା ।

 

ପାରୀକୁ କୃଷ୍ଣାଦେବୀ ମୋଟେ ଦେଖି ସହି ପାରନ୍ତି ନାହିଁ । ଏହାର କାରଣ କହୁ ଅଛି । ଲେଖି ବସିଲେ ଗୋଟିଏ ବଡ଼ ପୋଥି ହେବ । ଶୁଣିବା କଥା ନୁହେଁ ନିଜ ଆଖିରେ ଦେଖିବା କଥା । ଆଉ କେହି ଦେଖିଥିଲେ ସେ ମୋଟେ ବିଶ୍ୱାସ କରି ନ ଥାନ୍ତେ । ନିଜ ଆଖିରେ ଦେଖିଛନ୍ତି । ନିଜ ଆଖିକୁ ବା ବିଶ୍ୱାସ ନ ଯିବେ କିପରି ?

 

ସେତେବେଳେ ରାଧାକୃଷ୍ଣା ଦାସ ବଞ୍ଚିଥିଲେ । ପାରୀ ସିନା ଏବେ ବୁଢ଼ୀ ହୋଇଗଲାଣି-। ସେତେବେଳେ ତା’ର ବୟସ ଥିଲା । ଦୁଇଓଳିରେ ତିନିଥର ସୁନ୍ଥା ପାରୁଥିଲା । ଚୁଆଦିଆ ଗୁଣ୍ତି, କିଆଖଇର ନ ହେଲେ ପାନ ପାଟିକୁ ଯାଉ ନ ଥିଲା ।

 

ଦିନେ କ’ଣ ଗୋଟାଏ ଭିଡ଼ କାମ ପଡ଼ିଥାଏ । କୃଷ୍ଣାଦେବୀ ପାରୀକୁ କାମଟା କରିବାକୁ କହିଲେ । ପାରୀ ବା କରୁଛି କେତେକେ ? କୃଷ୍ଣା ଦେବୀଙ୍କ କଥା ନ ରଖିବାରୁ ସେ ଅପମାନବୋଧ କରି ପାରୀକୁ ଶୁଣାଇ ଶୁଣାଇ କହିଲେ ଭାତ ପୋଲା ପଡ଼ିଛି । ଆଜିକାଲି ଏ କଂଗ୍ରେସ ଯୁଗରେ ଚାକର ପୋଇଲୀଙ୍କ ମୁହଁ ବଢ଼ିଗଲାଣି ।

 

ପାରୀ କ’ଣ ଆଉ ଗଡ଼ଜାତିଆ ମାଇପି ହୋଇଛି ଯେ ସବୁ ସହିଯିବ ? ସେ କଟକସହର-ତଳିରେ ବଢ଼ିଛି । କେତେ ବାବୁଭାୟା ଦେଖି ଆସିଲାଣି । ଦାସଙ୍କୁ ବା ପଚାରେ କିଏ-? ସେ ଟିକିଏ ଉପ୍ରୋଧ ନ କରି ମୁହେଁ ମୁହେଁ ଶୁଣାଇ ଦେଲା । ‘‘ପୋଇଲୀ କାହାକୁ କହୁଚ ହେ ? ମଣିଷ ତୁମକୁ ଚିହ୍ନା ପଡ଼ୁ ନାହିଁକି ? ‘ଭାତ’, ‘ଭାତ’ ବୋଲି କ’ଣ ଡରାଇ ଦେଉଛ ? ତୁମେ ଏଠାରେ ଯେମିତି ଇଜ୍ଜତ୍ ଦେଇ ଖାଉଛ ଆମେ ମଧ୍ୟ ଖାଉଛୁଁ । କେହି କାହାକୁ ପୋଲା ଖୁଆଏ ନାହିଁ । ପୋଲା ଦେବା ଲୋକେ ମରିଗଲେଣି ।’’

 

ଏତେ କହି ମଧ୍ୟ ପାରୀ ବୋଧ ହେଲା ନାହିଁ । ଏକାବେଳକେ ସିଧା ସଳଖ ଫେରାଦ ହେଲା ଯାଇ ଦାସଙ୍କ ନିକଟରେ । ଦାସେ ଥିଲେ ଗୋଟାଏ ବୁଝିବା ସମଝିବା ଲୋକ । ପାରୀ ଯେତେବେଳେ କହିଲାଣି ଦାସେ ବା ଥୟ ଧରନ୍ତେ କିପରି । ସେ ସିଧାସଳଖ ଭିତରଖଞ୍ଜରେ ହାଜର । ଆଖି ନାଲି ନାଲି କରି କୃଷ୍ଣାଦେବୀଙ୍କୁ କହିଲେ ଆଜିଠଉଁ ମନେ ରଖିଥାଅ, ଏ ଘରେ ତୁମର ଯେତିକି ଅଧିକାର ଅଛି ପାରୀର ଅଧିକାର ତା’ଠାରୁ କୌଣସି ଗୁଣରେ ଊଣା ନୁହେଁ ।

 

କୃଷ୍ଣାଦେବୀ ମୁହଁ ତଳକୁ ପୋତିଲେ । ପାରୀ ମୁହଁମୋଡ଼ି ଦେଇ ଆନନ୍ଦରେ ଗଦ୍‌ ଗଦ୍‌ ହୋଇ ଚାଲିଗଲାବେଳେ ଦାସଙ୍କୁ ଆଖିକୋଣରେ ଇସାରା ଦେବାକୁ ମୋଟେ ଭୁଲି ନ ଥିଲା ।

 

ସେହିଦିନଠାରୁ ସମସ୍ତେ ଜାଣିଲେ ପାରୀ ମଧ୍ୟ ଏ ଘରେ ଜଣେ ।

 

ରାଧାକୃଷ୍ଣ ବଞ୍ଚିଥିଲା ବେଳକୁ କୃଷ୍ଣାଦେବୀ ବଦଳରେ ପାରୀ ଥିଲା ଏ ଘରେ ମାଲିକାଣୀ କହିଲେ ଚଳେ । ସେତେବେଳଠାରୁ କୃଷ୍ଣାଦେବୀ ପାରୀକୁ ଦେଖି ରକ୍ତ ଚାଉଳ ଚୋବାଉ ଥିଲେ । ଏବେ ପୁଅ-ବୋହୂର ଘର । କୃଷ୍ଣାଦେବୀଙ୍କ କଥା ବା ରହିବ କୁଆଡ଼ୁ । ତଥାପି ମାଲିକାଣୀ ହେବାର ବାସନାକୁ ସେ ମନ ମଧ୍ୟରୁ ଚିରଦିନପାଇଁ ବିଦାୟ ଦେଇ ନାହାନ୍ତି । ସମୟ ସମୟରେ ସେ ଯାହାକୁ ତାହାକୁ ଦେଖେଇ ବାର ସତର ବକି ଯାଆନ୍ତି । ଏହା ତାଙ୍କର ଆତ୍ମାର ଆର୍ତ୍ତନାଦ ବ୍ୟତୀତ ଆଉ କିଛି ନୁହେଁ ।

 

ଏବେ ବର୍ଷେ ଦୁଇବର୍ଷ ହେଲା ସେ ସୁମିତ୍ରା ଉପରେ ବକାବକି ଆରମ୍ଭ କରି ଦେଲେଣି-। ଭାଷା ନିହାତି ଅଶ୍ଳୀଳ । କୌଣସି ଭଦ୍ର ପରିବାରରେ ଏପରି କି ନିହାତି ଛୋଟଜାତିଙ୍କ ମଧ୍ୟରେ ଏ ଭାଷା ଖୋଜି ବାହାର କରିବା କଷ୍ଟକର ବ୍ୟାପାର ।

 

ରୋଗ ଜ୍ୱାଳାରେ ତାଟିଆ କୁମଡ଼ିଲା ପରି ତାଙ୍କର ମନଭିତରେ ଯେତେ କିଛି ରାଗ ଥିଲା ସବୁ ସୁମିତ୍ରା ଉପରେ ମେଣ୍ଟାଇ ନେଉଥାଆନ୍ତି । ସୁମିତ୍ରା ବା କହିବେ କାହାକୁ ? ଏଠି ତାଙ୍କର କିଏ ଅଛି ? ଏଠି ସମସ୍ତେ ପର । ଆହା ବୋଲି କହିବାକୁ କେହି ନାହିଁ । ସେ କେବଳ ଘରକୋଣରେ ବସି କାନ୍ଦନ୍ତି ।

 

ସୁମିତ୍ରା କେବେ କାହାରିକୁ କିଛି କହନ୍ତି ନାହିଁ । ଯେଉଁଠାରେ ଛୁଞ୍ଚି ମାଛିର ପରୀକ୍ଷା ସେଠି କାହାର ଚାରି ପାଟିରେ ଦାନ୍ତ ଅଛି ଯେ କଥା କହି ସମ୍ଭାଳି ପାରିବ ? ଏଠାରେ ଚାକର କହ, ମାଲିକ କହ ସମସ୍ତେ ଗୋଟାଏ ଗୋଟାଏ ମାମଲତକାର । ଗଣ୍ତୁକୀ ତୀର୍ଥରେ ଯେତେ ପଥର ଅଛନ୍ତି ସବୁ ଯେପରି ଗୋଟିଏ ଗୋଟିଏ ଶାଳଗ୍ରାମ । ଠିକ୍‌ ଏହି ଦାସଙ୍କ ଘରେ ଯେତେ ମଣିଷ ଅଛନ୍ତି ସେମାନେ ମଧ୍ୟ ଜଣେ ଜଣେ ସାକ୍ଷାତ୍‌ ଚଳନ୍ତି ବିଷ୍ଣୁ ।

 

ଏବେ ପୁଅ ବୋହୂର ଘର । ବଡ଼ପୁଅ ହେଉଛନ୍ତି ହରିମାଧବ । ଉପରେ ମାଛିକୁ ମ’ ବୋଲି କହନ୍ତି ନାହିଁ; ମାତ୍ର ଭିତରଟା ଗୋଟିପଣ ଓଳଟା । ବିରାଡ଼ି ଦୁଧ ପିଲା ପରି ସେ ସବୁ କଥାକୁ ଆଖିବୁଜି ଦିଅନ୍ତି । ସତେ ଯେପରି ଗୋଟିପଣେ ତୁଳସୀ ! ସ୍ୱାମୀଙ୍କ ମନ ଜାଣି ଭଗବାନ୍‌ ସ୍ତ୍ରୀଟିଏ ମଧ୍ୟ ଦେଇଛନ୍ତି । ଝାଡ଼ିଝୁଡ଼ି ପରିଷ୍କୃତ ହୋଇଯିବା ଲୋକ ।

 

ହରିମାଧବ ଟିକିଏ ରସିକିଆ ଲୋକ ଏ କଥା ସ୍ତ୍ରୀ ରତ୍ନମଣିଙ୍କୁ ଜଣା । ତେଣୁ ସେ ହରିମାଧବଙ୍କୁ ଗୋଡ଼େ ଗୋଡ଼େ ଜଗନ୍ତି । ଯଦିଓ ହରିମାଧବଙ୍କୁ ଅଧାବୟସ ଡେଇଁ ଗଲାଣି ତାଙ୍କର ପ୍ରକୃତିଦୋଷ ରହିଛି । ବୃଦ୍ଧ ବ୍ୟାଘ୍ର ଓ ଅମୃତ-କଙ୍କଣ ଗଳ୍ପ ବା କିଏ ନ ଜାଣେ ?

 

ରତ୍ନମଣି ପାରୀକୁ ହାତ କରି ନେଲେଣି । ଇନ୍ଦ୍ରଙ୍କର ଆୟୁଧ ଯେପରି ବଜ୍ର ଠିକ୍‌ ସେହିପରି ରତ୍ନମଣିଙ୍କ ଆୟୁଧ ହେଉଛି ପାରୀ । ରତ୍ନମଣି ପାରୀ ଜରିଆରେ ସବୁ କାମ ହାସଲ କରିଯାନ୍ତି ।

 

ତାଙ୍କର ପ୍ରାଧାନ୍ୟ ଯେପରି ବଜାୟ ରହୁ ସେଥିପାଇଁ ରତ୍ନମଣି ସବୁବେଳେ ବ୍ୟସ୍ତ । ପାରୀ ଏହା ମଧ୍ୟ ବୁଝି ସାରିଲାଣି । କଙ୍କଡ଼ାକୁ ଗୋଳିପାଣି ସୁହାଇଲା ପରି ପାରୀ ମଧ୍ୟ ବେଳକାଳ ଜାଣି ଉତ୍ପାତ ଆରମ୍ଭ କରିବାକୁ ଲାଗିଲା ।

 

ଗୋଟିଏ ଦିନର କଥା । ସମସ୍ତେ ଖାଇପିଇ ଶୋଇବାକୁ ବାହାରିଲେ । ପାରୀ ଖାଇ ନ ଥାଏ । ସୁମିତ୍ରା କହିଲେ ‘‘ପାରୀ ! ବୋଉର ଗୋଡ଼ରେ ଟିକିଏ ଆଜି ହାତବୁଲାଇ ଦେଲେ ଚଳନ୍ତା ନାହିଁ । ତାଙ୍କର ଦେହ ଭଲ ନାହିଁ ।’’

 

ପାରୀ ସ୍ୱରକୁ ପଞ୍ଚମରେ ତୋଳି ଆରମ୍ଭ କଲା ‘‘ତୁମ ଲେଖାରେ କ’ଣ ପାରୀ ଏ ଘରେ ପୋଇଲୀ ? ତୁମେ ଆଉ କଉ ରଜାଘର ଝିଅ ଆସିଚ ଯେ ଶାଶୁଙ୍କ ଗୋଡ଼ରେ ହାତ ମାରି ଦେଲେ ଅପବିତ୍ର ହୋଇଯିବ ?’’

 

ସୁମିତ୍ରା କୌଣସିଜବାବ ଦେଲେ ନାହିଁ । ରତ୍ନମଣି ଶୋଇବାଘରୁ ବାହାରି ଆସି କହିଲେ ‘‘ସୁମି ! କେଇଟା ଦିନ ନ ଯାଉଣୁ ତୁ ପୁଣି ମୁରବିଭଳିଆ କଥା କ’ଣ କହି ଶିଖିଲୁଣି । ଆମେସବୁ ଦରବୁଢ଼ୀ ତଥାପି ଆମର ନାକ କାଟିଲେ ବି ବଚନ ବାହାରୁ ନାହିଁ । ଆମ ବୟସବେଳକୁ ତୋ ଜ୍ୱାଳାରେ ବୋଧହୁଏ ଆଉ ଚାକର ବାକର ଏ ଘରେ କେହି ରହିବେ ନାହିଁ ।’’

 

‘‘ମୁଁ କ’ଣ କହିଲି କି ନାନୀ ଯେ ତୁମେ ଏତେ କଥା କହି ଯାଉଛ ?’’

 

‘‘ଆହା ଲୋ ମଉନ ମୁହିଁ ! କିଛି ନ ଜାଣିଲାଭଳି କଥା ଚିକ୍‌କଣେଇ କେତେ କହି ଯାଉଛୁ । ଆର ଘରେ ପରେ ଦେଢ଼ଶୁର ଅଛନ୍ତି । ଟିକିଏ ଲାଜ ସରମ ବି ନାହିଁ ?’’

 

ପାରୀର ମୁହଁରୁ ଚାବି ଖୋଲିଲା । ସେ ଏକ ନିଃଶ୍ୱାସରେ କହିଗଲା ‘‘ଦେଢ଼ଶୁର ! ଏ କି କଥା କହୁଛ ବଡ଼ ବୋହୂ । ଏ କ’ଣ ତୁମ ଆମ ଅମଳ କଥା । ପଞ୍ଚାୟତରାଜ ପରା ହେଲାଣି । ଏଥର ମାଇପେ ଯିବେ ସଭା ସମିତିକୁ । ଆଉ ମିଣିପେ ଘରେ ଭାତ ରାନ୍ଧିବେ । ଯୁଗ ଲକ୍ଷଣ ଲୋ ମା’ । କହିଲେ ମଲି, ନ କହିଲେ ମଲି ।’ ସୁମିତ୍ରା କହିଲେ ‘‘ପାରୀ ! ତୁମକୁ ଜୁହାର ହେଉଛି । ମୋ କହିବା ତୁମକୁ ଭୁଲ । ଆଉ କେବେହେଲେ କୋଉ କଥା କହିବି ନାହିଁ ।’’

 

‘‘ତମ ବାପା କ’ଣ ମୋତେ ଯୌତୁକ ଦେଇଛନ୍ତି ଯେ ତୁମେ ମୋତେ କହିବ । ସତେ ଯେପରି ଅନ୍ତୁଡ଼ିଶାଳରେ ଏ ମୋର ନାଁ ଦେଇଥିଲେ । ବଡ଼ ସାନ ଜ୍ଞାନ ରହୁନାହିଁ । ପାଟି ଖୋଲିଲେ କଥା ।’’

 

ପାରୀର ଉଗ୍ରତାରା ରୂପଦେଖି ସୁମିତ୍ରା କାଠ ପାଲ୍‌ଟି ଗଲେଣି । ସେତିକିବେଳେ ଚାକର ଟୋକା କାଙ୍ଗାଳି ସ୍ୱରଧରି ଗାଇଲା...।

 

‘‘ବଡ଼ ଘର ବଡ଼ ଗୁମର କଥା, ନାନୀ ଜାଣିଥା ।’’

 

ପାରୀ ଅଣ୍ଟାରେ ଲୁଗାଭିଡ଼ି ଚିତ୍କାର କଲା ‘‘ହଇରେ ବାଡ଼ିପଡ଼ା ! ଟାକୁଆ ଗାଲରେ କ’ଣ ଭାତ ଲାଗିଲାଣି ? ଛତରା କୋଉଠିକାର ।’’

 

ବଡ଼ ବଡ଼ ଗଲେ ଫସର ଫାଟି, ସାନ ଅଇଲେ ବେସର ବାଟି । ଏ ଭାରତଯୁଦ୍ଧରେ କାଙ୍ଗାଳି ବିଚାରା କାହିଁକି ବା ମୁଣ୍ତ ପୂରାଇବ ? ସେ ନେହୁରା ହୋଇ କହିଲା ‘‘ମାଉସୀ, ଗୀତଟେ କାଲି ଥେଟରରୁ ଶିଖି ଆସିଥିଲି ବୋଲି......

 

କୃଷ୍ଣାଦେବୀ ସବୁ ଶୁଣୁଥିଲେ । ତାଙ୍କର ପାଟି ଶୋଇ ଶୋଇ ଖଜବଜ ହେଉଥିଲା । ସେ ଆକଟିଲା ଭଳି ସ୍ୱରରେ କହିଲେ ‘‘ଆରେ ତମ ଲେଖାରେ କ’ଣ ଏଟା ଗୋଟାଏ.... ।’’

 

କାଙ୍ଗାଳି ନିଜ ମୁଣ୍ତରୁ ଦୋଷ ଛଡ଼ାଇବାକୁ ପାରୀକୁ ଲକ୍ଷ୍ୟ କରି କହିଲା ‘‘ମାଉସୀ ! ମୁଁ କ’ଣ ତୁମକୁ କହୁଛି ?’’

 

ପାରୀ କଣ୍ଟାବାଡ଼ରେ ଲୁଗା ପକାଇ କଳି ଲଗାଇବା ଲୋକ । ସେ କହିଲା ‘‘ହଇରେ ଯୋଗିନୀଖିଆ । ତୋ ବାପା ମୋର କୋଉ ଭଉଣୀକୁ ବିଭା ହୋଇଛି ଯେ ମୁଁ ହେବି ତୋର ମାଉସୀ ?’’

 

ରତ୍ନମଣି ସବୁ ଶୁଣି ଶୁଣି ଶେଷକୁ କହିଲେ ପୋଡ଼ିଯାଉ ସେ ରୂପ । ରୂପରୁ କ’ଣ ମିଳିବ ଲୋ ମା’ ! ଗୁଣ ତ ପୋଡ଼ା ଅଙ୍ଗାର ।’’

 

ସୁମିତ୍ରା ଭାବୁ ଥାଆନ୍ତି ଯେଉଁଠାରେ ସ୍ନେହ ସହାନୁଭୂତି ଦୁଷ୍ପ୍ରାପ୍ୟ ସେଠି ମଣିଷ ବା ବଞ୍ଚିବ କିପରି ? ଏମାନଙ୍କୁ ପୁଣି କୁହାଯାଏ ସଭ୍ୟ, ସୁଶିକ୍ଷିତ ? ସଭ୍ୟତା ଏମାନଙ୍କ ପାଖ ମୋଟେ ପଶି ନାହିଁ । ସଭ୍ୟତାର ଅର୍ଥ ଏମାନେ ମୋଟେ ବୁଝନ୍ତି ନାହିଁ । ପୁଣି ଏମାନେ ଗର୍ବ କରି ଦୁନିଆ ଆଗରେ ଡେଙ୍ଗୁରା ବଜାଇ କହନ୍ତି ଏମାନେ ବଡ଼ଲୋକ । ବଡ଼ଲୋକିର ଅର୍ଥ ଏମାନେ ବୁଝନ୍ତି କୋଠାବାଡ଼ି, ଧନସମ୍ପତ୍ତି । ଯେଉଁଠାରେ କ୍ଷମତାପାଇଁ ମଣିଷ ସବୁବେଳେ ବ୍ୟସ୍ତ ଅନ୍ୟ ଉପରେ ହାକିମ ଦେଖାଇ ଅନ୍ୟକୁ ପଦାନତ କରିବାପାଇଁ ଯେଉଁ ଘରେ ସମସ୍ତେ ସର୍ବଦା ଲାଳାୟିତ ସେଠାରେ କ’ଣ ସୁଖ ଥାଏ ?

 

ଦୁଇଟି ବର୍ଷ ବିବାହିତ ଜୀବନ ଅତିକ୍ରମ କରି ସାରିଲା ପରେ ଦୁନିଆ ସମ୍ୱନ୍ଧରେ ସୁମିତ୍ରାର ଗୋଟାଏ ଖରାପ ଧାରଣା ମନମଧ୍ୟରେ ଜନ୍ମି ସାରିଛି । ସେ ବିବାହ ପୂର୍ବରୁ ଦୁନିଆ ସମ୍ବନ୍ଧରେ ଗୋଟାଏ ରଙ୍ଗିନ୍‌ ଚିତ୍ର ମନମଧ୍ୟରେ ଆଙ୍କିଥିଲେ । ସେ ବୁଝିଥିଲେ ଦାମ୍ପତ୍ୟ ଜୀବନର ଅର୍ଥ ଭିନ୍ନ ପ୍ରକାର । ସେ ବହିରେ ପଢ଼ିଥିଲେ ସ୍ତ୍ରୀ ସ୍ୱାମୀର ଅର୍ଦ୍ଧାଙ୍ଗିନୀ, ସହ ଧର୍ମିଣୀ, ସୁଖ ଓ ଦୁଖର ସାଥୀ, ମାତ୍ର ବର୍ତ୍ତମାନ ସେ ବୁଝିଲେ ଏହା କବି ଓ ଲେଖକର କଳ୍ପନା ମାତ୍ର । ଚନ୍ଦ୍ର ଦୂରରୁ ଏତେ ସୁନ୍ଦର । ତା’ର ଜ୍ୟୋତ୍ସ୍ନାରେ ଭରି ରହିଛି ମାଦକତା । ଶରତ୍‌-ଆକାଶର ଚନ୍ଦ୍ର ଦେଖି କବି କବିତା ଲେଖେ । ବିରହିଣୀ ଝୁରି ଝୁରି ରାତ୍ରି ଯାପନ କରେ; କିନ୍ତୁ ସତରେ କ’ଣ ଚନ୍ଦ୍ର ଏତେ ସୁନ୍ଦର ?

 

ରମଣୀରଞ୍ଜନ ନିହାତି ଗୋଟାଏ ଅପଦାର୍ଥ । ଦେହୀ କ୍ଷୁଧା ନିବାରଣପାଇଁ ସେ ସୁମିତ୍ରାକୁ ଦରକାର କରନ୍ତି । ଭୋକପାଇଁ ମଣିଷର ଖାଦ୍ୟ ଲୋଡ଼ା । ପେଟ ପୂରିଲେ ମଣିଷର ଖାଦ୍ୟପ୍ରତି ଲୋଭ ନ ଥାଏ । ସୁମିତ୍ରା ଓ ରମଣୀରଞ୍ଜନର ସମ୍ପର୍କ ଖାଦ୍ୟ ଓ ଖାଦ୍ୟକର ସମ୍ପର୍କ ।

 

ବୋଉଙ୍କ କଥା ତାଙ୍କର ମନେପଡ଼େ । ବୋଉ ଆଜି ସ୍ୱର୍ଗରେ । ମା’ କେବଳ ଝିଅର ଦୁଃଖ ବୁଝେ । ସେ କାହା ପାଖରେ ଏ ଦୁଃଖ କହିବେ ? ଆଖିର ଲୁହ ଆଖିରେ ଶୁଖେ । ମନେ ମନେ । ଭଗବାନଙ୍କୁ ଡାକି କହନ୍ତି ‘ପ୍ରଭୁ ! ମୋତେ ଶୀଘ୍ର ଏ ନରକପୁରୀରୁ ଉଦ୍ଧାର କର ।’’

 

ରମଣୀରଞ୍ଜନଙ୍କର ବାଘୁଆ ଆଖି ଦୁଇଟିକୁ ଦେଖିଲେ ସୁମିତ୍ରା ଭୟରେ ଥରିଉଠନ୍ତି । ସେ ହିନ୍ଦୁଘରର ସ୍ତ୍ରୀ । ହିନ୍ଦୁ ସ୍ତ୍ରୀର ପତି ପରମ ଗୁରୁ । ପତି ତା’ର ସର୍ବସ୍ୱ । ଯେଉଁ ମହାପୁରୁଷ ଏହି ଉକ୍ତି ଅନାଗତ ଯୁଗରୁ ଶାସ୍ତ୍ର ପୁରାଣରେ ଲିପିବଦ୍ଧ କରିଯାଇଅଛନ୍ତି ତାଙ୍କୁ ଦେଖିଲେ ସୁମିତ୍ରା ନିଶ୍ଚୟ ପଚାରନ୍ତେ କାଳ-କାଳକୁ ସ୍ତ୍ରୀ ଜାତି ଉପରେ ପୁରୁଷର ଆଧିପତ୍ୟ ଲଦିଦେବା ବ୍ୟତୀତ ଏପରି ଲେଖିବାରେ ଅନ୍ୟ କୌଣସି ମହତ୍‌ ଉଦ୍ଦେଶ୍ୟ ଅଛି କି ? ସେ ଲେଖକ ଆଜି ନାହାନ୍ତି । ସେ କେବଳ ଗୋଟାଏ ଅହେତୁକ ଭୟ ସ୍ତ୍ରୀଜାତିଙ୍କ ମନରେ ପୂରାଇଦେଇ ଚାଲି ଯାଇଛନ୍ତି ।

 

ଯେ ସ୍ତ୍ରୀ ମନ ବୁଝିବାକୁ ଅକ୍ଷମ, ଯାହାର ଆଖି ଆଗରେ ସ୍ତ୍ରୀ ଲାଞ୍ଛନା ପାଏ, ସ୍ତ୍ରୀ ଅନ୍ୟ ପାଖରୁ ଅବମାନନା ସହ୍ୟ କରେ ସେ କ’ଣ ପ୍ରକୃତରେ ସ୍ୱାମୀପଦବାଚ୍ୟ ? ସ୍ତ୍ରୀକୁ ସୁଖୀ କରିବା କ’ଣ ସ୍ୱାମୀର ଧର୍ମ ନୁହେଁ ? ତେବେ ସେ କିପରି ବା ସ୍ୱୀକାର କରିବେ ରମଣୀରଞ୍ଜନ ତାଙ୍କର ସ୍ୱାମୀ ? ଇହ ଓ ପରକାଳର ଦେବତା । ଯାହାକୁ ସେ ହୃଦୟ ଦେଇ ପାରୁ ନାହାନ୍ତି, ଯାହାକୁ ଦେଖିଲେ ଓ ଯାହା କଥା ଚିନ୍ତା କଲେ ମନ ଘୃଣାରେ ପୂରିଯାଏ, ସେ କେଉଁ ଦାବୀ ନେଇ ତାଙ୍କ ଆଖି ଆଗରେ ଛିଡ଼ାହେବେ ‘ପତି’ର ପାଉଣା ସୁମିତ୍ରାଠାରୁ ଆଦାୟ କରିବାକୁ ? ସୁମିତ୍ରା କ’ଣ ଅନ୍ତର ଖୋଲି ତାଙ୍କର ସମସ୍ତ ନୈବେଦ୍ୟ ରମଣୀରଞ୍ଜନଙ୍କ ପାଦତଳେ ଅଜାଡ଼ି ଦେଇ କହିପାରିବେ ‘ତୁମେ ମୋର ପରମ ଗୁରୁ ?’’

 

ବାଦିପାଲା ଅବସାନ ଘଟିଛି । ଏଥର ପଡ଼ିଲା କୃଷ୍ଣାଦେବୀଙ୍କର ପାଳି । ସେ ଶୋଇବାଘରୁ ପାଟିକଲା ‘‘ହଇଲୋ ସୁମି’’ !

 

ସୁମିତ୍ରା କବାଟ କୋଣରେ ଛିଡ଼ାହୋଇ ଆଖିରୁ ଲୁହ ପୋଛୁଥିଲେ । ଶାଶୁଙ୍କର ଭୀମରଡ଼ି ତାଙ୍କ ପାଖକୁ ପହଞ୍ଚି ପାରିଲା ନାହିଁ ।

 

ରମଣୀରଞ୍ଜନ କଡ଼ ମୋଡ଼ିଲେ । କହିଲେ ‘‘ବୋଉ ଡାକୁଛି ପରା ?’’

 

‘‘ତୁମେ ଯାଉନ । ସେ ତମର ବୋଉ । ସେ ମୋର କିଏ କି ? ତମ ଘରେ ଚାକର, ପୂଜାରୀ ସମସ୍ତଙ୍କ ଆଖିରେ ମୁଁ ଗୋଟାଏ ଅତି ନଗଣ୍ୟ ଓ ଇତର ଜୀବ । ତା’ ନ ହେଲେ କି ସେମାନେ ମୋତେ ଏତେ କହିଯିବେ ? ଆଉ ମୁଁ ସବୁ ସହିଯିବି । ତୁମେ ତ ସବୁ ଶୁଣୁଛ, ମୋର ଏଥିରେ କିଛି ଦୋଷ ରହିଛି ?’’ ସୁମିତ୍ରା ସ୍ୱାମୀର ଗୋଡ଼ତଳରେ ବସି କାନ୍ଦ କାନ୍ଦ ସ୍ୱରରେ କହିଲେ-

 

ପୁଣି କୃଷ୍ଣାଦେବୀଙ୍କର ଚିତ୍କାର ଶୁଭିଲା ‘‘ଆଲୋ ସୁମି ! ତୋ କାନରେ କ’ଣ ଢେଙ୍କି ପଡ଼ିଛି କିଲୋ ?’’

 

‘‘ସୁମି ! ବୋଉ ପରା ଡାକୁଛି ?’’

 

‘‘ଦେଖ ମୁଁ ତୁମକୁ କେତେ ଥର କହିଛି ମୋତେ ତୁମେ ‘ସୁମି ବୋଲି କେବେ ଡାକିବ ନାହିଁ । ସୁମିତ୍ରା ବୋଲି କହିବାକୁ କ’ଣ ପାଟି ଘୋଳେଇ ହୁଏ ।’’

 

‘‘ବୋଉ ଡାକୁଛି ପରେ ? ଟିକିଏ ଶୁଣିଆସ ।’’ ରମଣୀରଞ୍ଜନ କହିଲେ ।

 

‘‘କହିଲି ପରା ମୋଟେ ଯିବି ନାହିଁ । ସେ ମୋର କେହି ନୁହନ୍ତି ।’’ କହି ରଗ ରଗ ହୋଇ ସୁମିତ୍ରା ବିଛଣାର ଆରପଟେ ଶୋଇପଡ଼ିଲେ ।

 

‘ତୁମକୁ ନେଇ ଯେ କ’ଣ କରିବି ମୁଁ ମୋଟେ ଭାବିପାରୁ ନାହିଁ ।’’

 

‘‘ମୋତେ ମୋ ବାପଘରେ ଛାଡ଼ିଦେଇ ଆସ । ସେଠାରେ କଉଁ ଖାଇବା ପିଇବା ଅଭାବ ଯେ ତମ ଘରେ ପେଟ ଚାଖଣ୍ତକ ପାଳିବାପାଇଁ ଏତେ ସହ୍ୟ କରିବି ? ପେଟ କଉଁ ଅପୋଷା ରହିଯିବ ?’’

 

କୃଷ୍ଣା ଦେବୀ ରମଣୀରଞ୍ଜନଙ୍କ ଉଦ୍ଦେଶ୍ୟରେ କହିଲେ ! ‘‘ହଇରେ ମାଇଗୁଲିଆ ପୋତାମୁହାଁ ମାଇପ ଏମିତି କ’ଣ ଜଡ଼ିବୁଟି କରିଦେଲାଣି ଯେ ପାଟି ଖୋଲି ପଦେ କହିବାକୁ ଡର ଲାଗୁଛି । ତମ ପୁଅ-ବୋହୂଙ୍କ ଲେଖାରେ ମୁଁ କ’ଣ କି ? ତମେ କ’ଣ ଭାବୁଛ ମୁଁ ଏ ଘରକୁ ପଶି ଆସିଛି ?’’

 

ପାରୀ ସବୁ ଶୁଣୁଥାଏ । ସେ ବୁଝିଲା ପାରୀକୁ ଉପଲକ୍ଷ୍ୟ କରି ଏ କଥା କୁହାଯାଉଛି । ସେ କହିଲା ‘‘ତମେ କାହିଁକି ପଶି ଆସିବ ? ମୁଁ ପଶି ଆସିଛି; ଆଚ୍ଛା ରାତି ପାହୁ କାଲିକି ବୁଝାବୁଝି ହେବ । ଦେଖିବ ପାରୀ କ’ଣ ନ କରୁଛି ?’’

 

ଛାର ପୋଇଲୀଟେ କହିବ, କୃଷ୍ଣାଦେବୀ ସହିବେ ? ସହିଯିବା କୃଷ୍ଣାଦେବୀଙ୍କ କୋଷ୍ଠିରେ ନାହିଁ । ସେ ଶୁଣାଇ ଶୁଣାଇ କହିଲେ ‘‘ପଥ ସୁମରି ପିତାଘର ଯିବୁ....’’

 

‘‘କିଏ ପଥ ସୁମରି ଯାଉଛି ଦେଖାଯିବ ? ରାତି ପାହୁ ।’’ ପାରୀ ଏତିକି କହି ହରିମାଧବଙ୍କ ଶୋଇବା ଘରକୁ ଯାଇ ପୂର୍ବାପେକ୍ଷା ଉଚ୍ଚସ୍ୱରରେ କହିଲା ‘‘ମାଧ ! ତୋତେ ମୋ ପେଟର ପୁଅ ପରି ଜାଣେ । ଭାବିଥିଲି କେଇଟା ଦିନ ପୁଅ ଝିଅର ଅଇଁଠା କଣ୍ଟା ଖାଇ କାଳ କାଟି ନେବି । ତାହା ମଧ୍ୟ ହୋଇପାରିଲା ନାହିଁ । ମୁଁ ଯଦି ମିଛରେ କହୁଥିବି ରାଧା-ଚଡ଼କ ମୋ ଉପରେ ପଡ଼ିବ । ‘ମଣି’ କିଏ ନା ‘ମାଧ’ କିଏ ? ମୋଆଖିରେ ଦୁହେଁଯାକ ସମାନ । କେହି ମୋର ପିଠିର ନୁହେଁ କି କେହି ମୋର ପେଟର ନୁହେଁ । ସେ କଥା କହିଲାବେଳକୁ କାନ୍ଦ ଲାଗୁଛି’’ କହି ପାରୀ ସକେଇ ହେଲା ।

 

ସ୍ତ୍ରୀର ସମ୍ୱଳ ହେଉଛି ଲୁହ । ଏହି ଲୁହ ତଳେ ଯେ କେତେ ଛଳନା ରହିଛି ସେ କଥା କେବଳ ସ୍ତ୍ରୀ ଜାଣେ । ସୁମନ୍ତ ମନେ ମନେ ଭାବିଲେ ପୁରୁଷ ମଧ୍ୟ କ’ଣ ଛଳନା କରି ଲୁହ ଢାଳେ ? ସେ ସୁନନ୍ଦା ପାଖରେ ଅନେକ ଦିନ କାନ୍ଦିଛନ୍ତି । ତେବେ ସେ କ’ଣ ଛଳନା କରି କାନ୍ଦିଥିଲେ ?

 

ସୁନନ୍ଦା କଥା ମନେ ପଡ଼ିଲା । ସେ ସୁନନ୍ଦା ସାଙ୍ଗରେ ତାଳଚେର ଗାଡ଼ିରେ ବସି ମେରାମଣ୍ତଳୀ ଯାଉଥିଲେ । କଥାପ୍ରସଙ୍ଗରେ ସୁନନ୍ଦା ନିବେଦନ କରି କହିଥିଲା ‘‘ସୁମନ୍ତ ! ତୁମେ ମୋ ଆଗରେ କେବେ ଲୁହ ଢାଳିବ ନାହିଁ । ତୁମେ ଯାହା ମାଗିବ ମୁଁ ଦେବାକୁ ପ୍ରସ୍ତୁତ; କିନ୍ତୁ ତୁମର ଲୁହର ଦାମ୍‌ ଦେଇପାରିବି ନାହିଁ ।’’

 

ସୁମନ୍ତ ସୁନନ୍ଦା ପାଖରୁ ସବୁ ପାଇଥିଲେ; କିନ୍ତୁ ଲୁହର ଦାମ୍‌ ସୁନନ୍ଦା ଦେଇପାରିଲା ନାହିଁ-। ସୁମନ୍ତର ଲୁହରେ ନ ଥିଲା ଛଳନା । ସେ ଲୁହରେ ଭରିରହିଥିଲା ଅନ୍ତରର ନିଭୃତ ପ୍ରଦେଶର କରୁଣ ନିବେଦନ ।

 

ଯେଉଁମାନେ ଛଳନା କରି ଲୁହ ଢାଳନ୍ତି, ନିକଟ ଭବିଷ୍ୟତରେ ତା’ର ଦାମ୍‌ ସେମାନେ ପାଆନ୍ତି । ଯେଉଁ ଲୁହରେ ଲେଶମାତ୍ର ଛଳନା ନ ଥାଏ, ଛଳନା ବଦଳରେ ଭରିରହିଥାଏ ଗୋଟିଏ ପ୍ରାଣର ସମସ୍ତ ଆବେଦନ, ସେ ଲୁହର ଦାମ ବା କିଏ ଦେଇ ପାରିବ ?

 

ସୁମନ୍ତ କଳ୍ପନା-ଜଗତରୁ ଫେରିଆସି ପୁଣି ଲେଖିବାରେ ମନ ନିବେଶ କଲେ ।

 

ପାରୀ ହରିମାଧବଙ୍କୁ ଓ ରମଣୀରଞ୍ଜନଙ୍କୁ ସଂକ୍ଷେପରେ ଡାକେ ‘ମାଧ’ ଓ ‘ମଣି’ ବୋଲି-। ଏହା ହେଉଛି ତା’ର ବାତ୍ସଲ୍ୟ ସ୍ନେହ । ସେହି ବାତ୍ସଲ୍ୟ ସ୍ନେହ ଭିତରେ ଭରି ରହିଛି ପୁତନାର ସମସ୍ତ ଛଳନା ।

 

ପାରୀକୁ ବୁଦ୍ଧିରେ ବଳିଯିବାକୁ ଏହି ଘରେ କେହି ନ ଥିଲେ । ତେଣୁ କ୍ରମେ କ୍ରମେ ପାରୀ ତା’ର ଦୁଷ୍ଟ ବୁଦ୍ଧି ଖଟାଇ ନିଜର ଆଧିପତ୍ୟ ସମସ୍ତଙ୍କ ଉପରେ ଖୁବ ଭଲଭାବେ ବିସ୍ତାର କରିଥାଏ । ପାରୀ ଜାଣେ ଦୁଇ ଟୋପା ଲୁହ ଢାଳି ବିଶ୍ୱ ବିଜୟ ମଧ୍ୟ କରାଯାଇପାରେ । ହରିମାଧବ ବା କଉଁ ଛାର ?

 

ରତ୍ନମଣି ଆଜକୁ ଦୁଇ ତିନି ମାସ ହେବଣି ପାରୀକୁ ମାଉସୀ ବୋଲି ଡାକନ୍ତି । ପାରୀ ରତ୍ନମଣିକୁ ମଧ୍ୟ ଖୁବ୍‌ ସ୍ନେହ କରେ । ସତେ ଯେପରି ଜନମକଲା ଝିଅ ? ପାରୀ ଏବେ କେଇ ଦିନ ହେଲା ବୁଝିଲାଣି ରତ୍ନମଣି ବ୍ୟତୀତ ଦୁନିଆରେ କେହି ଆଜି ତା’ର ନାହିଁ । ମନ ଜାଣି କଥା କହିବାରେ ରତ୍ନମଣିଙ୍କୁ କେହି ବଳିଯିବେ ନାହିଁ ।

 

ପାରୀ ମଧ୍ୟ ଗୋଟିଏ ସ୍ତ୍ରୀ । କେଉଁ ସ୍ତ୍ରୀ ନ ଚାହେଁ ଦୁଇପଦ ମିଠାକଥା । କେଳା ବିଷଧର ସର୍ପକୁ ପଦ୍ମ ତୋଳା ଶୁଣାଇ ବଶ କରିଲା ପରି ରତ୍ନମଣି ପାରୀକୁ ଦୁଇ ପଦ ମିଠାକଥା ଶୁଣାଇ ପୋଷା ମନାଇଥିଲେ । ଏ ପୋଷା ମନାଇବାର ଅସଲ ମତଲବ ରତ୍ନମଣି ବ୍ୟତୀତ ବ୍ରହ୍ମା ବିଷ୍ଣୁଙ୍କୁ ମଧ୍ୟ ଜଣାନାହିଁ ।

 

ପାରୀର ବାହୁନିବା ବନ୍ଦ ହୋଇ ନାହିଁ । ସେ କହି ଯାଉଥାଏ । ଶ୍ରୋତା ହେଉଛନ୍ତି ହରିମାଧବ ।

 

ପାରୀ କ’ଣ ଖାଇବ ସେଥିପାଇଁ ରତ୍ନମଣି ବ୍ୟସ୍ତ । ଶାଶୁଙ୍କପାଇଁ ଏତେ ବ୍ୟସ୍ତ ହେବାର କେହି କେବେ ତାଙ୍କୁ ଦେଖି ନାହାନ୍ତି । ଶାଶୁଙ୍କୁ ସେ କେବେ ଦେଖି ସହି ପାରନ୍ତି ନାହିଁ । ଯେତିକି ନ କଲେ ନ ହୁଏ ସେତିକି ସେ କରନ୍ତି । ତଥାପି ଏ ଘରେ ତାଙ୍କର ସୁନାମ ରହିଛି । ସମସ୍ତେ କହନ୍ତି ବାପ ମାଆ ବାଛି ବାଛି ନାଁ ଦେଇଥିଲେ ରତ୍ନମଣି ।

 

କିନ୍ତୁ ଏବେ କେଇଦିନ ହେଲା ପାରୀ କହୁଛି ‘‘ରତ୍ନମଣି ନାଁ ନ ହୋଇ ରତ୍ନମାଳୀ ହୋଇଥିଲେ ଆହୁରି ଭଲ ହୋଇ ଥାଆନ୍ତା । କାହିଁକି ନା ମୋ ମାଧ ଗଳାକୁ ସାକ୍ଷାତ୍‌ ଯେପରି ଗୋଟିଏ ମାଳୀ ।’’

 

ପାରୀ କହିଲା, ‘‘ତୁ ତ ଜାଣୁ ମାଧ । ସେ ଶଙ୍ଖୀ ବିରାଡ଼ି ଏ ଘରେ ପାଦ ଦେଲା ଦିନଠାରୁ ମୋ ଦୁର୍ଦ୍ଦଶା କହିଲେ ନ ସରେ ।’’

 

‘ଶଙ୍ଖୀ ବିରାଡ଼ି’ ଶବ୍ଦଟା ଶୁଣି ହରିମାଧବ ହସି ଦେଉଥିଲେ, ମାତ୍ର ବହୁ କଷ୍ଟରେ ହସ ଚାପି ରଖି କହିଲେ ‘‘ଶଙ୍ଖୀ ବିରାଡ଼ି କିଏ ?’’

 

‘‘ମଣି ଭାରିଜା । ଦେଖନ କୁଟାଟିକୁ ଦୁଇଖଣ୍ତ କରିବାକୁ ମଧ୍ୟ ରାଜି ନୁହେଁ । ସତେ ଯେପରି ବାପ ସାଙ୍ଗରେ ଚାରି ଚାରିଟା ଚାକର ଚାକରାଣୀ ଦେଇ ବିଦା କରିଛି । ଆମେ ସବୁ ଶୁଣୁଥିଲୁ ହାତୀ ଦେବି ଘୋଡ଼ା ଦେବି ।’’

 

ହରିମାଧବ ପାରୀଠାରୁ ଆହୁରି କେତେ କ’ଣ ଶୁଣିବାକୁ ଚାହୁଁଥିଲେ । ସେ ପାରୀ ପାଖରୁ କଥା ଆଦାୟ କରିବାକୁ କହିଲେ ଯିଏ ଯାହା ପାରିଲା ଦେଲା ସେଥିରେ ଆମର କହିବାର କ’ଣ ଅଛି ?’’

 

‘‘ମଣି ଆମର କଉଁ ଅଯୋଗ୍ୟ ହୋଇଛି କି ? ସେ କଥା ନୁହେଁ ବାପ, ମୁଁ ସବୁ ଶୁଣିଛି । କିଏ ନ ଜାଣିଛି କି ? ହେଲେ ତୋ ମୁହଁକୁ ଚାହିଁ କେହି କିଛି କହି ପାରୁ ନାହାନ୍ତି । ଏହା ହେଉଛି ହାତୀ ମାରି କୁଲା ଢାଙ୍କି ଦେବା କଥା ।’’

 

ହରିମାଧବ ଆଶ୍ଚର୍ଯ୍ୟରେ ପାରୀ ମୁହଁକୁ ଅନାଇଲେ । ପାରୀ ଆରମ୍ଭ କଲା ‘‘ବୁଝିଲୁ ମାଧ ! ମୁଁ ହେଲି ମାଆ, ତୁ ହେଲୁ ପୁଅ । ସେ କଥା ବା କ’ଣ କହିବି ଶୁଣିଲେ କାଠ ପଡ଼ିଯିବୁ । ସାନବାବୁ କଲେଜରେ ପଢ଼ୁଥାଏ । ଆଉ ସେ ଶଙ୍ଖୀ ପଢ଼ୁଥାଏ ସ୍କୁଲରେ । ସେହି ଦିନଠାରୁ ପରା ଚିଠି ଲେଖାଲେଖି । ଦେଖୁନୁ କିମିତି କିମିଆ କରିଦେଲା ଯେ ପାଟିରୁ ଭାଷା ମଧ୍ୟ ବାହାରୁ ନାହିଁ ।’’

 

ସଦ୍ୟ ମାଂସରେ ପୋକ ପକାଇବା ଲୋକ ହେଉଛନ୍ତି ରତ୍ନମଣି । ସେ ଏହିକଥା ବସି ବସି ପାରୀ ପାଖରେ ଗପିଛନ୍ତି । ପର ନାମରେ ବାର ସତର କହିବା ରତ୍ନମଣିର ଅଭ୍ୟାସ । ସେ ସବୁଠାରେ ଥାଇ କେଉଁଠାରେ ଥାଆନ୍ତି ନାହିଁ ।

 

ପାରୀ ବସି ଶେଷରେ କହିଲା ‘‘ପୁଅଟେ ପରା । ମୋର ଗୋଟାଏ କିଛି ନିଷ୍ପତ୍ତି କରି ଦେ । ମୁଁ ଏଠାରେ ଚଳି ପାରିବି ନାହିଁ ।’’

 

ନିଷ୍ପତ୍ତି ଶବ୍ଦଟା ଶୁଣି ହରିମାଧବ ବୋକାଭଳି ପାରୀ ମୁହଁକୁ ଅନାଇଲେ । ରତ୍ନମଣି କହିଲେ, ‘‘ମାଉସୀ ! ଯାଅ ଖାଇବ । ରାତି ଅନେକ ହେଲାଣି ।’’

 

ଘଣ୍ଟାରେ ବାଜିଲା ବାର । ସୁମିତ୍ରାର ଆଖିକୁ ନିଦ ଆସୁ ନ ଥାଏ । ସେତେବେଳକୁ ରମଣୀରଞ୍ଜନ ନିଦ୍ରାଦେବୀଙ୍କ କ୍ରୋଡ଼ରେ ଅଭୟ ଆଶ୍ରୟ ନେଇ ଘୁଙ୍ଗୁଡ଼ି ଛାଡ଼ୁଥାନ୍ତି । ଏ ଘଟଣା ଆଜିକାର ନୂଆ ନୁହେଁ । ସୁମିତ୍ରା ଏ ଘରେ ପାଦ ଦେବା ଦିନ ପାଖରୁ ଏହିପରି ନିତ୍ୟ ନୈମିତ୍ତିକ ଘଟଣା ଘଟି ଆସୁଅଛି । ଯେଝା ହାତରେ ଯେ ଚଉଦ ପାଆ । କେହି କାହାରିକୁ ମାନନ୍ତି ନାହିଁ । ଚାକର ମାଲିକର ପ୍ରଭେଦ ଏ ଘରେ ନାହିଁ ।

 

ସୁମିତ୍ରାର ଏବେ ସୁଦ୍ଧା ମନେପଡ଼େ । ହାରାମଣି ସୁମିତ୍ରାକୁ ବିଦାୟ ଦେବାବେଳେ କହିଥିଲେ ‘‘ଜନମ ଯିମିତି ସିମିତି ହେଉ; କିନ୍ତୁ ଅସଲ ହେଉଛି କରମ । କର୍ମରେ ନ ଥିଲେ ମଣିଷ ସୁଖୀ ହୋଇପାରେ ନାହିଁ ।’’

 

ତେବେ ସୁଖୀ ହେବାପାଇଁ କ’ଣ ପୂର୍ବାର୍ଜିତ କର୍ମ ଉପରେ ହିଁ ନିର୍ଭର କରିବାକୁ ପଡ଼େ ?

 

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ରକ୍ତମାଂସ ଦେହ ଧରି କାହାର ବା ଯୌନପିପାସା ନାହିଁ ? ଏହି ଯୌନପିପାସାକୁ ମେଣ୍ଟାଇବାପାଇଁ ତେବେ କ’ଣ ବିବାହର ଏକାନ୍ତ ପ୍ରୟୋଜନ ? କାହିଁ ପଶୁ ପକ୍ଷୀ ମଧ୍ୟରେ ତ ବିବାହର ପ୍ରୟୋଜନ ହୁଏ ନାହିଁ । ତଥାପି ତ ସୃଷ୍ଟିରେ ସେମାନଙ୍କର ସଂଖ୍ୟା ବଢ଼ି ଚାଲିଛି । ତେବେ ସୁମିତ୍ରା କ’ଣ ଯୌନକ୍ଷୁଧା ମେଣ୍ଟାଇବାପାଇଁ ଓ ପୃଥିବୀରେ ଜନସଂଖ୍ୟା ବଢ଼ାଇବାରେ ସାହାଯ୍ୟ କରିବାପାଇଁ ବିବାହ-ବନ୍ଧନରେ ଆବଦ୍ଧ ହୋଇଛନ୍ତି ?

 

ଯୌନକ୍ଷୁଧା ମେଣ୍ଟାଇବାପାଇଁ କ’ଣ ନାରୀ ଜଣେ ପୁରୁଷର ସାହଚର୍ଯ୍ୟ ଲୋଡ଼େ ?

 

ଯେଉଁମାନେ ଆଜି ସମାଜଚକ୍ଷୁରେ ପତିତା ସେମାନଙ୍କର ମଧ୍ୟ ଯୌନ ଲାଳସା ରହିଅଛି । ସେମାନେ ମଧ୍ୟ ପୁରୁଷର ବାହୁପାଶରେ ଆବଦ୍ଧ ରହି ଦେହର କ୍ଷୁଧା ନିବାରଣ କରନ୍ତି । ସୁମିତ୍ରା ମଧ୍ୟ ସେଇୟା କରନ୍ତି । ତେବେ ତାଙ୍କ ମଧ୍ୟରେ ଓ ବାରବନିତାଙ୍କ ମଧ୍ୟରେ ତଫାତ୍‍ କେଉଁଠାରେ ରହିଲା ଯେ ସେ ଆଜି ସମାଜରେ ହେବେ ମହୀୟସୀ ରମଣୀ ।

 

ସୁମିତ୍ରା ବିଶେଷ କିଛି ଭାବି ପାରିଲେ ନାହିଁ । ତିକ୍ତତା ତାଙ୍କ ମନ ମଧ୍ୟରେ ପୂରିଗଲା । ରମଣୀରଞ୍ଜନ ଶୋଇ ଯାଇଥାନ୍ତି । ସେ ତାଙ୍କର ପାଉଣା ସୁମିତ୍ରାଠାରୁ ଆଦାୟ କରି ନେଇ ସାରିଲା ପରେ ନିଶ୍ଚିନ୍ତରେ ଶୋଇଯାଆନ୍ତି । ଏହା ହେଉଛି ରମଣୀରଞ୍ଜନଙ୍କର ବିଶେଷତ୍ୱ ।

 

‘‘ନାରୀର ଜୀବନ ନାହିଁ । ଜୀବନର ଅର୍ଥ ସେ ବୁଝେ ନାହିଁ । ମାତୃତ୍ୱ ହିଁ ତା’ର ଏକମାତ୍ର ଲକ୍ଷ୍ୟ । ଏହି ମାତୃତ୍ୱପାଇଁ ସେ ନିଜକୁ ଅନ୍ୟ ପାଖରେ ସମର୍ପଣ କରିଦିଏ । ବିନା ଦ୍ୱିଧାରେ ସେ ହସି ହସି ଅନ୍ୟକୁ ଆଦର କରେ । କ୍ଷଣିକ ଉତ୍ତେଜନାରେ ସେ ଅନ୍ୟ ପାଖରେ ଧରା ଦିଏ । ଏ ସବୁ ସାମୟିକ । ନାରୀ ସର୍ବଦା ରହସ୍ୟମୟୀ । ତାକୁ ବୁଝିବା ଅସମ୍ଭବ ।’’ ଏହା ହେଉଛି ରମଣୀରଞ୍ଜନଙ୍କର ମନ୍ତବ୍ୟ ।

 

ସୁମନ୍ତ ଦୀର୍ଘଶ୍ୱାସ ତ୍ୟାଗ କରି ଭାବିଲେ ଜୋକ କେବଳ ରକ୍ତର ସ୍ୱାଦୁ ସେ ଜାଣିବ କାହୁଁ ?

 

ପୁଣି ଲେଖିବାକୁ ଆରମ୍ଭ କଲେ....

 

ରମଣୀରଞ୍ଜନଙ୍କର ଦୁର୍ବ୍ୟବହାର ସୁମିତ୍ରା ମୋଟେ ସହ୍ୟ କରି ପାରନ୍ତି ନାହିଁ । ପ୍ରତି କଥାରେ ସେ ସୁମିତ୍ରା ପ୍ରତି ତାତ୍ସଲ୍ୟଭାବ ପ୍ରକାଶ କରନ୍ତି । ସତେ ଯେପରି ଖାଇପିଇ ବଞ୍ଚିବାକୁ ସୁମିତ୍ରା ଏଠାକୁ ଆସିଛନ୍ତି । ନାରୀକୁ ମର୍ଯ୍ୟାଦା ଦେବାକୁ ଏ ଘରେ କେହି ଶିଖି ନାହାନ୍ତି । ରମଣୀରଞ୍ଜନ ବା ଶିଖିବେ କାହୁଁ ? ସମସ୍ତେ ଗୋଟିଏ ଲାଉର ମଞ୍ଜି ।

 

ସୁମିତ୍ରା କାନ୍ଦନ୍ତି । କାନ୍ଦି କାନ୍ଦି ସେ ରାତି ପୁହାଇ ଦେଇଛନ୍ତି; କିନ୍ତୁ ରମଣୀରଞ୍ଜନଙ୍କଠାରେ ସେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିପାରି ନାହାନ୍ତି । ମୁର୍ଦ୍ଦାର ମଧ୍ୟରେ କ’ଣ ଆତ୍ମାର ସନ୍ଧାନ ମିଳେ ?

 

ସୁମିତ୍ରା କପାଳକୁ ମଧ୍ୟ ଦୋଷ ଦେଇ ପାରୁ ନାହାନ୍ତି । ଯେ ଦୁର୍ବଳ, ଯେ ନିଷ୍କର୍ମା ସେ କେବଳ ଭାଗ୍ୟକୁ ଦୋଷ ଦେଇ କାଳାତିପାତ କରେ ।

 

ଯେଉଁ ଶାଶୁ ବୋହୂକୁ ଘର କରିବାକୁ ନ ଦିଏ ସେ କେତେ ଆଳରେ ବୋହୂ ଉପରେ ଦୋଷ ଲଦି ଦିଏ । କୃଷ୍ଣାଦେବୀ ଜାଣନ୍ତି ଶାସନ କରି ପଦାନତ କରିବାକୁ । ସ୍ନେହ ଦେଖାଇ ପଶୁକୁ ମଧ୍ୟ ଯେ ବଶୀଭୂତ କରାଯାଇପାରେ ଏହା କୃଷ୍ଣାଦେବୀଙ୍କୁ ଜଣା ନାହିଁ । ତେଣୁ ସେ ସର୍ବଦା ସୁମିତ୍ରାର ତ୍ରୁଟି ଖୋଜିବାରେ ବ୍ୟସ୍ତ; କିନ୍ତୁ ସେ ଜାଣିପାରୁ ନାହାନ୍ତି ଯେ ତାଙ୍କପ୍ରତି ବୋହୂର ଧାରଣା କ’ଣ ନ ହେଉଥିବ ?

 

ସେ ପୁଅର ମା । ପୁଅ ଥିଲେ ଲକ୍ଷେ ବୋହୂ ଆସିବେ । ଏଣୁ ବୋହୂପ୍ରତି ଏତେ ମମତା ବା କାହିଁକି ?

 

‘‘ରୂପ ଅଛି ବୋଲି କ’ଣ ବୋହୂକୁ ମଥାରେ ବସାଇବେ ? ତାଙ୍କର ମଧ୍ୟ ଦିନେ ରୂପ ଥିଲା । ସମସ୍ତଙ୍କର ମଧ୍ୟ ରୂପ ଥାଏ । ବୋହୂର ରୂପ ଅଛି ବୋଲି କ’ଣ ସେ ଫୁଲ ଚନ୍ଦନ ଦେଇ ପୂଜା କରିବେ ? ଏହି କଥା ସେଦିନ କୃଷ୍ଣାଦେବୀ ପଡ଼ିଶା ଘର ହାରାମା ମାଉସୀଙ୍କ ପାଖେ ବଖାଣୁ ଥିଲେ । ସୁମିତ୍ରା ସବୁ ଶୁଣନ୍ତି; ମାତ୍ର ପ୍ରତିବାଦ କରନ୍ତି ନାହିଁ ।

 

ସୁମିତ୍ରା ଅନେକ ଦିନରୁ ମନେ କଲେଣି ସ୍ୱାମୀଙ୍କୁ ଗୋଟିଏ କଥା କହିବାକୁ । ଛେଳିର କଂସେଇ ପାଖରୁ ଦୟା ଭିକ୍ଷା ? ଏତିକି ମାତ୍ର ତାଙ୍କର ସାନ୍ତ୍ୱନା ।

 

ସୁମିତ୍ରା ଭାବନ୍ତି ପୁରୁଷ ନାରୀର ପଦତଳରେ ବସି ପ୍ରେମଭିକ୍ଷା କରିବା କଥା କେବଳ ଉପନ୍ୟାସ ଓ ଗଳ୍ପରେ ଲେଖା ଅଛି । ସେ ବାସ୍ତବ ଜଗତରେ ଯାହା ଉପଲବ୍‌ଧି କରନ୍ତି ଉପନ୍ୟାସ ଓ ଗଳ୍ପର କଥାକୁ ମିଳାଇଲେ ହସମାଡ଼େ । ମନେ ମନେ କହନ୍ତି ନାରୀର ପଦତଳରେ କ୍ରୀତଦାସପରି ବସି ତା’ର ପ୍ରେମଭିକ୍ଷା କରିବାରେ ପୁରୁଷର ପୌରୁଷରେ ଆଞ୍ଚ ଆସେ ନାହିଁ ?

 

ସେ ମଧ୍ୟ ଜଣେ ନାରୀ; କିନ୍ତୁ କାହିଁ ଦିନକପାଇଁ ତ ସେ ମାଧୁର୍ଯ୍ୟ ସେ ଉପଲବ୍‌ଧି କରି ପାରିଲେ ନାହିଁ ? ସେ ଅନେକଦିନ ଅଭିମାନ କରନ୍ତି; କିନ୍ତୁ ରମଣୀରଞ୍ଜନଙ୍କର କର୍କଶ ହାତର କଠୋରାଘାତରେ ତାଙ୍କର ମାନଭଞ୍ଜନ ଆପେ ଆପେ ହୋଇଯାଏ ଓ ସେ ନିଜକୁ ସ୍ୱାମୀଙ୍କର ଛାତିତଳରେ ସମର୍ପଣ କରି ଦିଅନ୍ତି ଯେପରି ଗୋଟିଏ ନିରୀହା ମୃଗୁଣୀ ମହାବଳ ବ୍ୟାଘ୍ର ନିକଟରେ ପ୍ରାଣଭୟରେ ନିଜକୁ ସମର୍ପଣ କରିଦିଏ ।

 

ସୁମିତ୍ରାଙ୍କର ଆକୁଳକ୍ରନ୍ଦନ ରମଣୀରଞ୍ଜନଙ୍କ କର୍ଣ୍ଣଗୋଚର ହୁଏ ନାହିଁ । ସେ ବୁଝନ୍ତି ସୁମିତ୍ରାର ମଧ୍ୟ ଦେହର କ୍ଷୁଧା ଅଛି । ସେ ମଧ୍ୟ ସମ୍ଭୋଗ ଚାହେଁ ।

 

ମଣିଷ ଠିକ୍‌ ବ୍ୟାଘ୍ର ପରି ହିଂସ୍ର ଓ କୁକୁର ପରି ମଧ୍ୟ ମାଂସଲୋଭୀ । ଉଭୟଙ୍କର ରକ୍ତ ଓ ମାଂସରେ ଲୋଭ ରହିଛି । ରମଣୀରଞ୍ଜନ ମଣିଷ ହୋଇ ସୁଦ୍ଧା ବ୍ୟାଘ୍ର ଓ କୁକୁର ପରି ଆଚରଣ ଦେଖାନ୍ତି । ରକ୍ତ ମାଂସ ପ୍ରତି ତାଙ୍କର ଲୋଭ ବା ନ ରହିବ କିପରି ?

 

ସ୍ୱାମୀ ସଙ୍ଗେ ସ୍ତ୍ରୀର ସଂପର୍କ ଏକ ପବିତ୍ର ସଂପର୍କ । ବହୁ ଯୁଗରୁ ଆମର ସମାଜ ତାହା ସ୍ୱୀକାର କରି ଆସିଅଛି । କୌଣସି ପ୍ରକାରେ ସେମାନେ ବ୍ୟଭିଚାରକୁ ମନମଧ୍ୟରେ ସ୍ଥାନ ଦେଇ ପାରିବେ ନାହିଁ । ଏହା ହେଉଛି ଦାମ୍ପତ୍ୟ ଜୀବନର ଏକମାତ୍ର ଲକ୍ଷ୍ୟ । ଏହି ଆଦର୍ଶ ଯୋଗୁ ଆମର ହିନ୍ଦୁ ପରିବାରର ଦାମ୍ପତ୍ୟ ଜୀବନ ପୃଥିବୀର ଯେ କୌଣସି ଧର୍ମାଧର୍ମୀଙ୍କ ପାରିବାରିକ ଜୀବନ ଅପେକ୍ଷା ଉତ୍‌କୃଷ୍ଟ । ଏହା ସମସ୍ତେ ଅମ୍ଳାନ ବଦନରେ ସ୍ୱୀକାର କରନ୍ତି; କିନ୍ତୁ ସୁମିତ୍ରା ନିଜର ଅପେକ୍ଷା ଉତ୍‌କୃଷ୍ଟ । ଏହା ସମସ୍ତେ ଅମ୍ଳାନ ବଦନରେ ସ୍ୱୀକାର କରନ୍ତି; କିନ୍ତୁ ସୁମିତ୍ରା ନିଜର ଦେହର କ୍ଷୁଧା ନିବାରଣପାଇଁ ଯେଉଁ ବ୍ୟଭିଚାର କରି ଚାଲିଛନ୍ତି ସେଥିପାଇଁ ସମାଜ କ’ଣ ତାଙ୍କୁ କ୍ଷମା ଦେଇ ପାରିବ ?

 

ସମାଜ ନିଶ୍ଚୟ କ୍ଷମା ଦେବ କାହିଁକି ନା ସେ ସମାଜ ମଧ୍ୟରେ ରହି ମାନସିକ ବେଶ୍ୟାବୃତ୍ତି କରିବାକୁ ଆନନ୍ଦ ପାଆନ୍ତି । ସମାଜ ସବୁବେଳେ ଦେହର ମୂଲ୍ୟ ବୁଝେ । ମନର ମୂଲ୍ୟ ସେ ବୁଝେ ନାହିଁ ।

 

ସୁମନ୍ତ କଲମ ଥୋଇଦେଇ ଚିନ୍ତା କଲେ ସୁନନ୍ଦା ମଧ୍ୟ ଏହି ସମାଜ ମଧ୍ୟରେ ରହିଅଛି । ସେ ମଧ୍ୟ ଆଜି ଗର୍ବରେ କହୁଥିବ ସେ ହିନ୍ଦୁରମଣୀ । ସତୀତ୍ୱ ହିଁ ହେଉଛି ହିନ୍ଦୁରମଣୀର ଏକମାତ୍ର ଆଦର୍ଶ !!

 

ଚାରି

 

ସମସ୍ତେ ସ୍ୱର୍ଗର କାମନା କରନ୍ତି । ସ୍ୱର୍ଗ କହିଲେ ମଣିଷ ବୁଝେ ନିରବଚ୍ଛିନ୍ନ ସୁଖ ଓ ଶାନ୍ତି ଯେଉଁଠାରେ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ ତାହା ହେଉଛି ସ୍ୱର୍ଗ । ଦେବତାମାନେ କେବଳ ସ୍ୱର୍ଗରାଜ୍ୟର ଅଧିକାରୀ । ଏହି ମର ଜଗତରେ ରହି ସ୍ୱର୍ଗସୁଖ ଯେ ଭୋଗ କରାଯାଇ ପାରେ ଏହା ବୁଝନ୍ତି କେତେ ଜଣ ? ତେଣୁ ସମସ୍ତେ ଆଜି ସ୍ୱର୍ଗଭୋଗପାଇଁ ପାଗଳ । ସେଥିପାଇଁ ଏତେ ଦାନ, ଧର୍ମ, ପୂଜା, ଜପର ଆୟୋଜନ ।

 

କୁଆ କା’ ନ କରୁଣୁ ହରିପ୍ରିୟା ବିଛଣା ଛାଡ଼ନ୍ତି । ଘର ଦୁଆର ଲିପାପୋଛା ସାରି ନିତ୍ୟକର୍ମ ବଢ଼ାଇ ଦି ଢାଳ ପାଣି ମୂଳରେ ଢାଳି ହୋଇ ବସି ଯାଆନ୍ତି ଚଉରା ତଳରେ । ଆଖି ବୁଜି ବିଷ୍ଣୁ ସହସ୍ର ନାମ, ଶ୍ରୀକୃଷ୍ଣଙ୍କ ଅଷ୍ଟତର ଶତାନାମ, ଦୁର୍ଗାସ୍ତୁତି, ଗଙ୍ଗାଷ୍ଟକ ଆବୃତ୍ତି କରି ଯାଆନ୍ତି । ଏସବୁ କଣ୍ଠସ୍ଥ । ବିନ୍ଦୁ ବିସର୍ଗଟିଏ ମଧ୍ୟ ଭୁଲ ହୁଏ ନାହିଁ । ସବୁ ଅଭ୍ୟାସରେ ପଡ଼ିଗଲାଣି । ତା’ପରେ ଆରମ୍ଭ ହୁଏ ଭାଗବତରୁ ଅଧ୍ୟାୟେ । ଏଥିରୁ କୌଣସି ଦିନ ବ୍ୟତିକ୍ରମ ହୁଏ ନାହିଁ ।

 

କିନ୍ତୁ ବାମନ ମହାପାତ୍ରଙ୍କୁ ଏସବୁ ପସନ୍ଦ ହୁଏ ନାହିଁ । ସେ ଯଦିଓ ପୁରୁଣା କଳିଆଲୋକ ତଥାପି ତାଙ୍କର ଦୃଷ୍ଟିକୋଣ ଭିନ୍ନ । ସେ କହନ୍ତି ‘‘ମଣିଷ ଯେତେବେଳେ ନିଜତ୍ୱ ହରାଇ ବସେ ଓ ଯେତେବେଳେ ତା’ର ଆତ୍ମବିଶ୍ୱାସ ମନରୁ ତୁଟିଯାଏ ଏବଂ ନିଜର ସତ୍ତା ଉପଲବ୍‌ଧି କରି ପାରେ ନାହିଁ ସେତେବେଳେ ସେ ନିଜକୁ ଅସହାୟ ଭାବେ ଅନ୍ୟ ପାଖରେ ସମର୍ପଣ କରିଦିଏ କେବଳ କାଣିଚାଏ କରୁଣା ଲାଭ କରିବାପାଇଁ । ଏଣୁ ସମସ୍ତେ କର୍ମ କରିବା ଉଚିତ । କର୍ମହିଁ ମଣିଷର ମୁକ୍ତି । କର୍ମହିଁ ପ୍ରତ୍ୟେକ ମଣିଷର ଧର୍ମ ।

 

କେବେହେଲେ ହରିପ୍ରିୟା ସ୍ୱାମୀଙ୍କୁ ପ୍ରତିବାଦ କରନ୍ତି ନାହିଁ । ସ୍ୱର୍ଗସୁଖ ଭୋଗ କରିବାକୁ କିମ୍ୱା ଅନ୍ୟ ଜନ୍ମରେ ବର୍ତ୍ତମାନ ଅପେକ୍ଷା ଗୋଟିଏ ଉନ୍ନତମୟ ଜୀବନ ଲାଭ କରିବାକୁ ସେ ଲାଳାୟିତ ନୁହଁନ୍ତି । ସେ ଜାଣନ୍ତି ସ୍ୱାମୀ ହେଉଛି ହିନ୍ଦୁ ସ୍ତ୍ରୀର ସର୍ବସ୍ୱ । ସ୍ୱାମୀ ସୁଖରେ ସ୍ତ୍ରୀ ହୁଏ ସୁଖୀ-

 

ସେ ଯେ ଏତେ ବାରବ୍ରତ କରନ୍ତି, ଦିଅଁ ଦେବତା ଡାକନ୍ତି; କିନ୍ତୁ କେବେହେଲେ ନିଜପାଇଁ କିଛି ମାଗନ୍ତି ନାହିଁ । କେବଳ ଆଖି ଲୁହରେ ଠାକୁରକୁ ଡାକି କହନ୍ତି, ‘‘ପ୍ରଭୁ ! ତାଙ୍କ ଆଗରୁ ମୋତେ ନେଇ ଯାଅ । ତାହାହିଁ ହେବ ମୋର ସ୍ୱର୍ଗବାସ ।’’

 

ସତେ ଯେପରି ସ୍ତ୍ରୀ ସ୍ୱାମୀ ଆଗରୁ ଚାଲିଗଲେ ସ୍ୱ-ଦେହରେ ସ୍ୱର୍ଗକୁ ଯାଏ ?

 

‘‘ଏହି ଦୁନିଆ ହେଉଛି ମଣିଷର କର୍ମକ୍ଷେତ୍ର । ସମସ୍ତେ କର୍ମ କରିବାକୁ ଆସିଥାଉଁ । ଯେ ଯାହାର କର୍ମ ସରିଲେ ଫେରି ଯାଏ । ତେବେ ଆଗ ପଛର ଏତେ ବିଚାର କାହିଁକି ?’’ ମହାପାତ୍ରେ ସବୁବେଳେ ଏୟା କହନ୍ତି ।

 

ହେଲେ ହରିପ୍ରିୟାଙ୍କ ମନକୁ ଏ ଯୁକ୍ତି ପାଏନାଇଁ । ସେ ଯାହା ବୁଝିଛନ୍ତି ତାଙ୍କୁ ହର ବ୍ରହ୍ମା ଆସିଲେ ମଧ୍ୟ ଟଳାଇ ପାରିବେ ନାହିଁ । ସେ କେବଳ ଟିକିଏ ହସି କହନ୍ତି ‘‘ତୋହର ମନ ତୋତେ ଗୁରୁ...’’

 

‘‘ମଣିଷ ନିଜ କର୍ମାନୁସାରେ ଫଳ ଭୋଗ କରେ । କର୍ମଫଳ ଭୋଗର ଆଶାରଖି କୌଣସି କର୍ମ କରିବା ଅନୁଚିତ । ଫଳଦାତା ଭଗବାନ । ଆମ୍ଭେମାନେ କର୍ମ କରିବୁଁ । କର୍ମରେ ଆମ୍ଭମାନଙ୍କର ବିଶ୍ୱାସ ରହିବା ଉଚିତ । ଆମ୍ଭେମାନେ ସମସ୍ତେ କର୍ତ୍ତବ୍ୟର ଦାସ । କର୍ମରେ ହିଁ ଆନନ୍ଦ ଥାଏ ।’’ ଏହି ପ୍ରକାର ତତ୍ତ୍ୱ ମହାପାତ୍ରେ ସବୁବେଳେ ବଖାଣନ୍ତି ।

 

ହରିପ୍ରିୟା ନରମ ସ୍ୱରରେ କହନ୍ତି ‘‘ଏ ହାତର ପାପ ଆର ହାତକୁ ଯାଏ ନାହିଁ । ମୁଁ କେବଳ ଏତିକି ବୁଝେ ।’’

 

‘‘ଗୋଟିଏ ହାତ ନିଆଁରେ ପୋଡ଼ିଗଲେ ଅନ୍ୟ ହାତରେ ଫୋଟକା ହୁଏ ନାହିଁ ସତ; କିନ୍ତୁ କାହିଁକି ସମସ୍ତ ଶରୀର ଯନ୍ତ୍ରଣାରେ ଛଟଛଟ ହୁଏ ?’’ ବାମନ ମହାପାତ୍ରେ କହିଲେ ।

 

ହରିପ୍ରିୟା ହେଉଛନ୍ତି ସରଳା ସ୍ତ୍ରୀଟିଏ । ସେ ଏତେ ଯୁକ୍ତି ତର୍କ ଜାଣନ୍ତି ନାହିଁ । ହସିଦେଇ କହିଲେ ‘‘ଆମେ ହେଲୁ ମାଇପିଲୋକ । ଏତେ ଛନ୍ଦକପଟ ଜାଣୁନାହିଁ । ପୁରୁଷଙ୍କ ପରି ପେଟରେ ହଳାହଳ ପୂରାଇ ମୁହଁରେ ଅମୃତ...’’ ଆହୁରି କ’ଣ କହିଥାନ୍ତେ ମାତ୍ର ମହାପାତ୍ରେ କହିଲେ ଟିକିଏ ପୂଜାପଦ୍ଧତି ବଢ଼ାଇ ଦିଅ । ସେଆଡ଼େ ଉଛୁର ହେଲାଣି । ବାଟ କ’ଣ ଅଳ୍ପ ହୋଇଛି ? ଯାଇ ପୁଣି ଲେଉଟିବାକୁ ବେଳ ଗଡ଼ିଯିବ ।

 

ହରିପ୍ରିୟାଙ୍କ ଭାଗବତ ଅଧ୍ୟାୟ ବଢ଼ି ଆସିଲାଣି । ବାକି ଦୁଇ ଚାରିଟା ପଦ ଆଉଡ଼େଇ ଚଉରା ତଳରେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ କହିଲେ, ‘‘ମା ବୃନ୍ଦାବତୀ ! ମୋ ସନ୍ତୁକୁ ଦୀର୍ଘାୟୁ କରିଥା । ବାପ, ପୁଅଙ୍କ ଆଗରେ ମୁଁ ଚାଲିଯାଏ ।’’

 

ମହାପାତ୍ରେ କହିଲେ ‘‘କିହୋ ! ଚାଲିଯିବାପାଇଁ ଏତେ ଛାନିଆ କିଆଁ ? ସାଙ୍ଗ ସାଥୀ ହୋଇ ଯିବା । ପୁଅ ଘରଦୁଆର କରୁ । ଦୁଇ ହାତକୁ ଚାରିହାତ ହୋଇଯାଉ । ନାତି, ନାତୁଣୀ ଦୁଇ ଚାରିଟା ହୋଇ ଯାଆନ୍ତୁ । ଆଖି ପବିତ୍ର କରିବା । ତାହାପରେ ସିନା ଯିବା କଥା ପଡ଼ିବ ।’’

 

‘‘ହଁ...ଏ ପୋଡ଼ା କପାଳରେ ପୁଣି ଏତେ ସୁଖ ଦେଖିବାକୁ ବିଧାତା କରିଛି । ତମେ ତମର ପୁଅ, ବୋହୂକୁ ନେଇ ଆନନ୍ଦରେ ରହ । ମୁଁ ଏଠାରେ ନ ଥାଇ ଯେଉଁଠି ଥିଲେ କ’ଣ ତୁମର ଆନନ୍ଦ ଦେଖି ଖୁସି ହେବି ନାହିଁ ?’’

 

‘‘ଦେଖ ସନ୍ତୁବୋଉ ! ଯେତେସବୁ ଅମଙ୍ଗଳ କଥା ତୁମରି ମୁହଁରେ । କଳ୍ପନା ମୁଖେ କାଳଥାଏ । ତାହା କ’ଣ ତୁମକୁ ଜଣାନାହିଁ ?’’ କହି ମହାପାତ୍ରେ ଦାଣ୍ତ ପଟକୁ ବାହାରିଗଲେ ।

 

ଛୋଟ ସଂସାର । ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ବୋଲି ପୁଅ । ପୁଅ ଶାନ୍ତି ନିକେତନରେ ଏମ. ଏ ପଢ଼ନ୍ତି । ପୈତୃକ ସଂପତ୍ତି ଯାହା ଥିଲା ସେଥିରୁ ଦଶପଣ ପୁଅ ପଢ଼ାରେ ଚାଲିଗଲାଣି । ବକେୟା ଯେଉଁ କେଇ ଏକର ରହିଛି ତାହା ମଧ୍ୟ ପୁଅର ପଢ଼ା ଶେଷ ବେଳକୁ ସେତକ ମଧ୍ୟ ଶେଷ ହୋଇଯିବ । ସେଥିପାଇଁ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମନରେ ମୋଟେ ଦୁଃଖ ନାହିଁ ।

 

ଦୁଃଖ କରନ୍ତେ ବା କାହିଁକି ? ପୁଅକୁ ମଣିଷ କରିବାପାଇଁ ସେମାନେ ସବୁ ଖର୍ଚ୍ଚ କରିଛନ୍ତି । ସେମାନେ ତ ଦାନ, ଧର୍ମ, ତୀର୍ଥ, ବ୍ରତ କରି ସଂପତ୍ତି ନଷ୍ଟ କରି ନାହାନ୍ତି ଯେ ଲୋକ ସମାଲୋଚନା କରିବେ ।

 

ହରିପ୍ରିୟା କହନ୍ତି, ‘‘ପୁଅ ଯଦି ଯୋଗ୍ୟ ହୁଏ ଧନ କିପାଇଁ ସଞ୍ଚୁ ?’’

 

‘ପ୍ରଶାନ୍ତ’ ଏତେବଡ଼ କିଟିମିଟିଆ ନାଁଟା । ହରିପ୍ରିୟାଙ୍କ ମୁହଁରେ ପଇଟେ ନାହିଁ । ସେଥିପାଇଁ ସେ ଅନେକ ସମୟରେ ସ୍ୱାମୀଙ୍କୁ କହନ୍ତି ‘‘ଗୋଟିଏ ବୋଲି ପୁଅ । ହେଲେ ରାମ କି ହରି ନ ଦେଇ ଇମିତି ବାଛି ବାଛି କିଟିମିଟିଆ ନାଁଟେ ଦେଲ ଯେ ମୋଟେ ଖୁସିରେ ମଧ୍ୟ ଡାକି ହେବନାହିଁ ।’’

 

Unknown

ତେଣୁ ସେ ପ୍ରଶାନ୍ତ ବଦଳରେ ଡାକନ୍ତି ‘ସନ୍ତୁ’ ।

 

ମହାପାତ୍ରଙ୍କ ବୟସ ହୋଇଗଲାଣି । ହରିପ୍ରିୟାଙ୍କୁ ମଧ୍ୟ ଚାଳିଶ ଟପି ଯିବଣି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ଫଟାଫଟି କେହି କେବେହେଲେ ଦେଖି ନାହାନ୍ତି । ମୋଟାମୋଟି କହିବାକୁ ଗଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କ୍ଷୀର ନୀର ସଂପର୍କ ।

 

ହରିପ୍ରିୟା କହନ୍ତି, ‘ସ୍ତ୍ରୀ ହେଉଛି ସ୍ୱାମୀର ଦାସୀ । ସ୍ତ୍ରୀ ପୁଣି ସ୍ୱାମୀଠାରୁ ସମ୍ମାନ ବା ଦାବୀ କ’ଣ କରିବ ? ପୁରୁଷ ପିଲା, ସମୟ ଅସମୟରେ କେତେବେଳେ କ’ଣ କହିବେ ବୋଲି ତାଙ୍କ ଉପରେ ଗରଗର ହେବ ? ମାନ ଅଭିମାନ କରିବ ତ ଦୁନିଆ ଚଳିବ କିପରି ? ପୁରୁଷ ପୁଅକୁ ଜାଣିବୁ କି ଉଡ଼ନ୍ତା ଚଢ଼େଇକୁ ଜାଣିବୁ । ଆଜି ମନ ମାନିଛି କାଲିକୁ ନ ମାନିବ ? ସେତେବେଳକୁ ଉପାୟ କ’ଣ ? ଖାଲି ଆଖିରୁ ଲୁହ ପୋଛିବା ସିନା ସାର ହେବ ।’’

 

ଘର-ସଂସାର କରି ଅଭାବ ଅସୁବିଧା ବା କାହାର ନାହିଁ ? ଅଭାବ ହେଲା ବୋଲି କ’ଣ ସେ ସ୍ୱାମୀଙ୍କୁ ଛିଛିକାର କରିବେ ? କଳିଗୋଳ ଲଗାଇବେ ? ସବୁବେଳେ ସ୍ୱାମୀ ସ୍ତ୍ରୀ ବୁଝାସୁଝା ହୋଇ ଉଭୟ ମନକୁ ପାଇଲା ଭଳି ଗୋଟିଏ ବାଟ କାଢ଼ି କାମ କରିଯାନ୍ତି । ବାମନ ମହାପାତ୍ରେ ମଧ୍ୟ କୌଣସି କଥା ସ୍ତ୍ରୀଙ୍କ ଅଜ୍ଞାତସାରରେ କେବେହେଲେ କରି ନାହାନ୍ତି ।

 

ୟାକୁ କହନ୍ତି ସଂସାର । ବୈକୁଣ୍ଠ କ’ଣ ଏହାଠାରୁ ଆହୁରି ସୁନ୍ଦର ? ହରିପ୍ରିୟାଙ୍କ ରୂପ ତୁଳନାରେ ବାମନ ମହାପାତ୍ରେ କିଛି ନୁହଁନ୍ତି କହିଲେ ଚଳେ । ତଥାପି କାହିଁ ଦିନକପାଇଁ ମଧ୍ୟ ସେ ମହାପାତ୍ରଙ୍କୁ ମନ ମଧ୍ୟରେ ଘୃଣା କରି ନାହାନ୍ତି ତ । ସେ ଜାଣନ୍ତି ସ୍ୱାମୀ ଦେବତା । ସ୍ୱାମୀଙ୍କୁ ସନ୍ତୁଷ୍ଟ କରିପାରିଲେ ଭଗବାନ ଆପେ ଆପେ ସନ୍ତୁଷ୍ଟ ହେବେ ।

 

‘‘ରୂପର ଗର୍ବ ବା କେତେ ଦିନ ? ରୂପ କ୍ଷଣିକ ସକାଶେ ଅଢ଼େଇ ଦିନିଆ ଜିନିଷ । ଯେଉଁ ଜିନିଷ ଚିରଦିନ ରହିବ ନାହିଁ ତା’ପାଇଁ ପୁଣି ମଣିଷ ଗର୍ବ କରିବ ?’’ ଏହି କଥା କହନ୍ତି ହରିପ୍ରିୟା ।

 

ଯଦି କୌଣସି ଦିନ କେହି ତାଙ୍କ ପାଖରେ ରୂପ ବିଷୟରେ ଚର୍ଚ୍ଚା କରେ ସେ କହନ୍ତି, ‘‘ସେ କୁଳର ବୋହୂ । ସେ ରୂପ ବିକ୍ରୟ କରିବାକୁ ଆସି ନାହାନ୍ତି । ସେ ଆସିଛନ୍ତି ନିଜକୁ ସ୍ୱାମୀଙ୍କ ପାଦତଳରେ ଖଟାଇ ଦେଇ ସ୍ୱାମୀଙ୍କୁ ସୁଖୀ କରିବାକୁ ।’’

 

ସ୍ୱାମୀର ପାଦତଳରେ ବୈକୁଣ୍ଠ ରହିଛି । ସ୍ୱାମୀ ହେଉଛନ୍ତି କୋଟି ଜଗତର ଗୁରୁ । ଏହି ପୁରୁଣାକାଳିଆ ମନୋଭାବ ନେଇ ଦେଶକୁ କ’ଣ ଆଗେଇ ନେଇ ହେବ ? ସ୍ତ୍ରୀ ଜାତିର କ’ଣ ଉନ୍ନତି ସାଧନ ହୋଇପାରିବ ? ଏ କୁସଂସ୍କାରକୁ ଆମ୍ଭେ କ’ଣ ଛାଡ଼ିଦେଇ କହିପାରିବୁ ନାହିଁ ସ୍ତ୍ରୀ ହେଉଛି ସମାଜର ହୃତ୍‌ପିଣ୍ତ ? ସ୍ତ୍ରୀ ପୁରୁଷର ଦାସୀ ହୋଇ ରହିବା ଅନୁଚିତ । ସେ ପୁରୁଷଠାରୁ ତାହାର ସମ୍ମାନ ଦାବି କରୁ । ସେତିକି ଯେତେଦିନ ସ୍ତ୍ରୀ ନ ପାଇ ପାରିଛି ଏ ଜାତିର ଉନ୍ନତି ଅସମ୍ଭବ-

 

ପୁରୁଷ ଓ ସ୍ତ୍ରୀ ଉଭୟେ ଭଗବାନଙ୍କଦ୍ୱାରା ସୃଷ୍ଟି । ତେବେ ଜଣେ ଜଣକୁ ହେୟ ମନେକରିବ ଓ ଅନ୍ୟ ଜଣେ ସବୁ ମଥାପୋତି ସହିଯିବ- ଏହା କେଉଁଠାରେ ବା ଲେଖା ଅଛି ? ଉଭୟେ ଉଭୟଙ୍କୁ ସମ୍ମାନ କରିବାକୁ ଶିଖନ୍ତି । ଉଭୟଙ୍କ ମଧ୍ୟରେ ସମାନ ବୁଝାମଣା ରହୁ । କୌଣସି ଛୋଟ ସମସ୍ୟାଟି ପଡ଼ିଲା ମାତ୍ରେ ତା’ର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ନୀତି ଅନୁସାରେ କାର୍ଯ୍ୟ କଲେ ସଂସାର ହସି ଉଠିବ ନାହିଁ ?

 

ଆଜି ବହୁତ ସଂସାର ନଷ୍ଟ ହୋଇ ଯାଉଛି ଏହି ପୁରୁଷମାନଙ୍କର ଅଯୋଗ୍ୟତାପଣରୁ । ସ୍ତ୍ରୀ ଯେତେବେଳେ ପ୍ରଥମେ ବାପଘରୁ ସଂସାର କରିବାକୁ ସ୍ୱାମୀଘରକୁ ଆସେ ସେ ସ୍ୱାମୀଘର ଆବହାଓ୍ୱା ସଙ୍ଗରେ ନିଜକୁ ମିଳାଇ ନେଇ ପାରେ ନାହିଁ । ସେ ଅନେକ ଅସୁବିଧାରେ ପଡ଼େ । ସେତିକିବେଳେ ସ୍ତ୍ରୀକୁ ଉଚିତ୍‌ ବାଟରେ ଚଳାଇ ନେବା ହେଉଛି ସ୍ୱାମୀର କର୍ତ୍ତବ୍ୟ । ସ୍ୱାମୀ ସେତେବେଳେ ସ୍ତ୍ରୀର ଶିକ୍ଷାଗୁରୁ ହେବା ଉଚିତ୍‌ ।

 

କୌଣସି ଦିନକପାଇଁ ମହାପାତ୍ରେ ନିଜକୁ କେବେ ବଡ଼ ବୋଲି ମନେ କରି ହରିପ୍ରିୟାଙ୍କୁ ଅବହେଳା କରିନାହାନ୍ତି । ସେ ପ୍ରଥମରୁ ହୃଦୟଙ୍ଗମ କରିଛନ୍ତି ହରିପ୍ରିୟା ହେଉଛନ୍ତି ତାଙ୍କର ଅର୍ଦ୍ଧାଙ୍ଗିନୀ । କର୍ମମୟ ଜୀବନର ଏକମାତ୍ର ସାହାଯ୍ୟକାରିଣୀ ।

 

ଯେଉଁଠାରେ ଏ ପ୍ରକାର ବୁଝାମଣା ରହିଛି, ଯେଉଁଠାରେ ସ୍ତ୍ରୀ ସ୍ୱାମୀ ପାଖରୁ ସବୁପ୍ରକାର ସ୍ନେହ ପାଇପାରେ, ସେଠାରେ ସଂସାର ହସିଉଠିବ ନାହିଁ କି ?

 

‘‘ପିତା ମାତାର ପୁଣ୍ୟ ଫଳେ, ସୁପୁତ୍ର ଉପୁଜଇ କୁଳେ ।’’

 

ବାପ ମାଆଙ୍କ ମନ ଜାଣି ପୁଅଟିଏ ମଧ୍ୟ ଭଗବାନ ଦେଇଛନ୍ତି । ରୂପକୁ ଗୁଣ ବଳେ । ଏତେ ପାଠ ପଢ଼ି ସୁଦ୍ଧା ସେ କେବେ ମନ ମଧ୍ୟରେ ଗର୍ବ କରନ୍ତି ନାହିଁ । ଗାଁକୁ ଆସିଲେ ଗାଁ ଗୋଟାକଯାକ ଯେପରି ତାଙ୍କର ନିଜର, ସେହିପରି ସେ ସମସ୍ତଙ୍କ ପାଖରେ ଚଳନ୍ତି । ସମସ୍ତେ କହନ୍ତି କିପରି ବାପ ମାଆର ପୁଅ ସିଏ । ସେ କ’ଣ ଆଉ ଯାହାତାହା ଘର ପିଲା ହୋଇଛି । ହରିପ୍ରିୟା ପୁଅର ପ୍ରଶଂସା ଶୁଣି କେବେହେଲେ ମନ ମଧ୍ୟରେ ଗର୍ବ କରନ୍ତି ନାହିଁ; ବରଂ ଦୁଇଧାର ଲୁହ ଗଡ଼େଇ କହନ୍ତି ‘‘ପ୍ରଭୁ ! ତୋର ଇଚ୍ଛା ।’’

 

ପୂଜାକୁ ପ୍ରଶାନ୍ତ ଆସିଥାନ୍ତି ଘରକୁ । ହରିପ୍ରିୟା ପୁଅକୁ କହିଲେ ‘‘ତୁ ରହିଲୁ ଚିରଦିନ ବିଦେଶରେ । ବାପ ତ ବାର ଜଞ୍ଜାଳରୁ ଘରେ ମୋଟେ ରହିପାରୁ ନାହାନ୍ତି । ପାଠ ସରିବାକୁ ତ ଆହୁରି ରହିଛି ଗୋଟାଏ ବର୍ଷ । ଆଖି ପାଉ ନାହିଁ । କହିଲୁ ଦେଖି ମୁଁ ଏକୁଟିଆ କିମିତି ଏ ଘରେ ରହିବି ?’’

 

‘‘ତାହାହେଲେ କ’ଣ ଚାହୁଁଛୁ ?’’ କହି ପ୍ରଶାନ୍ତ ଅନାଇଲେ ବୋଉ ମୁହଁକୁ ।

 

‘‘ଗୋଟାଏ କେଉଁଠାରୁ ବୋହୂଟିଏ ଆଣିଲେ ଚଳନ୍ତା ନାହିଁ ?’’

 

‘‘ଓ...ମୋ ବିଭାଘର କଥା କହୁଛୁ । ମୁଁ ଭାବୁଥିଲି କି...’’

 

‘‘ଦେଖ୍‌ ପୁଅ ତୁ ଆଉ ଆପତ୍ତି କରନା । ଅନେକ ଦିନ ହେଲା କହିବି କହିବି ବୋଲି ମନେ କରେ । ହେଲେ କହିପାରେ ପାହିଁ । ତୁମ୍ଭେମାନେ ଆଜିକାଲିର କଲେଜ ପଢ଼ୁଆ ପିଲା । କାଳେ କ’ଣ ଭାବିବ ସେଥିପାଇଁ...ଏତିକି କହି ହରିପ୍ରିୟା ଛେପ ଢୋକିଲେ ।

 

‘‘ବୋଉ ! ତୋର ସବୁବେଳେ ମନେରଖିବା ଉଚିତ୍‌ ଯେ ମୁଁ ତୋର ପୁଅ । ସାରୀ ବସାରେ ଶାଗୁଣା ଜନ୍ମେ ନାହିଁ ।’’

 

ପୁଅକୁ ଆନନ୍ଦରେ ମାଆ କୁଣ୍ଢାଇପକାଇ କହିଲେ ‘‘ମୋ ଧନଟା ପରା । ତୁ ରାଜି ହୋଇଯା । ଗୋପିନାଥପୁର ସାମନ୍ତରାୟ ଘରୁ ଖବର ଆସିଛି । ତୋତେ ନ ପଚାରି କୌଣସି କଥା ବା କହନ୍ତୁ କିପରି ? ସେଥିପାଇଁ ବାପା କୌଣସି ଉତ୍ତର ଫେରାଇ ନାହାନ୍ତି ।’’

 

‘‘ବୋଧହୁଏ ସାମନ୍ତରାୟ ବହୁତ ଧନଦରଦ ଦେବେ । ଆଉ ପୁଅ ସାମନ୍ତରାୟ ଘରେ ବିଭା ହୋଇଛି ବୋଲି ଗୋଡ଼ ତଳେ ପଡ଼ିବ ନାହିଁ । ଏହି ଲୋଭରେ କ’ଣ ବୋଉ ସାମନ୍ତରାୟ ଘରେ ପୁଅ ବିଭା କରାଇବୁ ?’’

 

‘‘ମୁଁ କ’ଣ ସେୟା କହୁଛି ? ସେଦିନ ତୋ ପାଖକୁ ଟଙ୍କା ପଠାଇବାପାଇଁ ସାମନ୍ତରାୟ ପାଖକୁ ତୋ ବାପା ଯାଇଥିଲେ । ସାମନ୍ତରାୟ କହିଲେ କ’ଣ କି ମହାପାତ୍ରେ ! ତୁମ ଘରେ ବନ୍ଧୁ ବାନ୍ଧିବାକୁ ମୋର ଇଚ୍ଛା । ହେଲେ ତୁମେ ରାଜି ହେଲେ ହେଲା । ପୁଅ ଯେତେଦିନ ପଢ଼ିବ ସେଥିପାଇଁ ତୁମକୁ ଚିନ୍ତା କରିବାକୁ ହେବ ନାହିଁ । ଏହା ବାଦ୍‌ ଯାହା କିଛି କରଜ ଧାର ହୋଇଯାଇଛି ସବୁ ମଧ୍ୟ ପରିଶୋଧ କରିଦେବି ।’’

 

‘‘ପୁଅକୁ ବିକ୍ରୀ କରିଦେଲେ କ’ଣ ବୋଉ କରଜ ପରିଶୋଧ ହୋଇଯିବ ନାହିଁ ? ଏତକ କହି ପ୍ରଶାନ୍ତ ପୁଣି କହିଲେ ‘‘ଦେଖ୍‌ ବୋଉ ! ଯେ ଏ ଘରକୁ ବୋହୂ ହୋଇ ଆସିବ ସେ ନିଜର କୌଣସି ସୁଖସ୍ୱାଚ୍ଛନ୍ଦକୁ ବଡ଼ ବୋଲି ନ ଭାବି ଯଦି ତୁମ୍ଭମାନଙ୍କର ସେବାଶୁଶ୍ରୂଷାକୁ ବଡ଼ ବୋଲି ଭାବିବ ତେବେ ଯାଇ ମୁଁ ତାକୁ ଆନନ୍ଦରେ ଗ୍ରହଣ କରିବି । ତୁ ତ ଜାଣୁ ସାମନ୍ତରାୟ ଘର କଥା । ତାଙ୍କର କୌଣସି ଗୋଟିଏ ବୋଲି ଝିଅ ଶାଶୁଘରେ ଘର କରି ନାହାନ୍ତି । ଶାଶୁଘରେ ଗୋଡ଼ ନ ଦେଉଣୁ ପୁଅ ବାପ ମଧ୍ୟରେ ମନ ଫଟାଫଟି ହୋଇ ହାଣ୍ତି ତହିଁଆରଦିନ ହୁଏ ଅଲଗା ।’’

 

ହରିପ୍ରିୟା ନିରୁତ୍ତର । ପୁଅ ଯାହା କହିଲା କାଟି ଦେବାର ଉପାୟ ନାହିଁ । ସେ ମନେ ମନେ ଚାରିଆଡ଼େ ଆଖି ବୁଲାଇ ଆଣିଲେ । କେଉଁଠାରେ ଘର ଯଦି ଅଛି ପାତ୍ରୀ ନାହିଁ । କେଉଁଠାରେ ପାତ୍ରୀ ଯଦି ଅଛି ଘର ନାହିଁ । ସବୁ ଭଲ କ’ଣ ସହଜରେ ମିଳେ ? ନା ସମସ୍ତଙ୍କ ଭାଗ୍ୟରେ ଘଟେ ? ମନ କଥା ମନରେ ରହିଲା ।

 

ପାଞ୍ଚ

 

ହାରାମଣି ଇହଧାମରୁ ବିଦାୟ ନେବା ପରେ ପରେ ସାରିଆମାଆର କାଟ୍‌ତି ରଜତଚନ୍ଦ୍ରଙ୍କ ପରିବାରେ କମି ଆସିଲାଣି । ଯେଉଁ ସାରିଆମାଆର ପ୍ରତାପରେ ଦିନେ ରଜତଚନ୍ଦ୍ର ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ, ସେହି ସାରିଆମାଆ ଏବେ କେଉଁ ଗାଈର ବା ଗୋବର ଯେ ତାକୁ ଲୋକେ ଏତେ ଆଦର ସମ୍ମାନ ଦେଖାଇବେ ? ପିନ୍ଧିଲା ଲୁଗାରୁ ଚିମୁଟି ଆଣିଲେ ଦୁଇ ମୁଠା ମଇଳା ବାହାରିବ । ମଥାରେ ପାନିଆ ଦୁଇ ମାସରେ ବାଜିବାକୁ ନାଇଁ ।

 

ସାରିଆମାଆ ବା କାହିଁକି ମନଦୁଃଖ କରିବ ? ସେ ଏଠାରେ ପେଟ ପୋଷିବାପାଇଁ ପଡ଼ିରହିଛି । କେତେ ଥର ମନେକଲାଣି ଆଉ କେଉଁଠାକୁ ହେଲେ ଚାଲିଯାଆନ୍ତା । ଯିବ କୁଆଡ଼େ-? ସେହି ଗୋଟିଏ ପ୍ରଶ୍ନର ସମାଧନ ସେ ଆଜିଯାଏ କରିପାରୁ ନାହିଁ ।

 

ସାଆନ୍ତାଣୀଙ୍କ କଥା ମନେପଡ଼େ । ସାଆନ୍ତାଣୀଙ୍କ ଗୋରା ତକତକ ଦିହ ଆଖି ଆଗରେ ନାଚିଯାଏ । କି ସୁନ୍ଦର ମଣିଷ ସେ ନ ଥିଲେ ! ଏତେ ବଡ଼ ଘର ଝିଅ ବୋହୂ ହୋଇ ଦିନେ ସୁଦ୍ଧା ସେ କେବେହେଲେ କାହାରିକୁ ହତାଦାର କରି ନାହାନ୍ତି । ସମସ୍ତେ ଯେପରି ଆପଣାର-। ଅନ୍ତର ଫାଡ଼ି ଯେପରି ସମସ୍ତଙ୍କୁ ଜନମ କରିଛନ୍ତି ।

 

ହାରାମଣି ବଞ୍ଚିଥିବାବେଳେ ରଜତଚନ୍ଦ୍ର ଯାହାକିଛି କରିଯାଉଥିଲେ ଲୁଚାଚୋରାରେ ସବୁ ହୋଇ ଯାଉଥିଲା । ଏବେ ତାଙ୍କୁ କହିବାକୁ କେହି ନାହାନ୍ତି । ସେ ବର୍ତ୍ତମାନ ବେପରବାୟ ଭାବେ ଖର୍ଚ୍ଚ ବାର୍ଚ୍ଚ କରିବାରେ ଲାଗିପଡ଼ିଛନ୍ତି ।

 

ରାମିଆର ଭଉଣୀ ଶାରଦା । ବେଶ୍‌ ଡଉଲ ଡାଉଲ ଝିଅଟାଏ । ହାରାମଣି ବଞ୍ଚିଥିବା ବେଳୁ ସବୁ ଜାଣିଥିଲେ ସୁଦ୍ଧା ନ ଜାଣିଲାପରି ଥିଲେ । ରଜତଚନ୍ଦ୍ର ଏବେ ରାମିଆ ଘରକୁ ଯିବା ଆସିବା ବନ୍ଦ କରିଦେଲେଣି । ଏତେ ବାଟ ସେ ପରିଶ୍ରମ କରି ଯାଆନ୍ତେ କାହିଁକି ?

 

ଶାରଦା ଏଣିକି ସଦର ଦରଜାବାଟେ ଉଆସକୁ ଯିବା ଆସିବା ଆରମ୍ଭ କରିଦେଲାଣି । ସାରିଆମାଆ ସବୁ ଦେଖେ । ସାଆନ୍ତାଣୀକୁ ମନେ ମନେ ସୁମରି ଦୁଇଟୋପା ଲୁହ ଗଡ଼ାଇଦିଏ । ବାଘ ପୁଣି ବିଲୁଆ ମଧ୍ୟ ପାଲଟିଯାଏ ? ଦୁନିଆରେ କ’ଣ ବା ନ ଘଟେ ? ବିଚିତ୍ର ଏ ଦୁନିଆ ।

 

ଏଣିକି ରାମିଆ ରଜତଚନ୍ଦ୍ରଙ୍କର ପରାମର୍ଶଦାତା । ରାମିଆ ଯେଉଁ ବାଟରେ ଚଳାଇ ଚଳାଇ ନେବ ରଜତଚନ୍ଦ୍ର ସେହି ବାଟରେ ଚଳିବାକୁ ବାଧ୍ୟ । ନିଜ ଇଚ୍ଛାରେ କୌଣସି ଗୋଟାଏ କାମ କରିବାକୁ ରଜତଚନ୍ଦ୍ରଙ୍କର ସାଧ୍ୟ ଆଉ ନାହିଁ ।

 

ପୁରୁଣା ଚାକରବାକର ବେତନ ନ ପାଇ ବାଧ୍ୟ ହେଲେ ବିଦାୟ ନେବାକୁ । ପେଟପାଇଁ ବା କେତେ ଦିନ ପଡ଼ି ରହିଥାନ୍ତେ ? ପୁଣି ସେମାନଙ୍କର ତ ପିଲାଝିଲା ଚିନ୍ତା ଅଛି ।

 

ସାରିଆମାଆକୁ ତଡ଼ିଦେବାକୁ ରାମିଆ ଅନେକ ଥର ଚିନ୍ତା କଲାଣି । ହେଲେ ଆଗକାଳର ସାରିଆମାଆ ଓ ଆଜିକାର ସାରିଆମାଆ ମଧ୍ୟରେ ଅନେକ ତଫାତ୍‌ ଦେଖା ଦେଲାଣି-। ସେ ଆଗରୁ ରାମିଆକୁ ଦେଖିଲେ ଯେପରି ରକ୍ତଚାଉଳ ଚୋବାଉଥିଲା ଏବେ ସେ ସ୍ୱଭାବ ତା’ର ବଦଳି ଗଲାଣି । ସେ ରାମିଆକୁ ଦେଖିଲାମାତ୍ରେ ପାକୁଆ ପାଟିରେ ହସର ଢେଉ ଖେଳାଇ ଦେଇ କହେ ‘‘ମୋ ପୁଅଟା ପରା । ଭଗବାନ ତୋତେ କୋଟି ପରମାୟୁ ଦେଇଥାନ୍ତୁ ।’’

 

ଯେଉଁଠାରେ ଏତେ ଆଶୀର୍ବାଦ, ଏତେ ସ୍ନେହ, ମଣିଷ ବିନା ପରିଶ୍ରମ ଓ ଖର୍ଚ୍ଚରେ ପାଏ ସେହିଠାରେ ରାମିଆ ବା କାହିଁକି ସାରିଆମାଆକୁ ହତାଦର କରିବ ? ସେ ମଧ୍ୟ ହସି ହସି କହେ ‘‘କିଛି ଦକ ମନକୁ ଆଣିବୁ ନାହିଁ ସାରିଆମାଆ । ସାଆନ୍ତାଣୀ ସିନା ଗଲେ, ହେଲେ ଯେତେଦିନ ରାମିଆ ଅଛି ତୋର କେହି କିଛି କରିପାରିବେ ନାହିଁ ।’’

 

ରାମିଆ ଚାଲିଗଲା ପରେ ସାରିଆମାଆ ମୁହଁ ବୁଲାଇ କହେ ‘‘ତୁ କ’ଣ ଏ କଥା କରନ୍ତୁ କିରେ ବାପ ? ଯମ ଏହା କରାଉଛି । ଦେଖାଯାଉ କେତେକାଳ ଏମିତି ଯାଉଛି ?’’

 

ରଜତଚନ୍ଦ୍ର ରାଜାକୁ ରାମିଆ ହେଲା ମନ୍ତ୍ରୀ । ଲକ୍ଷ୍ମୀଠାକୁରାଣୀ ମଧ୍ୟ ବାଟ ଖୋଜିଲେଣି ପଳାଇଯିବାକୁ । ହେଲେ ହାରାମଣିଙ୍କ ଆତ୍ମା ଯେ ଏ ଘରେ ଚଲାବୁଲା କରୁଛି ସେଥିପାଇଁ ମହାଲକ୍ଷ୍ମୀ ଯିବେ ଯିବେ କହି ମଧ୍ୟ ଯାଇପାରୁ ନାହାନ୍ତି । ଯାହାକିଛି ଅସ୍ଥାବର ସଂପତ୍ତି ଥିଲା ଗୋଟାଏ ବର୍ଷ ନ ପୂରୁଣୁ ସବୁ ଶେଷ । ଏବେ ଜମି ଉପରେ ମଧ୍ୟ ହାତ ପଡ଼ିଲାଣି ।

 

ପୋଖରୀ ତଳ ଚକିଆ ଜମିଟା ରାମିଆ କିମିତି ଶାରଦା ନାମରେ କରିଦେବ ସେଥିପାଇଁ ସେ ସବୁବେଳେ ବ୍ୟସ୍ତ । ଏକଥା ପ୍ରକାରାନ୍ତରେ ସେ ରଜତଚନ୍ଦ୍ରଙ୍କୁ କହିସାରିଲାଣି । ରଜତଚନ୍ଦ୍ର ଶୁଣି ନ ଶୁଣିଲାପରି ରହିଛନ୍ତି ।

 

ସୁମିତ୍ରା କେବଳ ବୋଉର କାମ ବେଳକୁ ଆସିଥିଲେ । ଆଉ ଦୁଇବର୍ଷ ହେଲା ଏ ଘରେ ପାଦ ପଡ଼ିନାହିଁ । ଝିଅ କ’ଣ ଆଉ ଆପେ ଆପେ ବାପଘରକୁ ଆସନ୍ତା ? ଆଣିବାକୁ ଯାଉଛି କିଏ ଯେ ଝିଅ ଆସିବ । ଏବର୍ଷ ଦୋଳ ପୂର୍ଣ୍ଣମୀଗଲା । ରଜ ସଂକ୍ରାନ୍ତି ଗଲା । ଦଶହରା ଗଲା । ହେଲେ ଝିଅପାଇଁ ନଗଲା ନାହିଁ ଜୋଇଁପାଇଁ ହେଲେ ଧୋତି ଯୋଡ଼ଟିଏ ତ ଯାଇ ଥାଆନ୍ତା ।

 

ଏହିକଥା ସାରିଆମାଆ ସାଆନ୍ତଙ୍କୁ କହିବ କହିବ ହୋଇ କହିବାକୁ ଭରସା ପାଉନାହିଁ ।

 

ସାଆନ୍ତାଣୀ ଥିଲା ବେଳର କଥା ଥିଲା ଦୁସରା । ସେତେବେଳେ ରଜତଚନ୍ଦ୍ର ଯଦିଓ ଅଫିମ ଖାଉଥିଲେ ତେବେ ମାତ୍ରା ଟିକିଏ କମ୍‌ ଥିଲା । ଏଥର ମାତ୍ର, ଦିନକୁ ବଢ଼ି ବଢ଼ି ଅଧତୋଳା ପାଖାପାଖି ହେଲାଣି । ପଶି ରାମିଆର କାରସାଦି ।

 

ରାମିଆ ଓର ଖୋଜୁଛି କିମିତି ସାଆନ୍ତଙ୍କୁ ଏପଟ ସେପଟ କରି ଶାରଦା ନାମରେ ଜମିଖଣ୍ତିକ କବଲା କରାଇ ଦେବ । ନିଜର ହାତ ପୈଠପାଇଁ ସେ ମଧ୍ୟ ବେଳ ଖୋଜୁଛି; କିନ୍ତୁ ରଜତଚନ୍ଦ୍ରଙ୍କୁ ବା ପାରୁଛି କେତେକେ ?

 

ମାଆ ମରିଗଲା ପରେ ବାପ ହୁଏ ଖୁଡ଼ୁତା । ଠିକ୍‌ ହାରାମଣିଙ୍କ ପରେ ପିଲାଙ୍କର ଅବସ୍ଥା ମଧ୍ୟ ସେୟା । ଗୋଟିଏ ବୋଲି ପୁଅ । ବୟସ ଛଅ ଡେଇଁ ସାତ ହେବଣି । ହେଲେ ଢୋକେ ଯାଉଛି ତ ଢୋକେ ଆସୁଛି । କ’ଣ ଖାଇଲା କ’ଣ ପିଇଲା କେହି ବୁଝିବାକୁ ନାହିଁ ।

 

ପୁଅ ବୋଉକୁ ଖୋଜେ । ଖୋଜି ଖୋଜି ପାଗଳ ହୋଇଯାଏ ସେ ଦେଖେ ବୋଉ ତା’ର ଚାନ୍ଦ ପଛେ ପଛେ ଲୁଚି ଲୁଚି ତାକୁ କହୁଛି ‘‘ମୋ ସୁନାଟା ପରା । ତୁ ମଣିଷ ହୋଇ ଦୁନିଆରେ ବଞ୍ଚିରହ । ଭଗବାନ ତୋତେ ସୁବୁଦ୍ଧି ଦିଅନ୍ତୁ ।’’

 

ସେ ଦେଖେ ବୋଉ ତା’ର ଡାକୁଛି । ସେ ହାତ ବଢ଼ାଏ; କିନ୍ତୁ ବୋଉ ଶୁଣେ ନାହିଁ । ସେ ହସି ହସି ଚାଲିଯାଏ ।

 

‘‘ଯାହାର ମାଆ ନାହିଁ, ଦୁନିଆରେ କ’ଣ ତାହାର କେହି ନାହିଁ ?’’ ସେଦିନ ବିଷ୍ଣୁପାଦ ସରିଆମାଆକୁ ଏହି କଥା ପଚାରିଲା ।

 

ସାରିଆମାଆ ବା ଏକଥାର କ’ଣ ଜବାବ୍‌ ଦେବ ? ସେ ଅପାଠୋଈ । ବୁଦ୍ଧି ତାହାର କେତେ ଯେ ଏ ଗୂଢ଼ କଥାର ଅର୍ଥ ସେ ବୁଝାଇ ପାରିବ ।

 

ସେ କହିଲା, ‘‘ଲୋକେ ସିନା କହନ୍ତିରେ ପୁଅ ! ତେବେ ସମସ୍ତଙ୍କର ମାଆ କ’ଣ ଆଉ ସବୁଦିନେ ବଞ୍ଚିବେ ? କାହିଁ ମୋର ମାଆ ତ ନାହିଁ । ମୁଁ ତ ପୁଣି ଦୁନିଆରେ କାଳ କାଟୁଛି ।’’

 

ପିଲା ମନ ମାନିଲା ନାହିଁ । ସେ ଧାଇଁ ଧାଇଁ ଗଲା ଦାଣ୍ତ ଖଞ୍ଜାକୁ । ରଜତଚନ୍ଦ୍ର ଓ ଶାରଦା ସେତେବେଳେ ଅନ୍ୟ ଏକ ରାଜ୍ୟର ଆନନ୍ଦ-କାନନରେ ବିଚରଣ କରୁଥାନ୍ତି । ସତେ ଯେପରି ଜଣେ ପ୍ରେମିକ ଶିରୋମଣି ସଲିମ୍‌ ଓ ଅନ୍ୟ ଜଣକ ଅନାରକଲି । ହଠାତ୍‌ ବିଷ୍ଣୁପଦ ଦ୍ୱାରଦେଶରେ ଛିଡ଼ା ହୋଇ ପଚାରିଲା ‘‘ବାପା ! ଯାହାର ମାଆ ନାହିଁ ଦୁନିଆରେ କ’ଣ ତାହାର କେହି ନାହିଁ ?’’

 

ବ୍ୟାଘ୍ରପରି ଗର୍ଜନ ଛାଡ଼ି ରଜତଚନ୍ଦ୍ର କହିଲେ, ‘‘ତତେ ଏଠାକୁ ଆସିବାକୁ କିଏ କହିଲା ? ମାଆଟା ଗଲା । ଯିବାବେଳେ ଏଟାକୁ ହେଲେ ନେଇ ଯାଇଥାଆନ୍ତା । ଗୋଟାଏ ପୁଣି କଣ୍ଟା ଛାଡ଼ି ଦେଇ ଯାଇଛି ।’’

 

ସାରିଆମାଆ ସେପଟରୁ ଆସୁଥିଲା । ସେ ମୋଟେ ସମ୍ଭାଳି ପାରିଲା ନାହିଁ । ବରଂ ଦାନାଗଣ୍ତାକ ଯିବ ତଥାପି ସେ ଆଜି ନ କହିବ କିପରି ? କହିଲା ‘‘ସାଆନ୍ତେ ! ତମେ ସିନା ନିଶା ଖାଇଲ । ଦୁନିଆ ସାରା ଆଉ ନିଶା ଖାଇ ନାହାନ୍ତି । ଟିକିଏ ପଛକୁ ଅନାଅ । ଧରମ କରମକୁ ନଜର ରଖ । ପୂର୍ବ ଜନ୍ମରେ କେଉଁ ଅପରାଧ କରିଥିଲ ଯେ ଏ ଘରକୁ ଶନି ଗୋଡ଼ାଇଲାଣି । ଗୋଟିଏ ବୋଲି ପୁଅ. ରୋଗରେ ପଡ଼ି ପରା ସଢ଼ି ଗଲାଣି । ପେଟକୁ ଔଷଧ ଟିକିଏ ମଧ୍ୟ ଦେବାକୁ ନାହିଁ । ଏଣେ କ’ଣ ନା ନାଟ ତାମସାରେ ଶହ ଶହ ଖର୍ଚ୍ଚ ଚାଲିଛି । ସତେ ଯେପରି ରାମିଆ ଏହାଙ୍କ ତିନିପୁରୁଷଙ୍କୁ ଉଦ୍ଧାର କରିବ ? ପୁଅ ପରା ଧନ । ଖୋଜି ଖୋଜି କେତେ ଦିଅଁ ପୂଜି ପୂଜି ସାଆନ୍ତାଣୀ ପାଇଥିଲେ । ହେଲେ ତାଙ୍କର ଏତେ ସେବା ପୂଜା କେଉଁ ଆଡ଼କୁ ପାଇଲା ? ସବୁ ଧରମ ଦେଖୁଛି । ତୁମର ମଙ୍ଗଳ କୁଆଡ଼ୁ ହେବ ?’’

 

ସଭା ମଧ୍ୟରେ ବ୍ରହ୍ମଜ୍ଞାନ ? ରଜତଚନ୍ଦ୍ରଙ୍କୁ ସାରିଆମାଆର ଔଦ୍ଧତ୍ୟ ସହ୍ୟ ଗଲାନାହିଁ । ସେ ସାରିଆମାଆର ଗାଲ ଉପରେ ଦୁଇଟା ଥୋଇ ଦେଇ କହିଲେ ‘ବାଘ ଆଗରେ ବକ୍ରୀର ପୁଣି ଏତେ ବହପ ?

 

ଥୁଅନ୍ତେ ବା ନାହିଁ କିପରି ? ଶାରଦା କ’ଣ ଭାବିବ ? ଛାର ଚାକରାଣୀଟା ଯଦି ମୁହେଁ ମୁହେଁ କହିବ, ଲୋକେ କ’ଣ ଆଉ ପତରରେ ପକାଇବେ ? ସେ ସବୁ ତ୍ୟାଗ ଆଜି ଶାରଦାପାଇଁ କରିବାକୁ ପ୍ରସ୍ତୁତ ।

 

ଶାରଦାର ପ୍ରେମପାଇଁ ସେ ଧନ, ପୁତ୍ର, କନ୍ୟାକୁ ଏଡ଼ି ଦେବେ । ମାତ୍ର ଶାରଦାକୁ ସେ କୌଣସି ପ୍ରକାରେ ଛାଡ଼ି ଦେଇ କ୍ଷଣେ ସୁଦ୍ଧା ବଞ୍ଚି ପାରିବେ ନାହିଁ । ଶାରଦା ଆଜି ତାଙ୍କର ସବୁ ।

 

ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରତ୍ୟେକ ଲୋଡ଼ନ୍ତି । ଏହି ଚତୁବର୍ଗ ସୁଖପାଇଁ ଆଜି ସମସ୍ତେ ବ୍ୟାକୁଳ । ରଜତଚନ୍ଦ୍ର ଯଦି ଶାରଦାକୁ ପାଇ ଚତୁବର୍ଗ ସୁଖଭୋଗ କରନ୍ତି, ସେ ଶାରଦାକୁ ବା ହାତ ମୁଠାରୁ ଖସାଇ ଦେଇ ନିଶ୍ଚିନ୍ତ ହେବେ କିପରି ? ଦୁନିଆ ହୁଏତ କହିବ ତାଙ୍କୁ କାମୁକ । ଅପରିଣାମଦର୍ଶୀ । ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ସେ ବଞ୍ଚିବେ । ସେ ଜୀବନ ଉପଭୋଗ କରିବେ ।

 

ଜୀବନ ଉପଭୋଗ କରିବାକୁ ସେ ଦୁନିଆକୁ ଆସିଛନ୍ତି । ଏହି ଜନ୍ମ ପରେ ପୁଣି ଆଉ ଗୋଟାଏ ଯେ ଜନ୍ମ ରହିଛି ଏହା ରଜତଚନ୍ଦ୍ରଙ୍କର ବିଶ୍ୱାସର ପରିସର ବାହାରେ । ପୁନର୍ଜନ୍ମରେ ତାହାଙ୍କର ଆସ୍ଥା ଖୁବ୍‌ କମ୍‌ ।

 

ସାରିଆମାଆ ଚାଲିଯିବା ଦିନଠାରୁ ଶାରଦା ଟିକିଏ ଶାନ୍ତିରେ ନିଶ୍ୱାସ ମାରୁଅଛି । ସେ ଶାରଦାକୁ ଗୋଡ଼େ ଗୋଡ଼େ ଜଗୁଥିଲା । ସତେ ଯେପରି ତା’ ବୋପା ଚଉଦପୁରୁଷର ସମ୍ପତ୍ତି ଏମାନେ ଖାଇ ଯାଉଥିଲେ ?

 

ବିଷ୍ଣୁପଦର ମୁହଁରେ କେହି ହସ ଦେଖନ୍ତି ନାହିଁ । ସେ ଯେଉଁଠାରେ ବସେ, ମୁହଁ ଶୁଖାଇ ଦେଇ ବସିରହେ । ଭୋକ କଲାରୁ କେବେ କେମିତି ଶାରଦାକୁ ମାଗିଲେ ଶାରଦା କଟମଟ ଆଖିରେ ଚାହିଁ କହେ ‘‘ଖାଲି ଖାଇବ ଖାଇବ କହି ଦୁନିଆଟା ମଧ୍ୟ ଖାଇଯିବ ।’’

 

ମା ଛେଉଣ୍ତ ପିଲାଟା, ଭୋକ ଓପାସରେ ସେମିତି ରହିଯାଏ ।

 

ଲେଡ଼ିଗୁଡ଼ କହୁଣିକୁ ବୋହିଯାଇଛି । ଚାଟିଲେ ମଧ୍ୟ ଜିଭ ପାଇବ ନାହିଁ । ରଜତଚନ୍ଦ୍ରଙ୍କ ଆଖିକୁ ଜୁଳୁଜୁଳିଆ ପୋକ ଦେଖାଗଲାଣି । ସେ ଉପାୟ ଚିନ୍ତା କରନ୍ତି; ମାତ୍ର ନିରୁପାୟ । ଶାରଦା ଓ ରାମିଆ ବେଳକାଳ ଜାଣି ରଜତଚନ୍ଦ୍ରଙ୍କୁ ନିଶାପାଣି ଖୁଆଇ ଅନେକ କାଗଜପତ୍ରରେ ଦସ୍ତଖତ କରି ନେଇଛନ୍ତି । କେତେ ଜାଲ ତମସୁକ ଓ ହେଣ୍ତନୋଟ୍‌ ଯେ ହୋଇଯାଉଛି ତା’ର ଇୟତ୍ତା ମଧ୍ୟ ନାହିଁ । ଖୋର୍ଦ୍ଧା ଓ କଟକ ଅଞ୍ଚଳର ମହାଜନମାନେ ଅଦାଲତରେ ରଜତଚନ୍ଦ୍ରଙ୍କ ନାମରେ ମାଲିମକଦ୍ଦମା ଆରମ୍ଭ କରିଦେଲଣି । ସବୁ ନିଷ୍ପତ୍ତି କରିବାକୁ ହେବ । ଯେ କୌଣସି ପ୍ରକାରେ କରଜ ଦାୟରୁ ନିଜକୁ ମୁକୁଳାଇବାକୁ ହେବ । ଏହି ଚିନ୍ତାରେ ରଜତଚନ୍ଦ୍ରଙ୍କ ଦେହରେ କଣ୍ଟା କେଇଖଣ୍ତ ରହିଗଲାଣି ।

 

ଫଳେ-ପୁଷ୍ପେ ଯାହାକୁ ଯାହା ଦେଇ ସାରିଲା ପରେ ବଳିଲା କେବଳ କୋଡ଼ିଏ ଏକର ଜମି ଓ ଘର ଡିହ ।

 

ଶାରଦା ଓ ରାମିଆର କରାଳ ଗର୍ଭରେ ରଜତଚନ୍ଦ୍ରଙ୍କ ବିଶାଳ ସମ୍ପତ୍ତି ଲୀନ ହୋଇଯାଇଛି । ରଜତଚନ୍ଦ୍ର ଏବେ ଅନୁତାପ କରନ୍ତି । ସେ ଦିନକପାଇଁ ହାରାମଣିଙ୍କୁ ସୁଖ ଦେଇ ନାହାନ୍ତି । ହାରାମଣି ଆଖିରୁ ଲୁହ ଢାଳି ଢାଳି ଜଗତରୁ ବିଦାୟ ନେଇ ଚାଲିଗଲେ । ମାତ୍ର ରଜତଚନ୍ଦ୍ର ଦିନକପାଇଁ ଆହା ବୋଲି କହି ସମବେଦନା ପ୍ରକାଶ କରିନାହାନ୍ତି ।

 

ଗୋଟିଏ ନାରୀର ଆଖି ଲୁହରେ ସ୍ୱର୍ଣ୍ଣପୁରୀ ଲଙ୍କା ଯେ ଦିନେ ଛାରଖାର ହୋଇଗଲା ତାହା ହୁଏତ କାହାରି ବିଶ୍ୱାସ ହୁଏ ନାହିଁ । କେହି ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ ବା କରିବ କିପରି ?

 

ସୁମନ୍ତ କଲମ ଥୋଇ ଦେଇ ଭିଡ଼ି ମୋଡ଼ି ହେଲେ । ସୁନନ୍ଦା ଆଜି ବହୁ ଦୂରରେ । ସେ ସୁନନ୍ଦାକୁ ବା କାହିଁକି ଚିନ୍ତା କରିବେ ? ସୁନନ୍ଦା ତା’ର ପୁତ୍ର କନ୍ୟା ନେଇ ନିଜକୁ ସଂସାରରେ ମଜାଇ ନେଇଥିବ । ସେ କ’ଣ ସୁମନ୍ତକୁ ମନେ ରଖିଥିବ ଯେ ସୁମନ୍ତ ଆଜି ତା’ର କଥା ଚିନ୍ତା କରିବେ ?

 

ନଈପାଣି ନଈ ସୁଅରେ ବୋହି ଯାଇଛି । ତାହା ପୁଣି ଉଜାଣି ସ୍ରୋତରେ ଉପରକୁ ଉଠିବ ନାହିଁ । ସେ ଅନେକ ଦିନ ଚିନ୍ତା କଲେଣି ସୁନନ୍ଦାର ସ୍ମୃତି ମାନସପଟରୁ ପୋଛି ଦେବାକୁ, ମାତ୍ର ପାରନ୍ତି ନାହିଁ ।

 

ସୁନନ୍ଦାକୁ ସେ ଦିନେ ଭଲ ପାଇଥିଲେ । ପୁରୁଷ କ’ଣ ଭଲପାଏ କେବଳ ଭୁଲି ଯିବାକୁ-? ସୁମନ୍ତର ଆଖି କୋଣରେ ଲୁହ ଭରିଗଲା । ସମନ୍ତ ଲୁହ ପୋଛିଲେ ।

 

ପୁଣି ଲେଖିବାକୁ ଆରମ୍ଭ କଲେ...

 

ଯେଉଁମାନେ ରଜତଚନ୍ଦ୍ରଙ୍କ ପାରିବାରିକ ଜୀବନ ସମ୍ୱନ୍ଧରେ କୌଣସି ପ୍ରକାର ଅଭିଜ୍ଞତା ଅର୍ଜନ କରି ନାହାନ୍ତି ସେମାନେ ହୁଏତ କହୁଥିବେ ‘ସୁନାର ସଂସାର’ ଆଜି ଛାରଖାର ହୋଇଗଲା ।

 

କିନ୍ତୁ ପ୍ରକୃତରେ କେବେହେଲେ ରଜତଚନ୍ଦ୍ରଙ୍କ ସଂସାର ସୁନାର ସଂସାର ନଥିଲା । ସେ ସହସ୍ର ସହସ୍ର ଲୋକର ତଣ୍ଟି ଚିପି, କଳେ, ବଳେ, କୌଶଳେ ନାନା ମାଲି ମକଦ୍ଦମା ଲୋକଙ୍କ ବିରୁଦ୍ଧରେ ତିଆରି କରି ଦିନେ ବିଶାଳ ସମ୍ପତ୍ତିର ମାଲିକ ହୋଇ ପାରିଥିଲେ ।

 

ଗରୀବଙ୍କ ନିଶ୍ୱାସରେ ସବୁ ଜଳିଯାଏ । ତେବେ ମଣିଷର ନିଶ୍ୱାସ କ’ଣ ଗୋଖର ସାପ ବିଷଠାରୁ ଆହୁରି ବିଷାକ୍ତ ?

 

ରଜତଚନ୍ଦ୍ର ଅନୁତାପ କରନ୍ତି । ପୂର୍ବର ଅପକର୍ମପାଇଁ ସେ ନିଜକୁ ନିଜେ ଦାୟୀ କରନ୍ତି ।

 

ଆଖି ଆଗରେ ପଛଦିନର ଘଟଣାଗୁଡ଼ିକ ଭାସି ଯିବାକୁ ଲାଗିଲା । ନିଜର ଖାମଖିଆଲୀ ସ୍ୱଭାବପାଇଁ ସେ ବିଶାଳ ସମ୍ପତ୍ତି ହରାଇ ଆଜି ଦାଣ୍ତର ଭିକାରୀ ସାଜିଲେ । ଯେଉଁ ହାରାମଣିଙ୍କ କଥା ନଶୁଣି ଆଜି ଏ ଦୂରାବସ୍ଥା ଭୋଗିଲେ ସେହି ହାରାମଣିଙ୍କୁ ସେ ମନେ ମନେ ଖୋଜି ଲୁହ ଢାଳିଲେ ।

 

ପାଖରେ ଆଜି କେହି ନାହାନ୍ତି । ସମସ୍ତେ ଯେ ଯାହା ବାଟରେ ଚାଲି ଯାଇଛନ୍ତି । କେବଳ ମାତ୍ର ସଂସାରରେ ରହିଛନ୍ତି ସେ ନିଜେ ଓ ରହି ଯାଇଛି ତାଙ୍କର ତିକ୍ତ ଅନୁଭୂତି ।

 

ଧନ କହ, ଯୌବନ କହ, ସବୁ ଅଢ଼େଇ ଦିନିଆ ଜିନିଷ । ଧନ ଓ ଯୌବନର ଗର୍ବ ସବୁଦିନ ରହେ ନାହିଁ । ସବୁ କାଳର କରାଳ ଗର୍ଭରେ ଲୋପ ପାଇଯାଏ ।

 

ଜଗତରେ କେବଳ ରହେ ଧର୍ମ । ଯାହାର ଯେତେ ଧର୍ମ ତାହାର ସେତେ ସୌଭାଗ୍ୟ । ଧର୍ମ ମଣିଷଜୀବନରେ ଏକମାତ୍ର ଶ୍ରେଷ୍ଠବସ୍ତୁ । ଧର୍ମକୁ ଛାଡ଼ି କିଛି କରାଯାଇ ନ ପାରେ । ଏତେଦିନ ପରେ ରଜତଚନ୍ଦ୍ର ଏହି କଥା ଆଜି ବୁଝିଲେ ।

 

ସେ ଆଜି ଠାକୁରଙ୍କୁ ଡାକନ୍ତି । ଘଣ୍ଟା ଘଣ୍ଟା ଧରି ଠାକୁର ମନ୍ଦିରରେ ଆଖି ବୁଜି ବସି ରହନ୍ତି । ଆଖିର ଲୁହରେ ସେ କହନ୍ତି ‘‘ଠାକୁରେ ! ତୁମେ ସତ୍ୟ । ଦୁନିଆରେ ଆଉସବୁ ଯାହା ରହିଛି ତାହା ସବୁ ମିଥ୍ୟ । ମୋତେ ସତ୍ୟର ମାର୍ଗ ଦେଖାଅ । ମୋତେ ସତ୍ୟପଥରେ ଚଳାଇ ନିଅ-। ମୁଁ ଅଜାମିଳଠାରୁ ମଧ୍ୟ ମହାପାପୀ । ମୋତେ ମୁକ୍ତି ଦିଅ ।’’

 

ଆକ୍ଷି ଆଗରେ ବିଷ୍ଣୁଙ୍କର ପାଷାଣବିଗ୍ରହ । ସେ ପାଷାଣବିଗ୍ରହ ରଜତଚନ୍ଦ୍ରଙ୍କ କାକୁତି, ମିନତିରେ ଟଳି ନ ଯାଇ ବରଂ ଉପହାସ କରନ୍ତି । ରଜତଚନ୍ଦ୍ରଙ୍କ ଆଖି ଭୟରେ ବୁଜିଯାଏ । ତାଙ୍କର ଭାଷା ବନ୍ଦ ହୋଇଯାଏ । ସେ କେବଳ ଆଖି ବୁଜି ଜୁହାର ହୋଇ ପଡ଼ନ୍ତି ।

 

ପାପର ମଧ୍ୟ ସୀମା ଥାଏ । ରଜତଚନ୍ଦ୍ରଙ୍କର ପାପ ସୀମା ଅତିକ୍ରମ କରି ଯାଇଥିବାରୁ ସେ ଆଜି ଏତେ ଅବସ୍ଥା ଭୋଗ କଲେ । ସେଥିପାଇଁ ସୁଖ କ’ଣ ସେ ଜୀବନରେ ଜାଣିପାରିଲେ ନାହିଁ କିମ୍ବା ଯାହାର ହାତ ଧରି ସଂସାର-ତରୀ ଆନନ୍ଦରେ ବାହିନେବାକୁ ବସିଥିଲେ ସେ ମଧ୍ୟ ଆଜି ସଂସାରରେ ନାହିଁ କିମ୍ବା ଯେଉଁମାନେ ତାଙ୍କର ରକ୍ତ, ବୀର୍ଯ୍ୟରୁ ଜନ୍ମ ହୋଇଥିଲେ କାହାରି କର୍ମରେ ସୁଖ ଧାତା ଲେଖିଲେ ନାହିଁ ।

 

ସୁମିତ୍ରା ଚିଠି ଦେଇଥାନ୍ତି । ରଜତଚନ୍ଦ୍ର ପଢ଼ିଲେ । ସେ ଆଜି କେଉଁ ମୁହଁରେ ବା ସୁମିତ୍ରା ପାଖରେ ଛିଡ଼ା ହେବେ ? ସେ ନିଜର କର୍ତ୍ତବ୍ୟ ସୂଚାରୁରୂପେ କରି ନାହାନ୍ତି । ସେ କର୍ତ୍ତବ୍ୟରେ ତ୍ରୁଟି କରିଅଛନ୍ତି । ସେ ଆଜି ସଂସାର ପାଖରେ ହାରି ଯାଇଛନ୍ତି ।

 

ସଂସାର କାହାରି ପାଖରେ ବଶ୍ୟତା ସ୍ୱୀକାର କରେ ନାହିଁ । ରଜତଚନ୍ଦ୍ରଙ୍କ ପାଖରେ ବା ବଶ୍ୟତା ସ୍ୱୀକାର କରିଥାନ୍ତା କିପରି ?

 

ତେବେ କ’ଣ ସେ ଆତ୍ମହତ୍ୟା କରିବେ ? ଆତ୍ମହତ୍ୟା ଯେ ମହାପାପ !! ଜୀବନରେ ସେ କେଉଁ ଧର୍ମ ବା କରିଛନ୍ତି ଯେ ଆଜି ପାପ କରିବା ପାଇଁ ଭୟ କରିବେ ?

 

ବିଷକୃମି ବିଷରେ କେବେ ମରେ ନାହିଁ । ପାପୀ କେବେ ପାପ କରିବାକୁ ମଧ୍ୟ ଭୟ କରେ ନାହିଁ ।

 

ପାପୀର ମଧ୍ୟ ଆତ୍ମାପ୍ରତି ମମତା ରହିଛି । ଗୋଟିଏ ସୁନ୍ଦରୀ ସ୍ତ୍ରୀ ନିଜକୁ ଅଧିକ ସୁନ୍ଦରୀ କରିବାକୁ ଯେତେ ଯତ୍ନ କରେ ପାପୀ ନିଜର ଆତ୍ମାକୁ ଆନନ୍ଦ ଦେବାକୁ ତାହା ଅପେକ୍ଷା ଅଧିକ ଯତ୍ନ ନିଶ୍ଚୟ କରିଥାଏ ।

 

ପାପୀ ମଧ୍ୟ ପାପକୁ ସମୟ ସମୟରେ ଭୟ କରେ । ପାପପାଖରୁ ଦୂରେଇ ରହିବାକୁ ଇଚ୍ଛା କରେ; ମାତ୍ର ପାରେ କି ? ଯାହାର ଯାହା ଜନ୍ମଗତ ଓ ଅଭ୍ୟାସଗତ ତାକୁ ସେ ସହଜରେ କ’ଣ ଛାଡ଼ିପାରେ ?

 

ଏତେ ଦୂରାବସ୍ଥା ମଧ୍ୟରେ ସେ କେବେ ଶାରଦାକୁ ମନେ ପକାନ୍ତି । ଶାରଦାର ସାନ୍ନିଧ୍ୟ ଲୋଡ଼ନ୍ତି । ଶାରଦା ଇତି ମଧ୍ୟରେ ଦ୍ୱିତୀୟ ହୋଇ ଗଲାଣି । ସେ ବା କାହିଁକି ରଜତଚନ୍ଦ୍ରଙ୍କ ପାଖରେ ପଡ଼ିଥାନ୍ତା ? ତା’ର ସ୍ୱାର୍ଥ ସେ ହାସଲ କରିସାରିଛି । ଆଜି ରଜତଚନ୍ଦ୍ର ତାହାର କେହି ନୁହଁନ୍ତି । ତାଙ୍କର ଧନ ଅଛି, ନା ଯୌବନ ଅଛି, ନା ସମାଜରେ ପ୍ରତିପତ୍ତି ରହିଛି ଯେ ଶାରଦା ଲୋଭର ବଶବର୍ତ୍ତିନୀ ହୋଇ ପଡ଼ି ରହିଥାନ୍ତା । ସେ ତାହାର ଦେଖିଲା କାମ କରି ସାରିଛି ।

 

‘ନଈକୂଳ ଚାଷ, ପର-ସ୍ତ୍ରୀ ହସ, ୟାକୁ ନ କରିବ ଆଶ ।’ ଏହି ଋଷିବାକ୍ୟର ତାତ୍ପର୍ଯ୍ୟ ଏତେ ଦିନକେ ରଜତଚନ୍ଦ୍ର ବୁଝିଲେ । ପାଣି ବୋହିଗଲାପରେ ବନ୍ଧ ବାନ୍ଧିବା ନିଷ୍ପ୍ରୟୋଜନ ।

 

ବିନିଦ୍ର ରଜନୀ ଅନେକ ବିତିଯାଇଛି । ପ୍ରତି ରାତ୍ରିରେ ସେ ହାରାମଣିଙ୍କୁ ସ୍ୱପ୍ନରେ ଦେଖନ୍ତି । ହାରାମଣି ଅଶ୍ରୁସିକ୍ତ ମୁଖରେ ରଜତଚନ୍ଦ୍ରଙ୍କ ଶଯ୍ୟା ପାଖରେ ଛିଡ଼ା ହୁଅନ୍ତି । ରଜତଚନ୍ଦ୍ର କେତେ ନିବେଦନ କରି ଡାକନ୍ତି । କେତେ ନେହୁରା ହୋଇ କହନ୍ତି, ଦେବୀ ! ମୋତେ କ’ଣ କ୍ଷମା ଦେବ ନାହିଁ ।

 

ଯେଉଁ ଅପରାଧର କ୍ଷମା ନାଇଁ ତାକୁ ପୁଣି କ୍ଷମାଦେବ କିଏ ? ଯେ କ୍ଷମା ପାଇବାର ଯୋଗ୍ୟ ସେ କେବଳ କ୍ଷମା ପାଏ ।

 

ରଜତଚନ୍ଦ୍ର ମନ ମଧ୍ୟରେ ସିଦ୍ଧାନ୍ତ କରିନେଲେଣି ଯେ ସେ କ୍ଷମାର ପାତ୍ର ମୋଟେ ନୁହନ୍ତି । ସେ କେବଳ ଦୟାର ପାତ୍ର । ତାଙ୍କୁ ଦୟା ବା ଦେଖାଇବ କିଏ ? ଆକୁଳ କଣ୍ଠରେ ସେ ନିବେଦନ କରନ୍ତି ‘ହେ ମୃତ୍ୟୁ ! ମୋତେ ତୁମର ଅନନ୍ତ ବକ୍ଷରେ ଆଶ୍ରୟ ଦିଅ । ମୁଁ ଚାହେଁ ଟିକିଏ ମାତ୍ର ଆଶ୍ରୟ । ମୁଁ ଆଶ୍ରୟପ୍ରାର୍ଥୀ ।’’

 

ଅନେକ ଚିନ୍ତା କରିସାରିଲାପରେ ସେ ଠିକ୍‌ କଲେ ଆତ୍ମହତ୍ୟା କରିବା ବ୍ୟତୀତ ତାଙ୍କର ଅନ୍ୟ ପନ୍ଥା ନାହିଁ ।

 

ସେ ଚାଲିଯିବେ । ଦୁନିଆରେ ଆଉ କିଏ ଅଛି ଯେ ବିଷ୍ଣୁପଦର ହାନିଲାଭ ବୁଝିବ ?

 

ଏକମାତ୍ର ଅଛି ସୁମିତ୍ରା । ସୁମିତ୍ରା ପରଘରୀ । ତା’ ଉପରେ ବା ଏ ଗୁରୁ ଦାୟିତ୍ୱ କାହିଁକି ଲଦି ଦେଇଯିବେ ? ସୁମିତ୍ରା ତାଙ୍କର ଅନୁରୋଧ କାହିଁକି ବା ରକ୍ଷା କରିବ ? ସେ ସୁମିତ୍ରାପାଇଁ ବା କ’ଣ କରିଛନ୍ତି । ଯେଉଁମାନେ ଦୁନିଆରେ ବଞ୍ଚିବାର କୌଣସି ପନ୍ଥା ପାଆନ୍ତି ନାହିଁ ସେହିମାନେ ହିଁ ଦୁନିଆରୁ ବିଦାୟ ନେବାକୁ ଚାହାନ୍ତି ? ରଜତଚନ୍ଦ୍ର ବିଦାୟ ନେବା ଆଗରୁ ବିଷ୍ଣୁପଦର ଭବିଷ୍ୟତ୍‌ ସମ୍ବନ୍ଧରେ ଅନେକ ସମୟ ଧରି ଚିନ୍ତା କରିବାକୁ ଲାଗିଲେ । ବାରଆଡ଼ୁ ବାରପ୍ରକାର ଦୁଶ୍ଚିନ୍ତା ମନ ମଧ୍ୟରେ ସ୍ଥାନ ପାଇଲା । ଶେଷରେ ସେ ଲେଖିଲେ–

 

ହତଭାଗିନୀ ସୁମିତ୍ରା !

 

ତୋର ବୋଉ ଯେଉଁ ପଥରେ ଚାଲିଯାଇଛି ତାହା ହେଉଛି ଏକମାତ୍ର ସତ୍ୟ ଓ ଶାନ୍ତିର ପଥ । ମୁଁ ସେହି ପଥରେ ଚାଲିଲି । ତୋର ଅଧମ ପିତାକୁ କ୍ଷମାଦେବୁ । ବିଷ୍ଣୁପଦପାଇଁ ତୋତେ ଚିନ୍ତା କରିବାକୁ ପଡ଼ିବ ନାହିଁ । ମୋର ଯିବାଆଗରୁ ତା’ର ଜୀବନର ଶେଷ ଯବନିକା ମଧ୍ୟ ମୁଁ ନିଜ ଆଖିରେ ଦେଖିଯିବାକୁ ଭୁଲିବି ନାହିଁ । କାହା ପାଖରେ ବା ମାତୃହରା ଶିଶୁଟିକୁ ଛାଡ଼ିଦେଇ ଯାଆନ୍ତି-? ସେ ବଞ୍ଚିରହି ଦୁଃଖ ପାଇବ ?

 

ମୋର ପିତୃହୃଦୟ ତାହା କ’ଣ ସହ୍ୟ କରିପାରିବ ? ......ମୋର ଦୁଷ୍କୃତିର କ୍ଷମା ନାହିଁ । ତଥାପି ତୋ ପାଖରୁ କ୍ଷମା ଚାହେଁ ।

 

ତୋର

ହତଭାଗ୍ୟ ପିତା

 

X X X

 

ବିଷ୍ଣୁପଦର ଜୀବହୀନ ଶରୀର ଶୋଇବା ଘରର ଗୋଟିଏ କୋଣରେ ପଡ଼ି ରହିଥିଲା । ଗଳା ଉପରେ ପଡ଼ିଥିଲା ଦୁଇଟି ଅଙ୍ଗୁଳି ଚିହ୍ନ ଓ ରଜତଚନ୍ଦ୍ରଙ୍କର ଦେହଟି ଝୁଲୁଥିଲା ବିଷ୍ଣୁମନ୍ଦିର-ନିକଟସ୍ଥ ଆମ୍ବଡାଳରେ ।

 

ସୁମନ୍ତଙ୍କର କଲମ ଅଟକିଗଲା ସେହିଠାରେ କ୍ଷଣକ ସକାଶେ ।

 

ଛଅ

 

ସୁମନ୍ତ ମନେ ମନେ ଭାବୁଥିଲେ ସୁନନ୍ଦା ବଡ଼ ଲୋକର ଝିଅ । ଗେଲବସରରେ ବାପଘରେ ବଢ଼ିଥିଲା । ହେଲେ କପାଳ ଏତେ ହୀନ ଯେ ସୁଖ କ’ଣ ଜୀବନରେ ଜାଣି ପାରିଲା ନାହିଁ । ପୁଣି ସୁନନ୍ଦା କଥା ସେ ଆଉ ଭାବିବେ କାହିଁକି ? ଲେଖିବାକୁ ଲାଗିଲେ.....

 

ସୁମିତ୍ରା କାନ୍ଦନ୍ତି । କାନ୍ଦି କାନ୍ଦି ଆଖି ଫୁଲିଯାଏ । ସେ ନିଜକୁ ନିଜେ ସାନ୍ତ୍ୱନା ଦିଅନ୍ତି, ମାତ୍ର ଅମାନିଆ ମନ ମୋଟେ ମାନେ ନାହିଁ । ମନ କ’ଣ ଛୋଟ ଅବୁଝା ପିଲା ହୋଇଛି ଯେ ସହଜରେ ବୁଝିଯିବ ?

 

ରଜତଚନ୍ଦ୍ରଙ୍କର ବିୟୋଗ ପରେ ପରେ କୃଷ୍ଣାଦେବୀ ଅନେକଥର କଥାଛଳରେ କହିଲେଣି ‘‘ଧର୍ମ କ’ଣ ଦେଶରେ ନାହିଁ । ମୋ ପୁଅର ବିଭାଘର କେତେ ଜାଗାରେ ପଡ଼ିଥିଲା । ହେଲେ ଡାକୁ ଫାଶିଆରା କଥାରେ ପଡ଼ି ମୋର ସୁନାଘର ଚୂନା ହୋଇଗଲା ।’’

 

ପ୍ରତିକଥାରେ କୃଷ୍ଣାଦେବୀ ରଜତଚନ୍ଦ୍ରଙ୍କୁ ଦୋଷ ଦିଅନ୍ତି । ସତେ ଯେପରି ରଜତଚନ୍ଦ୍ର ଦାସଙ୍କ ପରିବାରର ବିପର୍ଯ୍ୟୟପାଇଁ ସର୍ବତୋଭାବେ ଦାୟୀ ।

 

ହାୟରେ ନାରୀ ! ତୁ ଯାହା ବୁଝିଥିବୁ ତାକୁ ଓଲଟ ପାଲଟ କରିବାର ଶକ୍ତି କାହାର ଅଛି-? ସେଥିପାଇଁକି ତୋର ଏଇ ସରଳ ବିଶ୍ୱାସର ସୁଯୋଗ ନେଇ ସମସ୍ତେ ତୋତେ ଜଗତ ଆଖିରେ ଅଦ୍ଭୁତଭାବେ ଚିତ୍ରଣ କରି ଥୋଇ ଦିଅନ୍ତି ?

 

ଶାଶୁଙ୍କର ଆଜି ଅନର୍ଗଳ ବକ୍ତୃତା ଚାଳିଛି । ସୁମିତ୍ରା ବା କରିବେ କ’ଣ ? ରମଣୀରଞ୍ଜନର ସ୍ୱଭାବ କାହାକୁ ଅଜଣା ? ଖାଇ ପିଇ ଶୋଇବା ହେଉଛି ତାଙ୍କ ଜୀବନର ପରମ ଲକ୍ଷ୍ୟ । କାମ ନାଁ ଶୁଣିଲେ ଭୟରେ ଛାନିଆହୁଅନ୍ତି । ସତେ ଯେପରି ବାଘ ଖାଇଯିବ ?

 

ଯେଉଁଠାରେ ମଣିଷ ଅପରର ଶ୍ରମ ଅପହରଣ କରି ବଞ୍ଚିବାର ଅପଚେଷ୍ଟା କରେ ସେହିଠାରେ ଭଗବାନ୍‌ ମଧ୍ୟ ବାଦ ସାଧନ୍ତି । କ୍ରମେ କ୍ରମେ ସବୁ ପ୍ରକାର ଅଶାନ୍ତିର ବୋଝ ସେହି ପରିବାର ଉପରେ ଲଦା ହୋଇଯାଏ । ଖାଇ ପିଇ ବଞ୍ଚିବା ବୋଧହୁଏ ମଣିଷ ଜୀବନର ଲକ୍ଷ୍ୟ ନୁହେଁ ? ମନୁଷ୍ୟତା ହେଉଛି ଜୀବନର ଏକମାତ୍ର ଲକ୍ଷ୍ୟ । ଯେଉଁ ମଣିଷ ମନୁଷ୍ୟତା ହରାଇ ବସେ ତେବେ କ’ଣ ସେ ପଶୁପଦବାଚ୍ୟ ?

 

ଦାସଙ୍କ ପରିବାରରେ ବୋଧହୁଏ ସମସ୍ତେ ପଶୁ । ତାହା ନ ହେଲେ ସେମାନେ ପ୍ରତିକଥାରେ ସୁମିତ୍ରାକୁ ଦୋଷ ଦିଅନ୍ତେ କାହିଁକି ? ଧୋବା ଠିକ୍‌ ସମୟରେ ଲୁଗା ନେବାପାଇଁ ଆସିଲା ନାହିଁ, ଗଉଡ଼ ଗାଈ ଫିଟାଇବାକୁ ଉଛୁର କଲା, ଶାଶୁଙ୍କର ଶ୍ୱାସରୋଗଟା ଭଲ ହେଉ ନାହିଁ, ଦେଢ଼ଶୁରଙ୍କର ରୋଜଗାର ଆଗ ଭଳି ହେଉ ନାହିଁ, ପାରୀ ଏବେ କାହାକୁ ମଣିଷ ବୋଲି ମାନୁ ନାହିଁ, ଏ ସମସ୍ତ ଦୁର୍ଯୋଗ କେବଳ ସୁମିତ୍ରାପାଇଁ ଘଟୁଅଛି ବୋଲି ଶାଶୁ ସବୁବେଳେ କହନ୍ତି । ସୁମିତ୍ରା ଯେଉଁ ଦିନରୁ ଏଇ ଘରେ ପାଦ ଦେଇଛନ୍ତି ସତେ ଯେପରି ଏ ଘରର ସୁଖ, ଶିରୀ ଉଭେଇ ଗଲା ?

 

କେବେ କେବେ କୃଷ୍ଣାଦେବୀ ଅଭିଯୋଗ କରନ୍ତି ଦୁନିଆରେ ମଣିଷ କିଏ ଅଛି ଯେ ତାଙ୍କ କଥା ଶୁଣିବ ? ସେ ଠାକୁରଙ୍କୁ ଜଣାନ୍ତି । ଯେ ଏତେ କୂଟ କପଟ ପାଞ୍ଚି ତାଙ୍କ ସଂସାରଟା ଛାରଖାର କରିଦେଲା ତାକୁ ଯେପରି ନରକରେ ମଧ୍ୟ ସ୍ଥାନ ନ ମିଳୁ । ତାଙ୍କ ମତରେ ରଜତଚନ୍ଦ୍ର ସବୁ ଅଶାନ୍ତିର ମୂଳ । ପୁଅସଙ୍ଗେ ଝିଅର କୋଷ୍ଠି ମୋଟେ ପଡ଼ି ନ ଥିଲା । କେବଳ ଝିଅ ବଡ଼ଘରେ ପଡ଼ିବ, ରାଣୀ ପରି ସୁଖଭୋଗ କରିବ, ସେଥିପାଇଁ ରାତାରାତି ନାହାକ ଡକାଇ ନୂଆ କରି ଝିଅର କୋଷ୍ଠି କରି ପଠାଇ ଦେଲେ । ମଣିଷଙ୍କୁ ପୁଣି ଏତେ ଛନ୍ଦ କପଟ ଆସେ ?

 

କୃଷ୍ଣାଦେବୀ ବୁଝନ୍ତି କୋଷ୍ଠି ହେଉଛି ସବୁଠାରୁ ବଡ଼ ଜିନିଷ । କୋଷ୍ଠି ନ ମିଳିଲେ ବିବାହ କରିବା ଅନୁଚିତ । ସେ ମନର ମେଳଠାରୁ କୋଷ୍ଠିର ମେଳକକୁ ବଡ଼ ବୋଲି କହନ୍ତି । ସେ କହନ୍ତି କୋଷ୍ଠି ମିଳିଲେ ମନ ଆପେ ମିଳିବ । ଗୋଟିଏ ଉତ୍ତୃଙ୍ଗ ପର୍ବତ ସଙ୍ଗେ କଳନାଦିନୀ ନିର୍ଝରିଣୀ, ଋକ୍ଷ ମରୁଭୂମି ସଙ୍ଗେ ଶ୍ୟାମଳ ବନାନୀର ବନ୍ଧୁତା ମଧ୍ୟ ସମ୍ଭବ ହୁଏ ଯଦି କୋଷ୍ଠି ମିଳିଥାଏ । ହାୟରେ ଅନ୍ଧବିଶ୍ୱାସ !

 

ଯେ ନ ବୁଝେ ତାକୁ ବୁଝାଇବ ବା କିଏ ? ଯେଉଁ ସ୍ଥାନକୁ ଦେବତା ଯିବାକୁ ଭୟ କରନ୍ତି ସେଠାକୁ କୃଷ୍ଣାଦେବୀଙ୍କ ଭଳି ମଣିଷ ଅତି ସହଜରେ ଯିବାକୁ ରାଜି ହୋଇଯିବ ।

 

ସୁମିତ୍ରା ବାପଘରେ ଥିଲାବେଳେ ସମସ୍ତେ ତାଙ୍କୁ, ଡାକୁଥିଲେ ‘ସୁମିତ୍ରା’ । କେହି କେହି ତାଙ୍କୁ ଡାକୁଥିଲେ ‘ଜେମାମଣି; କିନ୍ତୁ ଶାଶୁଘରେ ତାଙ୍କୁ କାହିଁକି ଜେମାମଣି ବା ଡାକିବେ ? ହେଲେ ସୁମିତ୍ରା ବୋଲି ତ ଡାକି ପାରନ୍ତେ ? ତାହା ମଧ୍ୟ କାହାରି ପାଟିରୁ ଶୁଭେ ନାହିଁ । ସମସ୍ତେ କହନ୍ତି ‘ସୁମି !’ ଶିଷ୍ଟାଚାର ଗୋଟାଏ ଯେ ଦୁନିଆରେ ଅଛି ତାହା କେହି ଏଠାରେ ଜାଣନ୍ତି ନାହିଁ ।

 

ରମଣୀରଞ୍ଜନ ଏତେ ପାଠ ପଢ଼ି ସୁଦ୍ଧା ନିଦାଘ ମୂର୍ଖ । ସାଧାରଣ ଜ୍ଞାନ ତାଙ୍କର ନାହିଁ କହିଲେ ଚଳେ । ବାହାରେ ସେ ଅନେକ ସମୟରେ ବାଜେ ଲୋକଙ୍କ ସଙ୍ଗେ ମିଳାମିଶା କରି ନାନାପ୍ରକାର ଅଶ୍ଳୀଳ ଗଳ୍ପ ଆରମ୍ଭ କରି ଆନନ୍ଦ ଉପଭୋଗ କରନ୍ତି; କିନ୍ତୁ ଘରକୁ ଆସିଲାମାତ୍ରେ ସେ ଅତି ଗମ୍ଭୀର ହୋଇ ଯାଆନ୍ତି । ସତେ ଯେପରି କିଏ ପାଞ୍ଚ ପଚିଶ ଖାଇ ଯାଇଛି ?

 

ଏହିଭଳି ଗୋଟିଏ ପୁରୁଷସଙ୍ଗେ କାଳ କାଟିବାକୁ ହେବ, ଏକଥା ସୁମିତ୍ରା କେବେ ସ୍ୱପ୍ନରେ ଭାବିଥିଲେ କି ? ସେ ପିଲାବେଳେ ବିଷ୍ଣୁ ମନ୍ଦିରରେ ବସି ଗୀତଗୋବିନ୍ଦ ପଢ଼ୁଥିଲେ । ଏବେ ସୁଦ୍ଧା ସେ ପଦଟି ମନେ ଅଛି । ଶ୍ୟାମଙ୍କର ନଟବର ବେଶ, ଅଧରକୋଣରେ କୁଟୀଳ ହସ, ନୟନରେ ଆଶାୟୀ ଚାହାଣି । ଚନ୍ଦ୍ରାବଳୀ କୁଞ୍ଜରୁ ଫେରିଛନ୍ତି ।

 

ସେ ବିଶେଷ କିଛି ଭାବି ପାରିଲେ ନାହିଁ । ଆଖିରେ ଅଶ୍ରୁର ବନ୍ୟା । ବହୁ କଷ୍ଟରେ ଅଶ୍ରୁ ସମ୍ବରଣ କଲେ ।

 

ତାଙ୍କର ବାପଘରେ ବିରାଡ଼ିଛୁଆଟିଏ ମଧ୍ୟ ନାହିଁ । ସମସ୍ତେ ଚାଲିଯାଇଛନ୍ତି । ସୁମିତ୍ରା ମଧ୍ୟ ଅନେକଥର ଚିନ୍ତା କଲେଣି ଇହଧାମରୁ ବିଦାୟ ନେଇ ଚାଲିଯିବାକୁ, ମାତ୍ର ସେ ନିଜକୁ ପ୍ରବୋଧ ଦେଇ କହନ୍ତି ‘ଯାହା ଭୋଗିବାର ଅଛି ତାହା ଏହି ଜନ୍ମରେ ହିଁ ଶେଷ ହୋଇଯାଉ । ପୁଣି ଅନ୍ୟ ଜନ୍ମପାଇଁ ବାକି କାହିଁକି ରହିବ ?’

 

ରମଣୀରଞ୍ଜନ ସୁମିତ୍ରାଙ୍କ ପଛପଟରେ କେବେ କେବେ ଅନେକ ସମୟ ଧରି ଛିଡ଼ା ହୁଅନ୍ତି । ସୁମିତ୍ରା ମୋଟେ ରମଣୀରଞ୍ଜନଙ୍କ ଉପସ୍ଥିତି ସହ୍ୟ କରିପାରନ୍ତି ନାହିଁ । ତଥାପି ତାଙ୍କୁ ଇଚ୍ଛା ବିରୁଦ୍ଧରେ ହସିବାକୁ ହେବ । ଅନ୍ତରର ସମସ୍ତ ବେଦନା ଚାପି ରଖି ଦୁନିଆ ଆଗରେ ତାଙ୍କୁ ଦେଖାଇ ହେବାକୁ ପଡ଼ିବ ଯେ- ‘‘ସେ ସଂସାରରେ ସୁଖୀ’’ ସେ ଅନେକ ସମୟରେ ସାହି ପଡ଼ିଶାଘର ସମବୟସୀଙ୍କ ଆଗରେ ନିଜର ଭାଗ୍ୟର ବଡ଼ିମା ଦେଖାଇ କହନ୍ତି, ‘‘ବହୁତ ଭାଗ୍ୟ ଥିଲେ ଯାଇ ଏ ଭଳି ସ୍ୱାମୀ, ଏ ଭଳି ଘର ମିଳେ । ସେ ଯେଉଁ ସୁଖର ଅଧିକାରିଣୀ ତାହା କ’ଣ ସମସ୍ତଙ୍କ ଭାଗ୍ୟରେ ଘଟେ ?’’

 

ତାଙ୍କର ଆତ୍ମାର ଆକୁଳ-କ୍ରନ୍ଦନ ଦୁନିଆ ବୁଝେ ନାହିଁ । ପଡ଼ିଶାଘର ସ୍ତ୍ରୀମାନେ ସୁମିତ୍ରାଙ୍କ କଥା ଶୁଣି କହନ୍ତି, ସତରେ ଭଉଣୀ ! ଏ ଘର, ଏ ବର ଅତି ଭାଗ୍ୟରେ ଥିଲେ ଯାଇ ମିଳେ । ସବୁ ତୁମ ପୂର୍ବ ଜନ୍ମର ସୁକୃତ । କେଉଁ କଥା ବା ତୁମର ଅଭାବ ? ସ୍ୱର୍ଗ କ’ଣ ଆଉ ଗଛରୁ ଫଳେ ?’’

 

ପଡ଼ିଶାଘର ସ୍ତ୍ରୀମାନେ ଚାଲିଗଲା ପରେ ସୁମିତ୍ରା ହସି ହସି ଗଡ଼ି ଯାଆନ୍ତି । ପ୍ରକୃତରେ ଲୋକଗୁଡ଼ାକ କେଡ଼େ ବୋକା । ଏତେ ସହଜରେ ସେ ଯେ ଏମାନଙ୍କୁ ବୋକା ବନାଇ ବିଦା କରି ଦେଇ ପାରିଲେ ସେଥିପାଇଁ ସୁମିତ୍ରା ନିଜକୁ ମନେ ମନେ ଧନ୍ୟବାଦ୍‌ ଦିଅନ୍ତି ।

 

ସେ କାହାକୁ ପ୍ରତାରଣା କଲେ ? ସେ ନିଜେ କ’ଣ ନିଜ ପାଖରେ ହାରିଯାଇ ନାହାନ୍ତି-? ସେ ନିଜେ କ’ଣ ନିଜକୁ ଠକୁ ନାହାନ୍ତି ? ସେ ନିଜର ଆତ୍ମା ପାଖରେ କ’ଣ ନିଜକୁ ଛୋଟ କରି ଦେଉ ନାହାନ୍ତି ?

 

କେହି ତାଙ୍କୁ ଚିହ୍ନି ନ ପାରୁ ? କେହି ତାଙ୍କର ଆତ୍ମାର ବ୍ୟାକୁଳ କ୍ରନ୍ଦନ ଶୁଣି ନ ପାରୁ ? ତାଙ୍କର ଛାତିର କଲିଜା ଉପରେ ଯେଉଁ ଦାଗ ରହିଛି ତାହା କାହାରି ଆଖିରେ ନ ପଡ଼ୁ; କିନ୍ତୁ ସେ ନିଜକୁ ନିଜେ ତ ଚିହ୍ନିଛନ୍ତି । ନିଜକୁ ଜାଣିଛନ୍ତି । ସେ ଆଜି ଅଭିନୟ କରନ୍ତି । ଏ ଅଭିନୟର କ’ଣ ଶେଷ ନାହିଁ ?

 

ରମଣୀରଞ୍ଜନଙ୍କର ରୂପରେ ମୁଗ୍‌ଧ ନୁହଁନ୍ତି । ରମଣୀରଞ୍ଜନଙ୍କ ଭାଷାରେ ସେ ସନ୍ତୋଷ ଲାଭ କରି ପାରନ୍ତି ନାହିଁ । ତାଙ୍କର ବ୍ୟବହାରରେ ସେ ଆତ୍ମପ୍ରସାଦ ଅନୁଭବ କହି ପାରନ୍ତି ନାହିଁ । ତଥାପି ସେ କହନ୍ତି ‘‘ମୁଁ ତୁମକୁ ଜୀବନ ଦେଇ ଭଲପାଏ । ତୁମର ଓ ମୋ ମଧ୍ୟରେ କେବଳ କାୟା ଦୁଇଟିର ପ୍ରଭେଦ । ମାତ୍ର ଆମ ଦୁହିଙ୍କର ଆତ୍ମା ଏକ, ମନ ଏକ, ଏ ସମ୍ପର୍କ ଏ ଜନ୍ମର ନୁହେଁ । ବହୁଜନ୍ମର ସମ୍ପର୍କ ପୁଣି ବହୁ ଜନ୍ମପାଇଁ ମଧ୍ୟ ରହିବ ।’’

 

ସେ ନିଜେ ଭୟରେ ଥରି ଉଠନ୍ତି । ଥରି ଥରି ଡାକନ୍ତି ‘‘ହେ ଭଗବାନ୍‌ ! ମୋତେ କ୍ଷମା ଦିଅ । ମୁଁ ସମାଜ-କାରାରେ ଆଜି କାରାରୁଦ୍ଧ । ସମାଜର ଅର୍ଗଳ ଭାଙ୍ଗି ଦୂରକୁ ଚାଲି ଯିବାର ଶକ୍ତି ଆଜି ମୋର ନାହିଁ । ସମାଜରେ ରହିବାପାଇଁ ମୁଁ ଭଣ୍ତାମି କରେ । ମୁଁ ମିଥ୍ୟାର ଆଶ୍ରୟ ନିଏ । ମୁଁ ଛଳନା କରେ । ଏହା ବ୍ୟତୀତ ମୋର ଅନ୍ୟ ଉପାୟ ନାହିଁ । ତୁମେ ଅନ୍ତର୍ଯ୍ୟାମୀ, ତୁମେ ସମସ୍ତଙ୍କର ଅନ୍ତର ବେଦନା ଜାଣ । ମୋତେ କ୍ଷମା କରିବ ନାହିଁ ?

 

ଯେ ରଙ୍ଗମଞ୍ଚରେ ଝିଲମିଲ ପୋଷାକ ପିନ୍ଧି ପ୍ରେମିକ ସମ୍ରାଟ୍‌ ସାହାଜାହାନର ଅଭିନୟ କରେ ସେ କ’ଣ ତେବେ ପ୍ରକୃତରେ ସାହାଜାହାନ ନୁହେଁ ? ସୁମନ୍ତ କଲମ ଥୋଇ ଦେଇ କ୍ଷଣକାଳ ଏହି କଥା ଚିନ୍ତା କଲେ ।

 

ସୁନନ୍ଦା ମଧ୍ୟ ଦିନେ ତାଙ୍କୁ ବାହୁପାଶରେ ଆବଦ୍ଧ କରି କହିଥିଲା ତୁମେ ମୋର ସବୁ । ତୁମର ସ୍ନେହଠାର ମୋର ସତୀତ୍ୱ କୌଣସି ଗୁଣରେ ବଡ଼ ନୁହେଁ । ତୁମର ସ୍ନେହପାଇଁ ମୁଁ ମୋର ସମସ୍ତ ତ୍ୟାଗ କରିବାକୁ ପ୍ରସ୍ତୁତ । ମୋର ସତୀତ୍ୱ ରକ୍ଷା କରିବାକୁ ମୁଁ ମୋଟେ ବ୍ୟାକୁଳ ନୁହେଁ । ତୁମର ସ୍ନେହପାଇଁ ଆଜି ମୁଁ ବ୍ୟାକୁଳ ।

 

ଏ ସବୁ କ’ଣ ତେବେ ଅଭିନୟ ? ସୁମିତ୍ରା ଯେପରି ରମଣୀ-ରଞ୍ଜନଙ୍କ ଆଗରେ ଅଭିନୟ କରନ୍ତି ଠିକ୍‌ ସେହିପରି ଅଭିନୟ କ’ଣ ସୁନନ୍ଦା ତାଙ୍କ ପାଖରେ କରିଥିଲା ?

 

ନିଜର ପ୍ରଶ୍ନର ଉତ୍ତର ନିଜକୁ କ’ଣ ଦେବାକୁ ପଡ଼ିବ ? ସୁମନ୍ତ କିଛିକ୍ଷଣ ସ୍ଥାଣୁ ଭଳି ବସି ରହିଲେ । ପୁଣି ଲେଖିଲେ...

 

ପ୍ରତିରାତ୍ରିରେ ସୁମିତ୍ରା ତାଙ୍କର ସେହି ମନର ମଣିଷଟିକୁ ଖୋଜନ୍ତି । ସେ ଖୋଜି ଖୋଜି ବ୍ୟସ୍ତ ହୋଇ ପଡ଼ନ୍ତି, ମାତ୍ର ସେ ମଣିଷ ଆସେ ନାହିଁ କିମ୍ବା ସେ ସୁମିତ୍ରାକୁ ବାହୁ ବନ୍ଧନରେ ବନ୍ଦୀ କରେ ନାହିଁ । ସେ ମଣିଷଟି ବଦଳରେ ସୁମିତ୍ରା ପାଆନ୍ତି ରମଣୀରଞ୍ଜନଙ୍କୁ । ସେ କ’ଣ କେବେ ଗୋଟାଏ ହୃଦୟହୀନ ମୂକ ଅକର୍ମଶିଳାର ପ୍ରେମ କାମନା କରିଥିଲେ ?

 

ପ୍ରେମ !! ଦେହ ସଙ୍ଗେ ଦେହର ମିଳନରୁ କ’ଣ ତାହାର ଜନ୍ମ ? ଯଦି ପ୍ରକୃତରେ ତାହା ନୁହେଁ ତେବେ ଦେହପାଇଁ ମଣିଷ ଏତେ ପାଗଳ ହୁଏ କାହିଁକି ? ମଣିଷ କ’ଣ ତେବେ ଗୃଧ୍ରଭଳି ଅନ୍ୟ ଗୋଟାଏ ଦେହ ଖୋଜେ ? ପ୍ରେମ ଶବ୍ଦର ତାତ୍ପର୍ଯ୍ୟ କ’ଣ କେବଳ ଦେହସଙ୍ଗେ ଦେହର ମିଳନରୁ ହିଁ ଜଣାପଡ଼େ ?

 

ସୁମିତ୍ରା ଏହି ପ୍ରଶ୍ନ ନିଜକୁ ପଚାରନ୍ତି । ଉତ୍ତର ସେ ବୋଧହୁଏ ପାଆନ୍ତି ନାହିଁ ।

 

ସେ ଅନେକ ସମୟରେ ଭାବନ୍ତି ତାଙ୍କ କର୍ମକୁ ତାଙ୍କର ବାପ ହେଲେ ଭଗାରି । ହାରାମଣିଙ୍କ କଥାରେ ଯଦି ବାପା ରାଜି ହୋଇ ତାଙ୍କୁ ଏଠାରେ ବିଭା ଦେଇ ଥାନ୍ତେ ତେବେ ତାଙ୍କୁ ମରଣ-ଯନ୍ତ୍ରଣା କାହିଁକି ବା ଭୋଗ କରିବାକୁ ପଡ଼ିଥାନ୍ତା ?

 

ଅଶୋକବନରେ ସୀତାଙ୍କ କଥା ମନେ ପଡ଼ିଲେ ସେ ଆଖିରୁ ଲୁହ ପୋଛନ୍ତି । ନିଜର ଦୁଃଖ ସେ କାହାକୁ କହିବେ ? କିଏ ବା ବିଶ୍ୱାସ କରିବ ? ଯିଏ ଶୁଣିବ ସେ ହସିବ ନାହିଁକି ? ପାଟି ଖୋଲି କହିବାକୁ ସ୍ତ୍ରୀକୁ ପୁଣି ଅଧିକାର କିଏ ଦେଲା ଯେ ସେ ଆଜି ଦମ୍ଭଧରି କହିବେ ଏ ଘରେ ସେ ଶାନ୍ତି ପାଉ ନାହାନ୍ତି ? ପାଟି ଖୋଲି ପେଟକଥା କହିବା ପରା ସ୍ତ୍ରୀଙ୍କୁ ଶାସ୍ତ୍ରରେ ମନାଅଛି । ଏଣୁ ସେ ମନର ଭାବବ୍ୟକ୍ତ କରିବାକୁ ଅକ୍ଷମ । ନୀରବରେ ସେ ସବୁ ସହ୍ୟ କରିବାକୁ ଜାତ ହୋଇଛନ୍ତି ।

 

ତିଳ ତିଳ ହୋଇ ଜଳି ପୋଡ଼ି ମରିବାପାଇଁ ଯାହାର ଜନ୍ମ ତାହାର ପୁଣି ନିଜର ଗୋଟାଏ ଇଚ୍ଛା ଅଛି ?

 

ଦିନେ ରମଣୀରଞ୍ଜନ ହଠାତ୍‌ କହିଲେ ‘‘ସୁମି ! ଖୁବ୍‌ ଅଳ୍ପ ଦିନ ମଧ୍ୟରେ ମୋତେ ଏଠାରୁ ଚାଲି ଯିବାକୁ ହେବ ।’’

 

କୁଆଡ଼େ ଯିବେ ? କାହିଁକି ଯିବେ ? ଏ ସମସ୍ତ ନ ପଚାରି ସୁମିତ୍ରା ମନମଧ୍ୟରେ କହିଲେ ‘‘ଦୁନିଆରେ ସତରେ କ’ଣ ଠାକୁର ଦେବତା ଅଛନ୍ତି ?’’

 

ରମଣୀରଞ୍ଜନ ଭାବିଥିଲେ ସୁମିତ୍ରା ବୋଧହୁଏ ବ୍ୟସ୍ତ ହୋଇ ଉଠିବେ । ଅନୁନୟ କରି କହିବେ ନା, ନା, ତାହା ହେବ ନାହିଁ । ତୁମକୁ ଛାଡ଼ି ମୁଁ ମୋଟେ ଚଳି ପାରିବି ନାହିଁ ।

 

କାର୍ଯ୍ୟକ୍ଷେତ୍ରରେ ତାହା ଘଟିଲା ନାହିଁ । ସୁମିତ୍ରାର ମନର ଭାବ କୌଣସିପ୍ରକାରେ ପରିବର୍ତ୍ତନ ମଧ୍ୟ ହେଲା ନାହିଁ ।

 

ରମଣୀରଞ୍ଜନ ପୂର୍ବାପେକ୍ଷା ସ୍ୱରକୁ ଦୁଇଗୁଣ ବଢ଼ାଇ କହିଲେ ‘‘କ’ଣ ଶୁଭୁନାହିଁ କି ? ମୋତେ ଅଳ୍ପ ଦିନ ମଧ୍ୟରେ ଏଠାରୁ ପରା ଚାଲି ଯିବାକୁ ହେବ ।’’

 

‘‘ଯିବ ତ ଯିବ । ମୋତେ ପୁଣି ପଚାରୁଛ କିଆଁ ? ଏତିକି କହି ସୁମିତ୍ରା ମଥା ପୋତିଲେ-

 

କଥା କମ୍‌ କହିବା ହେଉଛି ରମଣୀରଞ୍ଜନଙ୍କର ଅଭ୍ୟାସ । ସ୍ତ୍ରୀମାନଙ୍କ ପାଖରେ ସେ ଖୁବ୍‌ ଅଳ୍ପ କଥାବାର୍ତ୍ତା କରନ୍ତି । ସତେ ଯେପରି ସ୍ତ୍ରୀମାନଙ୍କ ସଙ୍ଗେ ଆଳାପ ଆଲୋଚନା କଲେ ତାଙ୍କର ସମ୍ମାନ ତଳେ ପଡ଼ିଯିବ ?

 

ରମଣୀରଞ୍ଜନ ଆଉ ରାମ କି ବିଷ୍ଣୁ ବୋଲି କହିଲେ ନାହିଁ । ସ୍ତ୍ରୀକୁ ବା ଅଧିକା କହିବା ପ୍ରୟୋଜନ କ’ଣ ? ଖାଲି ଶୁଣାଇ ଦେଲେ । ସେୟା କ’ଣ ଯଥେଷ୍ଟ ନୁହେଁ ?

 

ପୁରୁଷ ପୁଅ । ବସି ବସି ବା କେତେଦିନ ଖାଇବେ ? କୌଣସି ରୋଜଗାର-ପତ୍ର ନାହିଁ-। ଚାରିଟା ପଇସା ଦରକାର ପଡ଼ିଲେ ମଧ୍ୟ ଭାଇ, ଭାଉଜଙ୍କ ପାଖରେ ହାତ ପାତିବାକୁ ପଡ଼ୁଛି । ସେମାନେ ମନେ ମନେ ବିରକ୍ତ ହେବେଣି, ମାତ୍ର ଉପ୍ରୋଧ ରଖି ମୁହେଁ ମୁହେଁ କିଛି କହି ପାରୁ ନାହାନ୍ତି । ସେମାନେ ସିନା କିଛି କହୁ ନାହାନ୍ତି । ପାରୀ ଜରିଆରେ ସବୁ କୁହା କରାଉଛନ୍ତି ।

 

ପାରୀ ଅନେକ ଥର ଦେଖାଇ ଦେଖାଇ କହିଲାଣି । ମଣିଷ ପାଠ ପଢ଼ି ଯଦି ରୋଜଗାର ନ କଲା ପାଠ ପଢ଼ିବାର ମୂଲ୍ୟ କ’ଣ ? ପୁରୁଷପିଲା ହୋଇ ଯଦି ଦେଶ ବିଦେଶ ନ କଲ ଦୁନିଆ ବାହାରର ଖବରା-ଖବର ନ ରଖିଲ, ପାଞ୍ଚ ଜଣରେ ଜଣେ ନ ହେଲ ତେବେ ପୁରୁଷପିଲା ହୋଇ ଜନ୍ମହେବାର ମୂଲ୍ୟ କ’ଣ ରହିଲା ?’’

 

ପାରୀ କାନ୍ଥକୁ ଦେଖାଇ, ବାଡ଼କୁ ଦେଖାଇ କହୁଥିଲା । ସେଦିନ ସୁମିତ୍ରାକୁ ମୁହେଁ ମୁହେଁ କହିଲା ‘‘ସାନବୋହୂ ! ମଣିକୁ କହୁନ କୁଆଡ଼େ ଚାକିରି-ବାକିରି ଗୋଟାଏ ଦେଖନ୍ତା । ବସିକରି ଖାଇଲେ ନଈବାଲି ମଧ୍ୟ ଅଣ୍ଟେ ନାଇଁ । ସେ ଦିନ ମାଧ କହୁଥିଲା ଯୋଡ଼େ ପେଟ । ନଅଣ୍ଟ ଯୁଗକୁ ସେ ଏକା ସମ୍ଭାଳିବ କେତେ ? ଝର ପଶିଲେ ଯାଇ ଘର ।’’

 

ସୁମିତ୍ରା କୌଣସି ଜବାବ୍‌ ଦେଲେ ନାଇଁ । ପାରୀକୁ ହତାଦର ? ପାରୀ କ’ଣ ଏତେ ସହଜରେ ସହିଯିବ ? ପୁଣି ସେ କହିଲା ‘‘ମୋ କଥା ଶୁଭୁଛି ତ ?’’

 

ତଥାପି ସୁମିତ୍ରା ନିରୁତ୍ତର । ସେ କିଛି ନ କହି ସେଠାରୁ ଚାଲି ଯିବାକୁ ବସିଲେ । ପାରୀ ନଛୋଡ଼ବନ୍ଧା । ସେ ରାଗରେ ତମ ତମ ହୋଇ କହିଲା ‘‘ମାଧ ମୋର ଖଟି ଖଟି ରହିଗଲାଣି । ସତେ ଯେପରି ସେ ତମ୍ବା ପଟାରେ ଲେଖି ପଢ଼ି ଦେଇଛି ଯେ ସମସ୍ତଙ୍କୁ ଖୁଆଇ ପିଆଇ ଫୁର୍ତ୍ତିରେ ରଖିବ ।’’

 

ରମଣୀରଞ୍ଜନ ଘଟଣାସ୍ଥଳରେ ଉପସ୍ଥିତ । ପାରୀକୁ ଗୋଟାଏ ଆଳ ମିଳିଗଲା । ସେ କହିଲା ‘‘ହଇରେ ମଣି ! ତୋତେ କାଖେଇ କୁଣ୍ଢେଇ ମୁଁ ମଣିଷ କରିଛି । ତୋତେ ପରା ମୁଁ ଦେଖି ସହି ପାରୁ ନାହିଁ ବୋଲି ମୁଁ ଚାହୁଁଛି ଯେ ତୁ ଘର ଛାଡ଼ି ବିଦେଶକୁ ଯାଆ । ଦାସେ ଯାହା ଥୋଇ ଯାଇଛନ୍ତି...ଛାଡ଼ ସେ କଥା ।’’

 

ରମଣୀରଞ୍ଜନ ବୁଝି ସୁଝିବା-ନରଟିଏ । ସେ ଶୁଣିଲାମାତ୍ରେ ଖପା ହୋଇ କହିଲେ ‘‘ବୁଝିଲୁ ପାରୀ ! ଦୁର୍ଯ୍ୟୋଗ ନ ଥିଲେ ମଣିଷ କର୍ମରେ ଏଭଳି ସ୍ତ୍ରୀ ଯୁଟେ ନାହିଁ । ସବୁ କର୍ମର ଦୋଷ । ତୁମ୍ଭେମାନେ କାହିଁକି ଚାହିଁବ ମୁଁ ଏ ଘରୁ ଚାଲିଯାଏ । ଯେ ଚାହୁଁଛି ମୁଁ ଜାଣେ । ମୁଁ ଖୁବ୍‌ ଶୀଘ୍ର ଚାଲି ଯାଉଅଛି । ତୁମ୍ଭେମାନେ ନିଶ୍ଚିନ୍ତରେ ରୁହ ।

 

ସୁମିତ୍ରା ମନେ ମନେ ଭାବୁଥିଲେ ‘‘ଭଗବାନ୍‌ କ’ଣ ସତରେ ପେଚାକୁ ସୁବୁଦ୍ଧି ଦେବେ ଯେ ସେ ଆଖି ଖୋଲି ଦିନର ଆଲୋକ ଦେଖି ମୁଗ୍‍ଧ ହେବ ?’’

 

‘‘କିରେ ତୁ କ’ଣ ଏକା ଏକା ଯିବୁ । ସାନବୋହୂ କ’ଣ ସଙ୍ଗରେ ଯିବ ନାହିଁ ?’’ ଏତିକି ପଚାରି ପାରୀ ରମଣୀରଞ୍ଜନଙ୍କୁ ଅନାଇଲା ।

 

‘‘ଯାହାପାଇଁ ଏ ସବୁ ନାଟ, ତାମସା ସେ ନ ଗଲେ କ’ଣ ଚଳିବ ?’’ କହି ରମଣୀରଞ୍ଜନ ପଦାକୁ ବାହାରି ଗଲେ ।

 

ସୁମିତ୍ରା ସବୁ ଶୁଣୁଥିଲେ । ପାଟି ଫିଟାଇଲେ ପ୍ରଳୟ । ସେ ବିଶେଷ ଦରକାର ନ ପଡ଼ିଲେ କାହାରିକୁ କିଛି କହନ୍ତି ନାହିଁ । ଯେଉଁ ଘରେ ସ୍ୱାମୀ ଅମଣିଷ ସେଠାରେ ପୁଣି ସ୍ତ୍ରୀର ଆଦର କାହିଁ ?

 

ସୁମିତ୍ରା ଜାଣି ସାରିଲେଣି ଏ ଘରେ ତାଙ୍କୁ କେହି ଦେଖି ସହିପାରନ୍ତି ନାହିଁ । ଯେତେ ଶୀଘ୍ର ରମଣୀରଞ୍ଜନ ବାହାରକୁ ଯିବେ ସେତେ ଶୀଘ୍ର ତାଙ୍କୁ ମୁକ୍ତି ମିଳିବ । ସେଏହି ନରକପୁରୀରୁ ଉଦ୍ଧାର ପାଇବେ । ନରକପୁରୀରୁ ସିନା ଉଦ୍ଧାର ପାଇବେ; କିନ୍ତୁ ଯମ ଯାତନାରୁ କ’ଣ ରକ୍ଷା ମିଳିବ-?

 

ବିଭା ନ ହୋଇଥିବା ଆଗର କଥା । ଗାଁ-ଦାଣ୍ତରେ ସମବୟସୀ ମେଳରେ ଧୂଳି ଖେଳୁ ଖେଳୁ ଦିନେ ପ୍ରତିଭା କହିଲା ‘‘ବଉଳ ! ପୁରୁଷ ଯେତେ ଅସୁନ୍ଦର ହେଲେ ମଧ୍ୟ ସେ ଗୋଟାଏ ସୁନ୍ଦରୀ ସ୍ତ୍ରୀ କାହିଁକି ଖୋଜେ ?’’

 

ସୁମିତ୍ରା କୌଣସି ଉତ୍ତର ଦେଇ ନ ଥିଲେ । କେବଳ ସେ ଚିନ୍ତା କରୁଥିଲେ ଅନ୍ଧ ଦପର୍ଣରେ ନିଜର ପ୍ରତିବିମ୍ବ ଦେଖିବାକୁ କ’ଣ ଲାଳାୟିତ ନୁହେଁ ?

 

ପ୍ରତିଭା ସୁମିତ୍ରାପାଖରୁ ଗୋଟାଏ ସିଧାସଳଖ ଉତ୍ତର ପାଇବାକୁ ଆଶା ରଖିଥିଲା । ସୁମିତ୍ରା କୌଣସି ଜବାବ୍‌ ନ ଦେବାରୁ ପୁଣି ପଚାରିଲା ‘‘ଯେଉଁମାନେ ଅସୁନ୍ଦର ସେମାନଙ୍କର ସୌନ୍ଦର୍ଯ୍ୟ ଜ୍ଞାନ ଅଛି ତ ?’’

 

ସୁମିତ୍ରା ନୀରବତା ଭଙ୍ଗ କରି କହିଲେ ‘‘ତେବେ ତୁମେ କ’ଣ କହିବାକୁ ଚାହଁ କେବଳ ସୁନ୍ଦର ପୁରୁଷଙ୍କର ସୁନ୍ଦରୀ ସ୍ତ୍ରୀ ପାଇବାରେ ଅଧିକାର ରହିଛି ?’’

 

‘‘ଯିଏ ଯାହା ନୁହେଁ ତାହା ସେ ଖୋଜିବ କାହିଁକି ? ଶବର ମୋତିର ମୂଲ୍ୟ କ’ଣ ବୁଝେ-?

 

ସୁମିତ୍ରା ଦୀର୍ଘଶ୍ୱାସ ତ୍ୟାଗ କରି କହିଥିଲେ ‘‘ଯଦି ମୋତି କେତେ ଶବର ହାତରେ ପଡ଼ିଯାଏ ?’’

 

‘‘ମୋତିର ଦୁର୍ଭାଗ୍ୟ ଛଡ଼ା ଆଉ କିଛି ନୁହେଁ ବୋଲି ଧରି ନେବାକୁ ହେବ’’ କହିଲା ପ୍ରତିଭା ।

 

ସୁମିତ୍ରାର ଆଖି ଛଳ ଛଳ ହୋଇଗଲା । ସେ କହିଲେ ‘‘ଭାଗ୍ୟକୁ ଆଦରି ମୋତିକୁ ତ ପୁଣି ସବୁ ସହି ଯିବାକୁ ପଡ଼ିବ ?’’

 

‘‘ତଥାପି ରାଜ-ମୁକୁଟରେ ସ୍ଥାନ ପାଇବାକୁ କ’ଣ ମୋତି ମନମଧ୍ୟରେ ଆଶା ରଖି ନ ଥିବ ?’’ କହି ପ୍ରତିଭା ସୁମିତ୍ରାର ମୁହଁକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନାଇଲା ।

 

‘‘ଯଦି ରାଜ-ମୁକୁଟର ସନ୍ଧାନ ଯେ ସାରା ଜୀବନ ମଧ୍ୟରେ ପାଇ ନ ପାରେ ?’’

 

‘‘ମୋତି ହୋଇ ଜନ୍ମଲାଭ କରିବା ହେଉଛି ତା’ପ୍ରତି ବିଧାତାଙ୍କର ଚରମ ଅଭିଶାପ’’ କହି ପ୍ରତିଭା ଲୁଗା କାନିରେ ଆଖିରୁ ଲୁହ ପୋଛିଲା ।

 

ସେ ଅଭିଶାପ ତ ଭଗବାନ ଆଉ ତା’ ଭାଗରେ ଲିହି ନାହାନ୍ତି ? ଏୟା ଭାବି ସୁମିତ୍ରା ଭୟରେ ଥରି ଉଠିଥିଲେ ।

 

ପ୍ରତିଭା ବିଭା ହୋଇ ଶାଶୁଘରକୁ ଯାଇଛି । ତା’ର ସ୍ୱାମୀ ତାକୁ କ୍ଷଣକପାଇଁ ଆଖିରୁ ଅନ୍ତର କରନ୍ତି ନାହିଁ । ଥଟ୍ଟା ପରିହାସରେ ପ୍ରତିଭାର ଦିନ କଟି ଯାଏ । ସେ ବାପଘର ଓ ଶାଶୁଘର ତଫାତ୍ ମୋଟେ ବୁଝିପାରେ ନାହିଁ । ପ୍ରତିଭା ତା’ର ମନ ଜାଣି ସ୍ୱାମୀ ପାଇଛି । ସ୍ୱାମୀର ରୂପ ଗୁଣକୁ ବଳେ । ଅସୁବିଧା ମଧ୍ୟରେ କେବେ କିମିତି ଅଭାବ ପଡ଼େ; କିନ୍ତୁ କାହିଁ ପ୍ରତିଭା ତ ସେଥିପାଇଁ କେବେ ହେଲେ ମନ ମଧ୍ୟରେ ଦୁଃଖ କରିନାହିଁ ।

 

ଦୁଃଖୀ ଦୁନିଆରେ ଅନେକ କିସମର ଦେଖାଯାନ୍ତି । କିଏ ଅନ୍ନରେ ଦୁଃଖୀ ତ କିଏ ବସ୍ତ୍ରରେ ଦୁଃଖୀ । ଅନ୍ନ ବସ୍ତ୍ରର ଦୁଃଖଠାରୁ ଦୁନିଆରେ ଆହୁରି ଏକ ପ୍ରକାର ଦୁଃଖ ରହିଛି । ତାହା ହେଉଛି ପୁରୁଶପକ୍ଷରେ ମୁଖରା ସ୍ତ୍ରୀ ଓ ସ୍ତ୍ରୀ ପକ୍ଷରେ ନିର୍ବୋଧ ସ୍ୱାମୀ । ଅନ୍ନବସ୍ତ୍ରର ଦୁଃଖ ସହ୍ୟ କରିହୁଏ; କିନ୍ତୁ ମୁଖରା ସ୍ତ୍ରୀର ଦୌରାତ୍ମ୍ୟ ପୁରୁଷ ଯେପରି ସହ୍ୟ କରିବାରେ ନାହିଁ ଠିକ୍‌ ସେହିପରି ନିର୍ବୋଧ ସ୍ୱାମୀର ସ୍ନେହ ମଧ୍ୟ ସ୍ତ୍ରୀ ସହ୍ୟ କରିପାରେ ନାହିଁ ।

 

ଯେ ନିର୍ବୋଧ ସେ କ’ଣ ସ୍ନେହର ଅର୍ଥ ମଧ୍ୟ ଜାଣେନାହିଁ ? ତେବେ କ’ଣ କୌଣସି ସ୍ତ୍ରୀ ନିର୍ବୋଧ ସ୍ୱାମୀର ସ୍ନେହ ମଧ୍ୟ ଆଶା କରେନାହିଁ ? ତେବେ କ’ଣ ସେ ଗୋଟିଏ ଚତୁର ପୁରୁଷର ଅବହେଳାଠାରୁ ମୂର୍ଖର ସ୍ନେହକୁ ମୂଲ୍ୟହୀନ ମଣେ ? ବୋଧହୁଏ ଏହା ହୋଇପାରେ ‘‘ଯେ ଅବହେଳା କରି ନ ଜାଣେ ସେ ସ୍ନେହ କରି ଜାଣିବ ବା କାହୁଁ ।’’

 

ସୁମିତ୍ରା ଅନେକ ସମୟରେ ଭାବନ୍ତି ରମଣୀରଞ୍ଜନ ତ ମୂର୍ଖ ନୁହଁନ୍ତି । ବହୁତ ପାଠ ପଢ଼ିଛନ୍ତି । ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ସେ ହାସଲ କରିଛନ୍ତି । ତେବେ ସେ ଏତେ ଉଦାସ କାହିଁକି ?

 

ବିଶ୍ୱବିଦ୍ୟାଳୟରେ ପାଠ ନ ପଢ଼ିଲେ କ’ଣ ଲୋକ ଉଚ୍ଚ ଶିକ୍ଷା ଲାଭ କରିପାରେ ନାହିଁ-? ମନୁଙ୍କ ଅମଳରେ ବିଶ୍ୱବିଦ୍ୟାଳୟ ଥିଲା ବୋଲି ତ ମନେ ହୁଏ ନାହିଁ । ତଥାପି ତାଙ୍କର ଅନୁଶାସନକୁ ମାନି କରି ଆମ୍ଭେମାନେ ଆଜି ଚଳୁଅଛୁଁ । ପାଠ ପଢ଼ି ମଧ୍ୟ ମଣିଷ ମଣିଷ ହୋଇପାରେ ନାହିଁ । ଯାହାର ଯାହା ସ୍ୱାଭାବ ତାହା କ’ଣ ବଦଳ ଯାଏ । ଅଙ୍ଗାରକୁ ଯେତେ ଧୋଇଲେ ମଧ୍ୟ ତାହା ଦେହରୁ କଳାରଙ୍ଗ ଯାଏ ନାହିଁ ।

 

ସେଦିନ କୃଷ୍ଣାଦେବୀ ଭାଗବତ ପଢ଼ୁଥିଲେ । ସୁମିତ୍ରା ପାଖରେ ବସି କେତେ କ’ଣ ଚିନ୍ତା କରି ଯାଉଥାନ୍ତି । ଗଳା ଛଡ଼ାଇ ପୂର୍ବାପେକ୍ଷା ଉଚ୍ଚ ଗଳାରେ ଶାଶୁ ପଢ଼ିଲେ–

 

‘‘ପୂର୍ବ ଅର୍ଜିତ କର୍ମ ନେଇ

ଯେ ଯାହା ପତି ଭୁଞ୍ଜୁ ଥାଇ ।’’

 

ସୁମିତ୍ରାଙ୍କ କାନରେ ପଦଟି ହଠାତ୍‌ ବାଜିଗଲା । ସେ ଭାବିଲେ ତେବେ ପୂର୍ବଜନ୍ମର ଅପକର୍ମପାଇଁ ସେ କ’ଣ ଏ ଜନ୍ମରେ ରମଣୀରଞ୍ଜନ ଭଳି ଗୋଟାଏ ଅପଦାର୍ଥର ହାତ ଧରିଛନ୍ତି ? ପୂର୍ବ ଜନ୍ମର କଥା ତାଙ୍କର ମନେ ନାହିଁ । କାହାର ବା ମନେ ରହିଛି ଯେ ତାଙ୍କର ମନେ ରହନ୍ତା ? କେଉଁ ମହାପାପ କଲେ ସ୍ତ୍ରୀ ସ୍ୱାମୀ ସୁଖରୁ ବଞ୍ଚିତ ହୁଏ ? ସେ ପୂର୍ବ ଜନ୍ମରେ କେଉଁ ପାପ କରିଥିଲେ ଯାହାର ପରିଣାମ ଏ ଜନ୍ମରେ ଭୋଗ କରିବାକୁ ପଡ଼ିଲା ?

 

ମଣିଷ ବୁଦ୍ଧି ବଳରେ ଧନ, କୋଠା, ଜମିବାଡ଼ି ସବୁ କମାଇ ପାରେ; କିନ୍ତୁ ସୁଖ ବୁଦ୍ଧିବଳରେ କମାଇବା ଜିନିଷ ନୁହେଁ କିମ୍ବା ଧନ ବିନିମୟରେ ଖରିଦ କରିବା ପଦାର୍ଥ ନୁହେଁ । ଭାଗ୍ୟରେ ନ ଥିଲେ ସୁଖ ମିଳେ ନାହିଁ ।

 

ସୁମିତ୍ରା ମନ ମଧ୍ୟରେ ଗୋଟିଏ ମଣିଷକୁ ଅନେକ ଦିନ ହେଲା ଖୋଜୁଛନ୍ତି । ସେ ଲୋକଟିକୁ ସେ ସହଜରେ ପାଉ ନାହାନ୍ତି । ଏ ଭଳିଆ ଲୋକ କ’ଣ ଦୁନିଆରେ ଅଛି ଯେ ତାଙ୍କୁ ଦେଖିଲାମାତ୍ରେ ବୁଝି ପାରି କହିବ ‘ସୁମିତ୍ରା ! ତୁମେ ମୋଟେ ସୁଖୀ ନୁହଁ’ ତୁମେ କେବଳ ସୁଖୀ ବୋଲି କଥାରେ କଥାରେ ନିଜକୁ କହିହୁଅ । ତୁମର ହୃଦୟ ତଳେ ସବୁବେଳେ ଦିକ୍‌ ଦିକ୍‌ ହୋଇ ଯେଉଁ ଅଶାନ୍ତିର ବହ୍ନି ପ୍ରଜ୍ଜ୍ୱଳିତ ହେଉଅଛି ତାହା କ’ଣ କାହାରି ଆଖିରେ କେବେହେଲେ ପଡ଼ିବ ନାହିଁ ? ଦୁନିଆରେ କ’ଣ ସମସ୍ତେ ଆଖି ଥାଇ ମଧ୍ୟ ଅନ୍ଧ ?’’

 

ସୁମିତ୍ରାର ଅନ୍ତରାତ୍ମା ଚିତ୍କାର କରେ । ସେ ଠାକୁରଙ୍କୁ ଡାକି କହନ୍ତି ‘‘ଭଗବାନ ! ମୋତେ ଶକ୍ତି ଦିଅ । ମୋତେ ଲୁହାଠାରୁ ଆହୁରି ଟାଣ କରିଦିଅ । ଦୁଃଖର ଭାରରେ ଯେପରି ମୁଁ ନଇଁ ନ ଯାଏ । ମୁଁ ଆଖିରୁ ଲୁହ ଢାଳିବାକୁ ଘୃଣା କରେ । ତଥାପି ମୋର ଆଖିରେ ତୁମେ ଲୁହ ଭରିଦିଅ କାହିଁକି ? କୁହ ପୂର୍ବ ଜନ୍ମରେ ମୁଁ କେଉଁ ପାପ କରିଥିଲି ଯାହା ଫଳରେ ତୁମେ ମୋତେ ଅଶାନ୍ତିର ସମୁଦ୍ର ମଧ୍ୟରେ ବୁଡ଼ାଇ ମାରିଲ । ତୁମେ ମୋପ୍ରତି ଏ ଶାସ୍ତି ବିଧାନ କଲ କାହିଁକି ?

 

ସୁମିତ୍ରାଙ୍କର ଡାକିବା କଥା । ସେ ଡାକି ଯାଆନ୍ତି । ତାଙ୍କର ଗୁହାରି ଠାକୁରଙ୍କ ପାଖକୁ ଯାଏ କି ନାହିଁ ସେ କଥା ଠାକୁରଙ୍କୁ ଜଣା ।

 

ଦୁଃଖ ଓ ସୁଖ ମଣିଷକୁ ସହିବାକୁ ହୋଇଯାଏ । ସମସ୍ତେ ସୁଖର କାମନା କରନ୍ତି । ଦୁଃଖ ବରଣ କରିବାକୁ କେତେ ଜଣ ବା ପ୍ରସ୍ତୁତ ? ମାତ୍ର ଯେ କର୍ମଠ ଦୁଃଖ ତା ପାଖରେ ହାର ମାନିଥାଏ । କିନ୍ତୁ ସୁମିତ୍ରା ଯେଉଁ ଦୁଃଖ ପାଉଛନ୍ତି ତାକୁ ଏଡ଼ାଇବାର ପନ୍ଥା କ’ଣ ଦୁନିଆରେ ଅଛି ?

 

ସାତ

 

ଲତିକା ମହାପାତ୍ରଙ୍କ ଘରେ ପାଦ ଦେବା ଦିନଠାରୁ ମହାପାତ୍ରଙ୍କ ଘର ଆନନ୍ଦରେ ପୂରି ଉଠିଛି । ତାଙ୍କର ସରଳ ବ୍ୟବହାର ଓ ହସ ହସ ମୁଖ ଦେଖି ହରିପ୍ରିୟା କହନ୍ତି ‘‘ଲତିକା ମୋର ବୋହୂ ନୁହେଁ । ସେ ମୋର ଝିଅ । ଅନେକ ଦିନ ଅନିଦ୍ରା, ଅଖିଆ ଅପିଆ ରହି ଠାକୁରଙ୍କୁ ଡାକିଥିଲି କୋଳକୁ ଝିଅଟିଏ ଦେବାକୁ । ଠାକୁରେ ଏତେ ଦିନ ପରେ ମନ ଜାଣି ଝିଅଟିଏ ଦେଲେ ।

 

ଯେ ଠାକୁରଙ୍କୁ ଡାକେ ସେ କ’ଣ ତା’ର ମନ ଜାଣି ଫଳ ଦିଅନ୍ତି ? ସେ କ’ଣ କେବେ କାହାରି ପାଖରେ ଧାରୁଆ ରହନ୍ତି ନାହିଁ ?

 

ଯଦି ସେ କାହାରିକୁ କିଛି ଦେଉ ନ ଥାନ୍ତେ, କାହାରି ଡାକ ଶୁଣୁ ନ ଥାନ୍ତେ ତେବେ ଲୋକେ ବାର ବ୍ରତ କରି ଏତେ କିଆଁ ବା ଡାକନ୍ତେ ? ଦେଶରେ ଏତେ ମନ୍ଦିର, ମସଜିଦ ବା ଗଢ଼ା ହୁଅନ୍ତା କାହିଁକି ?

 

ହରିପ୍ରିୟାଙ୍କ ଅପେକ୍ଷା ବାମନ ମହାପାତ୍ରେ ଅଧିକ ଖୁସି । ସେ ପୁଅ ମନଲାଖି ବୋହୂଟିଏ ପାଇଛନ୍ତି । ପ୍ରଶାନ୍ତ କବି । ସେ କବିତା ଲେଖନ୍ତି । ଏହି ଲତିକା ହେବ ପ୍ରାଶାନ୍ତର କାବ୍ୟ ଓ କବିତା ଜଗତର ରାଣୀ । ଲତିକା ହେବ ପ୍ରଶାନ୍ତର କାବ୍ୟ-ନାୟିକା । ଏହି ଲତିକାକୁ କେନ୍ଦ୍ର କରି ପ୍ରଶାନ୍ତ ତାଙ୍କର କାବ୍ୟ କବିତା ଲେଖିବେ । ପ୍ରଶାନ୍ତର ଲେଖନୀ ସାର୍ଥକ ହେବ । ତା’ର କବିପ୍ରାଣ ତୃପ୍ତି ପାଇବ । ଏହି ସବୁ ଚିନ୍ତା କରି ବାମନ ମହାପାତ୍ରେ ଆନନ୍ଦରେ ଆତ୍ମହରା ହୋଇଯାଆନ୍ତି ।

 

ସୁମନ୍ତ ଲେଖନୀ ରଖି କିଛିକ୍ଷଣ ଚିନ୍ତା କରିବାକୁ ଲାଗିଲେ । ଯେ କବି ନୁହେଁ, ଯେ କବିତାର ଅର୍ଥ ବୁଝେ ନାହିଁ ସେ ମଧ୍ୟ କବି ସମ୍ବନ୍ଧରେ ଚିନ୍ତା କରେ । ଏହା ତ କମ ଦୁଃସାହସ ନୁହେଁ-?

 

ପରେ ପରେ ଗୋଟିଏ ଦୀର୍ଘଶ୍ୱାସ ପକାଇ ପୁଣି ଲେଖିଲେ ‘‘ଲତିକା ଗୋଟିଏ ମଧ୍ୟବିତ୍ତ ପରିବାରର ଝିଅ । ବୟସ ଅତି ବେଶି ହେଲେ ଅଠରକୁ ଟପି ନାହିଁ...ବାଦାମି ରଙ୍ଗକୁ ଅଙ୍ଗଗଠନର ପାରିପାଟି ବେଶ୍‌ ଖାପ ଖାଏ; ଅନିନ୍ଦ୍ୟ ସୁନ୍ଦରୀ ନ ହେଲେ ମଧ୍ୟ ସୁନ୍ଦରୀ ।

 

ବିଭାଘର ପରେ ଗାଁ ମାଇପେ ଆସିଲେ ବୋହୂ ଦେଖିବାକୁ । କେତେ କ’ଣ ମନ୍ତବ୍ୟ ବାଢ଼ିଲେ । ପ୍ରତିଦିନ ସକାଳ, ସନ୍ଧ୍ୟାରେ ଲତିକାର ରୂପ ସମ୍ବନ୍ଧରେ ଅଧଘଣ୍ଟାଏ ଚର୍ଚ୍ଚା ଗାଧୁଆଘାଟରେ ନ ହେଲେ ନ ଚଳେ ।

 

ବିଭାଘର ପରେ ପରେ ପ୍ରଶାନ୍ତ ଚାଲିଗଲେ ଶାନ୍ତି ନିକେତନ । ଯେଉଁଦିନ ପ୍ରଶାନ୍ତ ଗଲେ ସେହିଦିନ ପୋଖରୀଘାଟରେ ବସିଲା ଗୋଟାଏ ଛୋଟକାଟିଆ ବୈଠକ । ସମସ୍ତେ ଶୁଣୁଥାନ୍ତି । କୁନ୍ତଳା ନାନୀ ଗପି ଚାଲିଥାଏ ‘‘ଶୁଣିଲ କିଗୋ ମୀତ......’’

 

ଗୋଡ଼ବଳା ଯୋଡ଼ାକ ଭେଣ୍ତି ପତର ଓ ଗଇଁଠା ପାଉଁଶରେ ମାଜୁ ମାଜୁ ସପନା ମାଆ କହିଲା ‘‘କିଏ ନ ଶୁଣିଛି ଯେ ମୋତେ ପୁଣି ପଚାରୁଛ ।’’

 

ତିଆଡ଼ି ଘର ରାଧୀ ମାଉସୀ ସୂର୍ଯ୍ୟ ଦେବତାଙ୍କୁ ଦୁଇଆଞ୍ଜୁଳା ପାଣି ଦେଉଁ ଯେଉଁ କହିଲେ ‘‘କିଲୋ ! କହିଦେଉନ । ହାତୀ ମାରି କୁଲା ଢାଙ୍କିଲେ କ’ଣ ଢାଙ୍କିବ ?’’

 

କୁନ୍ତଳା ଟିକିଏ କୃତ୍ରିମ କ୍ରୋଧ ପ୍ରକାଶ କରି କହିଲା ‘‘ଜାଣିଲ ନା ମୀତ ! କଥା ନ ବୁଝି ମାଉସୀ ଖାଲି ମୋତେ ଦୋଷର ଭାଗୀଦାର କରୁଛନ୍ତି । ମୋର କ’ଣ ଯାଉଛି କି ? ମୋର ଝିଅ ଉଜୁଡ଼ି ଯାଉଛି ନା ବୋହୂ ଉଜୁଡ଼ି ଯାଉଛି ଯେ ଏତେ ଲୁଚାଇବି ।’’

 

ସପନା ମାଆ ଲଥ୍‌କିନା ଆଣ୍ଠିଏ ପାଣିରେ ବସିଯାଇ କହିଲା ‘‘ତୁମେ ମୀତ ହେଉଛ ଅସଲ ମାଇପିଟେ । କହିଦେଉନ । କଉଁ ଆମର ବନ୍ଧୁପଣ କଟିଯାଉଛି କି ?’’

 

‘‘ଗଲି ଅଇଲି ଯାହା ଦେଖିଲି କହିଲି’’ କୁନ୍ତଳା କହି ପୁଣି ଯୋଡ଼ିଦେଲା ‘‘ସତ କହିଲେ ବନ୍ଧୁପଣ କଟିଯାଏ । ସେଥିପାଇଁ ଟିକିଏ......’’

 

‘‘ସୋରିଷ କୋରିଦେଇ ତା’ ଭିତରେ ପଶି ଯାଆଲୋ ମୀତ ! ଡର ଭୟ ସବୁ ଛାଡ଼ିଯିବ’’ କହି ସପନା ମାଆ ପାଣି ଚଳୁଏ କୁନ୍ତଳା ଉପରକୁ ଫିଙ୍ଗିଦେଲା ।

 

କୁନ୍ତଳା ପଣତ କାନିଟା ଅଣ୍ଟିରେ ଯୋରକରି ଖୋଷିଦେଇ କହିଲା ‘‘ଏଇ କଥାକୁ, ନାଆ ପେଲି ଦେଲି କଲିକତାକୁ ।’’

 

‘‘ସିଧା ସଳଖ ତ କହିଦେବ । ଏତେ କଲିକତା, ନାଲି ଫିତା କ’ଣ ହେଉଛ ?’’ କହି ତିଆଡ଼ି ଘର ରାଧୀ ମାଉସୀ ସୂର୍ଯ୍ୟଙ୍କୁ ଦଣ୍ତବତଟେ ପକାଇ କୂଳରେ ଆସି ହାଜର ।

 

କୁନ୍ତଳା ଗଳା ଛଡ଼ାଇ କହିଲା ‘‘ବୁଝିଲ ମାଉସୀ ! ଏହି ମହାପାତ୍ର ଘର କଥା । ପୁଅ ବିଭାକଲେ ବୋଲି ଦୁଇପ୍ରାଣୀଙ୍କ ଗୋଡ଼ତଳେ ପଡ଼ୁ ନାହିଁ । ସତେ ଯେପରି ଏକା ଏହାଙ୍କ ଘର ପୁଅ ବିଭା ହୋଇଛି ? ଆଉ କାହାରି ପୁଅ ବିଭା ହେବେ ନାହିଁ ।’’

 

‘‘କ’ଣ ହେଲା ? ଟିକିଏ ସଂକ୍ଷେପରେ କହିଦିଅ । ଏତେ ଗୌର ଚନ୍ଦ୍ରିକା କରି ଲାଭ କ’ଣ ?’’ ସପନା ମାଆ କହିଲା ।

 

‘‘ହେବ ଆଉ କ’ଣ ଲୋ ମୀତ ! କାହ୍ନୁପାଇଁ ଯାନିଯାତରା । ହେଲେ କାହ୍ନୁ ମନକୁ ରାଧା ପାଉ ନାହାନ୍ତି ।’’ କୁନ୍ତଳା ଏତିକି କହି ମୁହଁଟାକୁ ଏମିତି ବାଗରେ ମୋଡ଼ିଦେଲା ଯେ ନ ହସିଲା ଲୋକ ମଧ୍ୟ ହସିଦେବ ।

 

‘‘ତୁ ତିଳକୁ ତାଳକରିବା ଲୋକ ।’’ ରାଧୀ ମାଉସୀ ଆକଟକରି କହିଲେ ‘‘ଦେଖ କୁନ୍ତଳା-! ପରେ ଘର ଝିଅ ବୋହୂଙ୍କ ନାମରେ ତୁଚ୍ଛାକୁ ଦୁର୍ନାମ କଲେ କ’ଣ ଯେ ଫଳ ଭୋଗିବାକୁ ପଡ଼ିବ ଦିନେ ନିଶ୍ଚୟ ବୁଝିବୁ । ତୁ କିପରି ଜାଣିଲୁ ପୁଅ ମନକୁ ବୋହୂ ପାଉନାହିଁ ? ତୁ ପିଠା ଖାଇବା ଲୋକ । ବିନ୍ଧ ବାଛି ତୋର ଲାଭ କ’ଣ ?’’

 

ରାଧୀ ମାଉସୀ ଭାରି ଖାଣ୍ଟିଲୋକ । ପିଲାଦିନରୁ ବିଧବା ହୋଇ ବାପଘରେ ରହିଛନ୍ତି । ହେଲେ ପଦେ କଥା ତାଙ୍କ ନାମରେ ଶୁଣିବାକୁ ମିଳେ ନାହିଁ । ରାଧୀ ମାଉସୀଙ୍କ ଛାୟା ଦେଖିଲେ ଗାଁ ମାଇପେ ଛାନିଆ । ତାଙ୍କ ମୁହଁ ଉପରେ କଥା କହିବାର ସାହସ କାହାରି ହୁଏ ନାହିଁ । ସେ ସବୁ ଶୁଣନ୍ତି ଏବଂ ମୁହେଁ ମୁହେଁ ଜବାବ୍‌ ଦେଇ ଦିଅନ୍ତି । ସେଥିପାଇଁ ତାଙ୍କ ପାଖରେ କେହି କିଛି କହିବାକୁ ସାହସ କରନ୍ତି ନାହିଁ ।

 

ପ୍ରଶାନ୍ତ ଘରୁ ଯିବାବେଳେ ଶୋଇବା ଘରକୁ ପଶିଯାଇ ଡାକିଲେ ‘‘ଲତା !’’

 

ଲତିକା ଓଢ଼ଣା ତଳରୁ ସରମ ଚାହାଣି ଢାଳି ପ୍ରଶାନ୍ତର ମୁହଁକୁ କଣେଇ କଣେଇ ଅନାଇଲା ।

 

ପ୍ରଶାନ୍ତ ଲତିକାକୁ ଛାତି ଉପରକୁ ଆଉଜାଇଆଣି କହିଲେ ‘‘ଲତା ଦୁନିଆ ଆଖିରେ ତୁମେ ମୋର ସ୍ତ୍ରୀ ଓ ମୁଁ ତୁମର ସ୍ୱାମୀ; କିନ୍ତୁ ତୁମେ ମୋ ଆଖିରେ ଗାଁ ଦାଣ୍ତରେ ମୋର ଧୂଳିଘରର ଖେଳ ସାଥୀ । ତୁମେ ଓ ମୁଁ ଏହି ଦୁନିଆକୁ ଖେଳିବାକୁ ଆସିଅଛୁଁ । ଯଦି କେବେ ଖେଳୁ ଖେଳୁ ହାରିଯାଉଁ କିମ୍ୱା ତୁମର ଓ ମୋର ଅମେଳ ଘଟେ ସେଥିପାଇଁ ତୁମେ ମୋଟେ ବ୍ୟଥିତ ହେବ ନାହିଁ । ଧୂଳି ଖେଳରୁ ଯେଉଁ କଳି ଉଦ୍ଭବ ହୁଏ ପୁଣି କେଇ ମିନିଟ ପରେ ତାହା ଆପେ ଆପେ ସମାଧାନ ହୋଇଯାଏ । କ’ଣ କହୁଛ’’ କହି ପ୍ରଶାନ୍ତ ଲତିକାର ଗାଲ ଟିପିଦେଲେ ।

 

ଲତିକା କହିଲା ‘‘ତୁମକୁ ଜୁହାର ହେଉଛି । ମୋତେ ଛାଡ଼ିଦିଅ ।’’

 

‘‘ନାଁ ଛାଡ଼ିବି ନାହିଁ’’ କହି ପ୍ରଶାନ୍ତ ଲତିକାକୁ ଅଧିକ ଜୋରରେ ଭିଡ଼ି ଧରିଲେ ।

 

‘‘ତୁମର ପରା ଗାଡ଼ି ବେଳ ହୋଇ ଯାଉଛି । ଗାଡ଼ି ଫେଲ, ହୋଇଗଲେ ବୋଉ ପୁଣି ମୋତେ ରାଗିବେ ।’’

 

‘‘ରାଗିବେ ନୁହେଁ ଯେ ସାବାସ ଦେଇ କହିବ ‘‘ଲତିକା ଉଡ଼ନ୍ତା ଚଢ଼େଇକୁ ପାଚିଲା କଦଳିର ଲୋମ ଦେଖାଇ ପିଞ୍ଜରା ଭିତରେ ପୂରାଇ ଦେଇଛି’’ କହି ପ୍ରଶାନ୍ତ ଲତିକାର ଗାଲରେ ଓଠ ଲଗାଇଲେ ।

 

‘‘ହେ...ବୋଉ ଆସୁଛନ୍ତି’’ କହି ଲତିକା ପ୍ରଶାନ୍ତ କବଳରୁ ନିଜକୁ ମୁକ୍ତ କରିନେଇ ହସ ହସି କହିଲା ‘‘ଛିଃ ପୁରୁଷଗୁଡ଼ାକ ଏତେ ବୋକା ଯେ ସବୁ କଥାକୁ ସତ ବୋଲି ମଣନ୍ତି ।’’ ଏତିକି କହି ଲତିକା ସେଠାରୁ ଯିବାର ଉପକ୍ରମ କଲା ।

 

‘‘ଲତା ! ଚିଠି ଦେବ’’ କହି ପ୍ରଶାନ୍ତ ବିଦାୟ ନେଲେ । ଲତାର ଆଖିକୋଣରେ ଦୁଇଟୋପା ଲୁହ । ତା’ର ମଥା ଘୂରିଗଲା । ତାକୁ ଜଣାଗଲା ଗୋଡ଼ତଳୁ ମାଟିଟା ଯେପରି ଆସ୍ତେ ଆସ୍ତେ ଖସି ଯାଉଅଛି ।

 

ହରିପ୍ରିୟା ଦୁଆର ପାଖକୁ ଆସି କହିଲେ ‘‘ମାଆଟା ପରା । ମନ ଦୁଃଖ କର ନାହିଁ । କେଇଟା ଦିନ ପାଣିପରି ଗଡ଼ିଯିବ । ସନ୍ତୁ ପଢ଼ାସାରି ଆସିବ ନାହିଁ ଯେ ସେଥିପାଇଁ ଏତେ ବ୍ୟସ୍ତ ।’’

 

ଲତା ଶାଶୁଙ୍କ କଥାରେ ଟିକିଏ ଅପ୍ରସ୍ତୁତ ହୋଇଯାଇ କହିଲା ‘‘ସେ ଚାଲିଗଲେ ବୋଲି କ’ଣ ମୁଁ ବ୍ୟସ୍ତ ହେଉଛି ? ଆଖିରେ କ’ଣଟା ପଡ଼ିଗଲା ଯେ......’’

 

‘‘ହେଉ ଯା, ମୁହଁ ଧୋଇ ଦେ’’ କହି ହରିପ୍ରିୟା ଲତିକାର ହାତ ଧରି ପଦାକୁ ନେଇଗଲେ ।

 

ମହାପାତ୍ରେ ଟିକିଏ ବୋଲି ଆଖି ଆଗରୁ ବୋହୂକୁ ଅନ୍ତର କରିବାକୁ ଚାହାନ୍ତି ନାହିଁ । ଏହା ଭିତରେ ଲତିକାର ବାପ ଘରୁ ଦୁଇ ଚାରିଥର ଖବର ଆସିଲାଣି ଝିଅକୁ ନେବାପାଇଁ । ହେଲେ ମହାପାତ୍ରେ ରାଜି ହେଉ ନାହାନ୍ତି ।

 

ନିଜେ ଖୋଦ୍‌ ସମୁଦୀ ଆସିଥିଲେ । ମହାପାତ୍ରେ ତାଙ୍କର ଗୋଡ଼ ହାତ ଧରି କହିଲେ ‘‘ପୁଅ ଆସିଲେ, ପୁଅ ବୋହୂ ଦୁହେଁ ମିଶିକରି ଯିବେ । ଯେତେବେଳେ ବନ୍ଧୁ ବାନ୍ଧିଲୁ, ଯୁଗ ଯୁଗ ପାଇଁ ବନ୍ଧୁତା ହେଲା ସେଥିରେ ତୁମର ଆମର କହିଲେ ଚଳିବ କିପରି ? ଏ ଘର କ’ଣ ତୁମର ନୁହେଁ ନା ତୁମର ଘରଟା ମୋର ନୁହେଁ ?’’

 

ସେତିକିବେଳେ ଲତିକା ସେହି ବାଟ ଦେଇ ଯାଉଥିଲା । ମହାପାତ୍ରେ ରହସ୍ୟ କରିବା ଉଦ୍ଦେଶ୍ୟରେ କହିଲେ ‘‘ଏ ଆଡ଼କୁ ଅଇଲୁ ଲୋ ମାଆ । ତୁ ସତ କହିବୁ । (ସମୁଦୀଙ୍କ ଆଡ଼କୁ ହାତ ବଢ଼ାଇ) ତୋର ଏ ବୁଢ଼ାପ୍ରତି ବେଶି ଦରଦ ନା ଏହି ଛୋଟ ପୁଅପାଇଁ ବେଶି ଦରଦ ?’’ କହି ନିଜଆଡ଼କୁ ହାତ ଆଣିଲେ ।

 

ଲତିକା ବେଶ୍‌ ବୁଦ୍ଧିମତୀ । ସେ ଅଳ୍ପ କଥା କହେ । ଯେତିକି କହେ ସେ କଥାରେ ଅନେକ ମୂଲ୍ୟ ଥାଏ । ସେ ଟିକିଏ ହସିଦେଇ କହିଲା ‘‘ମୋ ପାଖରେ କେହି ତ ବୁଢ଼ା ନୁହେଁ । ପୁଅ ଯେତେ ବଡ଼ ହେଲେ ବି ମାଆ ଆଖିରେ ପିଲା ।’’

 

ମହାପାତ୍ରେ ଯଦିଓ ହସି ହସି ସମୁଦୀଙ୍କୁ ସେଦିନ ବିଦା କରିଦେଲେ ।

 

ଲତିକା ଯଦିଓ ଅଳ୍ପ କେତେଦିନ ହେଲା ଶାଶୁଘରକୁ ଆସିଛି ତଥାପି ତାକୁ ଏଠାରେ କିଛି ଅସୁବିଧା ଭୋଗ କରିବାକୁ ପଡ଼ି ନାହିଁ । ବାମନ ମହାପାତ୍ରେ ଯେଉଁ ଘରେ ଥିବେ ସେଠାରେ ପୁଣି ମଣିଷର ଅସୁବିଧା ହେବ ?

 

ପରଘର ଝିଅକୁ ନିଜର ଝିଅ ଅପେକ୍ଷା ଅଧିକ ଆଦର କଲେ ଯାଇ ସେ ନିଜର ହେବ । ହରିପ୍ରିୟା ସମସ୍ତଙ୍କୁ କହନ୍ତି ‘‘ତାଙ୍କର ଘର ଦୁଆର । ପେଜପାଣି ଟିକିଏ ଦେଲେ ଦେବେ ନ ଦେଲେ ନାହିଁ । କେଇଟା ଦିନ କ’ଣ ଏମିତି ଯିବ ନାହିଁ ଯେ ସେ ଏତେ ପୁଣି ଚିନ୍ତା କରିବେ ?’’

 

ବାମନ ମହାପାତ୍ରେ ଆହୁରି ଅଜ୍ଜବ ଲୋକ । ସେ କହନ୍ତି ମୋର କଉଁ କଥାକୁ ଆଉ ଚିନ୍ତା ନାହିଁ । ପିଲବେଳୁ ମା’ଛେଉଣ୍ତ ହୋଇଥିଲି । ଠିକ୍‌ ଚତୁର୍ଥ କାଳକୁ ପୁଣି ଠାକୁରେ ମୋର ମାଆକୁ ଆଣି ପହୁଞ୍ଚାଇ ଦେଲେ । ମା’ ମୋର ଅନ୍ନପୂର୍ଣ୍ଣା । ସେ କ’ଣ ପୁଅ କଥା ବୁଝିବ ନାହିଁ ?’’

 

କେବେ କିମିତି ହରିପ୍ରିୟା ଓ ମହାପାତ୍ରଙ୍କ ମଧ୍ୟରେ ମିଛେ ମିଛେ ଖିଟିମିଟିରି ଲାଗେ । ହରିପ୍ରିୟା କହନ୍ତି ‘‘ଲତିକା ହେଉଛି ମୋର ମାଆ ।’’

 

ମହାପାତ୍ରେ କହନ୍ତି ‘‘ସେ ମୋର ମା’ଆ ।’’

 

ହରିପ୍ରିୟା କହନ୍ତି ‘‘ଦେଖି ଡାକିଲ ଯଦି ସେ ଶୁଣିବ ତେବେ ଜାଣିବି ସେ ତୁମର ଠିକ୍‌ ମା-।’’

 

ମହାପାତ୍ରେ ଡାକନ୍ତି ‘‘ଆସିଲୁ ମା ଲତା !’’

 

ଲତିକା ଆସେ ନାହିଁ । ସେ ରୋଷେଇ ଘରେ କବାଟ କୋଣରେ ଛିଡ଼ା ହୋଇ ମୁରୁକି ମୁରୁକି ହସେ ।

 

ମହାପାତ୍ରେ କହନ୍ତି ‘‘ଦେଖିବ ମା ମୋର ଏମିତି ଶୁଣୁ ନାହିଁ । ମାଉସୀ ବୋଲି ଡାକିଲେ ରାଗିଯାଇ କହିବ ମା’ ବୋଲି ଡାକିବାକୁ ପାଟି ଘୋଳେଇ ହେଉଛି କି ?’’

 

ହରିପ୍ରିୟା କହିଲେ ‘‘ଯେତେ କହିଲେ ସେ କ’ଣ ତୁମର ମା’ ଯେ ମାଆ ଡାକି ଦେଲେ ଶୁଣିବ ।’’

 

ଶାଶୁ ଶଶୁରଙ୍କ କଥାରେ ଲତିକା ହସି ହସି ଗଡ଼ିଯାଏ ।

 

ମହାପାତ୍ରଙ୍କ ଘରକୁ ଲାଗି ନରହରି ମିଶ୍ରଙ୍କ ଘର । ଗାଁ ଲେଖାରେ ମିଶ୍ରେ ହେଉଛନ୍ତି ମହାପାତ୍ରଙ୍କ ଲେଖାଯୋଖା ଭାଇ । ମିଶ୍ରେ ମହାପାତ୍ରଙ୍କଠାରୁ ବୟସରେ ଦୁଇ ତିନି ବର୍ଷ ବଡ଼ ।

 

ମିଶ୍ରଙ୍କର ଗୋଟାଏ ବୋଲି ଝିଅ । ଗତ ଦୁଇବର୍ଷ ତଳେ ବୈଶାଖ ମାସରେ ବିଭା ଦେଇଛନ୍ତି । ଜୋଇଁ ବିଦେଶରେ । ଝିଅ ସାଥୀରେ କେଇ ମାସ ଥିଲା; ମାତ୍ର ଅସୁବିଧା ହେବାରୁ ସେଠାରୁ ଆସି ବାପଘରେ ଅଛି । ପୁଣି ସୁବିଧା ହେଲେ ସେ ଯିବ ।

 

ମିଶ୍ରଙ୍କ ଝିଅ ଅନୁରାଧା ଲତିକାର ସମବୟସୀ । ସେ ସବୁବେଳେ ଲତିକା ସଙ୍ଗରେ ହସଖୁସି ହୋଇ ସମୟ କଟାଇଦିଏ ।

 

ସେଦିନ ଲତିକା ଦ୍ୱିପ୍ରହରରେ ତକିଆ ଉପରେ ଛାତିଟା ମାଡ଼ି ଦେଇ ଗୋଡ଼ ଉପରେ ଗୋଡ଼ ପକାଇ ଗୋଟାଏ ଗୀତ ବହି ପଢ଼ୁଥାଏ ।

 

ଅନୁରାଧା ହସି ହସି କହିଲା ‘‘ଭାଉଜ ! ତକିଆ ଉପରେ ଯେ ଛାତିଟା ମାଡ଼ିଦେଇ ଶୋଇଛ ସେଥିରେ କ’ଣ ଛାତିର ଜ୍ୱାଳା ଉପଶମ ହୋଇଯିବ ?’’

 

ଲତିକା ମୁହଁ ବୁଲାଇ ହସି ହସି କହିଲା ‘‘ବାନ୍ଧବି ! ପାଖକୁ ଟିକିଏ ଆସିଲ । ଦେଖିବା ତୁମର ବୁକୁର ଜ୍ୱାଳା ତୁମକୁ ଅସ୍ଥିର କରୁଛି କି ନାହିଁ ?’’

 

ଅନୁରାଧା ରହସ୍ୟ କରି କହିଲା ‘‘ଭାଉଜ ! ନିଜକଥା ନିଜେ ବୁଝ । ପରକୁ ଦୁଃଖୀ କହି ନିଜର ମନୋଭାବ ଗୋପନ କରିବାକୁ ଚେଷ୍ଟା କର ନାହିଁ । ଅନ୍ତର ବେଦନା ବ୍ୟକ୍ତ କରିଦିଅ । କିଛି ଉପକାର ପାଇବ ।’’

 

‘‘ରହ ଲୋ ଟୋକୀ, କେତେ ଛଇ ଦେଖାଉଛୁ ?’’ କହି ଲତିକା ଉଠିଲା ।

 

‘‘ଅନୁରାଧା ଖପ୍‌କିନା ଲତିକା ହାତରୁ ବହିଟା ଛଡ଼ାଇ ନେଇ କହିଲା ‘‘ଭାଉଜ ! ପ୍ରେମ କବିତା ପଢ଼ୁଛ ? ଦେଖ ବୁଝି ସମଜି କବିତା ପଢ଼ ।’’

 

‘‘ଏପରି କହିବାର ଅର୍ଥ ?’’

 

‘‘ଭାଉଜ ଅର୍ଥ ନୁହେଁ ଅନର୍ଥ କହି ହସିଲା ଅନୁରାଧା ।

 

ଲତିକା କିଛି ବୁଝିପାରିଲା ନାହିଁ । ସେ ନିରର୍ଥକ ଦୃଷ୍ଟିରେ ଚାହିଁଲା ଅନୁରାଧାକୁ ।

 

ଅନୁରାଧା ଲତିକା ପାଖକୁ ଲାଗିଯାଇି କହିଲା ‘‘କବିତାର ନିଶା ମଦ ନିଶାଠାରୁ ଆହୁରି ଉତ୍‌କଟ । କବିତାର କ୍ଷୟ-କାରିତା ଶକ୍ତି କ୍ଷୟକାଶ ଅପେକ୍ଷା ଅନେକ ଗୁଣରେ ତୀବ୍ର । କବିତା ଭଲ ମଣିଷକୁ ଭେଲ କରେ । ସତୀକୁ ଅସତୀ କରେ । କୁଳରୁ ନେଇ ମଣିଷକୁ ଅକୁଳରେ ଛିଡ଼ା କରେ ଏଇ କବିତା ।’’

 

‘‘ଏ ସବୁ ମିଛ । କେବଳ ତୁମର ମନଗଢ଼ା କଥା । ପ୍ରତିଦିନ ଦୁନିଆରେ ଯଦି ଏହା ଘଟୁଥାଆନ୍ତା କବିତା କେହି ଲେଖୁ ନ ଥାନ୍ତେ କିମ୍ବା କବିତା କେହି ପଢ଼ୁ ନ ଥାନ୍ତେ ।’’ ଏତିକି କହି ଲତିକା ହସି ହସି ଅନୁରାଧାର କଥାକୁ ହସରେ ଉଡ଼ାଇଦେଲା ।

 

ଅନୁରାଧା କୌଣସି ଯୁକ୍ତି ନ କରି ମନେ ମନେ ଭାବିବାକୁ ଲାଗିଲା ଦ୍ୱାପର ଯୁଗରେ ରାଧା ଶ୍ରୀକୃଷ୍ଣଙ୍କର ବଂଶୀ ଧ୍ୱନି ଶୁଣି ପାଗଳିନୀ ହେଲା କାହିଁକି ? ଯେଉଁ ବଂଶୀର ସ୍ୱର ରାଧାକୁ କଳଙ୍କିନୀ କରାଇଲା ସେ ବଂଶୀର ସ୍ୱରକୁ ଜଟିଳା ଏଡ଼ିଦେଲା କିପରି ? ତେବେ ରାଧା କ’ଣ ପରର ପ୍ରେମପାଇଁ ପାଗଳିନୀ ହୋଇଥିଲା ?

 

ଯେ କବିତା ବୁଝେ ସେ କବିତାକୁ ଭଲପାଏ । ଯାହାର ଜୀବନ ଗଦ୍ୟମୟ କବିତା ତା’ର ପ୍ରାଣକୁ ସ୍ପର୍ଶ କରିବାରେ ନାହିଁ । ଯଦି ଜୀବନକୁ ଉପଭୋଗ କରିବାକୁ ଚାହଁ ତେବେ କବିତା ପଢ଼ । ଅନୁରାଧା ଭାବୁଥିଲା ଏହି କଥା ସେ ଲତିକାକୁ ବୁଝାଇଦେବ ।

 

ପରେ ପୁଣି ଭାବିଲା ଲତିକାର କ’ଣ ପ୍ରାଣ ଅଛି ? କବିତା ବୁଝିବାର ହୃଦୟ କ’ଣ ଲତିକାର ଅଛି ଯେ ସେ କବିତାର ମାଧୁର୍ଯ୍ୟ ଉପଲବ୍‌ଧି କରିପାରିବ ?

 

ପଦ୍ମବନରେ ଭେକ ରହିଥାଏ; ମାତ୍ର ସେ ପଦ୍ମର ମଧୁ ଯେପରି ଆସ୍ୱାଦନ ନ କରି ପଦ୍ମ ଫୁଲରୁ ପୁଳାଏ ଖାଇ କ୍ଷୁଧା ନିବାରଣ କରେ ଠିକ୍‌ ସେହିପରି ହୃଦୟହୀନ ବ୍ୟକ୍ତି କାବ୍ୟ କବିତା ଉପବନରେ ବିଚରଣ କରି ସୁଦ୍ଧା କବିତାର ଧାର ଧାରନ୍ତି ନାହିଁ ।

 

ଅନୁରାଧା ନୀରବରେ ଲତିକାର କଥା ଚିନ୍ତା କରିବାକୁ ଲାଗିଲା । ଏହି ଲତିକାର ରକ୍ତ ମାଂସର ଦେହ ଦେଖି ତାର ପ୍ରଶାନ୍ତ ଭାଇନା କ’ଣ ଭୁଲିଯିବ ?

 

ପ୍ରଶାନ୍ତ କବି । ଲତିକାର ଭାବଧାରା କ’ଣ ପ୍ରଶାନ୍ତର ଭାବଧାରା ସଙ୍ଗେ ଖାପ ଖାଇବ-? କାବ୍ୟର ନାୟିକା ମଧ୍ୟରେ ରହିଛି ଆକାଶ ପାତାଳର ବ୍ୟବଧାନ ।

 

କବି ରକ୍ତ ମାଂସକୁ ଘୃଣା କରେ । ଅସ୍ଥି ମେଦରେ ଗଢ଼ା ଶରୀର ତା’ ପାଖରେ ମୂଲ୍ୟହୀନ । ସେଥିପାଇଁ କବି ଲେଖିଛନ୍ତି ‘‘ଚିତ୍ର ପ୍ରତିମାପ୍ରାୟେ ଦିଶୁ ସୁନ୍ଦର...’’

 

କବି କବିତାର ମାଧ୍ୟମରେ କାବ୍ୟ ନାୟିକାକୁ ଖୋଜେ; କିନ୍ତୁ ସେ ପାଏ ନାହଁ । କାବ୍ୟ ନାୟିକା କବିଠାରୁ ବହୁତ ଦୂରରେ ରହେ । କବି ତାକୁ ଖୋଜି ଖୋଜି ପାଗଳ ହେଲାବେଳକୁ ସେ ପାଖକୁ ଆସେ । କବି ହାତ ବଢ଼ାଏ; କିନ୍ତ କାବ୍ୟ ନାୟିକା ତାକୁ ଧରା ଦିଏ ନାହିଁ ।

 

ପ୍ରଶାନ୍ତର କବିତା ଅନୁରାଧା ଅନେକଥର ପଢ଼ିଛି । ପ୍ରଶାନ୍ତ ଆଜିଯାଏ ଯାହାକୁ ବ୍ୟଥିତ ହୃଦୟରେ ଖୋଜୁଥିଲେ ସେ କ’ଣ ଏହି ଲତିକା ?

 

ଅସମ୍ଭବ ଲତିକାକୁ ପାଇ ପ୍ରଶାନ୍ତ ତୃପ୍ତି ଲାଭ କରିପାରିବେ ନାହିଁ । ଲତିକା ଭିନ୍ନ ଉପାଦାନରେ ଗଢ଼ା । କବିର ହୃଦୟସ୍ପର୍ଶୀ ଭାଷା ଲତିକାର ହୃଦୟରେ ଆଲୋଡ଼ନ ସୃଷ୍ଟି କରିପାରିବ ନାହିଁ । ଲତିକା ଖାଇପିଇ କେବଳ ବଞ୍ଚିବାକୁ ଜଗତକୁ ଆସିଛି । ସେ ନିଶ୍ଚୟ ବଞ୍ଚିବ ଯେପରି ଅଧିକାଂଶ ନାରୀ ବଞ୍ଚି ରହନ୍ତି ।

 

ଅନୁରାଧା ଦୀର୍ଘଶ୍ୱାସ ପକାଇ ଛିଡ଼ା ହୋଇ ରହିଲା । କିଛିକ୍ଷଣ ପରେ କହିଲା ‘‘ଭାଉଜ-! ମୁଁ ଟିକିଏ ଆସେ । ବୋଉ ମୋତେ ଖୋଜୁଥିବ ।

 

ଅନୁରାଧା ଚାଲିଗଲା । ଲତିକା କିଛିକ୍ଷଣ ଧରି ଅନୁରାଧାର ଗନ୍ତବ୍ୟ ପଥକୁ ଚାହିଁ ରହି ମନେ ମନେ ହସିବାକୁ ଲାଗିଲା । ଲତିକାର ଅଜଣାରେ ପାଟିରୁ ବାହାରିଲା ‘‘ଏ ପୁଣି ମୋତେ ବାଟ ବତେଇବାକୁ ଆସିଥିଲା ’’

 

ଆଠ

 

ରମଣୀରଞ୍ଜନ ନୂଆ ଚାକିରୀ ପାଇ ଚାଲିଯାଇଥାନ୍ତି ବଲାଙ୍ଗିର । ଘରେ ସୁମିତ୍ରା ଥାନ୍ତି । ସ୍ୱାମୀ ଘରେ ଥିଲା ବେଳେ ତ ତାଙ୍କୁ କେହି ପତରରେ ପକାଉ ନ ଥିଲେ । ରମଣୀରଞ୍ଜନ ଯିବା ପରେ ପରେ ପାରୀର ହାତମୁଠାରେ ସମସ୍ତେ ରହିଲେଣି ।

 

ହରିମାଧବଙ୍କ ଘରକୁ ଲାଗି ଜଣେ ଆଡ଼୍‌ଭୋକେଟଙ୍କ ଘର । ସେ ହେଉଛନ୍ତି ହରିମାଧବଙ୍କ ହିତାକାଂକ୍ଷୀ । ହରିମାଧବ ଯେତେବେଳେ ସେତେବେଳେ ଘର ସମ୍ପତ୍ତିରୁ ପାଞ୍ଚ ପଚିଶ ହାତ ପଇଠ କରି ଅତି ବିଶ୍ୱାସରେ ଆଡ଼୍‌ଭୋକେଟ ରଜନୀବାବୁଙ୍କ ପାଖରେ ଥୋଇ ଦିଅନ୍ତି-

 

ରଜନୀବାବୁ ଅତି ବିଶ୍ୱାସ ଜନ୍ମାଇବାପାଇଁ ରତ୍ନମଣୀଙ୍କୁ ମହାପ୍ରସାଦ ଦେଇ ଝିଅ ବନାଇଛନ୍ତି । ରଜନୀବାବୁଙ୍କ ସ୍ତ୍ରୀ ପଦ୍ମାବତୀ ମଝିରେ ମଝିରେ ହରିମାଧବଙ୍କ ଘରକୁ ଆସନ୍ତି । କୃଷ୍ଣାଦେବୀ ପଦ୍ମାବତୀଙ୍କୁ ଦେଖିଲେ ଫଁ ଫଁ ହୁଅନ୍ତି ସତ; ମାତ୍ର ଫିଟାଇ ଦୁଇପଦ କହିପାରନ୍ତି ନାହିଁ-। ତାହାର କାରଣ ହେଉଛି ମହାପ୍ରସାଦ ଦିଆ ବନ୍ଧୁ ।

 

ପ୍ରବଚନ ଅଛି ‘ମହାପ୍ରସାଦ, ମହାନଦୀ ଓ ମହାନ୍ତି, ଏ ତିନି କାହାରି ନୁହଁନ୍ତି ?’

 

କଥାଟା ଅକ୍ଷରେ ଅକ୍ଷରେ ସତ୍ୟ । ପାରୀ ପଦ୍ମାବତୀଙ୍କୁ ଦେଖିଲେ ଆନନ୍ଦରେ ଆତ୍ମହରା ହୋଇଯାଏ । ସତେ ଯେପରି କେଉଁ ଯୁଗରୁ ଚିହ୍ନା ପରିଚୟ । ପାରୀ ଖାଇ ସାରିଲା ପରେ ପରେ ପଦ୍ମାବତୀଙ୍କ ପାଖରେ ଯାଇ ହାଜର ହୋଇଯାଏ ।

 

ରଜନୀବାବୁ କଚେରିକୁ ଯାଆନ୍ତି । ପାରୀ ଓ ପଦ୍ମାବତୀ ନାନାପ୍ରକାର କଥାବାର୍ତ୍ତା କରି ଦ୍ୱିପ୍ରହର ଗଡ଼େଇ ଦିଅନ୍ତି । ଏ ପାଖର ସୂର୍ଯ୍ୟ ସେପାଖକୁ ଯାଏ । ପାରୀ ତେବେ ଯାଇ ଫେରିଆସେ ।

 

ବିଜୁଳୀ ଆଲୁଅ ଆସିବା ଆଗରୁ ପାରୀ ଡିବିରୀ, ଲଣ୍ଠନ ପୋଛାପୋଛି କରି ତେଲ ଭରୁଥିଲା । ଏବେ ସେ କାମ ମଧ୍ୟ କରିବାକୁ ପଡ଼ୁନାହିଁ । ଦିନେ ଶୁଣାଇ ଶୁଣାଇ ପାରୀ ରତ୍ନମଣିଙ୍କୁ କହିଲା, ‘‘ଏ ଯୁଗରେ କେତେ ନ ଦେଖିବା କଥା ଦେଖିଲୁ, ନଶୁଣିବା କଥା ଶୁଣିଲୁ । ସରକାର ସବୁ କଲା; ମାତ୍ର ଭାତ ଗୁଣ୍ଡାଟା ହାତ ନ ଲଗାଇ କିପରି ଆପେ ଆପେ ଚାଲିଯାଆନ୍ତା । ସେତିକି ଯେ କାହିଁକି ନ କଲା ? ଏ ନିଆଁ ଲଗା ସରକାର ମୁଣ୍ଡରେ କ’ଣ ବୁଦ୍ଧିସୁଦ୍ଧି ଅଛି କି ? ଅଛି ଖାଲି ମଣିଷ ଗୋବର ।’’

 

ସରକାର ନାଁ ଶୁଣିଲେ ପାରୀକୁ ରାଗ ଲାଗେ । ସତେ ଯେପରି ସରକାର ତା’ର ପାଞ୍ଚ ପଚିଶ ଲୋକସାନ କରିଦେଇଛି । ସେ ରାଜାର ପ୍ରଜା ନୁହେଁ କି ସାହୁର ଖାତକ ନୁହେଁ । ତେବେ ସେ ସରକାର ନାଁ ଶୁଣିଲେ ଚିଡ଼େ କିଆଁ ?

 

ଯେଉଁ ଦିନଠାରୁ ସେ ରଜନୀବାବୁଙ୍କ ପାଖକୁ ଯିବା ଆସିବା ଆରମ୍ଭ କରି ଦେଇଛି ସେହି ଦିନଠାରୁ ସେ ସରକାର ଓ ସରକାରୀ ଲୋକଙ୍କ ନାମ ଶୁଣିଲେ ତା’ର ନାହି ଡିଏଁ ।

 

ଏହି ନିଆଁ ଲଗା ସରକାର ଓ କୁଳବୁଡ଼ା ସରକାରୀ ଲୋକଙ୍କପାଇଁ ଆଜି ପାରୀ ହେଲା ପୋଇଲୀଠାରୁ ହୀନ । ସରକାରଙ୍କର ଯଦି କୌଣସି ଆଇନ କାନୁନ ନ ଥାନ୍ତା, ସରକାରଙ୍କ ଶାସନ କଳ ଯଦି ମ୍ୟୁନିସିପାଲଟି ଗାଡ଼ିର ଚକ ପରି ଏପଟ ସେପଟ ଢଳି ଢଳି ଚାଲୁ ନ ଥାନ୍ତା ତେବେ ଆଜି ପାରୀ ହୋଇଥାନ୍ତା କୃଷ୍ଣାଦେବୀଙ୍କ ପରି ଦାସଙ୍କ ପରିବାରରେ ଜଣେ ଆଦର୍ଶ ରମଣୀ । ମାତ୍ର ଆଇନ୍ କାନୁନ୍ ତାହା କରାଇ ଦେଲା ନାହିଁ । ତେଣୁ ପାରୀ ଆଇନକୁ କିଆଁ ମାନିବ ?

 

କିଏ ନ ଜାଣେ ଦାସଙ୍କ ସଙ୍ଗେ ପାରୀର କି ପ୍ରକାର ସମ୍ପର୍କ ଥିଲା ! ଆଜି ଯେଉଁମାନେ ନ କହିବେ ସେମାନେ ସମସ୍ତେ କୃଷ୍ଣାଦେବୀଙ୍କ ଗୋଡ଼ାଣିଆ ମଣିଷ । ଯାହା ହେବାର ପଛେ ହେବ ପାରୀ ଅନ୍ତତଃ ମରିବା ଆଗରୁ କୃଷ୍ଣାଦେବୀଙ୍କୁ ଦେଖାଇ ଦେବ ଯେ ପାରୀ ଏମିତି ମାଇପି ନୁହେଁ । କୃଷ୍ଣାଦେବୀ ଯେପରି ଶ୍ରୀମତୀ ପାର୍ବତୀ ଦେବୀ ଓରଫ ପାରୀ ମଧ୍ୟ ହେବ ସେହିପରି । ତେବେ ତା’ର ମନ୍ଦ କପାଳ ଯେ ବିଧାତା କୋଳକୁ ଗୋଟାଏ କିଛି ଦେଲା ନାହିଁ ।

 

ପାରୀର ମନକଥା ବେଶୀ ଦିନ ତା’ର ମନ ମଧ୍ୟରେ ରହିଲା ନାହିଁ । ରଜନୀବାବୁ ଦ୍ୱିପ୍ରହରେ ରବିବାର ଦିନ ଗଡ଼ପଡ଼ ହେଉଥିଲେ । ପଦ୍ମାବତୀ କବାଟ ଏପଟେ ଛିଡ଼ା ହୋଇ କହିଲେ ‘‘ଶୁଣୁଛ ।’’

 

କ’ଣ କହି ରଜନୀବାବୁ ପଦ୍ମାବତୀଙ୍କୁ ଭିତରକୁ ଆସିବାକୁ ଇଙ୍ଗିତ ଦେଲେ ।

 

ପଦ୍ମାବତୀ କହିଲେ ‘‘ସାନ ସମୁଦୁଣୀ କ’ଣ କହୁଛନ୍ତି ଶୁଣିଲ ଟିକିଏ ।’’

 

ପଦ୍ମାବତୀ ରତ୍ନମଣିଙ୍କୁ ମହପ୍ରସାଦ ଦେବା ଦିନଠାରୁ ପାରୀ ହୋଇଛି ପଦ୍ମାବତୀର ସାନ ସମୁଦୁଣୀ; କିନ୍ତୁ ଏତିକିରେ ପାରିର ମନବୋଧ ହୁଏ ନାହିଁ । ସେ ଚାହେଁ ପଦ୍ମାବତୀଙ୍କର ଗୋଟିପଣେ ସମୁଦୁଣୀ ହେବାକୁ ।

 

ପାରୀ ତା’ର ମନକଥା ରଜନୀବାବୁଙ୍କୁ ଗୋଟି ଗୋଟି କରି କହିଗଲା । ରଜନୀବାବୁ କେବଳ ମଝିରେ ମଝିରେ ଗୋଟିଏ ଗୋଟିଏ, ହୁଁ’ ମାରୁଥାନ୍ତି ।

 

ଶେଷରେ ରଜନୀବାବୁ କହିଲେ ‘‘ସବୁ ହେବ ଯେ; କିନ୍ତୁ ହରିମାଧବଙ୍କୁ ହାତ କଲା ନ ଯିବା ଯାଏ କୌଣସି କଥା ହୋଇପାରିବ ନାହିଁ ।’’

 

ପାରୀ କହିଲା–ହରିମାଧବଙ୍କୁ ହାତ କରିବାଭାରଟା ମୋ ହାତରେ । ମୁଁ ସେତକି ଅନାୟାସରେ କରିଦେବି । ବାକିତକ ତୁମ ଉପରେ । ଦେଖ ଏ କଥା ତୁମ ଓ ମୋ ବ୍ୟତୀତ ଯେପରି କେହି ନ ଜାଣନ୍ତି । ଷଡ଼କର୍ଣ୍ଣ ମନ୍ତ୍ରଭେଦ ।’’

 

ରଜନୀବାବୁ ପକ୍‌କା ମାମଲତକାର । ମାଲିମାମଲା କହିଲେ ତାଙ୍କର ଆନନ୍ଦ ଦେଖେ କିଏ ? ସେ’ ପାରୀକୁ ବିଦାୟ କରିଦେଇ ମନେ ମନେ କେତେ କ’ଣ କଳ୍ପନା କରିଗଲେ ।

 

ପାରୀକୁ ଦେଖେ କିଏ ? ଗୋଡ଼ ତଳେ ପଡ଼ନାହିଁ: । ସେ ମଧ୍ୟ କୃଷ୍ଣା ଦେବୀ ପରି ହେବ ଏ ଘରେ ମଣିଷ । ଦାସ ଦାସୀ ତା’ର ପଦତଳେ ଖଟିବେ । ଯେପରି କୃଷ୍ଣାଦେବୀଙ୍କ ହୁଁ କୁ ଆଠ ଦଶ ହାଜର ହୋଇ ଯାଉଛନ୍ତି ତାହାବେଳକୁ ମଧ୍ୟ ସେହିପରି ହେବ । ପାରୀ ଆଉ ପାରୀ ହୋଇ ରହିବ ନାହିଁ । ସେ ହେବ ପାର୍ବତୀ ଦେବୀ ।

 

କଳ୍ପନାର କାଞ୍ଚନଜଙ୍ଘା ଉପରେ ପାରୀ ଛିଡ଼ା ହୋଇ ତଳକୁ ଅନାଏ । କୃଷ୍ଣାଦେବୀ ଓ ସୁମିତ୍ରା ତା’ ଆଖିରେ ଅତି ଛୋଟ ଓ ନଗଣ୍ୟହୋଇ ଦେଖାଯାନ୍ତି । ଯେ ତା’ର ଦେହ ଓ ପିନ୍ଧିଲା ଲୁଗାକୁ ଅନାଇ ଦୀର୍ଘଶ୍ୱାସ ପକାଇ ପଛକଥା ସବୁ ଭାବିଯାଏ । ପାରୀ ପାର୍ବତୀ ହେବ; କିନ୍ତୁ ତା’ର ଆଜି ବଳ, ବୟସ ବା ଯୌବନ ନାହିଁ । ସବୁ ଚାଲିଯାଇଛି । କିଛି ନ ଆସି ଯୌବନଟା ପୁଣି ଫେରି ଆସନ୍ତା କି ?

 

ଜୀବନକୁ ଉପଭୋଗ କରିବାକୁ ହେଲେ କେବଳ ଯୌବନ ଲୋଡ଼ା ନାହିଁ । ଯୌବନ ସାଙ୍ଗକୁ ଲୋଡ଼ା ରୂପ ଓ ଧନ । ଯେଉଁଠାରେ ରୂପ, ଧନ ଓ ଯୌବନର ସମାବେଶ ସେଠାରୁ ଧର୍ମ ଆପେ ଆପେ ବାଟ କାଟି ଚାଲିଯାଏ ।

 

ଯୌବନର ବଳଠାରୁ ଧନ ଓ କ୍ଷମତାର ବଳ ଅନେକ ବେଶି । ଧନ ଓ କ୍ଷମତା ପାଇଁ ମଣିଷ ପଶୁ ହୋଇଯାଏ ।

 

ଧନ ପାଗଳକୁ ଚନ୍ଦ୍ର ସୂର୍ଯ୍ୟ ଦେଖାଯାଆନ୍ତି । ନାହିଁ ।

 

ପାରୀ ଅଙ୍ଗେ ଲିଭାଇଛି । ଦାସଙ୍କର ରୂପ ନ ଥିଲା କିମ୍ବା ଯୌବନ ନ ଥିଲା । କେବଳ ଥିଲା ଧନ । ସେହି ଧନବଳରେ ଦାସେ ପାରୀକୁ ପୋଷା ମନାଇଥିଲେ । ନୋହିଲେ ପାରୀ କିଏ ନା ଦାସେ କିଏ ? ଏହି ଧନପାଇଁ ଗୋଟିଏ ବାରବନିତା ମଧ୍ୟ ସତୀ ସ୍ତ୍ରୀକୁ ଉପହାସ କରେ ।

 

ଅସତୀର ସୌନ୍ଦର୍ଯ୍ୟ ସତୀର କୁତ୍ସିତ ରୂପଠାରୁ ଢେର ଅସୁନ୍ଦର । ଦସ୍ୟୁର ଧନରତ୍ନ ସନ୍ନ୍ୟାସୀର କୌପିନ ଅପେକ୍ଷା ଅନେକ ମୂଲ୍ୟହୀନ । ମୂର୍ଖର ମୌନତା ପାଣ୍ତିତ୍ୟର ଲକ୍ଷଣ ନୁହେଁ । ଏହାକୁ ସ୍ୱୀକାର ବା କରନ୍ତି କେତେ ଜଣ ?

 

ପାରୀ ଓର ଖୋଜୁଥାଏ । ବେଳକାଳ ଜାଣି ପାଲାଟାଏ ଲଗେଇ ଦେବାକୁ ।

 

ସୁମିତ୍ରା କାଙ୍ଗାଳି ସଙ୍ଗେ କ’ଣ କଥାବାର୍ତ୍ତା ହୋଇ କହିଲେ ‘‘କାଙ୍ଗାଳି ! କାହାରିକୁ କହିବୁ ନାହିଁ । କହିଲେ ଦେଖିବୁ ।’’

 

‘‘କାଙ୍ଗାଳି କ’ଣ ନୂଆ ହୋଇଛି ଯେ କାହାକୁ କହିଦେବ ? ଏୟା କଥା ତା’ପାଖରେ ତା’କଥା ଏୟା ପାଖରେ ଯଦି କାଙ୍ଗାଳି କହୁଥାନ୍ତା କେଉଁ ଦିନଠାରୁ ମେରାମୁଣ୍ଢଳି ବାସ ଧରନ୍ତାଣି । କାଙ୍ଗାଳି ଆଜି ଯାକେ ଆଉ କଟକରେ ନଥାନ୍ତା ।’’ କହି ଉପର ଛାତରୁ କାଙ୍ଗାଳି ତଳକୁ ଓହ୍ଲାଇବାକୁ ଯାଉଛି ଦେଖିଲା ପାରୀ ଦମଦମ ହୋଇ ଚାଲିଆସୁଛି ।

 

ପାରୀକୁ ଦେଖି କାଙ୍ଗାଳି ‘‘ମୋ ବୋଉଲୋ’’ କହି ଆଡ଼େଇଗଲା । ପାରୀ ସପ୍ତମରେ ସ୍ୱରକୁ ତୋଳି କହିଲା ‘‘ହଇରେ ବାଡ଼ିପଡ଼ା ! ତୋତେ ମରଣ ନାହିଁ । ବିରାଡ଼ିକୁ ଅଣପୁରୁଷ ଦେଖି, ମୂଷା ନାଟ କରୁଛି ବସି ।’’

 

‘‘କ’ଣ ହେଲାକି ମାଉସୀ ! ଏତେ ଖପା କିଆଁ ହେଉଛ ? ସାନ ମାଆଙ୍କୁ ସିନା...’’କାଙ୍ଗାଳି ଏତିକି କହି ସାରିଛି କି ନାହିଁ ପାରୀ ବାଘୁଣୀ ଭଳି ରଡ଼ିଟାଏ ଛାଡ଼ି କହିଲା ‘‘ହଇରେ ଅଳପାଇସା ! ତୁ କ’ଣ ସମସ୍ତଙ୍କୁ ସାନ ମାଆଭଳି ଠଉରାଇଲୁଣିକି ? ମୋ ଦେହରେ ହାତ ଦେଲୁ ? ଦେଖିବୁ ତୋର ବେକ ମୋଡ଼ି ରକତ ଯଦି ଶୋଷି ନ ନେଇଛି ତେବେ ପାରୀକୁ ତୋ ଜନମକଲା ମନେ କରିବୁ ।’’

 

ପାରୀ ପୁଣି ସୁମିତ୍ରାକୁ ଲକ୍ଷକରି କହିଲା ‘‘ଏଇଥିପାଇଁ ପୁଅକୁ ମୋର ଘରେ ଥୋଇବସାଇ ଦେଲ ନାହିଁ । ସେ ଥିଲେ ତ ସବୁ ଅଡ଼ୁଆ ।’’

 

‘‘କ’ଣ ହେଲା କି ପାରୀ’’ କହି ସୁମିତ୍ରା ପାରୀ ମୁହଁକୁ ଅନାଇଲେ ।

 

‘‘କ’ଣ ନ ହେଲାକି ? ଆଉ କ’ଣ ହେଲେ ଯାଇ ମନ ମାନିଥାନ୍ତା । ଦିନ ଦ୍ୱିପ୍ରହରଟା, ଯଦି ରଙ୍ଗସକୁ ଏତେ ମନ ତେବେ ଦରଜାଟା ମଧ୍ୟ ଟିକିଏ ଭିତର ପଟରୁ ବନ୍ଦ କରିଦେଇ ପାରିଲ ନାହିଁ ? ଏଇଥିରେ ଶାଶୁ କହନ୍ତି କ’ଣନା ବୋହୂ ମୋର ସାକ୍ଷାତ ବୃନ୍ଦାବତୀ ।’’ ଏତିକି ଏକ ନିଶ୍ୱାସରେ କହି ପାରୀ ତଳକୁ ଚାଲିଗଲା ।

 

କୃଷ୍ଣାଦେବୀଙ୍କର ଯୋଗନିଦ୍ରା ଭାଙ୍ଗିଗଲା । ସେ ଆରପଟୁ ପାଟିକଲେ ‘‘ହଇଲୋ ସୁମି । ମାଆପଛେ ସାତଜନମ ପିଲାଛୁଆର ମୁହଁ ନ ଦେଖ ତେବେ ତୋ’ ଭଳିଆ ଝିଅ ଜନ୍ମକରି ଆଣ୍ଠୁକୁଡ଼ୀ ଦୋଷରୁ ପାରି ହେବାରେ କ’ଣ ଲାଭ ରହିଛି କହିଲୁ ?’’

 

ପାରୀ ଯେଉଁ ଅମୋଘ ଅସ୍ତ୍ରର ସନ୍ଧାନ ପାଇଛି ତା’ର ପ୍ରତିଶର କେବଳ ରତ୍ନମଣିଙ୍କୁ ଜଣା । ହେଲେ ରତ୍ନମଣି କୌଣସି କଥାକୁ ମୁଣ୍ତରେ ପୂରାଉ ନାହାନ୍ତି ।

 

କାହାର ବା ସମ୍ପତ୍ତିପ୍ରତି ଲୋଭ ନାହିଁ । ବିଶେଷତଃ ମାଇପି ଲୋକଙ୍କର ଧନପ୍ରତି ଲୋଭ ନାହିଁ । ବିଶେଷତଃ ମାଇପି ଲୋକଙ୍କର ଧନପ୍ରତି ବେଶି ମମତା । ଏହି ଉକ୍ତିରେ ଯଦି କୌଣସି ସତ୍ୟତା ନ ଥାଆନ୍ତା ତେବେ ଧନ ରତ୍ନ ଉପରେ ଲକ୍ଷ୍ମୀ ଠାକୁରାଣୀଙ୍କର ମାଲିକାନା ସତ୍ୱ ଯାବତ୍‌ ଚନ୍ଦ୍ରାକେ ରହି ନ ଥାନ୍ତା । ରତ୍ନମଣି ବି ମାଇପି ଲୋକ । ତାଙ୍କର ସ୍ୱାମୀ ରୋଜଗାର କରିବେ । ବନ୍ଧୁବାନ୍ଧବ ତୁଲାଇବେ । ଥିଲା ନ ଥିଲା ଚଳାଇବେ । କିଏ ଖାଇଲା ନ ଖାଇଲା ବୁଝିବେ; କିନ୍ତୁ ନିଜ ଭବିଷ୍ୟତରେ ଲାଗିଲାବେଳକୁ ଦେଖିବାକୁ ଗଲେ ରହଣି ଘରେ ଶୂନ୍ୟ ।

 

କରଜ ଧାରରେ ମଣିଷ ସଢ଼ିଗଲାଣି । ଏ କଥା ରତ୍ନମଣିଙ୍କ ବ୍ୟତୀତ କେହି କେବେ କ’ଣ ଚିନ୍ତା କରିଛନ୍ତି ? ସେଥିପାଇଁ ରତ୍ନମଣି କାହାକୁ କିଛି ନ କହି ପାରୀକୁ ସମସ୍ତଙ୍କ ପଛରେ ଲଗାଇ ଦିଅନ୍ତି ।

 

କେଳାର ଡମ୍ୱରୁ ଶବ୍ଦ ଶୁଣିଲେ ନାଗ ଗାତରୁ ବାହାରିଲାପରି କୃଷ୍ଣାଦେବୀଙ୍କର ପାଟି ଶୁଣି ପାରୀ ‘ପୁଦ୍ଧଂଦେହି’ ଡକା ପକାଇ ତିଆର ।

 

କୃଷ୍ଣାଦେବୀ ମଧ୍ୟ କମ ନୁହଁନ୍ତି । ସେ ଏ ଘର ମାଲିକାଣୀ । ଛାର ପୋଇଲୀଟାକୁ ଡରିଯିବେ ? ପୋଇଲୀଟାକୁ ଡରିଗଲେ ତାଙ୍କର ଏ ଘରେ ପ୍ରାଧାନ୍ୟ ବଜାୟ ରହିବ କୁଆଡ଼ୁ ?

 

ପାରୀ ପହିଲେ ଆରମ୍ଭ କଲା ‘‘ଆହା ମୋ ବୋହୂଲୋ, ଯଦି ଗୁଣ ଥାଆନ୍ତା କେତେ ନ ହୁଅନ୍ତ । ପୁଅ ଗଲା ବିଦେଶ । ମୋ ମଣି କେତେକେ ଆଉ ସେ ଛତରା କାଙ୍ଗାଳି କେତେକେ ? ମୋ ମଣିର ହଗିଲା ଗୁହକୁ ଏ ଗଜାବୟସିଆ କଉଁ ଗୁଣକୁ ସରିମ ?’’

 

କୃଷ୍ଣାଦେବୀ କଥାର ଅଗ ମୂଳ ନ ବୁଝି କହିଲେ ‘‘ଏ ପୋଇଲୀଙ୍କ ପାଇଁ ଘରର ମାନ, ମହତ୍ୱ ତଳକୁ ଗଲା ।’’

 

‘‘ଥରେ ପରା କହିଲି ଆଉ ପୋଇଲୀ କହିବ ନାହିଁ । ଯଦି ପାଟି ହୁଡ଼ିବ ତ ଦେଖିବ ପାରୀର ସ୍ୱରୂପ ସେଦିନ ।’’

 

ନାଗ ପେଡ଼ିମଧ୍ୟରୁ ବାହାରିଲେ କେଳା ମଧ୍ୟ ଡରିଯାଏ; କିନ୍ତୁ କୃଷ୍ଣାଦେବୀ ପାରୀର ଏମିତି କେତେ କେତେ ଫଁ ତାଙ୍କ ଦେହକେ ଦେଖିଲେଣି । ସେ ସହଜରେ ଛାଡ଼ିବାର ଜନ୍ତୁ ନୁହଁନ୍ତି । କହିଲେ ଯା’ଲୋ ମୋ ନାଆଁରେ ହାଇକୋଟରେ ଫେରାଦ କରିବୁ ।’’

 

‘‘ତୁମେ କେତେକର ମଣିଷ ଯେ ତୁମକୁ ହାଇକୋଟ ଚଢ଼ାଇବାକୁ ପଡ଼ିବ । ଆଃ...ଫୁ...ବେଳକୁ କାମ ଶେଷ’’ କହି ପାରୀ ଅରଣା ମହିଁଷିପରି କୃଷ୍ଣାଦେବୀଙ୍କୁ ଅନାଇଲା ।

 

ସୁମିତ୍ରା ଗୋଟିପଣେ ଥରୁଥାନ୍ତି । ବିନା ମେଘରେ ବଜ୍ରପାତ । ସେ ବର୍ତ୍ତମାନ ବୁଝିପାରିଲେ ଅବସ୍ଥା କେଉଁ ଦିଗକୁ ଗତି କରୁଛି ।

 

ଯେଉଁମାନେ ପ୍ରକୃତରେ ମଣିଷ ସେମାନେ ବାଘ, ସାପକୁ ଯେତେ ଭୟ ନ କରନ୍ତି ଦୁର୍ନାମକୁ ସେତେ ଭୟ କରନ୍ତି ।

 

ସୁମିତ୍ରା କୃଷ୍ଣାଦେବୀଙ୍କ ପାଖକୁ ଯାଇ କହିଲେ ‘‘ବୋଉ ! ତୁମେ ତ ପାରୀକୁ ଜାଣିଛ । ଟିକିଏ ତୁନି ହୋଇ ରୁହ ।’’

 

ଏଆଡ଼େ ମାଇଲେ ଗୋହତ୍ୟା, ସେଆଡ଼େ ମାଇଲେ ବ୍ରହ୍ମ ହତ୍ୟା । ହରିମାଧବ ସବୁଦିନେ ସବୁ ଶୁଣନ୍ତି । କିଛି ନ ଜାଣିଲାପରି ଆଡ଼ ହୋଇ ଯାଆନ୍ତି । ତାଙ୍କର ଉଦ୍ଦେଶ୍ୟ ସାଧନପାଇଁ ସେ ସର୍ବଦା ବ୍ୟସ୍ତ । ସେଥିପାଇଁ ରତ୍ନମଣିକୁ ବୁଝାଇସୁଝାଇ ରଜନୀବାବୁଙ୍କ ହାତରେ ମହାପ୍ରସାଦ ଦିଅ କରାଇଛନ୍ତି ।

 

ସେଦିନର ସୁଆଙ୍ଗ ଏତିକିରେ ସରିଲା ନାହିଁ । ପାରୀ ସମସ୍ତଙ୍କୁ ଶୁଣାଇ ଶୁଣାଇ କହିଲା ‘‘ବଡ଼ଲୋକ ଘରେ ସାଧାରଣତଃ ଚାକର ବାକରଙ୍କର ସେଥିପାଇଁ ଏତେ ଆଦର ।’’

 

ସୁମନ୍ତ ଲେଖିବା ବନ୍ଦକରି କିଛି ସମୟ ଭାବିଲେ । ପୁଣି ଲେଖିଲେ ଦୀନ, ଦରିଦ୍ର କବିର ପ୍ରେମପାଇଁ ରାଣୀହଂସପୁର ତ୍ୟାଗକରି ମହାରାଣୀ କବି କୁଟୀରକୁ ଆସିବା ଯେପରି କଳ୍ପନାତୀତ ଠିକ୍‌ ସୁମିତ୍ରା ଓ କାଙ୍ଗାଳିର ଉପାଖ୍ୟାନ ଗୋଟିଏ କପୋଳକଳ୍ପିତ ଗଳ୍ପଛଡ଼ା ଆଉ କ’ଣ ହୋଇପାରେ ? ପାରୀ ଯେତେ କହିଲେ ବି ତା’ କଥାରେ କିଏ ବା ବିଶ୍ୱାସ ଯିବେ ?

 

ଯେଉଁ ଘରେ ପାରୀ ଓ କୃଷ୍ଣା ଦେବୀଭଳି ଧୁରନ୍ଧର ମଣିଷର ସମାବେଶ ସେଠାରେ ‘କିସ ପୁଣି ଦେଖା ନ ଯାଏ ଜୀଇଁଥିଲେ ଜୀବରେ’ ପଦକ ଲାବଣ୍ୟବତୀରୁ ମନେପକାଇ ସୁମିତ୍ରା ଦୁଇଟୋପା ଲୁହ ଗଡ଼ାଇଲେ ।

 

କୃଷ୍ଣାଦେବୀ ଅଧ୍ୟାୟେ ଭାଗବତ ପଢ଼ିସାରି ମାଳିଧରି ନାମ ଜପିବାକୁ ବସିଥାନ୍ତି ।

 

କାଙ୍ଗାଳି ମନ ଖୁସିରେ ଗାଉଥାଏ ‘‘ଜପ, ଜପ, ଜପ, ଜପ ଜପରେ ମନୁଆ ଜପ ପ୍ରେମିକ ମାଲା ।’’

 

ସୁମିତ୍ରା କାଙ୍ଗାଳି ଆଡ଼କୁ ଦୃଷ୍ଟିପାତ ନ କରି ଡାକିଲେ ‘‘ବୋଉ !’’

 

କୃଷ୍ଣାଦେବୀ କୌଣସି ଜବାବ ନ ଦେଇ ଅଧିକ ଜୋରରେ ‘‘ହରେକୃଷ୍ଣ, ହରେକୃଷ୍ଣ’’ କହି ମାଳି ଗଡ଼ାଇବାକୁ ଲାଗିଲେ ।

 

ପୁଣି ସୁମିତ୍ରା ଡାକିଲେ ‘‘ବୋଉ !’’

 

କୃଷ୍ଣାଦେବୀ ଏକାବେଳକେ ଧ୍ୟାନରତ । କୃଷ୍ଣାଙ୍କର ପାଦ-ପଦ୍ମରେ ଯେ ଲୟ ରଖିଥାଏ ସେ ବାହ୍ୟ ଜଗତଠାରୁ ରହେ ଅନେକ ଦୂରରେ । ସୁମିତ୍ରା ଯେତେ ଡାକିଲେ ମଧ୍ୟ ଶାଶୁ ଶୁଣିଲେ ନାହିଁ । କାଳେ ଲୋକେ ତାଙ୍କୁ ସମାଲୋଚନା କରି କେତେ କ’ଣ କହିବେ ଏହି ଭୟରେ । ପୁଣି ଶୁଣିଲେ ଯୋଗଭଗ୍ନ ହେବ ।

 

ହରେକୃଷ୍ଣ ସାଙ୍ଗକୁ ଘନ ଘନ ଦୀର୍ଘଶ୍ୱାସ ପକାଉଥାନ୍ତି । କେତେବେଳେ ଗଡ଼ିଯିବା ପରେ ସେ ଟିକିଏ ଚାହିଁଲେ ଓ ପଚାରିଲେ କେତେବେଳଠାରୁ ଏଠାରେ ଛିଡ଼ା ହେଲୁଣି କି ସୁମି ?’’

 

‘‘ପ୍ରାୟେ ଅଧ ଘଣ୍ଟାଏ ହେବଣି’’ କହି ସୁମିତ୍ରା କଇଁ କଇଁ କରି କରି କାନ୍ଦି ଉଠିଲେ ।

 

କୃଷ୍ଣାଦେବୀଙ୍କର ପାଷାଣହୃଦୟ ଟିକିଏ ବୋଲି ଦୟାରେ ବିଗଳିତ ହେଲା ନାହିଁ । ସେ କହିଲେ ‘‘ଏତେ ଲେମ୍ବୁରସ ଗଡ଼ାଉଛୁ କାହିଁ ପାଇଁଲୋ ? ପୁଅକୁ ଲଗେଇ ଲଗେଇ ତଡ଼ପିଲୁ । ମୋ ପୁଅର କ’ଣ ଘର ଛାଡ଼ି ଯିବାର ଇଚ୍ଛା ଥିଲା ? ତୋ ବାପ ଦଶାଦିଆ ମୋତେ ଯେପରି ଜାଳିପୋଡ଼ି ମାରୁଛି ସେହିପରି ମୋରି ଅଭିଶାପରେ ତା’ର ବଂଶ ନିର୍ବଂଶ ହୋଇଗଲା । ଧର୍ମ ଦେଶରେ ପୁଣି ଅଛି ନା କୁଆଡ଼କୁ ଚାଲିଗଲାଣି ?

 

ଅପଦାର୍ଥ ସ୍ୱାମୀର ହାତ ଧରିଲେ ଲାଞ୍ଛନା ବିନା କାରଣରେ ମଧ୍ୟ ଭୋଗିବାକୁ ହୁଏ । ସୁମିତ୍ରା ଏତିକି ମନେ ମନେ ଭାବି ଚାଲି ଯିବାକୁ ବସିଥାନ୍ତି ।

 

କୃଷ୍ଣାଦେବୀ କହିଲେ, ‘‘କ’ଣ କହିବାକୁ ଆସିଥିଲୁ । କହିଲୁ ନାହିଁ ?’’

 

‘‘ଏହି ପାରୀ କଥା । ଦେଖୁଛ ତ ମିଛେ ମିଛେ କିମିତି.......

 

‘‘ଏ କାଳରେ ନିଆଁ ନ ଥାଇ ମଧ୍ୟ ଧୂଆଁ ଉଠେ ।’’ ଏତିକି କୃଷ୍ଣାଦେବୀ କହି ଗୀତାର ପୃଷ୍ଠା ଓଲଟାଇବାକୁ ଆରମ୍ଭ କଲେ ।

 

କୃଷ୍ଣାଦେବୀ ସୁମିତ୍ରାକୁ ହାଡ଼େ ହାଡ଼େ ଚିଡ଼ନ୍ତି । ଚିଡ଼ିବାର ଅସଲ କାରଣ ହେଉଛି ସୁମିତ୍ରା ରମଣୀରଞ୍ଜନକୁ ମୋଟେ ପସନ୍ଦ କରନ୍ତି ନାହିଁ । ଏ କଥା କେହି ନ ଜାଣିଲେ ମଧ୍ୟ କୃଷ୍ଣାଦେବୀ ଜାଣନ୍ତି ।

 

ଗୋଟିଏ ସ୍ତ୍ରୀ ଅନ୍ୟ ଗୋଟିଏ ସ୍ତ୍ରୀକୁ ଯେତେଶୀଘ୍ର ଜାଣିପାରେ କୌଣସି ପୁରୁଷ ସେତେ ଶୀଘ୍ର ଜାଣି ପାରିବ ନାହିଁ । ତେବେ ସବୁ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ନୁହେଁ ।

 

ନିରୋଳାରେ ଦିନେ ଦିନେ କୃଷ୍ଣାଦେବୀ ନିଜର ଯୌବନ ସମୟର କଥା ମନେ ପକାନ୍ତି-। ସେ ମଧ୍ୟ ସୁନ୍ଦରୀ ଥିଲେ ।

 

ପୁରୁଷମାତ୍ରେ ସୁନ୍ଦରୀ ସ୍ତ୍ରୀର କାମନା କରନ୍ତି । ସ୍ତ୍ରୀର କ’ଣ ପ୍ରାଣ ନାହିଁ ? ତା’ର କ’ଣ ଲିପ୍‌ସା ନାହିଁ ? ସେ ଅନ୍ୟକୁ କ’ଣ ଆନନ୍ଦ ଦେବାକୁ ଜନ୍ମ ହୋଇଛି ? ଆନନ୍ଦ ଉପଭୋଗ କରିବାକୁ କ’ଣ ତା’ର ଜନ୍ମ ନୁହେଁ ?

 

ଏ ବୟସରେ ମଧ୍ୟ କୃଷ୍ଣାଦେବୀଙ୍କ ମନରେ ରାଧାକୃଷ୍ଣ ଦାସଙ୍କର ଚେହେରାଟା ମନେ ପଡ଼ିଗଲେ ମନଟା ଆପେ ଆପେ ଆମ୍ବିଳା ହୋଇଯାଏ । ସେ ଭୟରେ ଆଖି ବୁଜି ଦିଅନ୍ତି । ତାଙ୍କ ହୃଦ-ଯନ୍ତ୍ର ଥରି ଉଠେ ଇସ୍‌ କି ବୀଭତ୍ସ ସେ ରୂପ ! କି ଅସୁନ୍ଦର ସେ ଚାହାଣି ! କେଡ଼େ କର୍କଶ ତାଙ୍କର କଣ୍ଠର ସ୍ୱର !

 

କାହିଁ ସେ ତ ଦିନେ ବୋଲି ତାଙ୍କର ସ୍ୱାମୀକୁ ଭଲ ପାଇ ପାରିଲେ ନାହିଁ । ଯଦି ସୁମିତ୍ରା ଭଲ ନ ପାଇଲା କ୍ଷତି କ’ଣ ?

 

କୃଷ୍ଣାଦେବୀଙ୍କ ଆଖିକୋଣରେ ଲୁହ ଜମିଯାଏ । ଯେଉଁଦିନ ସେ ନିଜର ଅତୀତ ମନେ କରନ୍ତି ।

 

ସେ ଅତୀତକୁ ଆବୃତ୍ତି କରିବାକୁ ଚାହାନ୍ତି ନାହିଁ । ଅତୀତକୁ ସେ ପାସୋରିତ ଦେବାକୁ ବ୍ୟସ୍ତ । ମାତ୍ର ଅତୀତ ଅପାସୋରା ।

 

ନଅ

 

ଶାନ୍ତି-ନିକେତନରୁ ଚିଠ ଲେଖିଥାନ୍ତି ପ୍ରଶାନ୍ତ । ମହାପାତ୍ରେ ଲତିକା ହାତକୁ ଲଫାପାଟା ବଢ଼ାଇଦେଇ ଚାଲିଗଲେ ।

 

ଲତିକା ତରବରରେ ଚିଠି ପଢ଼ିଲେ । ପ୍ରଶାନ୍ତ ଲେଖିଥିଲେ... ଅଭିମାନିନୀ ରାଧେ !

 

ଏଠାରେ ମଧ୍ୟ ଚନ୍ଦ୍ର ଉଦିତ ହୁଏ; ମାତ୍ର ଆମ ସେଠାକର ଚନ୍ଦ୍ର ଏଠାକାର ଚନ୍ଦ୍ରଠାରୁୀ ଆହୁରି ସୁନ୍ଦର । ଆମ ସେଠାକାର ଦ୍ୱିତୀୟା ତିଥିର ଚନ୍ଦ୍ରଠାରୁ ସୁନ୍ଦର ଚନ୍ଦ୍ର ଏଠାରେ ଦେଖିବାକୁ ମିଳେ ନାହିଁ ।

 

ଲତିକା ମନେ ମନେ ଭାବିବାକୁ ଲାଗିଲା ସବୁ ଦେଶରେ ଚନ୍ଦ୍ର ଏକାପରି ଦେଖାଯାଏ । ଦ୍ୱିତୀୟା ତିଥିର ଚନ୍ଦ୍ର ସବୁ ଦେଶରେ ଚନ୍ଦ୍ର ସବୁ ଦେଶରେ ଦେଖିବାକୁ ସୁନ୍ଦର । ଶାନ୍ତିନିକେତନରେ ତେବେ ଦ୍ୱିତୀୟା ତିଥିର ଚନ୍ଦ୍ରଟା କ’ଣ ପ୍ରକୃତରେ ଅସୁନ୍ଦର ଦେଖାଯାଏ ?

 

ସତରେ ପୁରୁଷଗୁଡ଼ାକ କେଡ଼େ ମିଛୁଆ । ଯାହାର ପ୍ରଶଂସା ଗାଇବେ ତାକୁ ନେଇ ଆକାଶରେ ଥୋଇଦେବେ ।

Unknown

 

ପୁଣି ଭାବିଲା ଲେଖିବାର ବାଗ ଦେଖ ‘‘ଅଭିମାନିବୀ ରାଧେ !’’ ସତେ ଯେପରି କୁଆଡ଼ୁ ଅଇଲେ ସାକ୍ଷାତ୍‌ କୃଷ୍ଣଚନ୍ଦ୍ର ରାଧିକାର ମାନଭଞ୍ଜନ କରିବାକୁ ?

 

ଛିଃ-ପୁରୁଷଗୁଡ଼ାକ ପୁଣି ବନେଇଚୁନେଇ ଏମିତି ଲେଖି ଜାଣନ୍ତି ? ସ୍ନେହର ଲତିକା କିମ୍ବା କେବଳ ଲତା ହୋଇଥିଲେ କ’ଣ ଚଳି ନ ଥାନ୍ତା ?

 

ପୁଣି ପଢ଼ିଲା ଛୋଟ କବିତାଟିଏ । କବିତା କହିଲେ କେବଳ ଚାରିଟି ଧାଡ଼ି......

 

ଶରତ-ଚନ୍ଦ୍ର ଆକାଶ ତଳେ

ଲାଜେ ଛପିଯାଏ ବଉଦକୋଳେ

ଦେଖିଲା ଦିନରୁ ତୋ ମୂଖ-ଶଶୀ

ଆକାଶେ ଚନ୍ଦ୍ରମା ପାରୁନି ହସି ।

 

ଲତିକା ଖୁବ୍‌‌ ଜୋରରେ ହସି ଉଠିଲା । କେତେ କଥା ପୁରୁଷଗୁଡ଼ାକୁ ନ ଆସେ ? କାହିଁ ଚନ୍ଦ୍ରର ସୌନ୍ଦର୍ଯ୍ୟ–କାହିଁ ରକ୍ତ ମାଂସରେ ଗଢ଼ା ଗୋଟିଏ ନାରୀର ସୌନ୍ଦର୍ଯ୍ୟ ? କାହା ସାଥେ କାହାକୁ ଯେ ତୁଳନା ଏହି ପୁରୁଷଗୁଡ଼ାକ କରନ୍ତି ସେ କଥା ସେହିମାନେ ଜାଣନ୍ତି । ସତରେ ପୁରୁଷଗୁଡ଼ାକ କେଡ଼େ କାମୁକ ?

 

ଲତିକା ଆଉ ପଢ଼ି ପାରିଲା ନାହିଁ । ଆଖି ଦୁଇଟି ଲୁହରେ ଭରିଗଲା । ଧାର ଧାର ହୋଇ ଲୁହ ଗାଲ ଉପରେ ଗଡ଼ି ପଡ଼ିଲା । ସେ ଆଜି ପ୍ରଶାନ୍ତର ଅନୁପସ୍ଥିତି ମର୍ମେ ମର୍ମେ ଅନୁଭବ କଲା ।

 

ଏତିକିବେଳେ ପ୍ରଶାନ୍ତ ଆସନ୍ତେ କି ? ସେ ଲାଜ ସରମ ଛାଡ଼ି ତାଙ୍କ ଛାତିରେ ମଥା ରଖି କହନ୍ତା ‘‘ତୁମେ ସତ କହିବ, ତୁମକୁ ରାଣ ରହିଲା । ତୁମେ ସତରେ କହ ଆକାଶର ପୂର୍ଣ୍ଣିମାଚନ୍ଦ୍ରଠାରୁ ମୋର ଏ ମୁଖଚନ୍ଦ୍ରମା କ’ଣ ପ୍ରକୃତରେ ସୁନ୍ଦର ? ନା ଏ ତୁମର ମନଗଢ଼ା କଥା । ମୋର ଅଧରକୋଣରେ ହସର ଯେଉଁ ସରୁ ରେଖାଟିଏ ଫୁଟି ଉଠେ ତାହା କ’ଣ ଦ୍ୱିତୀୟା ତିଥିର ଚନ୍ଦ୍ରର ହସଠାରୁ ଆହୁରି କମନୀୟ ?’’

 

ପ୍ରଶାନ୍ତ ପାଖରେ ନାହିଁ । କିଏ ବା ତା’ର ପ୍ରଶ୍ନର ଉତ୍ତର ଦେବ । ସେ ମନେ ମନେ ଅନୁରାଧାକୁ ଖୋଜୁଥିଲା । ଅନୁରାଧା ହେଲେ ଆସନ୍ତା କି ?

 

‘‘ଭାଉଜ ! ଭାଇନା ପରା ଚିଠି ଦେଇଛନ୍ତି ?’’ କହି ଅନୁରାଧା ଭିତରକୁ ପଶି ଆସିଲା । ଲତିକା ‘ହଁ’ କି ‘ନା’ କୌଣସି ଉତ୍ତର ନ ଦେଇ ଚିଠିଟିକୁ ଅଣ୍ଟିରେ ଖୋସିଦେବାକୁ ଯାଉଛି ଅନୁରାଧା ଅଭିମାନ କରି କହିଲା ‘‘ତୁମେ ଏତେ କୂଟକପଟ କରିବ ବୋଲି ଯଦି ଜାଣିଥାନ୍ତି ତେବେ ଆଗରୁ ବାଟ କାଟିଥାନ୍ତି ।’’

 

‘‘ଏବେ ବାଟ କାଟି ଦେଉନ’’ କହି ଲତିକା ମୂରୁକି ହସଟିଏ ହସିଲା ।

 

‘‘କଥାରେ କଥାରେ କ’ଣ କଟିଯାଏ ?’’ ଏତିକି ଅନୁରାଧା କହି ଲତିକାର ଗାଲରେ ଏତେ ଜୋରରେ କେଇଟି ଦନ୍ତମୁଦ୍ରା ବସାଇଦେଲା ଯେ ଲତିକା ଅସ୍ପଷ୍ଟ ସ୍ୱରରେ କହିଲା- ଆଃ...

 

ଅନୁରାଧା ଲତିକାକୁ ଦର୍ପଣ ପାଖକୁ ଟାଣିନେଇ ଛିଡ଼ା କରାଇ କହିଲା ‘‘ଭାଉଜ ! ଦର୍ପଣକୁ ଅନାଇଲ ।’’

 

ଲତିକା ଦର୍ପଣରେ ମୁହଁ ଦେଖିଦେଲାମାତ୍ରେ ସିହିରି ଉଠି କହିଲା ‘‘ପୋଡ଼ାମୁହିଁକୁ ମରଣ ଯା ହେଲା ନାହିଁ ।’’

 

‘‘ମରଣ ଯଦି ହୋଇଥାନ୍ତା । ଏ ପ୍ରେମ ତୁମ ସଙ୍ଗେ କିଏ ବା କରନ୍ତା ?’’ କହି ଅନୁରାଧା କହିଲା ‘‘ଭାଉଜ ! ଆର ଗାଲଟା ।’’

 

‘‘ଦେଖ ଅନୁ ! ବୋଉକୁ ଡାକିବି ?’’

 

ସଂସାର ସମ୍ବନ୍ଧରେ ଅନୁରାଧାର ଅଭିଜ୍ଞତା ଲତିକା ଅପେକ୍ଷା ଅନେକ ଗୁଣରେ ସରସ । ସେ ଲତିକାକୁ ପୁଣି ଭିଡ଼ିଧରି କହିଲା ଅନୁ ବୋଲି କ’ଣ କହିଲ ? କହ ବା ବୀ ।’’

 

‘‘ତୁମକୁ ଜୁହାର ହେଉଛି ମୋତେ ଛାଡ଼ିଦିଅ ।’’

 

ଲତିକାକୁ ସିମିତି ଭିଡ଼ିଧରି ପଚାରିଲା ଅନୁରାଧା, ‘‘ଆଉ ଦିନେ ‘ଅନୁ’ ବୋଲି ଡାକିବି-?’’

 

ଲତିକା ମୁଣ୍ତ ହଲାଇଲା ।

 

ଅନୁରାଧା ପଚାରିଲା ‘‘କ’ଣ ଏଥର କହିବ ?’’

 

‘‘ନିଆଁ, ଚୂଲି ପାଉଁଶ ।’’

 

‘‘କ’ଣ କହିଲ’’ କହି ଏତେ ଜୋରରେ ଲତିକାର ହାତଟାକୁ ଚିପିଦେଲା ଯେ ଲତିକା ପାଟିକରି ଉଠିଲା ‘‘ବୋଉ ଲୋ ! ମରିଗଲି । ମୋ ସୁନା ଭଉଣୀଟା ପରା, ଛାଡ଼କ୍ଷିଦିଅ । ଆଉ ଦିନେ ‘ଅନୁ’ ବୋଲି ଡାକିବି ନାହିଁ । ସବୁବେଳେ ଡାକିବି ‘‘ବାନ୍ଧବୀ ।’’

 

‘‘ଶୁଣିବ ଭାଉଜ ! ଭଞ୍ଜ କବି କ’ଣ ଲେଖିଛନ୍ତି ?’’ ଗଳା ଛଡ଼ାଇ ଅନୁରାଧା ଆରମ୍ଭ କଲା ‘‘ଫୁଲ ମାଳ ଦେବି......’’

 

‘‘ସେତିକି ଥାଉ କଳାବତୀ । ତୁମକୁ ଜୁହାର, ତୁମର ଭଞ୍ଜ କବିଙ୍କୁ ମୋର ଶହେ ଜୁହାର-। ମୋଭଳି ଗୋଟାଏ ପଥର ପାଖରେ ଭଞ୍ଜକବିତା ପଢ଼ିବା ଅର୍ଥ ହେଉଛି ପ୍ରେମିକ-ସମ୍ରାଟ୍‌ ଭଞ୍ଜଙ୍କର ଅବମାନନା ।’’ ଏତିକି କହିଲା ଲତିକା ।

 

‘ପ୍ରେମିକ ସମ୍ରାଟ୍‌’ ଶବ୍ଦଟା ଶୁଣି ଚମକି ପଡ଼ିଲା ଅନୁରାଧା । ସେ ମନେ ମନେ ଭାବିଲା ପ୍ରକୃତରେ ଭଞ୍ଜେ ହେଉଛନ୍ତି ପ୍ରେମିକ-ସମ୍ରାଟ୍‌ । ସାହିତ୍ୟ-ସମ୍ରାଟ ନାମରେ ତାଙ୍କୁ ଅଭିହିତ ନ କରି ପ୍ରେମିକ-ସମ୍ରାଟ୍‌ ତାଙ୍କୁ କହିବାରେ ଯଥାର୍ଥତା ଅନେକ ଥିଲା ।

 

ଯେ ଶତ ଶତ ନାରୀଙ୍କୁ ଉପଭୋଗ କରି ତାଜମହଲ ଗଢ଼େ ସେ କ’ଣ ପ୍ରକୃତରେ ପ୍ରେମିକ-ସମ୍ରାଟ୍‌ ହୁଏ ? ତାଜମହଲ ଗଢ଼ିବା ସଙ୍ଗେ ପ୍ରେମର ସମ୍ପର୍କ ବା କ’ଣ ?

 

ଅଜସ୍ର ଧନ ବିନିମୟରେ ପ୍ରେମ କ’ଣ କିଣା ହୋଇପାରେ ? ପ୍ରେମ ଖରିଦ୍‌-ବିକ୍ରୀ ହେବା ଜିନିଷ ନୁହେଁ । ତାହା ସ୍ୱର୍ଗୀୟ, ତାହା ଅନାବିଳ, ତାହା ମୁକ୍ତାଠାରୁ ମଧ୍ୟ ସ୍ୱଚ୍ଛ ।

 

ପ୍ରେମ ଜଦି ପ୍ରେମ ହୁଏ ତେବେ ପ୍ରେମରେ କଳଙ୍କ ରହେ ନାହିଁ । ତଥାପି ରାଧା ଜଗତ ଆଖିରେ କଳଙ୍କିନୀ; କିନ୍ତୁ ରାଧା ନିଜକୁ କେବେ କଳଙ୍କିନୀ ବୋଲି କ’ଣ ଭାବିଥିବ ? ଯିଏ ଯାହା କହୁପଛେ ସେଥିପ୍ରତି କର୍ଣ୍ଣପାତ ନ କରି ରାଧା ନିଜ ପଥରେ ଆଗେଇ ଯାଇଥିଲା । ଦୁନିଆର ବନ୍ଧୁର ପଥ ତା’ ଆଖିକୁ ଦେଖା ଯାଇଥିଲା ସମତଳ ।

 

ନାରୀ ସହଜରେ କାହାରିକୁ ଭଲ ପାଏ ନାହିଁ । ଯଦି ଥରେ ସେ କାହାରିକୁ ଭଲ ପାଏ, ଯେତେ କହିଲେ ମଧ୍ୟ ସେ ଆଉ ନିଜ ପଥରୁ ଫେରିଆସେ ନାହିଁ । ଏ ଦୃଷ୍ଟାନ୍ତ ଜଗତରେ ବିରଳ ନୁହେଁ ।

 

ଅନୁରାଧା ନିଜକୁ ସଂଯତ କରିନେଇ କହିଲା ‘‘ଭାଉଜ ! ଦେଖି ଭାଇନାଙ୍କ ଚିଠିଟା ଦେଲ ।’’

 

‘‘କ’ଣ ଦେବ ?’’

 

‘‘ଯେଉଁଟା ବାକି ରହିଛି ଆର ଗାଲରେ ଦେବି ।’’ କହି ଅନୁରାଧା କଣେଇକରି ଲତିକାକୁ ଚାହିଁଲା ।

 

‘‘ପୋଡ଼ାମୁହିଁକୁ ବିଶ୍ୱାସ ନାହିଁ ଲୋ ମା’’ କହି ଲତିକା ଅନୁରାଧା ହାତକୁ ଚିଠିଟା ବଢ଼ାଇ ଦେଲା ।

 

ଲତିକାର ହାତରୁ ଚିଠିଟା ଟାଣିନେଇ ଅନୁରାଧା ଆମୂଳଚୂଳ ପଢ଼ି ଗୋଟାଏ ଦୀର୍ଘନିଶ୍ୱାସ ପକାଇଲା । କିଛି ସମୟ ଧରି ସେ ଲତିକାକୁ ଅନେଇ ରହିଲା ଉଦାସ ଦୃଷ୍ଟିରେ ।

 

ତାହାପରେ କଥାରେ ରସ ଫୁଟାଇ କହିଲା ‘‘ଗୋ ଅଭିମାନିନୀ ରାଧେ ! ଦେଖିବା ଟିକିଏ ହସିଲ, ତୁମ ହସରେ କିପରି ମୁକ୍ତା ଝରି ପଡ଼େ ?’’

 

ଜଟିଳା କ’ଣ ରାଧାର ହସର ମୂଲ୍ୟ ବୁଝେ ଯେ ରାଧା ଜଟିଳାଆଗରେ ହସିବ । କୃଷ୍ଣ ବ୍ୟତୀତ ରାଧା ଆଉ କାହା ପାଖରେ ହସେ ନାହିଁ ।’’

 

‘‘କୃଷ୍ଣଚନ୍ଦ୍ର ଯେ ଆଜି ଦୂରରେ’’ କହିଲା ଅନୁରାଧା ।

 

‘‘କାହିଁ ଦୂରେ ଚନ୍ଦ୍ର କାହିଁ ଦୂରେ କୁମୁଦିନୀ’’ କହି ଲତିକା ଓଠ ଟିପି ଟିପି ହସିଲା ।

 

‘‘ସତରେ ଭାଉଜ ! କାହିଁ ହସରୁ ତ ମୁକ୍ତା ଝରିଲା ନାହିଁ ? ଝରିଲା ଖାଲି ବାଲିଗରଡ଼ା-।’’ ଏତିକି କହି ଅନୁରାଧା ହସି ହସି ଗଡ଼ିଗଲା ।

 

ଲତିକା କହିଲା ‘‘ଗୋଟିଏ କଥା ପଚାରିବି । ସତ କହିବ ବାନ୍ଧବୀ । ମୋଟେ ଫାଜିଲାମି କରିବ ନାହିଁ ।’’

 

‘‘ଆଚ୍ଛା କହ ।’’

 

‘‘ପୁରୁଷମାନେ ଏତେ ଖୋସାମତ୍‌ କରନ୍ତି କାହିଁକି ?’’ ପଚାରିଲା ଲତିକା ।

 

‘‘ସବୁ ପୁରୁଷ କ’ଣ ସମାନ ? ତାଙ୍କ ଭିତରେ ଅନେକ କୁକୁର ମଧ୍ୟ ଅଛନ୍ତି ।’’

 

‘‘କୁକୁର ???’’ କହି ଆଖି ଡିମା ଡିମା କରି ଅନାଇଲା ଲତିକା ।

 

‘‘ଏତକ ବୁଝି ପାରିଲ ନାହିଁ ? ଅଧିକାଂଶ ପୁରୁଷ ଅଛନ୍ତି ଯେଉଁମାନଙ୍କର କଣ୍ଠରେ ନ ଥାଏ ଭାଷା, ବା ଅଧରରେ ନ ଥାଏ ହସ । ଆଉ ସେମାନେ ଜାଣନ୍ତି ସ୍ତ୍ରୀ ଗୋଟିଏ ଜୀବ ଯେ ଆସିଛି ନିଜେ ସବୁ ଅସୁବିଧା ଭୋଗି ଅନ୍ୟର ସୁବିଧା କରିବାକୁ’’ କହିଲା ଅନୁରାଧା ।

 

‘‘ସେପରି ପୁରୁଷଟିଏ କପାଳରେ ଜୁଟିବ ସେ ବିଚାରୀ ତ ମଲା ।’’

 

‘‘ଜୀଇଁ ଥାଇ ଥାଇ ମଲା’’ କହି ଅନୁରାଧା ଆଖି ଦୁଇଟାକୁ ଛଳ ଛଳ କରିଦେଲା । ତା’ପରେ ବୁଝାଇ ବସିଲା ଲତିକାକୁ ।

 

ଦେଖ ଭାଉଜ । ତୁମେ ତ ରାମାୟଣ ପଢ଼ିଛ । ରାବଣ ସୀତାଙ୍କୁ ଚୋରିକରି ନେଇଗଲା-। ସୀତାଙ୍କର ମନ ନେବାକୁ ସେ ଅନେକ ପ୍ରଲୋଭନ ଦେଖାଇଲା । ସ୍ୱର୍ଣ୍ଣପୂରୀ ଲଙ୍କାର ବିଭବ, ରାବଣର ପାଣ୍ତିତ୍ୟ ଓ ତା’ର ସ୍ୱର୍ଗବିଜୟର ଦାମ୍ଭିକତା ସୀତାଙ୍କୁ ମୁଗ୍‌ଧ କରି ପାରିଲା ନାହିଁ । ଏହାର କାରଣ କ’ଣ କହି ପାରିବ ?’’

 

‘‘ସେ ପତିବ୍ରତା ନାରୀ ।’’

 

ଅନୁରାଧା ଉତ୍ତେଜିତ ହୋଇ କହିଲା ‘‘ଏତେ ସହଜରେ ଗୋଟିଏ ପଦରେ ଛିଡ଼ାଇ ଦେଲ । ସୀତା ଯାହା ଖୋଜୁଥିଲେ ସେ ତାହା ରାମଚନ୍ଦ୍ରଙ୍କଠାରୁ ପାଉଥିଲା । ତେଣୁ ରାବଣଙ୍କୁ ଆଖି ଖୋଲି ଚାହିଁଲେ ନାହିଁ । ସ୍ତ୍ରୀର ସ୍ୱାମୀ ହେଲା ସର୍ବସ୍ୱ । ଯେଉଁଠି ପୁରୁଷ ସ୍ତ୍ରୀର ବାସନା ପରଣ କରିବାକୁ ହୁଏ ଅସମର୍ଥ- ସେହିଠାରେ କେବଳ ସବୁ ସମୟରେ ବ୍ୟତିକ୍ରମ ଦେଖାଯାଏ ।’’

 

ଲତିକା ମୋଟେ ଅନୁରୋଧ ଯୁକ୍ତିକୁ ମାନିଲା ନାହିଁ । ସେ ପ୍ରତିବାଦ କରି କହିଲା ତୁମର ଭଲ ଲୁଗାଟା ଦେଖି ମୁଁ ଲୋଭ କରିବି କିଆଁ ?’’

 

‘‘ଲୁଗା ଆଉ ମନ ଏକ ଜିନିଷ ନୁହେଁ ଭାଉଜ ! ତୁମର ଭାଗ୍ୟ ଟାଣ ଯେ ମୋ ଭାଇ ଭଳି ସୁନ୍ଦର ଯୋଗ୍ୟ ସ୍ୱାମୀର ହାତ ଧରିଛ । ସେଥିପାଇଁ ନାରୀ-ଜୀବନରେ କ’ଣ ଯେ ଦୁଃଖ ଥାଏ ତାହା ତୁମେ ବୁଝି ପାରିବ ନାହିଁ ।’’

 

ଏହି ପଦକ ଶୁଣି ଲତିକା ଆନନ୍ଦରେ ଗଦ୍‌ ଗଦ୍‌ ହୋଇଗଲା । ସେ ନିଜର ଭାଗ୍ୟକୁ ପ୍ରଶଂସା ନକରି ମନେ ମନେ ଭଗବାନଙ୍କୁ ଶତ ଧନ୍ୟବାଦ୍‌ ଦେବାକୁ ଲାଗିଲା ।

 

ସ୍ତ୍ରୀ ସମାଜରେ ସମ୍ମାନ ପାଏ ଯଦି ସେ ଯୋଗ୍ୟ ସ୍ୱାମୀର ହାତ ଧରେ । ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ମଧ୍ୟରେ ବୁଡ଼ିରହି ସୁଦ୍ଧା ଅଯୋଗ୍ୟ ସ୍ୱାମୀର ହାତ ଧରିଥିଲେ ସ୍ତ୍ରୀ ସମ୍ମାନ ପାଏ ନାହିଁ । ଏହା ସବୁଠାରେ ଘଟେ ।

 

ଲତିକା ପ୍ରକୃତରେ ସୌଭାଗ୍ୟବତୀ । ପୂର୍ବଜନ୍ମର ସୁକୃତିପାଇଁ ସେ ଆଜି ପ୍ରଶାନ୍ତ ଭଳି ସ୍ୱାମୀ ପାଇଛନ୍ତି । ରୂପ, ଗୁଣ, ବିଦ୍ୟା, ବୁଦ୍ଧି କୌଣସିଟି କେହି କାହାକୁ ଊଣା ନୁହେଁ ।

 

ନିକାଞ୍ଚନରେ ବସି ଲତିକା ଭାବେ । ଅନେକ ଭାବେ । ସେ ଭାବନାର କୂଳ-କିନାରା କିଛି ନ ଥାଏ ।

 

ସେଦିନ କଥା ଛଳରେ ଅନୁରାଧା କହିଲା ‘‘କବିମାତ୍ରେ ନଷ୍ଟ ଚରିତ୍ର । ଯେଉଁମାନେ କବିତାର କବି ସେମାନେ ଅଳ୍ପେ ବହୁତେ ସେହି ଦୋଷରେ ଦୋଷୀ ।’’

 

ସୁମନ୍ତ କଲମ ଥୋଇ ଦେଇ ଭାବିଲେ ପ୍ରକୃତରେ କବି କ’ଣ ପରର ପ୍ରେମପାଇଁ ପାଗଳ ହୁଏ ? ସେ ପ୍ରେମପାଇଁ ପାଗଳ ହୁଏ କାହିଁକି ? ସେ ତା’ର କାବ୍ୟନାୟିକାକୁ ଖୋଜି ଖୋଜି କ’ଣ ଆଖିରୁ ଲୁହ ଢାଳେ ନାହିଁ ?

 

ଏହି ସମାଜ, ଏହି ସ୍ୱାର୍ଥପର ମଣିଷଜାତିର କୃତ୍ରିମ ସଭ୍ୟତା ଆଜି କବିକୁ ସମାଲୋଚନା କରି କହେ କବିମାତ୍ରେ ନଷ୍ଟ ଚରିତ୍ର; କିନ୍ତୁ କିଏ ବୁଝେ କବିର ହୃଦୟ ?

 

କବି ଯାହାପାଇଁ କବିତା ଲେଖେ ସେ ମଧ୍ୟ କବିକୁ ଘୃଣା କରେ । କବିକୁ ସେ ମଧ୍ୟ ଉପହାସ କରେ ।

 

ସୁମନ୍ତ ଗୋଟିଏ ସ୍ୱସ୍ତିର ନିଃଶ୍ୱାସ ମାରି ଆଶ୍ୱସ୍ତ ହେଲେ ଯେହେତୁ ସେ କବି ନୁହଁନ୍ତି । ଅଯଥା ଅପବାଦରୁ ସେ ଯେ ରକ୍ଷା ପାଇଛନ୍ତି । ଏହା ହେଉଛି ଭଗବାନଙ୍କର ତାଙ୍କପ୍ରତି ଆଶୀର୍ବାଦ-

 

ପୁଣି ସେ ଲେଖିଲେ......

 

ଲତିକାର ସ୍ୱାମୀ ପ୍ରଶାନ୍ତ କବି । ସେ କବିତା ଲେଖନ୍ତି । କବିତାରେ ପ୍ରାଣ ଥାଏ କହେ ଅନୁରାଧା; କିନ୍ତୁ ମନେ ରଖିବା ଉଚିତ୍‌ ଯାହାର ପ୍ରାଣ ନ ଥାଏ ସେ କବିତା ବୁଝି ପାରେ ନାହିଁ ।

 

ଶିଳ୍ପୀର ସ୍ପର୍ଶ ଲାଭକରି ଅକର୍ମଶିଳା ମଧ୍ୟ ହସି ଉଠେ । ପଥରତଳେ ପାଣିଥାଏ । ଏଣୁ ପଥରକୁ ଦେଖି ଡରିଯିବା ଉଚିତ ନୁହେଁ । ଏମିତି କେତେ କ’ଣ ପାଗଳୀଙ୍କପରି ଭାବେ ଲତିକା ।

 

କବିସମ୍ୱନ୍ଧରେ ସେ ବାର କାହାକୁ ପଚାରିବ ? ଲୋକେ କ’ଣ ଭାବିବେ ? ଯେ ଶୁଣିବ ସେ ଯଦି ଭାବେ ଲତିକା କେବଳ ତା’ର ସ୍ୱାମୀର ଚରିତ୍ର ସନ୍ଦେହ କରି ଏତେ କଥା ପଚାରୁଛି ସେତେବେଳେ ସେ କେଉଁ ବାଉଁଶରେ ଗୁଣ ଚଢ଼ାଇବ ?

 

ପୁରୁଷ ପୁଅ ଭ୍ରମର ଜାତି । ତାଙ୍କ ସମ୍ୱନ୍ଧରେ ଏତେ ଚିନ୍ତା କରି ଲାଭ ବା କ’ଣ ? ଏତିକି ସାନ୍ତ୍ୱନା ମନରେ ଆଣି ଲତିକା ନିଶ୍ଚିନ୍ତ ହେବାକୁ ଚାହେଁ । ମାତ୍ର ପାରେ ନାହିଁ ।

 

ନାରୀ ଯାହା ବୁଝିଥାଏ ସେ ଭାବେ ତାହା ଗୋଟିପଣେ ଠିକ୍‌ ।

 

ଦଶ

 

ଚିଠି ଆସିଥାଏ ବଲାଙ୍ଗିରଠାରୁ । ରମଣୀରଞ୍ଜନ ଲେଖିଥାନ୍ତି...

 

ସୁମି !

 

ତୁମର ଚିଠି ପାଇଛି । ଉତ୍ତର ଦେବାକୁ ଡେରି ହେଲା । ମୁଁ ଗଲେ ତୁମକୁ ନେଇ ଆସିବି-। ଏଠାରେ ଖିଆପିଆର ଅସୁବିଧା ହେଉଅଛି । ପରେ ସୁବିଧା ଦେଖି ଲେଖିବି । ଏତିକିରେ ରହିଲି-। ଇତି ।

 

ତୁମର

ରମଣୀରଞ୍ଜନ

 

ସୁମିତ୍ରା ଚିଠିଟାକୁ ଥରେ ପଢ଼ିଲେ, ଦୁଇଥର ପଢ଼ିଲେ । ଗୋଟିଏ ଦୀର୍ଘ ନିଃଶ୍ୱାସ କପାଇ ଚିଠିଟି ଥୋଇଦେଲେ । ସେ ଚାହିଁ ରହିଲେ ଶୂନ୍ୟ ଆକାଶକୁ । କୋଟି କୋଟି ତାରା ମିଞ୍ଜି ମିଞ୍ଜି ଆଖିରେ ବସୁଧାକୁ ଅନାଇ ରହିଥାନ୍ତି; ସତେ ଯେପରି ଏହି ବସୁମତୀର ମୋହିନୀ ରୂପକୁ ଦେଖିବାକୁ ସେମାନେ ଉଦ୍‌ଗ୍ରୀବ ।

 

ସୁମିତ୍ରା ମନେ ମନେ ବିଧାତାକୁ ଡାକି କହିଲେ, ‘‘ହେ ସ୍ରଷ୍ଟା ! ତୁମେ ଜଡ଼କୁ ଚେତନା ଦେଲ; କିନ୍ତୁ ମଣିଷକୁ......... ଆଖିର ଲୁହ ଆଖିରେ ମରିଗଲା ।

 

ରମଣୀରଞ୍ଜନଙ୍କ ପ୍ରତି ସୁମିତ୍ରାର ମନ ଘୃଣାରେ ପୂରିଗଲା । ସେ ଚିଠିଟିକୁ ଟୁକୁରା ଟୁକୁରା କରି ଚିରିଦେଇ ଚୂଲିରେ ପୂରାଇ ଦେଲେ । ୟାକୁ ପୁଣି କହନ୍ତି ଚିଠି ?

 

ନାସିକା କୁଞ୍ଚନ କରି କହିଲେ ‘ସୁମି !’

 

ସତେ ଯେପରି ଏଠାରେ ସେ ପୋଇଲୀ ? ଯେ ଚିଠି ଲେଖି ଜାଣେ ନାହିଁ ସେ ପୁଣି ଚିଠି ଲେଖିବ କାହିଁକି ?

 

ସୁମିତ୍ରା ଅନେକ ବହି ପଢ଼ିଛନ୍ତି । ଅନେକ ଲୋକଙ୍କଠାରୁ ମଧ୍ୟ ଶୁଣିଛନ୍ତି । ସ୍ୱାମୀମାନେ ସ୍ତ୍ରୀ ପାଖକୁ କେତେ ପ୍ରକାର ଆଦରରେ ସମ୍ବୋଧନ କରି ଚିଠି ଲେଖନ୍ତି । କିଏ ଲେଖେ ‘ପ୍ରିୟେ !’ କିଏ ଲେଖେ ପ୍ରେୟସି ! ପୁଣି ଅତି ରସିକତା ଫୁଟାଇ କେହି କେହି ଲେଖନ୍ତି ‘ପ୍ରିୟତମେଷୁ !’ ଯଦି ଭାଷାଜ୍ଞାନରୁ ଅଭାବ ଥିଲା ତେବେ ସ୍ନେହର ସୁମିତ୍ରା କିମ୍ବା ଆଦରଣୀୟା ସୁମିତ୍ରା ବୋଲି ଲେଖିଥିଲେ ତ ଚଳିଥାନ୍ତା ।

 

ହେ ଭଗବାନ ! ପୁଣି ଏଇମାନଙ୍କୁ କହନ୍ତି ଶିକ୍ଷିତ ? ପୋଡ଼ିଯାଉ ଏମାନଙ୍କର ଶିକ୍ଷା ଦୀକ୍ଷା । ସାମାନ୍ୟ ଚିଠି ଖଣ୍ତେ ଲେଖିବାକୁ ଯେ ଅସମର୍ଥ ତାକୁ ପୁଣି ବାପା ମାଆ କିପରି ଯେ ରମଣୀରଞ୍ଜନ ନାଁ ଦେଲେ ସେ କଥା ସେହିମାନେ ଜାଣନ୍ତି ।

 

ସୁମିତ୍ରା ବିବାହ ନ କରି ବାପଘରେ ଯେତେବେଳେ ବାଡ଼ୁଅ ହୋଇ ରହିଥିଲେ ପ୍ରତିଭାର ସ୍ୱାମୀ ଯେଉଁସବୁ ଚିଠି ପ୍ରତିଭା ପାଖକୁ ଲେଖୁ ଥାଆନ୍ତି ସବୁ ଚିଠି ଆଣି ପ୍ରତିଭା ସୁମିତ୍ରାକୁ ପଢ଼ିବାକୁ ଦିଏ । ସୁମିତ୍ରା ସେହି ଚିଠି ପଢ଼ିଛନ୍ତି ।

 

ପ୍ରତିଭାର ସ୍ୱାମୀ ଅତି ଉଚ୍ଚ ଶିକ୍ଷିତ ନ ହେଲେ ମଧ୍ୟ ଶିକ୍ଷିତ । ଚିଠିରେ ସେ ଅମୃତ ଭରି ଦେଉଥିଲେ ।

 

ପ୍ରତିଭାକୁ ଥଟ୍ଟା କରି ଅନେକଥର ଅନେକ ସମୟରେ ସୁମିତ୍ରା କହିଛନ୍ତି, ‘‘ପ୍ରତିଭା ! ଏଥର ତୁମର ସ୍ୱାମୀଙ୍କୁ ଲେଖିଦିଅ ସେ ଜୟଦେବ ଗୋସ୍ୱାମୀ ପରି ପ୍ରଣୟ ନିବେଦନ କରି ଲେଖିବେ ।

 

‘‘ଶୋଭାମୟୀ ରସମୟୀ ପ୍ରିୟେ ଚାରୁଶୀଳେ

ଏ ଦୀନ ଗୁହାରି କରେ ତୋ ପଦ-କମଳେ ।’’

 

ପ୍ରତିଭା ହସି ହସି ଗଡ଼ି ଯାଉଥିଲା । ସୁମିତ୍ରା ମନେ ମନେ କେତେ କେତେ ରଙ୍ଗିନ୍‌ ଛବି ଆଙ୍କି ଯାଉଥିଲେ ସେତେବେଳେ । ସେ ଭାବୁଥିଲେ ସ୍ୱାମୀ ରହିବେ ସୁଦୂର ବିଦେଶରେ । ସୁମିତ୍ରା ରହିଥିବେ ଶାଶୁ-ଶଶୁରଙ୍କ ପାଖରେ । ସ୍ୱାମୀ ସୁମିତ୍ରାଙ୍କର ଅନୁପସ୍ଥିତିରେ ବିରହଜ୍ୱାଳାରେ ଅସ୍ଥିର ହୋଇ ଲେଖିବେ କେତେ କେତେ ନୂଆ ଭାଷା ଫୁଟାଇ ପ୍ରେମଚିଟାଉ ।

 

ଶିକ୍ଷିତ ସ୍ୱାମୀର ସେ ହାତ ଧରିବେ । କାବ୍ୟ-କବିତା-ରସିକ ହୋଇଥିବେ ତାଙ୍କର ସ୍ୱାମୀ । ତାଙ୍କର ସ୍ପର୍ଶରେ ସୁମିତ୍ରାର ସର୍ବାଙ୍ଗରେ ହେବ କଦମ୍ବର ରୋମାଞ୍ଚ ।

 

କଳ୍ପନା କଳ୍ପନାରେ ହିଁ ରହିଗଲା ।

 

ସୁମିତ୍ରା ପୁଣି ମନମଧ୍ୟରେ ଭାବିଲେ ପ୍ରକୃତରେ କବିଗୁଡ଼ାକ କେଡ଼େ ଅଲାଜୁକ । ତାଙ୍କର ମୋଟେ ଲାଜ ସରମ ନାହିଁ । କେତେ କଥା ସେମାନେ ନ ଲେଖନ୍ତି ? ସ୍ତ୍ରୀକୁ ସ୍ତ୍ରୀ ନ କହି ସେମାନେ ବିଭିନ୍ନ ଭାଷାରେ ବିଭିନ୍ନ ଭଙ୍ଗୀରେ ସମ୍ୱୋଧନ କରି କହନ୍ତି ରାଣୀ ! ସ୍ୱପ୍ନପୁରୀର ରାଜଜେମା କିଏ କହେ ଉର୍ବଶୀ ତ ଆଉ କିଏ କହେ ଲାବଣ୍ୟବତୀ ।

 

ସ୍ତ୍ରୀର ମନ ନେବାକୁ କେତେ କ’ଣ ସେମାନେ ଆୟୋଜନ ନ କରନ୍ତି ? ଏ କବି-ଜାତିଟା ଜଗତରେ ନ ରହନ୍ତେ କି ? ଏହି କବିମାନଙ୍କପାଇଁ ଯେତେସବୁ ଅଧଃପତନ ।

 

ଖାଇବ, ପିଇବ, ପିଲାଝିଲାଙ୍କ ଗହଣରେ ଦିନ କାଟିବ । ନାଃ ସେଥିରେ ପରା କୁଆଡ଼େ ଜୀବନ ଥାଏ ନାହିଁ ?

 

କବି କହେ ପଶୁ ପକ୍ଷୀ ମଧ୍ୟ ଖାଇପିଇ ମହା ମଉଜରେ ରହନ୍ତି । ଦୁଇଟି ସୃଜନକାରୀ ଶକ୍ତିର ମିଳନରୁ ତୃତୀୟ ଜଣକର ଆବିର୍ଭାବ । ଏ ନିଆଁଲଗା କବିଗୁଡ଼ାଙ୍କୁ ମନ ପୂରାଇ ଗାଳି ଦେବାକୁ ଇଚ୍ଛା ହୁଏ ।

 

ନିଜେ ତ ଜଳି ପୋଡ଼ି ମରନ୍ତି । ତଥାପି ତାଙ୍କର ମନ ମାନେ ନାହିଁ ଯେ ପୁଣି ଅନ୍ୟକୁ ଜାଳି ମାରିବାକୁ ଲେଖନ୍ତି ସୃଷ୍ଟିଛଡ଼ା ପ୍ରେମକବିତା । ପୋଡ଼ିଯାଉ ସେ କବିତା । ନିଆଁ ଲାଗିଯାଉ ସେ କବିତାରେ ।

 

ସ୍ୱାମୀଙ୍କ ପାଖକରୁ ଚିଠି ପାଇସାରିଲା ପରେ ସୁମିତ୍ରାଙ୍କର ମନ କଉଁଥିରେ ମାନୁ ନାହିଁ । ସେ ନିଜକୁ ନିଜେ ଧିକ୍‌କାର କରିବାକୁ ଲାଗିଲେ । ସେ କାହିଁକି ନାରୀ ହୋଇ ଜନ୍ମ ହେଲେ ?

 

ସୁମିତ୍ରାଙ୍କର ବାପା ଅନେକ ବହିପତ୍ର ଘରେ ରଖିଥିଲେ । ସୁମିତ୍ରା ପ୍ରତିଭା ସଙ୍ଗରେ ପଢ଼ାପଢ଼ିରେ ବ୍ୟସ୍ତ ରହୁଥିଲେ । ତେଣୁ ରଜତଚନ୍ଦ୍ରଙ୍କୁ ଶୁଣାଇ ଶୁଣାଇ ହାରାମଣି କହୁଥିଲେ ‘‘ଏ କି କାଳ ହେଲାଲୋ ମା ! ? ଭାଗବତ, ରାମାୟଣ ନ ହେଲେ ନୃସିଂହ ପୁରାଣରୁ ଅଧ୍ୟାୟେ ନ ପଢ଼ି ଆଜିକାଲିକା ଝିଅ ପଢ଼ି ବସିଲେ ଯେତେସବୁ ଦୁନିଆ ବାହାର ନଭେଲ । ଏଥିରେ ଦୀକ୍ଷା ଅଛି ନା ଶିକ୍ଷା ଅଛି ? ଅଛି କେବଳ ତଳିତଳାନ୍ତ ହେବାର ସହଜ ଉପାୟ । ଏହି ବହି ଯେ ଏତେ ଏମାନଙ୍କୁ କେଉଁଠାରୁ ମିଳୁଛି ?

 

ରଜତଚନ୍ଦ୍ର ହସି ହସି କହୁଥିଲେ ‘‘ମା’ ସୁମିତ୍ରା ଦେବୀ । ଏଥର ବୋଉ କଥା ମାନି ଚଉରାତଳେ ବସି ନିତି ସକାଳ ସଞ୍ଜରେ ପଢ଼ିବୁ ଲୋ ‘କାନ୍ତ ମୋର ଗଲେ ମୃଗ ମାରି ହେ ବନଗିରି ।’ ଯେତେ ସବୁ ପୁରୁଣାକାଳିଆ କଥା । ଯୁଗକୁ ଦେଖି ବାଟ ଚାଲ । ଯୁଗ ପରା ଆଗେଇ ଗଲାଣି ।’’

 

‘‘ସ୍ନୋ ପାଉଡ଼ର-ଯୁଗରେ ହଳଦିକାଠୁଆ ଘେନି ପୋଖରା କୂଳରେ ହାଜର ହୋଇଯିବା ଲୋକଙ୍କୁ ଦେଖିଲେ ଯେଉଁମାନେ ନାକ ଟେକନ୍ତି ସେମାନେ ହେଉଛନ୍ତି ଏହି ନଭେଲଯୁଗର ମଣିଷ-। ଏ ଯୁଗ ମଣିଷକୁ ବଞ୍ଚାଇ ପାରେ ନାହିଁ ବରଂ ରସାତଳକୁ ଠେଲିଦିଏ ।

 

ସିନେମା କଥା ଛାଡ଼ । ଏହି ସିନେମାରୁ ଆମେ ଯାହା ଶିଖୁ ତାହା ତୁମେ ତ ଆମ ଶାଢ଼ୀ-ବ୍ଳାଉଜପିନ୍ଧା ଢଙ୍ଗରୁ ବଳେ ଜାଣତି ପାରୁଥିବ । ସେ କଥା କହି ଆଉ ଲାଭ ନାହିଁ ।’’ ଏତିକି କହି ହାରାମଣି ଭିତର ପୁରକୁ ଚାଲିଗଲେ ।

 

ଦିନେ ପ୍ରତିଭାକୁ ସୁମିତ୍ରା ପଚାରିଲେ ‘‘ଆଚ୍ଛା ପ୍ରତିଭା ! ସ୍ୱାମୀ ଥାଇ ଅନ୍ୟ ଗୋଟିଏ ପୁରୁଷକୁ ସ୍ତ୍ରୀ କ’ଣ ସତରେ ଭଲ ପାଏ ?’’

 

‘‘ଖାଲି ଉପନ୍ୟାସରେ ଏହା ଲେଖା ହୋଇଛି ନା ? କେଉଁ ପୁରାଣ-ଶାସ୍ତ୍ରରେ କ’ଣ ଏହା ଲେଖା ହୋଇଛି ?’’ କହିଲା ପ୍ରତିଭା । ତା’ପରେ ତା’ର ନିଜର ଯୁକ୍ତିକୁ ପ୍ରତିପାଦିତ କରିବାପାଇଁ କହିଲା ‘‘ରାମାୟଣ ଦେଖୁନ । ରାବଣ ଯେତେ ଫନ୍ଦି-ଫିକର କଲା ସେ କ’ଣ ସୀତାଙ୍କର ମନ ନେଇ ପାରିଲା ?’’

 

‘‘ରାଧା !’’ ଏତକ କହି ସୁମିତ୍ରା ତୁନି ହେଲେ ।

 

ହସି ହସି କହିଲା ପ୍ରତିଭା ‘‘ସତ କହିଲ ସାଙ୍ଗ । ମୁଁ ଯଦି ରାଧା ହୋଇଥାନ୍ତି ଗୋପପୁରରେ ଆଉ କେହି ମୋ ଜ୍ୱାଳାରେ ରହି ପାରନ୍ତେ ନାହିଁ । ସେ ରାଧା ସିନା ଗୋଟିଏ କୃଷ୍ଣପାଇଁ ବାୟାଣୀ ହୋଇଥିଲେ; କିନ୍ତୁ ମୁଁ ଯଦି ପ୍ରକୃତରେ ରାଧା ହୋଇଥାନ୍ତି ଆଉ ଚନ୍ଦ୍ରସେଣା ଭଳି ସ୍ୱାମୀରତ୍ନଟିଏ ପାଇଥାନ୍ତି ତେବେ ଦେଖିଥାନ୍ତି ମୋ ନାମରେ କେତେ ‘ନାବକେଳି’ କବିମାନେ ଲେଖି ଛପାଇ ସାରନ୍ତେଣି ।’’

 

‘‘ଚନ୍ଦ୍ରସେଣାଟା କିମିତି ମଣିଷଟେ ଲୋ ହୋଇଥିବ ?’’ ପଚାରିଲେ ସୁମିତ୍ରା ।

 

ଗୋଟାଏ ଷଣ୍ଢାମାର୍କା କାଳିଆ କୁତୁରା ମରଦଟେ ହୋଇଥିବ । ଗୋରୁଭଳି ପୁଳାଏ ଖାଉଥିବ । ଯେତେବେଳେ ହସୁଥିବ ପଡ଼ିଶାଘର ଭୟରେ ଛାତିରେ ଛେପ ଥୁକୁଥିବେ । କାମ ଦେଖିଲେ କିମ୍ବା କାମ ନାଁ ଶୁଣିଲେ ବାତଜ୍ୱର ଆସୁଥିବ ।’’ ଏତିକି କହି ଶେଷରେ ପ୍ରତିଭା ଯୋଡ଼ି ଦେଲା ‘‘ମୋଟାମୋଟି ସେ ନିଶ୍ଚୟ ହୋଇଥିବ ଠାପୁଆଙ୍କଗୁରୁ । ତା ନ ହୋଇଥିଲେ ରାଧା କ’ଣ ଦିନ ଦ୍ୱିପ୍ରହରରେ ଯମୁନାକୁ ଯାଉଥାନ୍ତା ?’’

 

‘‘ରୂପ ନ ଥିଲା ବୋଲି କ’ଣ ରାଧା ଚନ୍ଦ୍ରସେଣାଙ୍କୁ ଭଲ ପାଉ ନ ଥିଲେ ?’’ ଏତିକି ସୁମିତ୍ରା କହି ଚାହିଁଲେ ପ୍ରତିଭାକୁ ଛଳ ଛଳ ଆଖିରେ ମନରେ ଅହେତୁକ ଆଶଙ୍କା ।

 

‘‘ରୂପ ସାଙ୍ଗକୁ ଗୁଣ ମଧ୍ୟ ଲୋଡ଼ା । ଚନ୍ଦ୍ରସେଣାର ନା ଥିଲା ରୂପ ନା ଥିଲା ଗୁଣ । ଥରେ ପରା କହିଲି ଚନ୍ଦ୍ରସେଣା ଥିଲା ଗୋଟାଏ ଗାଦିଗୁମା, ଗୋଦାମରଦ୍ଦି ମରଦ । ଏଥର ବୁଝିଲ ନା ଭଲ କରି ବୁଝାଇ ଦେବି’’ କହି ହସିଲା ପ୍ରତିଭା ।

 

ସୁମିତ୍ରା ଉଁ କି ଚୁଁ କିଛି କହିଲେ ନାହିଁ କେବଳ ତୁନି ହୋଇ ବସି ରହିଲେ ।

 

ତହୁଁ କଣ୍ଠରେ ସରସତା ଫୁଟାଇ ପ୍ରତିଭା କହିଲା ‘‘ମାଲଗୋଦାମରେ ସେହି ଯଉଁ ଫାକୁଣ୍ତାମୁହାଁ ଆଖି ମିଟିମିଟି କରି ବୋକାଙ୍କ ଭଳି ଏପଟ ସେପଟ ଚାହିଁ ଚାହିଁ ପାଳବିଣ୍ତା ମୁହଁରେ ମାରି ଦେଇ ମରଦଟେ ବୁଲୁଥାଏ । ସେହି ମରଦଟି ଧରିନିଅ ଚନ୍ଦ୍ରସେଣାର ଦ୍ୱିତୀୟ ସଂସ୍କରଣ ।’’

 

X X X

 

ବହୁତ ଦିନ ତଳର କଥା ହଠାତ୍‌ ଆଜି ସୁମିତ୍ରାର ମନେ ପଡ଼ିଲା । ସେ ହାରାମଣିଙ୍କ କଥା ଯଦି ମାନିଥାନ୍ତେ ଆଜି ଏତେ ଦହଗଞ୍ଜ ହେଉ ଥାନ୍ତେ କାହିଁକି ?

 

ଯେ ଯେତେ ବେଶି ଜାଣେ ସେ ସେତେ ଅଧିକା ଜାଣିବାକୁ ଆଶା କରେ ।

 

ସୁମିତ୍ରା ଭାବୁଥାନ୍ତି ସେ କାହିଁକି ନଭେଲ ପଢ଼ିଲେ ? କାହିଁକି କବିତା ପଢ଼ିଲେ ? କାହିଁକି ବା ପ୍ରତିଦିନ ପିତାଙ୍କୁ ସନ୍ତୁଷ୍ଟ କରିବାକୁ ମଦନମୋହନଙ୍କ ପାଷାଣ-ବିଗ୍ରହତଳେ ଆଣ୍ଠୁ ମାଡ଼ି ସୁଲଳିତ କଣ୍ଠରେ ଅପୂର୍ବ ସ୍ୱର ସୃଷ୍ଟି କରି ଗାଉଥିଲେ ‘ରତି ସୁଖ ସାରେ’... ?

 

ତାଙ୍କର ଏ ଦୁରବସ୍ଥାପାଇଁ କିଏ ଆଜି ଦାୟୀ ହେଲା ? ସେ ଯେ ଆଜି ପୂତିଗନ୍ଧମୟ ନରକରେ ପଡ଼ି ଛଟପଟ ହେଉଛନ୍ତି; କେହି କ’ଣ ଆସି ତାଙ୍କୁ ଆଜି ଉଦ୍ଧାର କଲା ? ସେ ଜାଣି ଜାଣି ଆଜି ନିଜେ ନିଜରପାଇଁ ନରକର ପଥ ପରିଷ୍କାର କରିଦେଇଛନ୍ତି । ସେଥିପାଇଁ ସେ ଆଜି କାହାକୁ କାହିଁକି ଦାୟୀ କରିବେ ?

 

ଏହି ଦେଶର ଲେଖକ ଓ କବିମାନେ ତାଙ୍କର ସର୍ବନାଶପାଇଁ ଦାୟୀ । ସେମାନେ ଠିକ୍‌ ଜାଣିଲା ପରି ବେଳେ ବେଳେ ମନର କଥା ଏପରି ଲେଖିଦିଅନ୍ତି ଯେ ପଢ଼ିଲେ ମନ ଆପେ ଆପେ ଚହଲି ଯାଏ ।

 

ଘୋଡ଼ାକୁ ଲଗାମ ଦେଇ ବଶ କରାଯାଏ, ମାତ୍ର ମନକୁ ଆୟତ୍ତ କରିବା ସହଜ ନୁହେଁ । ଥରେ ଗୋଡ଼ ପିଚ୍ଛଳ ପଥରେ ଖସିଗଲେ ଫେରାଇ ଆଣିବା କିମ୍ବା ଦମ୍ଭ ଧରି ଛିଡ଼ା ହେବା ସହଜସାଧ୍ୟ ନୁହେଁ । କଚଡ଼ାଟିଏ ନିଶ୍ଚୟ କପାଳରେ ଥୁଆ ।

 

ସୁମିତ୍ରା ମନମଧ୍ୟରେ କଳ୍ପନା ଦିନେ ରଜାପୁଅ ପକ୍ଷୀରାଜ ଘୋଡ଼ା ଚଢ଼ି ନିଶ୍ଚେ ଆସିବ ଓ ତାଙ୍କୁ ଉଦ୍ଧାର କରିବ ।

 

ସେ ଦୀର୍ଘ ନିଃଶ୍ୱାସ ଛାଡ଼ି ନିଜର ଦେହ ଓ ହାତକୁ ଚାହିଁ ଚମକ ପଡ଼ୁଥିଲେ । ସେ ଆଜି କ’ଣ ଭାବୁଛନ୍ତି ? ସେ ଯେ ଅନ୍ୟ ଜଣକୁ ବିବାହ କରିଛନ୍ତି । ବିବାହିତା ନାରୀର ଅନ୍ୟ ପୁରୁଷକୁ ଚିନ୍ତା କରିବା ପରା ଶାସ୍ତ୍ରରେ ନିଷିଦ୍ଧ ?

 

ନୀତିଶାସ୍ତ୍ର ଓ ନୀତିବାକ୍ୟରୁ ଛାଡ଼ି ମଣିଷ ଅନେକ ସମୟରେ ଆଗକୁ ଆଗେଇ ଯାଏ । ଯେତେବେଳେ ମନ ଡହଳ ବିକଳ ହୁଏ ସେତେବେଳେ ସେ ସମାଜର ଅର୍ଗଳ ଭାଙ୍ଗି ଅନେକ ଦୂରକୁ ପଳାଇ ଯିବାକୁ ଚାହେଁ ।

 

ପିଞ୍ଜରାମଧ୍ୟରେ ପକ୍ଷୀକୁ ଅଟକାଇ ରଖିବା ସମ୍ଭବ, ମାତ୍ର ‘ମନ-ପକ୍ଷୀକୁ’ ସମାଜର ଲୋକାଚାର-ପିଞ୍ଜରାରେ ଆବଦ୍ଧ କରିବା ସମ୍ଭବ ନୁହେଁ ।

 

ପୁଣି ସୁମିତ୍ରା ବାସ୍ତବ ଜଗତକୁ ଫେରିଆସି ଚିନ୍ତା କରିବାକୁ ଲାଗିଲେ- ସ୍ୱାମୀ ଲେଖିଚନ୍ତି ଆସିଲେ ତାଙ୍କୁ ନେଇଯିବେ । ସେ ଯିବେ । ନ ଗଲେ କ’ଣ ଚଳନ୍ତା ନାହିଁ ?

 

କିଛି ମିଳିଲା ନାହିଁ ଏଣୁ ଉପବାସରେ ରହିବାକୁ ହେବ । ସବୁଥାଇ ସୁଦ୍ଧା ଉପବାସରେ ରହିବାକୁ ହେବ । ଏହି ଦୁଇଟି ପଦର ଅର୍ଥ ସମାନ ନୁହେଁ ।

 

ସୁମିତ୍ରା ଏଠାରେ ମଧ୍ୟ ଖାଉଛନ୍ତି । ସେଠାରେ ମଧ୍ୟ ଖାଇବେ । ତେବେ ସେଠାକୁ ଯାଇ ତାଙ୍କର ଅଧିକା ଲାଭ ବା କ’ଣ ହେବ ? ପୁଣି ଭାବିବାକୁ ଲାଗିଲେ ତାଙ୍କର ବାପା ତାଙ୍କୁ କୋଠାବାଡ଼ି ଦେଖି ବାନ୍ଧି ଦେଇଛନ୍ତି । ଏଇ ଦାସଙ୍କ କାରାଗାରରେ ଶେଷ ନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ସେ ରହିବେ ।

 

ହଠାତ୍‌ ତାଙ୍କର ପୁଣି ଚିଠି କଥା ମନେ ପଡ଼ିଲା । ପ୍ରକୃତରେ ତାଙ୍କର ସ୍ୱାମୀ କେଡ଼େ ଅମଣିଷ ? ମଣିଷ ପୁଣି ମଣିଷକୁ ଏମିତି କଦର୍ଯ୍ୟ ସମ୍ୱୋଧନ କରନ୍ତି ?

 

ବିରାଡ଼ି କୁକୁରକୁ ଟିକିଏ ମିଠା ହସ ହସି ଆଃ ଚୁ...ଚୁ ନ କଲେ ସେମାନେ ମଧ୍ୟ ପାଖକୁ ଆସନ୍ତି ନାହିଁ । ଆଉ ସୁମିତ୍ରା କ’ଣ ବିରାଡ଼ି କୁକୁରଠାରୁ ହୀନ ଯେ ରମଣୀରଞ୍ଜନ ଲେଖିଦେଲେ ବୋଲି ଚାଲିଯିବେ ? ସ୍ତ୍ରୀ ହେଲେ ବୋଲି କ’ଣ ତାଙ୍କର ଟିକିଏ ଆତ୍ମମର୍ଯ୍ୟାଦା ନାହିଁ ?

 

ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଅପରିସୀମ ଜ୍ଞାନ, ପ୍ରତିପତ୍ତି, ପ୍ରତିଭା ତୁଳନାରେ ତାଙ୍କର ସ୍ତ୍ରୀଙ୍କର କିଛି ନ ଥିଲା । ତଥାପି ରବୀନ୍ଦ୍ରନାଥ ତାଙ୍କୁ ଦିନକପାଇଁ ଅମର୍ଯ୍ୟାଦା କରିନାହାନ୍ତି ।

 

ବୋଧହୁଏ ନାରୀଜାତିକୁ ଉଚିତ ସମ୍ମାନ ଦେଇଥିଲେ ବୋଲି ସେ ହୋଇଥିଲେ ବିଶ୍ୱକବି ।

 

ସବୁବେଳେ ରବୀନ୍ଦ୍ରନାଥ ତାଙ୍କ ସ୍ତ୍ରୀଙ୍କୁ ଚିଠି ଲେଖିଲାବେଳେ ସମ୍ୱୋଧନ କରୁଥିଲେ ‘‘ଭାଇ ଛୋଟୀ !’’ ଏହି କଥା ଭାବି ଭାବି ସୁମିତ୍ରା ସିଦ୍ଧାନ୍ତରେ ଉପନୀତ ହୋଇ ମନକୁ ମନ କହିଲେ ଯେଉଁମାନେ ବଡ଼ ସେମାନଙ୍କର ଚିନ୍ତାଧାରା ମଧ୍ୟ ବଡ଼ ।

 

ଧନ, କୋଠାବାଡ଼ି, କ୍ଷମତା ଦିନେ ସବୁ ଚାଲିଯାଏ; କିନ୍ତୁ ସବୁଦିନପାଇଁ ଅମର ହୋଇ ରହିଯାଏ କବିର ଭାଷା ଓ କବିର କବିତା । ଦେଶବତ୍ସଳର ଦେଶ ପ୍ରୀତି ମଧ୍ୟ ସ୍ୱର୍ଣ୍ଣାକ୍ଷରରେ କାଳବକ୍ଷରେ ଲେଖା ହୋଇ ରହେ ।

 

ସୁମିତ୍ରା ସେଦିନ ଯେ କ’ଣ ଭାବୁଥିଲେ ତାହା ସେ ନିଜେ ମଧ୍ୟ କହିପାରିବେ ନାହିଁ । ରମଣୀରଞ୍ଜନଙ୍କର ଚିଠିଟା ତାଙ୍କୁ ପାଗଳୀ ସଜାଇ ଦେଇଥିଲା । ସେ ଦୁଇ ଟୋପା ଲୁହ ଗଡ଼ାଇ କହିଲେ ‘‘ହେ ଭଗବାନ ! କଟା ଘଆରେ ଚୂନ ବୋଳି ଦେଲ କାହିଁକି ? ତୁମ ପାଖରେ ମୁଁ କ’ଣ କେବେ କିଛି ଅପରାଧ କରିଥିଲି ?’’

 

ସମୁନ୍ତ ଲେଖିବା ବନ୍ଦ କରି ମନେ ମନେ ଭାବୁଥିଲେ ନାରୀ ପ୍ରକୃତରେ ସବୁ କାଳରେ, ସବୁ ସ୍ଥାନରେ ନିଜର ମର୍ଯ୍ୟାଦା ବଜାୟ ରଖିବାକୁ ଚାହେଁ । ଏହା ଯଦି ଆମ ସମାଜରେ ପ୍ରତ୍ୟେକେ ବୁଝୁଥାନ୍ତେ ଆମ ସମାଜର ରୂପ ବଦଳି ଯାଆନ୍ତା ।

 

ପୁଣି ସେ ଲେଖିବାକୁ ଆରମ୍ଭ କଲେ–ନାରୀ, ନିଜ ମନ ନିଜେ ମଧ୍ୟ ସମୟ ସମୟରେ ବୁଝିପାରେ ନାହିଁ । ସେ ଯଦି ବୁଝୁଥାନ୍ତା ଓ ବୁଝି ବିଚାରି କାର୍ଯ୍ୟ କରୁଥାନ୍ତା ତେବେ ସେ ଜାତିର ଆଜି ଏତେ ଅଧଃପତନ ହୁଅନ୍ତା ନାହିଁ । ତେବେ ସୁମିତ୍ରା ନିଜକୁ ନିଜେ କ’ଣ ବୁଝି ପାରି ନାହାନ୍ତି ?

 

ସୁମିତ୍ରା ମଧ୍ୟ ଜଣେ ନାରୀ । ନାରୀ ଯାହା ଖୋଜେ ତାହା କ’ଣ ସେ ପାଇପାରେ ? ତାହାର ମନର ବେଦନା ବା କିଏ ବୁଝେ ? ସେ ନିଜ ଜୀବନର ତିକ୍ତ ଅନୁଭୂତି ଯାହା ଆଗରେ ଗାଇ ବସିବ ସେ ଶୁଣି ସାରି ତାକୁ ଚରିତ୍ରହୀନା ବୋଲି କହିବ ନାହିଁକି ?

 

ଏ ଦେଶର ହୃଦୟହୀନ ଲେଖକ ନାନା ଅଶ୍ଳୀଳ କବିତା, ଗଳ୍ପ ଲେଖିବାକୁ ସୁଯୋଗ ପାଆନ୍ତି ଏହି ନାରୀକୁ କେନ୍ଦ୍ର କରି । ଏହି ନାରୀ ହୁଏ ସେହି ସୁବିଧାବାଦୀ ଲେଖକମାନଙ୍କର କାବ୍ୟ ଓ କବିତାର ନାୟିକା ।

 

ଧନ୍ୟରେ ସ୍ୱାର୍ଥପର ପୁରୁଷଜାତି ! ତୁ ଯାହାକୁ ଆଜି ଶତ ମୁଖରେ ପ୍ରଶଂସା କରି ଯାହାର ସ୍ତୁତି ଗାନ କରୁ ତାହାକୁ କେଉଁ ମୁଖରେ କହୁ ଚରିତ୍ରହୀନା ?

 

ସ୍ତ୍ରୀର ଅଧଃପତନପାଇଁ ଦାୟୀ କ’ଣ ଏକା ନାରୀ ? ପୁରୁଷ କ’ଣ ସେଥିପାଇଁ ମୋଟେ ଦାୟୀ ନୁହେଁ ? ଗୋଟିଏ ସ୍ତ୍ରୀକୁ ପାପ ପଥକୁ ଟାଣି ନେଇ ସୁଦ୍ଧା ପୁରୁଷ ଦୁନିଆ ଆଖିରେ ହୁଏ ଗୋଟିପଣେ ତୁଳସୀ ।

 

ସ୍ତ୍ରୀର ସୌଭାଗ୍ୟ ଦେଖିଲେ ପୁରୁଷ ଅପେକ୍ଷା ନାରୀ ତାକୁ ବେଶି ପରିମାଣରେ ହିଂସା କରେ । ପ୍ରାୟ ଅଧିକାଂଶ ସ୍ଥଳରେ ଏହି ନାରୀ ହିଁ ଅନେକ ପରିମାଣରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ପତିତା ସଜାଇବାରେ ଦାୟୀ ହୋଇଥାଏ ।

 

ସୁମିତ୍ରା ହୃଦୟରେ ଯେଉଁ ଅଶାନ୍ତିର ବହ୍ନି ଶିଖା ଦିକ୍‌ ଦିକ୍‌ ହୋଇ ପ୍ରଜ୍ଜ୍ୱଳିତ ହେଉଅଛି ତାହା କେହି ଦେଖି ନ ପାରିଲେ ମଧ୍ୟ ସେ ତ ନିଜେ ତାହା ଜାଣି ପାରୁଛନ୍ତି । ଏ ଶିଖା କ’ଣ କେବେ ନିର୍ବାପିତ ହେବ ନାହିଁ ?

 

ହଠାତ୍ ସୁମିତ୍ରାଙ୍କୁ ଜଣାଗଲା ଯେପରି ଜଣେ କେହି ତାଙ୍କ ପଛ-ପଟରେ ଛିଡ଼ା ହୋଇ ମଧୁର କଣ୍ଠରେ କହୁଛି–ରାଣୀ ! ମୁଁ ଆସିଛି । ଦେଖ, ମୁଁ ତୁମର ସେହି ଚିର ଇପ୍‌ସିତ ନଟବର ଶ୍ୟାମ କି ନୁହେଁ ? ଭଲକରି ଚିହ୍ନ । ଚିହ୍ନିପାରିଲ ନାହିଁ ତୁମର ଉପନ୍ୟାସର ନାୟକକୁ । ଓ...ତୁମେ ଅଭିମାନ କରିଛ । ମାନିନୀ ରାଧେ ! ମୁଞ୍ଚମୟି ମାନ ନିଦାନମ୍‌ ।’’

 

ସୁମିତ୍ରା ଚମକି ପଡ଼ିଲେ । ସତେ କ’ଣ କେହି ଆଉ ଆସିଥିଲା । ପାରୀ ଆଉ ଦେଖିନାହିଁ ତ ? ହଠାତ୍‌ ମନଟା ଦୁର୍ବଳ ହୋଇଗଲା ।

 

ତାଙ୍କୁ ପୁଣି ଜଣାଗଲା ଦୂରରେ, ବହୁ ଦୂରରେ ବଂଶୀ ବାଜୁଛି । କିଏ ଜଣେ ବଂଶୀର ସ୍ୱର ସଙ୍ଗେ ସ୍ୱର ମିଳାଇ ଅତି କାତର ସ୍ୱରରେ ନିବେଦନ କରି ଗାଉଛି ‘‘ଢଳି ଢଳି ଆସ ରାଇ ଯମୁନାର କୂଳେ ।’’

 

ଯଦି ସୁମିତ୍ରା କେବେ ତାଙ୍କର ମନର ମଣିଷକୁ ପାଆନ୍ତେ ତେବେ ସେ କୁଳ, ମାନ, ଖ୍ୟାତି ସବୁ ପଦତଳରେ ଦଳି ଦେଇ ଜଗତକୁ ଦେଖାଇ ଦିଅନ୍ତେ ଯେ ନାରୀର ମଧ୍ୟ ଜୀବନ ଅଛି । ସେ ମଧ୍ୟ ବଞ୍ଚିବାକୁ ଚାହେଁ ।

 

ସୁମନ୍ତ ଭାବିଲେ ସତେ କ’ଣ ତାହା କରିବାକୁ କୌଣସି ସ୍ତ୍ରୀ ସାହସ କରିବ ? ସ୍ତ୍ରୀ ସବୁବେଳେ ଯାହା କହେ ତାହାର ଅର୍ଥ ଥାଏ ଅନ୍ୟ ଗୋଟିଏ । ସ୍ତ୍ରୀର ଓଠର ଭାଷା ସଙ୍ଗେ ତା’ର ଅନ୍ତରର ଭାଷାର କୌଣସି ସମ୍ପର୍କ ନ ଥାଏ । ସୁନନ୍ଦା ମଧ୍ୟ ଏହି କଥା ଦିନେ କହିଥିବ ।

 

ଉତ୍ତେଜିତ ହେଲେ ମଣିଷ ସବୁ କହେ । ସେ କଥାର ମୂଲ୍ୟ ବା କ’ଣ ?

 

ତାହାପରେ ପୁଣି ଲେଖନୀ ଚଳାଇଲେ ସୁମନ୍ତ ।

 

ସୁମିତ୍ରା ଭାବୁଥାନ୍ତି ସେ କ’ଣ ତେବେ ଚିଠି ଲେଖିବେ ରମଣୀରଞ୍ଜନଙ୍କ ପାଖକୁ ? କାହିଁ ଚିଠି ଦେବାକୁ ତ ରମଣୀରଞ୍ଜନ ଅନୁରୋଧ କରି ନାହାନ୍ତି । ଅନୁରୋଧ ନ କରି ‘ମୋ ରାଣ, ଚିଠି ଦେବ’ ବୋଲି ତ ଲେଖି ପାରିଥାନ୍ତେ ।

 

ଛିଃ ସେ କ’ଣ ଆଜି ଭାବୁଛନ୍ତି ? କୁଆ ପାଖରୁ ସେ କୋଇଲିର ସଙ୍ଗୀତ ଶୁଣିବାକୁ ଆଶା କରୁଛନ୍ତି କାହିଁକି ? ହେ ଭଗବାନ୍‌ ମୋତେ ଶୀଘ୍ର ନେଇଯାଅ । ମୋତେ ଜଡ଼ କରିଦିଅ । ମୋର ବାକ୍‌ଶକ୍ତି ଲୋପ ପାଇଯାଉ । ମୋତେ ଅହଲ୍ୟା ସମ ପାଷାଣୀ କରିଦିଅ । ମୋର ନୟନାଭିରାମଙ୍କ ପଦସ୍ପର୍ଶରେ ମୁଁ ପୁଣି ମୋର ନୂତନ ଜୀବନ ଲାଭ କରିବି’’ କହି ସୁମିତ୍ରା ଭୂଇଁରେ ଲୋଟିଗଲେ ।

 

ଠାକୁରଙ୍କ ନୀଳଚକ୍ର ପାଖକୁ ସୁମିତ୍ରାଙ୍କ ଆର୍ତ୍ତନାଦ କ’ଣ ପହଞ୍ଚିଥିବ ?

 

ଏଗାର

 

ଏହା ଭିତରେ ଦୁଇଟି ବର୍ଷ ବିତିଯାଇଛି । ଏହି ଦୁଇଟି ବର୍ଷ ଭିତରେ ଯେ କେତେ କେତେ ଅଘଟନ କେଉଁଠି ଘଟିଯାଇଛି ତାହାର ହିସାବ ବା କିଏ ରଖିଛି ?

 

ଅନୁରାଧାର ସ୍ୱାମୀ ଅନୁରାଧାକୁ ନେଇଯାଇଥିଲେ । କିନ୍ତୁ ଅନୁରାଧା ବେଶିଦିନ ସ୍ୱାମୀଙ୍କ ସଙ୍ଗେ କାଳକାଟି ପାରିଲା ନାହିଁ । ତାହାର କାରଣ ଅନୁରାଧା ମୁହଁରୁ ଯାହା ଶୁଣାଗଲା ସେହି କଥାରୁ ଜଣାପଡ଼ିଲା ଅନୁରାଧାକୁ ତାହାର ସ୍ୱାମୀ ଭଲ ପାଇଲେ ନାହିଁ ।

 

ଅନୁରାଧାର ସ୍ୱାମୀ ଯାହା ଘରେ ଭଡ଼ାନେଇ ରହୁଥିଲେ ତାଙ୍କ ସହ ଘର ମାଲିକ ସ୍ତ୍ରୀଙ୍କର ଗୁପ୍ତ ସଂପର୍କ ଥିବାର ସନ୍ଧାନ ଅନୁରାଧା ପାଇଯିବାରୁ ହେଲା ସବୁ ଗୋଳମାଳ ।

 

ସ୍ତ୍ରୀ ଯେତେ ଅସୁନ୍ଦରୀ ହେଉ, ଯେତେ ଅଶିକ୍ଷିତା ପଛେ ହେଉ ସେ ସବୁବେଳେ ଚାହେଁ ଗୋଟାଏ ଅନୁରକ୍ତ ସ୍ୱାମୀ । ଏହାତ ହେଲା ଅସୁନ୍ଦରୀଙ୍କ ସମ୍ବନ୍ଧରେ, କିନ୍ତୁ ସୁନ୍ଦରୀ ଓ ଶିକ୍ଷିତାଙ୍କ କଥା ସଂପୂର୍ଣ୍ଣ ଭିନ୍ନ ।

 

ସ୍ତ୍ରୀ ତୁଳନାରେ ଯଦି ସ୍ୱାମୀ ରୂପବାନ ଓ ଗୁଣବାନ ନ ହୁଏ ତେବେ ସେ ବିଚାରୀର ଦୁର୍ଦ୍ଦଶା କହିଲେ ନ ସରେ । ଆଜି ମଧ୍ୟ ରାଜକୁମାରୀ ଓ କାଳିଦାସ ଉପାଖ୍ୟାନ ଦେଶରେ ରହିଅଛି ଯଦିଓ ଯୁଗ ପରେ ଯୁଗ, ବର୍ଷ ପରେ ବର୍ଷ ବିତିଗଲାଣି ।

 

ହେ ଦୂର ଦ୍ରଷ୍ଟା ପୁରୁଷ ! ତୁମକୁ ଓ ତୁମର ପ୍ରତିଭାକୁ ଆଜି ପ୍ରଶଂସା ନ କରି ରହିହୁଏ ନାହିଁ । ତୁମେ ଅମର ଲେଖନୀ ଚଳାଇ ଯେଉଁ ଅମୂଲ୍ୟ ସଂପଦ ଆମପାଇଁ ଥୋଇ ଦେଇ ଯାଇଅଛ ତାହା ଆମେ ବୁଝି ନ ପାରି ସମସ୍ତେ ଲାଳାୟିତହେଉ ଗୋଟିଏ ସୁନ୍ଦରୀ, ସୁଶିକ୍ଷିତା, ସୁସଭ୍ୟା ଭାର୍ଯ୍ୟାରତ୍ନ ଲାଭ କରିବାପାଇଁ ।

 

ଭାର୍ଯ୍ୟା ରୂପବତୀ ଶତ୍ରୁ ସମସ୍ତେ ଏ କଥା ଜାଣନ୍ତି ଊଣା ଅଧିକେ । ତଥାପି ସମସ୍ତେ କାହିଁକି ଖୋଜନ୍ତି ସର୍ବରୂପ ସଂପନ୍ନା ଭାର୍ଯ୍ୟାଟିଏ । ଇସ୍‌ ମହାକାଳଫଳ ଦେଖିବାକୁ କେଡ଼େ ସୁନ୍ଦର-?

 

ସାଧାରଣତଃ ଅନ୍ୟ ଉପରେ ଦୋଷ ଲଦିଦେଇ ନିଜେ ପରିଷ୍କୃତ ହୋଇଯିବାପାଇଁ ସମସ୍ତେ ଖୋଜନ୍ତି ଓ ଚେଷ୍ଟା ମଧ୍ୟ କରନ୍ତି । ନିଜର ଢୋଲ ଆଜିକାଲି ଯିଏ ଯେତେ ବାଡ଼େଇ ପାରିଲା ଏ ଯୁଗରେ ତାହାର କାଟତି ସେତେ ବେଶି । କହି ଜାଣିଲେ ଭେଲଟା ବି ଭଲହୁଏ । ତେବେ ସବୁକାଳେ ମିଥ୍ୟାର ରାଜୁତି ଚାଲେ ନାହିଁ ।

 

କେହି ନିଜର ଦହିକୁ ଖଟା କହନ୍ତି ନାହିଁ । ଅନୁରାଧାର ସ୍ୱାମୀ ଲଳିତମୋହନ ଶଶୁର ଘରକୁ ଆସିଥିଲେ । ତାଙ୍କ ପାଖରୁ ଯାହା ଶୁଣାଗଲା କେହି କେହି ସେ କଥାକୁ ହସରେ ଉଡ଼ାଇଦେଲେ । କେହି କେହି ମଧ୍ୟ ଅଳ୍ପ ଅଳ୍ପ ବିଶ୍ୱାସ କଲେ । କିନ୍ତୁ ଲଳିତମୋହନଙ୍କ କଥାକୁ ସଂପୂର୍ଣ୍ଣ ଅବିଶ୍ୱାସ କଲା ନାହିଁ ଲତିକା ।

 

କାହାରି ଉପରଟାକୁ ଦେଖି ଭିତରଟାକୁ ହଠାତ୍‌ କଳନା କରାଯାଇ ପାରେ ନାହିଁ । ଲୋକେ କହନ୍ତି ସୁନାକୁ କଷଟିରେ କଷକଲେ ଯାଇ ତାର ବିଶୁଦ୍ଧତା ଜଣାପଡ଼େ । କିନ୍ତୁ ସବୁକ୍ଷେତ୍ରରେ ଏ ଉକ୍ତି ପ୍ରଯୁଜ୍ୟ ହୋଇ ନ ଥାଏ । ଯେ ଅସଲୀ ବଣିଆ ସେ ସୁନା ଦେଖିଲାମାତ୍ରେ ଯେପରି କହିଦିଏ ଠିକ୍‌ ସେହିପରି ଲତିକା ଅନୁରାଧାକୁ ଦେଖିଲା ଦିନଠାରୁ ଜାଣିପାରିଥିଲା ଅନୁରାଧା ଯାହା କହେ ବା ଯାହା ଦେଖାଇ ହୁଏ ତାହା କେବଳ ତାର ଅତୃପ୍ତ ଆତ୍ମାର ଆର୍ତ୍ତନାଦ ।

 

ଯେଉଁ ସ୍ତ୍ରୀ ସ୍ୱାମୀକୁ ପ୍ରାଣପଣେ ଆଦର କରେ ବା ନିଜର ଜୀବନ ଦେଇ ସ୍ୱାମୀକୁ ଭଲପାଏ ସେ ପୁଣି ସ୍ୱାମୀର ଦୋଷଗୁଣ ଖୋଜିବାକୁ ସମୟ ପାଏ କେତେବେଳେ ? ମହାପୁରୁଷମାନଙ୍କର ଯାହା କିଛି ଦୋଷଥାଏ ତାହା ତାଙ୍କର ଗୁଣବୋଲି ଧରିନିଆଯାଏ । ଚନ୍ଦ୍ର ଦେହରେ କଳଙ୍କ ଅଛି । ତଥାପି ତାର ସଦ୍‌ଗୁଣ ତୁଳନାରେ ସେ କଳଙ୍କ କିଛି ନୁହେଁ ।

 

ଦେଖାଇ ହେବାକୁ ‘ପତି ପରମଗୁରୁ’ ଛାତିଏ ପାଣିରେ ଛିଡ଼ାହୋଇ ସୂର୍ଯ୍ୟଦେବତାଙ୍କୁ ସାକ୍ଷୀକରି ଏହି କଥା ସମସ୍ତେ କହନ୍ତି ଅମ୍ଳାନ ବଦନରେ । କଥାରେ କହିବା ଭାରି ସହଜ । ତେଲ ଲୁଣ ସଂସାରରେ ବା ସଂସାର ସମ୍ବନ୍ଧରେ ଯେଉଁ ସ୍ତ୍ରୀମାନଙ୍କର ତିକ୍ତ ଅନୁଭୂତି ଜନ୍ମିଥାଏ ସେମାନଙ୍କୁ ପଚାରିଲେ ନିଶ୍ଚୟ ବୁଝାପଡ଼ିବ ‘ପତି ପରମଗୁରୁ କି ପରମ ଗୋରୁ ।’

 

ମଣିଷ ସ୍ୱାଧୀନ ହୋଇ ଜନ୍ମ ହୋଇଥାଏ ମାତ୍ର ସମାଜ ବନ୍ଧନରେ ପଡ଼ିଲେ ସେ ପରାଧୀନ ହେବାକୁ ବାଧ୍ୟ ହୁଏ । ଆଉ ସଂସାର ଯଦି ଟିକିଏ ବଢ଼ିଯାଏ ସେ ଯେ କୌଣସି କୁକର୍ମ କରିବାକୁ ପଛଘୁଞ୍ଚା ଦିଏ ନାହିଁ । ତଥାପି ମଣିଷ କୁକର୍ମରେ ରତ ହୋଇ ମଧ୍ୟ ଫୁଲାଇ କହେ ‘‘ସେ ମଣିଷ । ଅପର ପାଖରୁ ସମ୍ମାନ ପାଇବାକୁ ସେ ହକଦାର ।’’

 

ନିଜେ ସୟତାନର ପୋଷାକ ପିନ୍ଧି ଅନ୍ୟକୁ ସୟତାନ କହେ ଏହି ମଣିଷ । ଏହି ମଣିଷମାନଙ୍କୁ ଦେଖିଲେ ଭାରି ଭୟଲାଗେ ।

 

ପୂର୍ବପରି ଅନୁରାଧା ଆଉ ଲତିକା ପାଖକୁ ଆସେ ନାହିଁ । ଆସିବ ବା କିପରି ? ଅନୁରାଧାର ଚରିତ୍ର ସମ୍ବନ୍ଧରେ ଯେତେବେଳେ ବାର ମୁହଁରୁ ବାରକଥା ଶୁଣାଗଲା ସେତେବେଳେ ସେ ନିଜେ ନିଜେ ଦବିଗଲା ।

 

ଲତିକା ପାଖରେ ଆଗଭଳି ଅନୁରାଧା ହସିପାରେ ନାହିଁ କିମ୍ବା ସାଥୀରେ ମିଶିପାରେନାହିଁ; କିନ୍ତୁ ଲତିକା କେବେହେଲେ ଅନୁରାଧାକୁ ତା’ର ସ୍ୱାମୀ କହିବା କଥା ଭୁଲରେ ମଧ୍ୟ ପଚାରି ନାହିଁ । ଲତିକା ଜାଣେ ମଣିଷର ଯେଉଁଠି ଦୁର୍ବଳତା ଥାଏ ସେହି କଥା ପଡ଼ିଲେ ସେ ଭୟରେ ଥରିଉଠେ ।

 

ଯେଉଁମାନେ ନିହାତି ବୋକା ଓ ଯେଉଁମାନଙ୍କର ଶିଷ୍ଟାଚାର ଜ୍ଞାନ ନାହିଁ ସେହିମାନେ କେବଳ ଅପ୍ରିୟ ସତ୍ୟ ହିଁ କହିପାରନ୍ତି । କାଣ୍ତଜ୍ଞାନ ଶୂନ୍ୟ ମଣିଷ ସବୁ କରିପାରେ ଓ ସବୁ କହିପାରେ ମଧ୍ୟ ।

 

ଯେଉଁମାନେ ବିଜ୍ଞ ସେମାନେ ନିଜକୁ ଦୋଷମୁକ୍ତ କରିବାକୁ ଯାଇ ଅନ୍ୟ ମୁଣ୍ତରେ ଅଠା ବୋଳନ୍ତି ନାହିଁ । ପଚା କଥାକୁ ଘାଣ୍ଟିବା ହେଉଛି ସ୍ତ୍ରୀମାନଙ୍କର ଧର୍ମ । ସେଥିରେ କ’ଣ ଆନନ୍ଦ ଯେ ସେମାନଙ୍କୁ ମିଳେ ଏହି କଥା ଲତିକା ଅନେକ ସମୟରେ ଭାବେ ମାତ୍ର କୌଣସି କୂଳକୁ ଯାଇ ପହଞ୍ଚି ପାରେ ନାହିଁ ।

 

ଲତିକାର ସ୍ୱାମୀ ପ୍ରଶାନ୍ତ ନୂଆ ହୋଇ ଚାକିରୀ କରିଛନ୍ତି । ସେ ରହନ୍ତି ଟାଟାନଗରରେ-। ଅଧ୍ୟାପକ ହିସାବରେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି । ସୁଲେଖକ ଓ ସୁବକ୍ତା ହିସାବରେ ସେ ସମସ୍ତଙ୍କ ପାଖରେ ପରିଚିତ । ତାଙ୍କର ମଧୁର ଓ ନିଷ୍କପଟ ବ୍ୟବହାରରେ ସମସ୍ତେ ମୁଗ୍‌ଧ; ଯେ ତାଙ୍କ ସଂସ୍ପର୍ଶରେ ଥରେ ଆସେ ସେ ତାଙ୍କୁ ଛାଡ଼ିପାରେ ନାହିଁ । ଏହା ହେଉଛି ପ୍ରଶାନ୍ତଙ୍କର ବିଶେଷତ୍ୱ ।

 

ଭଗବାନ ଅନେକ ସମୟରେ ମଧ୍ୟ ପକ୍ଷପାତ ବିଚାର କରନ୍ତି । ଯେତେବେଳେ ଯାହା ଉପରେ ସେ ପ୍ରସନ୍ନ ସେତେବେଳେ ତାହା ମଥାରେ ସେ ସୁନାକଳସ ଓଜାଡ଼ି ଦିଅନ୍ତି । ଯିଏ ଉପବାସରେ ସଢ଼ି ସଢ଼ି ମରୁଛି ତାକୁ ବାସି ପେଜ ଟିକିଏ ମିଳେ ନାହିଁ; କିନ୍ତୁ ଖାଇପିଇ ବଦହଜମ ହେବା ଲୋକ ଭାଗ୍ୟରେ ସବୁବେଳେ ପଲାଉ ଖେଚୁଡ଼ିର ବରାଦ ଥାଏ । ଧନ୍ୟ ଠାକୁର । ଧନ୍ୟ ତୁମର ବୁଝାମଣା ।

 

ସେଥିପାଇଁ ଆଜି ଟ୍ରେନ୍‌, ବସ୍‌, ବଜାର ଚାରିଆଡ଼େ ବାରବୁଲା ଭିକାରୀଗୁଡ଼ାକ ବାଡ଼େଇ ଗାଉଛନ୍ତି–

 

‘‘ତୁମେ ବଡ଼ର ଠାକୁର

ଟେକାଟେକି ଯିଏ କଲା ପାଇଲା ଆଦର ।’’

 

ପ୍ରକୃତରେ ଭଗବାନ୍‌ ଯଦି ଆଜି ସମସ୍ତଙ୍କୁ ସମାନ ଆଖିରେ ଦେଖୁଥାନ୍ତେ ତେବେ ତାଙ୍କୁ ଅନ୍ତତଃ ଦୁର୍ନାମ ସହ୍ୟ କରିବାକୁ ପଡ଼ନ୍ତା ନାହିଁ ।

 

କଥାରେ ଅଛି ମହତ୍‌ ବ୍ୟକ୍ତି ତୋଷାମୋଦ ଶୁଣିବା ଅପେକ୍ଷା ଦୁର୍ନାମ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ନିହାତି ବାଜେ କଥା । କିଏ ନିଜର ପ୍ରଶଂସା ଶୁଣିବାକୁ ବ୍ୟଗ୍ର ନୁହେଁ ?

 

ଚୋର ଜାଣେ ସେ ନିଜେ ଚୋର । ତଥାପି ତାହାକୁ ଅନ୍ୟଜଣେ ଚୋର କହୁ ଏହା କ’ଣ ଶୁଣିବାକୁ ସେ ଆଗ୍ରହ ପ୍ରକାଶ କରେ ? ଏ ଯୁଗରେ ଚୋରି କରି ନ ଜାଣିଲେ ଘରକରଣା କରିବା ଅନୁଚିତ ।

 

ପ୍ରଶାନ୍ତ ମାସେ, ଦେଢ଼ ମାସରେ ସୁବିଧା କରି ଗାଁକୁ ଆସନ୍ତି । ଲତିକା ତାଙ୍କୁ ଚାହିଁ ରହିଥାଏ ସତୃଷ୍ଣ ନୟନରେ ଠିକ୍‌ କୁମୁଦିନୀ ଯେପରି ନିର୍ନିମେଷ ନୟନରେ ଅନାଇ ରହିଥାଏ ଚନ୍ଦ୍ରକୁ । ଲତିକାର ଆଶା ପୂରଣ ହୁଏ; କିନ୍ତୁ ହତଭାଗିନୀ କୁମୁଦିନୀର ଆଶା ପୂର୍ଣ୍ଣ ହୁଏ ନାହିଁ । ତା’ର ଆଶା କ’ଣ ମେଣ୍ଟିବ ନାହିଁ ? କିଏ କହିବ ସେ କଥା । ଭଗବାନ୍‌ କାହା ଅଦୃଷ୍ଟରେ ଯେ କ’ଣ ଲିହିଛନ୍ତି ସେ କଥା ସେହି ଏକା ଜାଣନ୍ତି ।

 

ଲତିକା ମନେ ମନେ ଆଗରୁ ଭାବିଥାଏ ସେ ଏଥର ନିଶ୍ଚୟ ଅଭିମାନ କରିବ । ମୋଟେ କଥା କହିବ ନାହିଁ । ପ୍ରଶାନ୍ତ କେତେ ଗୋଡ଼େଇ ନ ହେବେ ? ସେ ଯେତେ ତା’ ପଛରେ ଗୋଡ଼ାଉଥିବେ ଲତିକା ସେତେ ଆଗକୁ ଦଉଡ଼ୁଥିବ । ତା’ପରେ...ତା’ପରେ... ।

 

ଲତିକା ବିଶେଷ କିଛି ଭାବି ପାରେ ନାହିଁ । ଲାଜରେ ତାହାର ଦୁଇ ଗାଲ ଓ କାନମୂଳ ରଙ୍ଗ ପଡ଼ିଯାଏ । ଛି...ସ୍ତ୍ରୀମାନେ ପୁଣି ଏତେ ଲାଜକଥା ଭାବିପାରନ୍ତି ? ଲତିକା ମନେ ମନେ ଆମୋଦ ଅନୁଭବ କରେ ।

 

ପ୍ରଶାନ୍ତ ପ୍ରଥମେ ଦୁଆରେ ଗୋଡ଼ ଦେଲାମାତ୍ରେ ଲଳିତକଣ୍ଠରେ ଡାକନ୍ତି ଲତା !

 

କି ମଧୁର ସେ କଣ୍ଠର ସ୍ୱର । ଲତିକାର ଯୋଜନା ପଣ୍ତ ହୋଇଯାଏ । ସେ ଅଧରରେ ହସର ଲହରୀ ଛୁଟାଇଦେଇ ନାସିକା କୁଞ୍ଚନ କରି କହେ ‘‘ନା ଶୁଣିବି ନାହିଁ ।’’

 

କେବଳ କଥାରେ ସିନା ଲତିକା ଏହା କହିଦିଏ କିନ୍ତୁ ସେ ସଙ୍ଗେ ସଙ୍ଗେ ଧାଇଁଯାଇଁ ଗଳଦେଶରେ ଦୁଇ ହାତ ଛନ୍ଦିଦେଇ କହେ ତୁମେ ପରା ଲେଖିଛ–

 

‘‘ସାଗର ଡାକ ବାଜିଲେ କାନେ

ନଦୀ ନ ପାରେ ହୃଦ ସମ୍ଭାଳି ।’’

 

ପ୍ରଶାନ୍ତ ଲତିକାର ଗଣ୍ତଦେଶରେ ଚୁମ୍ବନର ମୁଦ୍ରାଟିଏ ଆଙ୍କିଦେଇ କହନ୍ତି ‘‘ବାଃ, ଚମତ୍କାର । ତୁମେ ମଧ୍ୟ କବିତା......’’

 

‘‘ଚନ୍ଦନ ଗଛ ପାଖରେ ଲିମ୍ବ ଗଛ ଥିଲେ ତ ପୁଣି ସେ ଚନ୍ଦନ ହୋଇଯାଏ’’ କହି ହସିଲା ଲତିକା ।

 

‘‘ତୁମକୁ ଆଉ କଥାରେ ପାରି ହେବ ନାହିଁ । ଏଥର ଚୁପ୍‌ଚାପ୍‍ ହୋଇ ତୁମର ମୋହିନୀ ରୂପକୁ କେବଳ ଆଖିପୂରାଇ ଦେଖିବାକୁ ହିଁ ପଡ଼ିବ’’ କହିଲେ ପ୍ରଶାନ୍ତ ।

 

‘‘ତୁମକୁ କେତେ ଥଟ୍ଟା କରିଆସେ ?’’ ରୂପଟା ତୁମ ମନକୁ ପାଉ ନାହିଁ ବୋଲି ତ ସିଧା ସଳଖ କହିଦେବ ।’’ ମୁହଁ ଶୁଖାଇ କହିଲା ଲତିକା ।

 

ଲତିକା ଜାଣେ ଓ ସେ ନିଜେ ମର୍ମେ ମର୍ମେ ଅନୁଭବ କରେ ଯେ ସେ କୌଣସି ଗୁଣରେ ପ୍ରଶାନ୍ତର ଯୋଗ୍ୟା ନୁହେଁ । ପ୍ରଶାନ୍ତର ରୂପ ଓ ବିଦ୍ୟା ଆଗରେ ଲତିକାର ରୂପ ଓ ବିଦ୍ୟା କେଉଁ ପାସଙ୍ଗରେ ବା ପଡ଼ିବ ?

 

ମଣିଷ ରୂପରେ ବିକାଏ ନାହିଁ କିମ୍ବା ବିଦ୍ୟାରେ ମଧ୍ୟ ବିକାଏ ନାହିଁ । ମଣିଷର ମନୁଷ୍ୟତା ହେଉଛି ଶ୍ରେଷ୍ଠ ବସ୍ତୁ । ସେତିକି ଯାହା ପାଖରେ ଅଭାବ ସେ ଦୁନିଆରୁ ଥୋବରା ମୁହଁରେ ଫେରିଯାଏ । ପୁଣି ଆଉ ଥରେ ସଂସାରକୁ ମଣିଷ ହୋଇ ଆସିବାକୁ ସାହସ କରେ ନାହିଁ-

 

କପାଳରେ ରାମାନନ୍ଦୀ ଚିତା କାଟି ଅନେକେ ବିରାଡ଼ି-ବୈଷ୍ଣବ ସାଜିଥାନ୍ତି କିନ୍ତୁ ଆମିଷ ଦେଖିଲାମାତ୍ରେ ସେମାନଙ୍କ ପାଟିରୁ ଲାଳ ଗଡ଼େ । ଲତିକା ଭାବନ୍ତି ସିମିତି ଠିକ୍‌ ଏହି ପୁରୁଷ ଜାତିଟା । ସୁନ୍ଦରୀ ଝିଅଟିଏ ଦେଖିଲେ ଏମାନଙ୍କର ଲୋଭ ଏତେ ହୁଏ କାହିଁକି ? ଡିମା ଡିମା ଆଖିରେ ଚାହାନ୍ତି । ସତରେ କେତେ ଡାଆଣା ଏହି ପୁରୁଷଗୁଡ଼ାକ ? ଏହାଙ୍କ ଜ୍ୱାଳାରେ ମଣିଷ ଟିକିଏ ରାସ୍ତାଘାଟରେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହୋଇ ପାରିଲା ନାହିଁ ।

 

ପୁରୁଷମାନେ ସିନା ଖାଲି ମଛେ ମିଛେ କହନ୍ତି ନାରୀମାୟା ନାରାୟଣଙ୍କୁ ଅଗୋଚର । ଅବଳା ଜାତି, ଯେଉଁଆଡ଼ୁ ପାଣି ଛିଟିକା ପଡ଼େ ସେହି ଆଡ଼କୁ ଛତା ଦେଖାଇବା ହେଉଛି ସ୍ତ୍ରୀମାନଙ୍କର ସ୍ୱଭାବ । ତୁଚ୍ଛାରେ ଅନ୍ୟ ଲୋକ ସଙ୍ଗେ ବାଦ ସାଧି ଲାଭ କ’ଣ ? ଯେ ଯାହା କହିଲା ତୁନିପଡ଼ି ସହିଯିବା କଥା । ପାଟି ଖୋଲିଲେ ପ୍ରଳୟ । ଅପବାଦ-ନାଗରା ରାଇଜରେ ବାଜିବ । ସେଥିପାଇଁ ଏତେ ଆତ୍ମହତ୍ୟା ମାଇପେ କରୁଛନ୍ତି ନା ?

 

ଜୀବନ ପ୍ରତି ବା କାହାର ମମତା ନାହିଁ ? ଜାଣି ଜାଣି କେହି କ’ଣ ଜୀବନଟା ହରାଇ ଦେବାକୁ ଚାହେଁ ?

 

ଏତେ କଥା ଜାଣି ମଧ୍ୟ ଲତିକା ସ୍ୱାମୀଙ୍କୁ ଭଲପାଏ । ସ୍ୱାମୀଙ୍କ ଦୋଷ ଦେଖିବାକୁ ସେ କେବେହେଲେ ଚାହେଁ ନାହିଁ । ସ୍ୱାମୀ ଯେତେ ଯାହା କଲେ ମଧ୍ୟ ସେ ସ୍ୱାମୀ । ଯେଉଁ ସ୍ତ୍ରୀ ସ୍ୱାମୀର ଦୋଷ ଖୋଜି ସ୍ୱାମୀକୁ ଗାଳିଗୁଲଜ କରେ, ସ୍ୱାମୀ ସଙ୍ଗେ କଳିକଜିଆ ଲଗାଏ ସେହି ସ୍ତ୍ରୀ, ସ୍ତ୍ରୀ ପଦବାଚ୍ୟ ନୁହେଁ । ସେ ରାକ୍ଷସୀ ।

 

ଖାଲି ରୂପ ଅଛି ବୋଲି, ବଡ଼ଘର ଝିଅ ବୋଲି କାହାରିକୁ ମାନିବ ନାହିଁ । ଗୁରୁ-ଗଉରବକୁ ନଜର କରିବ ନାହିଁ, ପାଟିକୁ ଯାହା ଆସିବ କହିଯିବ, ସେପରି କଲେ କ’ଣ ସଂସାର ଚଳେ ? ଏଭଳି ଅପଗୁଣ ଥିଲେ କେଉଁ ସ୍ତ୍ରୀଟା ବା କାଳ କାଟେ ସୁଖରେ ?

 

ସ୍ତ୍ରୀଟିଏ ସ୍ତ୍ରୀ ହୋଇ ଚଳିବା ଉଚିତ । ସ୍ତ୍ରୀକୁ କେହି ଦାସୀ ହେବାକୁ କହୁ ନାହିଁ କିମ୍ବା କାଲି, ଜାଡ଼ୀ ହୋଇ ରହିବାକୁ କହୁ ନାହିଁ । ସହିଷ୍ଣୁତା ହେଉଛି ସ୍ତ୍ରୀର ଗୋଟିଏ ବଡ଼ ଗୁଣ । ସେତିକି ଯାହାଠାରେ ଯେତେ ଅଭାବ ସେହିଠାରେ ସେତେ ପରିମାଣରେ ଅଶାନ୍ତିର ଆବିର୍ଭାବ ।

 

ଦୁଷ୍ଟା ଭାର୍ଯ୍ୟା ମୃତ୍ୟୁ ଅପେକ୍ଷା ଭୟଙ୍କର । ତାହାର ମନ ଜାଣି ଚଳପ୍ରଚଳ ନ କଲେ ମେଦିନୀ ଦୁଲ୍‌ ଦୁଲ୍‌ ହୋଇ କମ୍ପେ । ମାନ ମହତ୍ତ୍ୱକୁ ଜଗି ବିଚରା ପୁରୁଷ ସବୁ ସହିଯାଏ । ନ ସହିବ ବା କାହିଁକି ? ନ ସହିଲେ ରାସ୍ତାଘାଟରେ କ’ଣ ଆଉ ମୁହଁ ଦେଖାଇ ହେବ ? ଯେ ମହତ୍ତ୍ୱକୁ ଜଗି ସ୍ତ୍ରୀର ନିର୍ଯ୍ୟାତନା ସହିଯାଏ ତାକୁ ମଧ୍ୟ ଲୋକେ ସମାଲୋଚନା ନ କରି ଛାଡ଼ନ୍ତି ନାହିଁ । ସେହିଭଳି ପୁରୁଷକୁ ବିଶେଷତଃ ସ୍ତ୍ରୀମାନେ କହନ୍ତି ମାଇଚିଆ ।

 

ଏହି ମାଇଚିଆ ଶବ୍ଦର ଅର୍ଥ ପୁରୁଷତ୍ୱ-ହୀନତା ନୁହେଁ । ଏହାର ଲୋକପ୍ରଚଳିତ ଅର୍ଥ ହେଉଛି–ଯେ ସ୍ତ୍ରୀକୁ ଦେଖିଲେ ଡରିଯାଏ କିମ୍ବା ସ୍ତ୍ରୀର କ୍ରୀତଦାସ ହୋଇ ଚଳେ ସେହି ପୁରୁଷ କେବଳ ମାଇଚିଆ ପଦବାଚ୍ୟ ।

 

ପ୍ରକୃତରେ କି ଲାଜ କଥା ହେ ? ପୁରୁଷ ହୋଇ ଗୋଟିଏ ସ୍ତ୍ରୀକୁ ଯେ ଚଳାଇ ନ ଜାଣିଲା ତା’ ହାତରେ ଆଉ କଉଁ କଥା ବା ହେବ ? ଲୋକେ ତାକୁ ବା କାହିଁକି ନ କହିବେ ମାଇଚିଆ ? କହନ୍ତୁ, ଆହୁରି ଭଲକରି କହନ୍ତୁ । ଛି, ଛି, କେଡ଼େ ବେହିଆ ସେ ମରଦଗୁଡ଼ାକ ? ଦଉଡ଼ି ଦୁଇ ହାତ ମିଳେ ନାହିଁ ଯେ ପୁଣି ପାଞ୍ଚଜଣରେ ପିଲାକୁ ଗେଲକରି କହନ୍ତି ମୋ ବାପଟା, ମୋ ଧନଟା ।

 

ହଇ ହେ ! ମାଇପଙ୍କୁ ଦେଖି ତ ସଲାମ୍‌ ପକାଇଲ ପୁଣି ପ୍ରେମ କେତେବେଳେ ଉଛୁଳିଲା ଯେ ହେଲ ପିଲାପିଲିଙ୍କ ବାପ ? ପୋଡ଼ିଯାଉ ସେ ପୁରୁଷପଣ । ଛିଃ, ଛିଃ, ଲୋ ମା’ ଏୟାକୁ ପୁଣି କହନ୍ତି ମରଦ ?

 

ପୁରୁଷର ପୌରୁଷ ଲୋଡ଼ା । ସିଂହ ଯଦି ହାତିପଲ ଦେଖି ମେଣ୍ଢାଭଳି ମଥା ପୋତି ଧୀରେ ଧୀରେ ଚାଲିଯାଏ ତାକୁ କିଏ ବା କହିବ ପଶୁରାଜ ।

 

ସବୁ ପୁରୁଷଙ୍କୁ ଲୋକେ ପୁରୁଷସିଂହ କହନ୍ତି ନାହିଁ । ଯାହାକୁ ପୁରୁଷସିଂହ କୁହାଯାଏ ସେ ପୁରୁଷ କଥା ଦୁସୁରା । କେବଳ ପିଲାପିଲିର ବାପ ହୋଇଗଲେ ହେଲା ଏତିକି ଯିଏ ବୁଝିଲା ସେ କ୍ଷମାର ପାତ୍ର ନ ହୋଇ ହୁଏ ଦୟାର ପାତ୍ର । ସେହିଭଳି ପୁରୁଷକୁ ସ୍ତ୍ରୀମାନେ ସମାଲୋଚନା ନ କରି କେବଳ କହନ୍ତି ‘‘ବିଚରା ନିରୀହ ମଣିଷଟେ । ସେ ଏତେ ଛନ୍ଦ କପଟ ଜାଣେ ନାହିଁ । ତାକୁ କାହିଁକି ଅଡ଼ୁଆରେ ପୂରାଉଛ ।’’

 

ଯେ କାହାରି ହଲିଲା ପାଣିରେ ଗୋଡ଼ ନ ପୂରାଏ ତାକୁ ଲୋକେ କହନ୍ତି ଧର୍ମ ଯୁଧିଷ୍ଠିର-। ଦ୍ରୌପଦୀ ପଛେ କୁରୁସଭାତଳେ ଲାଞ୍ଛିତା ହେଉ ତଥାପି ପାଟିରୁ ପଦେ ଫିଟିବ ନାହିଁ । ନିଆଁ ଲାଗୁ ସେ ଧର୍ମରେ । ମାଇଚିଆଙ୍କର ପୁଣି ଧର୍ମଭାବ ? ସେ ଧର୍ମ କେଉଁଥିକୁ ପାଏ ? ଆହା ମୋ ଧର୍ମ ଲୋ ।

 

ଲତିକା କେତେ କ’ଣ ଭାବିଯାଏ । ସେ ପ୍ରଶାନ୍ତକୁ ଚିହ୍ନିବାକୁ ଚେଷ୍ଟା କରେ । ପ୍ରଶାନ୍ତ-ମହାସାଗରର ଗଭୀରତ୍ୱ ଲତିକା କ’ଣ ଜାଣି ପାରିବ ? ସେ ତ ସମୁଦ୍ରବୁଡ଼ାଳୀ ନୁହେଁ ।

 

ପ୍ରଶାନ୍ତର କାବ୍ୟ-କବିତା ପଢ଼ି ଲତିକା ତନ୍ମୟ ହୋଇଯାଏ । ସେ ଭାବେ କାହାପାଇଁ ପ୍ରଶାନ୍ତ ଅନିଦ୍ରା ରହି, ଉପବାସରେ ଦିନ କଟାଇ ଏତେ କବିତା ରଚନା କରୁଛନ୍ତି । କିଏ ସେହି ନାରୀ ଯେ ପ୍ରଶାନ୍ତ ଆଗରେ ଦିବ୍ୟ ଜ୍ୟୋତିର୍ମୟୀ ରୂପରେ ଉଭା ହୋଇ ତାଙ୍କୁ କବିତା ଲେଖିବାକୁ ପ୍ରେରଣା ଦେଉଛି । ତାଙ୍କୁ ଦେଖିବାକୁ ଲତିକାର ଇଚ୍ଛା ହୁଏ ।

 

ପ୍ରଶାନ୍ତକୁ ପଚାରିବାକୁ ସେ ମନେ ମନେ ମଧ୍ୟ ସ୍ଥିର କରେ । କାହାପାଇଁ ପ୍ରଶାନ୍ତ ଆଜି ଲେଖନ୍ତି ଏତେ ପ୍ରେମ-କବିତା ?

 

ଛିଃ ପ୍ରଶାନ୍ତ କ’ଣ ଭାବିବେ ? ଲତିକା ଭୟରେ ଥରି ଯାଏ କଦଳୀ ପତ୍ର ପରି ।

 

ବଣର ବାଘଠାରୁ ମନର ବାଘ ଆହୁରି ଭୟଙ୍କର । ବଣର ବାଘ ଠାରୁ ନିସ୍ତାର ମିଳେ; କିନ୍ତୁ ମନର ବାଘଠାରୁ ପରିତ୍ରାଣ ସହଜରେ ମିଳେନାହିଁ । ସନ୍ଦେହମୋଚନ ନ ହେବା ଯାଏ ମନର ବାଘ ମଣିଷକୁ ଖାଇବାକୁ ଗୋଡ଼ାଏ । ସେ ଧରେ ନାହିଁ କିମ୍ବା ଖାଏ ନାହିଁ । ମାତ୍ର ମଣିଷ ଅତରଛରେ ଛାନିଆ ହୋଇ ଅଧା ମରା ହୋଇଯାଏ ।

 

ଇସ୍‌, ଏ ପ୍ରକାର ଦୁର୍ବଳ ହୃଦୟ ନେଇ ମଣିଷ କ’ଣ ବଞ୍ଚିପାରେ ? ସେ ବଞ୍ଚି ରହି ସୁଦ୍ଧା ତିଳ ତିଳ ହୋଇ ମରେ ନାହିଁ କି ?

 

ଦିନେ ପ୍ରଶାନ୍ତ ହଠାତ୍‌ ହାଉଳି ଖାଇ ବିଛଣାରୁ ଉଠି ପଡ଼ି ହଲାଇ ଦେଲେ ଲତିକାକୁ । ଲତିକା କିଛି ବୁଝି ପାରିଲା ନାହିଁ ।

 

ପ୍ରଶାନ୍ତ ଟିକିଏ ସଂଯତ୍‌ ହୋଇ କହିଲେ ‘‘ଲତା ! କିଛି ମନେ କରବି ନାହିଁ । ସ୍ୱପ୍ନ ଦେଖି ଉଠି ବସିଲି ।’’

 

‘‘କ’ଣ ଦେଖିଲ’’ ପଚାରିଲା ଲତିକା ।

 

‘‘ଗୋଟିଏ ଦିବ୍ୟ ଜ୍ୟୋତିର୍ମୟୀ ନାରୀ । ସଦ୍ୟ ପ୍ରସ୍ଫୁଟିତ ଗୋଲାପଠାରୁ ଆହୁରି ସୁନ୍ଦରୀ-। ଅଧରରେ ଥିଲା ତା’ର ଦ୍ୱିତୀୟା ଚନ୍ଦ୍ରର ହସ । କଣ୍ଠରେ ଥିଲା କଳନାଦିନୀ ନିର୍ଝରିଣୀର ସଙ୍ଗୀତ-।’’

 

ତା’ପରେ ଡରି ଯାଇ ପଚାରିଲା ଲତିକା ।

 

‘‘ତା’ପରେ...ସେହି ଶୋଭାମୟୀର ପଦତଳରେ ପ୍ରଣତି ଢାଳି କହିଲି ତୁମେ ଆସିଛ ? ତୁମେ କ’ଣ ମୋର କାବ୍ୟ-ଉପବନରେ ଆଶାର କଳିକା ହୋଇ ପ୍ରସ୍ଫୁଟିତ ହୋଇପାରିବ ? ସେ କିଛି କହିଲା ନାହିଁ । କେବଳ ଚାହିଁଲା ଲୋଭନୀୟ ଚାହାଣିରେ ପୂର୍ଣ୍ଣିମା ତିଥିର ଚନ୍ଦ୍ରକୁ କୁମୁଦିନୀ ଚାହିଁଲା ପରି ।’’

 

‘‘ତା’ପରେ କ’ଣ ହେଲା ? ‘‘ଲତିକା ବ୍ୟାକୁଳ ହୋଇ ପଚାରିଲା ।

 

‘‘କଲମ ଧରି ଲେଖିଲି କବିତାଟିଏ । ଅତି ଛୋଟ କବିତାଟିଏ ।’’ କଣ୍ଠରେ ହୃଦୟସ୍ପର୍ଶୀ ଭାଷା ଫୁଟାଇ ପୁଣି ପ୍ରଶାନ୍ତ କହିଲେ ‘‘ଶୁଣିବ ସ୍ୱପ୍ନରେ ଯେଉଁ କବିତାଟି ଲେଖିଥିଲି...

 

‘‘ତୁମେ ଦିବ୍ୟ ଜ୍ୟୋତିର୍ମୟୀ ଅଟ ମୋର କବିତା

ମୋ ଆଶା-କମଳବନେ ଅଟ ତୁମେ ସବିତା ।’’

 

ଲତିକା ନିର୍ଜୀବ ପିତୁଳା ଭଳି ସବୁ ଶୁଣିଗଲା । କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲା ନାହିଁ ।

 

ତେବେ ସେ ଯାହା ମନେ ମନେ ଭାବିଛି ତାହା ସବୁ ସତ । ଟିକିଏ ବୋଲି ଭୁଲ ସେଥିରେ ନାହିଁ । ନିଶ୍ଚୟ ପ୍ରଶାନ୍ତ ଅନ୍ୟ ଜଣକୁ ଭଲ ପାଆନ୍ତି ।

 

କେହି କାହାରିକୁ ଭଲ ନ ପାଇଲେ କ’ଣ କବିତା ଲେଖିପାରେ ?

 

ଦେଖାଯାଉ କେଉଁଠିକାର ପାଣି କେଉଁଠାକୁ ଯାଉଛି । ଚୋର ଘରେ କ’ଣ ଦିନେ ଆଲୁଅ ଜଳିବ ନାହିଁ ?

 

ଲତିକାର ମନ କଥା ମନରେ ରହିଲା । କେବଳ ଦୀର୍ଘ ଶ୍ୱାସଟିଏ ପକାଇ କହିଲା ‘‘ଶହେ ଜୁହାର ବାବା ଏ ଲମ୍ପଟ ପୁରୁଷଙ୍କୁ ।’’

 

ବାର

 

ନାରୀ ସ୍ୱଭାବତଃ ଲଜ୍ଜାଶୀଳା; କିନ୍ତୁ ଅତ୍ୟାଧୁନିକାମାନେ କହନ୍ତି ଏହା ଗୋଟିଏ କୁସଂସ୍କାର । ନାରୀ ହେଲା ବୋଲି ଦୁନିଆଯାକର ଅନୁଶାସନ ଯେପରି ମାନି ଚଳିବାକୁ ସେ ବାଧ୍ୟ ।

 

ପଛ କଥାକୁ ବାଘ ଖାଉ । ବର୍ତ୍ତମାନ ଏ ପରମାଣୁଯୁଗରେ ପୁରାଣ ଯୁଗର ଆଦର୍ଶକୁ ମାନି ଚଳି ହେବ ନାହିଁ । ଯଦି ପୁରାଣ ଯୁଗର ଆଦର୍ଶରେ ମଣିଷ ଅନୁପ୍ରାଣିତ ହୋଇ ଆଜି ବଞ୍ଚି ରହିବାକୁ ପ୍ରୟାସ କରେ ତାହା ତା ପକ୍ଷରେ ଅପଚେଷ୍ଟା ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଆମର ସମାଜ ଯେତେବେଳେ ଧ୍ୱଂସମୁଖୀ ଓ ଆମର ପ୍ରାଚ୍ୟ ସଭ୍ୟତା ଯେତେବେଳେ ପାଶ୍ଚାତ୍ୟ ଜଗତର ଆଦର୍ଶକୁ ମାନି ଚଳିବାକୁ ବସିଲାଣି ସେତେବେଳେ ପୁରାଣ, ଶାସ୍ତ୍ର, ବେଦ, ବେଦାନ୍ତ କହିବାର ଅର୍ଥ ସକ୍ରେଟିସର ଦର୍ଶନବାଦ ବ୍ୟତୀତ ଅନ୍ୟ କିଛି କ’ଣ ହୋଇପାରେ ?

 

ଗଧ ଓ ଘୋଡ଼ାର ମିଶ୍ରଣରୁ ଖେଚରର ଉତ୍ପତ୍ତି । ତେବେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମିଶ୍ରଣରୁ କ’ଣ ଯେ ଉତ୍ପତ୍ତି ହେବ ତାହା କେବଳ ଦେଖିବାକୁ ବାକି ରହିଲା ।

 

ବାକି ବା କେତେଦିନ ରହିବ ? ଦିନ ଆସିଲାଣି । ବୈଜ୍ଞାନିକମାନଙ୍କ ମତରେ ସୂର୍ଯ୍ୟ ଦିନେ ଚନ୍ଦ୍ର ଭଳି ଥଣ୍ତା ହୋଇଯିବ । ସେତେବେଳେ ଆଉ ପୃଥିବୀରେ ଦିନ ଓ ରାତିର ତାରତମ୍ୟ କିଛି ଜଣାପଡ଼ିବ ନାହିଁ । ଆଜି ଯେଉଁମାନେ ପ୍ରତି କଥାରେ ଦୁହାଇ ଦେଇ କହୁଛନ୍ତି ଧର୍ମ କ’ଣ ଦେଶରେ ନାହିଁ ? ଧର୍ମ ନ ଥିଲେ କ’ଣ ଦିନ ରାତି ହୁଅନ୍ତା ? ଯେତେବେଳେ ଦିନ ଓ ରାତିର ପ୍ରଭେଦ କିଛି ନ ରହିବ ସେତେବେଳେ ଲୋକେ ଧର୍ମର ଦୁହାଇ ଉଠାଇବେ ନାହିଁ ତ ?

 

ଶାସ୍ତ୍ର କହ, ପୁରାଣ କହ, ସଂହିତା କହ, ଯାହାକିଛି କହ ସେ ସବୁ ସୁବିଧାବାଦୀମାନଙ୍କଦ୍ୱାରା ଲେଖା । ସେହିମାନେ ଅନନ୍ତ କାଳପାଇଁ ଏହି ସ୍ତ୍ରୀମାନଙ୍କୁ କରିଯାଇଛନ୍ତି କ୍ରୀତଦାସୀ ‘ଟମକକାଙ୍କ କୁଟୀର’ରୁ ଜଣାପଡ଼େ କ୍ରୀତଦାସୀମାନେ ମଧ୍ୟ ସେ କାଳରେ ଯଥେଷ୍ଟ ସୁଖରେ ରହୁଥିଲେ । ସେମାନଙ୍କର ମଧ୍ୟ ଯଥେଷ୍ଟ ସୁବିଧା ଥିଲା; କିନ୍ତୁ ଆମ ଭାରତର ସମାଜ, ଭାରତର ପୁରାଣ ଶାସ୍ତ୍ର ସ୍ତ୍ରୀମାନଙ୍କୁ କେଉଁ ସୁବିଧା ଦେଇଅଛି ଯେ ସେମାନେ ସମାଜ ଓ ଶାସ୍ତ୍ରର ନୀତିବାକ୍ୟ ପାଖରେ ମଥା ନୁଆଁଇବେ ?

 

ଯେଉଁ ଶାସ୍ତ୍ର କହେ ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’ ସେହି ଶାସ୍ତ୍ରକୁ ପୋଡ଼ିଜାଳି ପାଉଁଶ କରିଦେବାକୁ ଇଚ୍ଛା ହୁଏ । ଇସ୍‌ ଏ ମଣିଷଗୁଡ଼ାକ କେଡ଼େ ସ୍ୱାର୍ଥପର । ସ୍ୱାର୍ଥରୁ ଟିକିଏ ଊଣା ହୋଇଗଲେ ଏକାବେଳକେ ମାଡ଼ିଆସିବେ । ପୁଣି ଏହି ଧରଣର ମଣିଷ ତଥା ପୁରୁଷଙ୍କ ନିକଟରେ ସ୍ତ୍ରୀ ମୁଣ୍ତ ନୁଆଁଇବ ? ସେମାନେ ଆମକୁ ଅଧିକ କ’ଣ ଦେଉ ଅଛନ୍ତି କି ?

 

ବେହିୟାଙ୍କୁ ପଚାରିଲେ ହସି ହସି ଦାନ୍ତନିକୁଟି କହିବେ ଭାତ ଲୁଗା ଦେଇ ପରା ରଖିଛୁଁ-। ଓହୋ, ଏମାନେ ନ ଦେଲେ ସତେ ଯେପରି ଏ ମାଇପି ଜାତିଟା ବଞ୍ଚିପାରନ୍ତା ନାହିଁ । ଆମ ଗୋଡ଼ରୁ ବେଡ଼ି ଫିଟାଇ ଦିଅ ଦେଖିବ ଆମ୍ଭେମାନେ ମଧ୍ୟ ନେଫାରେ ଯାଇ ଗୁଳି ଫୁଟାଇବୁଁ । ତୁମ ଭଳି ପ୍ରାଣଭୟରେ ଶତ୍ରୁକୁ ଦୂରରେ ଦେଖୁ ଦେଖୁ ‘ସରେଣ୍ତର’ ‘ସରେଣ୍ତର’ କହି ବେୟନେଟ୍‌ ତଳକୁ କରି ରୁମାଲ ଉଡ଼ାଇ ଆତ୍ମସମର୍ପଣ କରିବୁ ନାହିଁ । ପ୍ରାଣ ଦେବାକୁ ଯେତେବେଳେ ଯାଇଛୁ ପ୍ରାଣ ଦେବୁ । ପ୍ରାଣକୁ ପୁଣି ଏତେ ମାୟା ?

 

ଜୀବନ ପ୍ରତି ଆମ୍ଭମାନଙ୍କର ଯଦି ଏତେ ମମତା ରହନ୍ତା ବା ପ୍ରାଣ ପ୍ରତି ଯଦି ଟିକିଏ ଉପ୍ରୋଧ ରହନ୍ତା ତେବେ ପେଟରେ ପିଲା ଧରିବାକୁ ଆମ୍ଭେମାନେ କ’ଣ ଆଗ୍ରହ ପ୍ରକାଶ କରନ୍ତୁ ?

 

ହେ ଭଗବାନ୍‌ ! ଏ ପୁରୁଷଗୁଡ଼ାକ ଅଧିକ କ’ଣ କରୁଛନ୍ତି, ଯେ ସେମାନେ ଆମ୍ଭମାନଙ୍କ ଉପରେ ହାକିମଗିରି ଦେଖାଇବେ । ଆଉ ଆମ୍ଭେମାନେ ସେମାନଙ୍କ ନାଲି ଆଖି ଦେଖି ଡରିଯିବୁଁ । ଯେତେଦିନ ସହି ଆସିଥିଲୁ, ଆସିଥିଲୁଁ । ଏଣିକି ସେମାନଙ୍କର ଅତ୍ୟାଚାର ଆମ୍ଭେମାନେ ସହିବାକୁ ବାଧ୍ୟ ନୋହୁଁ । ଯଦି କେହି କେଉଁଠାରେ ସହିବ ବା ସହୁଅଛି ତେବେ ସିଧାସଳଖ ଧରି ନିଆଯାଉ ଯେ ତାହା ହେଉଛି ଏହି ନାରୀଜାତିର ଅସୀମ ଦୟା ।

 

ଟିକିଏ ଖୋସାମଦ୍‌ ବା ଚିକ୍‌କଣ କଥା ଶୁଣିଲେ ଏହି ନାରୀ ଜାତିଟା ତରଳି ଯାଏ । ମହମବତୀ ଊଣାଅଧିକେ ସମସ୍ତେ ଦେଖିଥିବେ । ଇସ୍‌ କେତେ ଟାଣ ତା’ର ଉପରଟା । ଦିଆସିଲିଟେ ପାଖରେ ଧରି ଜଳାଇ ଦିଅ ତାହାପରେ ଦେଖିବ ତା’ର ଅବସ୍ଥା । ଠିକ୍‌ ସେହିପରି ଏ ସ୍ତ୍ରୀଜାତିଟା ନୁହେଁକି ? ମୁହଁ ଭୁରୁଡ଼ି ଦେଖିଲେ ଖଣ୍ତେ ବାଟରୁ ପଳାଇବ । କେହି ସାହସ କରି ପାଖରେ ପଶି ଖାଲି ଦୁଇପଦ କହି ପାରିଲେ ହେଲା । ଦେଖିବ ସାଥେ ସାଥେ ସେ ଫଁ, ଫଁ, କୁଆଡ଼େ ଗଲା । ଏକାବେଳକେ ଗୋଟିପଣେ ତୁମର ସତେ ଯେପରି କେଉଁ ଯୁଗରୁ ଚିହ୍ନା ପରିଚୟ-। ମଉନମୁହୀଁଙ୍କ କଥା ଛାଡ଼ିଦିଅ । ଚେଇଁକରି ଶୋଇ ଜାଣନ୍ତି ସେମାନେ ।’’

 

ସେଦିନ ଏମିତି ବାର ସତର ଗପୁଥାନ୍ତି ସୁମିତ୍ରା । ରମଣୀରଞ୍ଜନ କେବଳ ବୋକାଙ୍କ ଭଳି ଶୁଣି ଯାଉଥାନ୍ତି ।

 

ଗୋରୁଭଳି ବାଡ଼େଇଲେ, କଥାବାର୍ତ୍ତା କରିବା ବନ୍ଦ କରିଦେଲେ, ଶୋଇବା ଘରେ ନ ଶୋଇ ଅଫିସ୍‌ ଘରେ ଶୋଇଲେ, ତଥାପି କିଛି ଲାଭ ହେଲା ନାହିଁ । ବରଂ ସୁମିତ୍ରା ଅଧିକ ଉଗ୍ରରୂପ ଧାରଣ କଲେ ।

କୋଇଲି, କୁଆଗହଣରେ କୁଆ ହୁଏ ନାହିଁ କିମ୍ବା କୁଆ କୋଇଲି-ଗହଣରେ କୋଇଲି ହୁଏ ନାହିଁ । ଯାହା ଯାହାର ଜନ୍ମଗତ ତାହା ମରିବା ଯାଏ ରହିବ । ହର, ବ୍ରହ୍ମା କେହି ତାକୁ ବଦଳାଇ ପାରିବେ ନାହିଁ ।

ରମଣୀରଞ୍ଜନ ବୁଝି ସାରିଲେଣି ଯେ ସୁମିତ୍ରାଙ୍କୁ ବଦଳାଇ ପାରିବାର କ୍ଷମତା ତାଙ୍କର ନାହିଁ । ତେଣୁ ସୁମିତ୍ରା କ’ଣ କରନ୍ତି, କୁଆଡ଼େ ଯାଆନ୍ତି ସେଥିପ୍ରତି ରମଣୀରଞ୍ଜନ ବିଶେଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ ଜାଣିବାକୁ । ଜଣେ ଅମଣିଷ ହେଲାବୋଲି କ’ଣ ଆଉ ସମସ୍ତେ ଅମଣିଷ ହୋଇଯିବେ ?

ଟାଟାନଗର ଆସିବା ଦିନଠାରୁ ସୁମିତ୍ରା ଟିକିଏ ବଦଳି ଯାଇଥାନ୍ତି । ଏଠାରେ ନିଜ ହାତରେ ସେ ନିଜେ ସାଢ଼େ ତିନିହାତ । ଏଠାରେ ଶାଶୁ, ଦେଢ଼ଶୁର, ବଡ଼ ଯାଆ କେହି ନାହାନ୍ତି । ପିତାଶୁଣୀ ପାରୀଟା ମଧ୍ୟ ନାହିଁ । କାହାକୁ ଆଉ ଡର ରହିଛି ଯେ ସେ ଡରିବେ । ରମଣୀରଞ୍ଜନ ତାଙ୍କ ଲେଖାରେ କଉଁ ମଣିଷ ଯେ ସେ ତାଙ୍କୁ ଖାତିର୍‌ କରିବେ ।

ନାରୀର ରୂପ ନିକଟରେ ପୁରୁଷର ଶିକ୍ଷା, ଦୀକ୍ଷା, କ୍ଷମତା ସବୁ ହାର ମାନେ । ସେଥିପାଇଁ ଗତ ଜର୍ମାନ୍‌ ଯୁଦ୍ଧକାଳରେ ରୂପବତୀ ନାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେଇ ବିଶ୍ୱ ବିଜୟର କଳ୍ପନା କରିଥିଲେ ନାଜିନେତା ହିଟଲର ।

ରମଣୀରଞ୍ଜନକୁ ଦିନେ ନା ଦିନେ ସୁମିତ୍ରାଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ-। ଉଗ୍ରତପା ବିଶ୍ୱାମିତ୍ରଙ୍କଠାରୁ ତ ରମଣୀରଞ୍ଜନ ବଳଶାଳୀ ନୁହଁନ୍ତି ?

 

ନାରୀର ରହସ୍ୟ ନାରୀ ମଧ୍ୟ ଭେଦ କରି ପାରେ ନାହିଁ । ରମଣୀରଞ୍ଜନ ବା ପାରିବେ କୁଆଡ଼ୁ ? ‘‘ହେ ନାରୀ, ହେ ମାତୃଜାତି ! ତୁମ୍ଭେମାନେ ସଦାକାଳେ ଅଜେୟା ହୋଇ ରହ’’ ଏତିକି ନ କହିବାଯାଏ ସୁମିତ୍ରା ତାଙ୍କୁ ସହଜରେ ଛାଡ଼ି ଦେଉ ନାହାନ୍ତି । ଦେଖାଯାଉ ଏ ପ୍ରତିଯୋଗିତାରେ ଜିତାପଟ କାହାର ?

 

ଯେଉଁ ପୁରୁଷ ରୂପରେ, ବୁଦ୍ଧିରେ, ଚତୁରତାରେ ସ୍ତ୍ରୀଠାରୁ ନ୍ୟୁନ ତାହା ଭାଗ୍ୟରେ ନିଆଁ ଖପରା ସବୁବେଳେ ଜଳେ ।

 

ନିୟତିର ଖେଳକୁ ବା ବଳ କାହାରୀ ପାଏ ! ଯାହା କପାଳରେ ଅଛି ତାହା ସହିଯିବାକୁ ପଡ଼ିବ । ନ ସହିପାରିଲେ ଦୁନିଆ ହେବ ବିଷମୟ ।

 

ଆଜି ରମଣୀରଞ୍ଜନଙ୍କର ସେହି ଅବସ୍ଥା । ଯେଉଁ ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅଶ୍ୱ-ମଇଁଷିର ବିବାଦ ସେଠାରେ ସ୍ୱାମୀ କହ ବା ସ୍ତ୍ରୀ କହ କେହି କେବେ କ’ଣ ଶାନ୍ତିରେ କାଳଯାପନ କରିପାରେ ? ନ ରହି ବା କିଏ କୁଆଡ଼େ ଯାଏ ? ଭାଗ୍ୟକୁ ଆଦରି ସବୁ ସହିଯିବାକୁ ପଡ଼େ ।

 

ସମୟ କାହାରିକୁ ଅପେକ୍ଷା କରେ ନାହିଁ । ସେ ତା’ର ଠିକ୍‌ ବାଟରେ ଆସି ପୁଣି ଠିକ୍‌ ବାଟରେ ଫେରିଯାଏ । ଯେ ସମୟକୁ ଜଗି ରଖି ବାଟ ନ ଚାଲେ ସେ ଝୁଣ୍ଟିପଡ଼ି ଖଣ୍ତିଆଖାବରା ହୋଇଯାଏ । ଇସ୍‌ ସେ ଯନ୍ତ୍ରଣା କେଡ଼େ ମର୍ମନ୍ତୁଦ ।

 

ଏତେ ଚୋର, ପକେଟମାରୁ, ଡକାୟତି, ତଣ୍ଟିକଟାଙ୍କୁ ରମଣୀରଞ୍ଜନ ସାଧ୍ୟ କରିଦେଲେ; କିନ୍ତୁ ସାମାନ୍ୟ ଗୋଟିଏ ସ୍ତ୍ରୀକୁ ପାରିଲେ ନାହିଁ । ଏହା ହେଉଛି ତାଙ୍କର ସବୁଠାରୁ ଜୀବନରେ ବଡ଼ ପରାଜୟ । କାହାକୁ ବା ଏହି କଥା କହିବେ ? ଯିଏ ଶୁଣିବ ସେ କ’ଣ କହିବ ନାହିଁ ‘‘କିହୋ ରମଣୀବାବୁ ! ଛାର ସ୍ତ୍ରୀଟାଏ ପୁଣି ବଳିଗଲା ?’’

 

‘ସ୍ତ୍ରୀ’ ଶବ୍ଦଟା ଶୁଶିଲେ ଲୋକେ ତାଚ୍ଛଲ୍ୟଭାବ ପ୍ରକାଶ କରନ୍ତି । ସ୍ତ୍ରୀକୁ ପରା ମହାତ୍ମା ତୁଳସୀ ଦାସ ବାଘୁଣୀ ବୋଲି କହିଛନ୍ତି । ସ୍ତ୍ରୀକୁ ଏତେ ଅବମାନନା କିଆଁ ହେ ? ତୁମ ପୁରୁଷଙ୍କ ବଳ କେତେ ? ନିତିଦିନ ପରା ସନ୍ଧ୍ୟାରେ ଭାଗବତ ପଢ଼ିଲାବେଳେ ଲୋକେ ପଢ଼ୁଛନ୍ତି ‘‘ମହିଷା ମାରେ ଦୁର୍ଗା ହୋଇ’’ ସୁମିତ୍ରା ପ୍ରାୟ ଏହି କଥା ସବୁବେଳେ ରମଣୀରଞ୍ଜନଙ୍କୁ କହୁଥିଲେ ।

 

ସୁମିତ୍ରା ଉପରେ ପଡ଼ି କେବେ କିଛି କହନ୍ତି ନାହିଁ । ଉପରେ ପଡ଼ି ରମଣୀରଞ୍ଜନଙ୍କୁ କହିବା ସୁମିତ୍ରାର ମୋଟେ ଅଭ୍ୟାସ ନୁହେଁ । ନାଗୁଣୀକୁ ନ ଚାଳିଲେ ନାଗୁଣୀ ଆପେ ଆପେ କ’ଣ ଗାତରୁ ବାହାରି ଫଣା କାଢ଼ି ଲାଙ୍ଗୁଡ଼ରେ ଛିଡ଼ା ହୁଏ ? ରମଣୀରଞ୍ଜନ ପୁଣି ଯେଉଁ ସୁଯୋଗ୍ୟ ପୁରୁଷଟେ ନା ସେ ପୁଣି କହିବେ ମାଇକିନାଙ୍କ କଥା ଛାଡ଼ ହେ ଆଉ ସୁମିତ୍ରା ସହିଯିବେ ? ନା, ତା’ ହୋଇ ପାରିବ ନାହିଁ । ସୁମିତ୍ରା ସବୁ ସହିଯିବାକୁ ପ୍ରସ୍ତୁତ; କିନ୍ତୁ ସ୍ତ୍ରୀ ତଥା ମାତୃଜାତିର ଅବମାନନା ସେ କ’ଣ ଏତେ ସହଜରେ ସହିଯିବେ ?

 

କେହି ତ କହୁ ନାହିଁ ସକାଳ ସନ୍ଧ୍ୟାରେ ସ୍ତ୍ରୀମାନଙ୍କୁ ଫୁଲଚନ୍ଦନ ଦେଇ ପୂଜା କରିବାକୁ । ସେମାନେ ଏହା କାହିଁକି ବା ଆଶା କରିବେ । ପୁରୁଷ ବା କାହିଁକି ତାହା କରିବ ? ତେବେ ଟିକିଏ ମିଠା ହସ ହସି, ମାଇଚିଆଙ୍କ ଭଳି ଗେଲେଇ ଗେଲେଇ ‘ସୁମିତ୍ରା ! ରାଣୀ ମୋର’ ! ଏମିତି ଦୁଇ ଚାରିଟା ମନଭୁଲାଣିଆ ଶବ୍ଦ କହିଦେଲେ ତ ଚଳନ୍ତା । ଦେଖନ୍ତୁ ସୁମିତ୍ରା କିପରି ଆପେ ଆପେ ପୋଷାମାନି ନିରୀହ ବିରାଡ଼ିଛୁଆଟି ପରି ସବୁବେଳେ ପାଖେ ପାଖେ ଘୂରି ବୁଲୁଥାନ୍ତା । ସୁମିତ୍ରା ଏତିକି କେବଳ କହିବାକୁ ଚାହୁଁଥିଲେ ।

 

କିନ୍ତୁ ତାଙ୍କର ଆତ୍ମା ମନ ମଧ୍ୟରେ ବିଦ୍ରୋହ କରେ । ଛାର ବଞ୍ଚି ରହିବାପାଇଁ ସେ ପୁଣି ରମଣୀରଞ୍ଜନଙ୍କୁ ନିବେଦନ କରିବେ ? ଅରସିକଠାରେ ରସ ନିବେଦନ ? ଏହାଠାରୁ ବଳି ଲଜ୍ଜା ଓ କ୍ଷୋଭର ବିଷୟ ଦୁନିଆରେ କ’ଣ ଆଉ କିଛି ଅଛି ?

 

ମଣିଷ ମଣିଷକୁ ମନ ଖୋଲି କଥା କହେ । ଅମଣିଷ ପାଖରେ କହିଲେ ପାଟି ଘୋଳିବା ହିଁ ସାର ହୁଏ ।

 

‘ଭୋକରେ ପେଟ ପୋଡ଼ିଯାଉଥିବ, ଖାଇବାକୁ ଯାଚିଲେ ଲାଜରେ ନାହିଁ କରିବ ।’ ଏହାଠାରୁ ଦୁଃଖଦାୟକ ଜିନିଷ ବୋଧହୁଏ ଦୁନିଆରେ କିଛି ନାହିଁ ।

 

ସୁମିତ୍ରା ବିଛଣାରେ ପଡ଼ି ଛଟପଟ ହୁଅନ୍ତି । କାନ୍ଦି କାନ୍ଦି ତାଙ୍କର ଆଖି ଫୁଲିଯାଏ; କିନ୍ତୁ ରମଣୀରଞ୍ଜନଙ୍କ ଯୋଗନିଦ୍ରା ଭାଙ୍ଗେ ନାହିଁ କିମ୍ବା ଦୁଇପଦ ଆଶ୍ୱାସନାର ବାଣୀ ଶୁଣାନ୍ତି ନାହିଁ । ଧନ୍ୟରେ ପେଚାମୁହାଁ ମଣିଷ । କେବଳ ଶାଢ଼ୀ ଓ ଚୂଡ଼ୀ ଦୁଇପଟର ମମତାପାଇଁ ସ୍ତ୍ରୀଟେ ସବୁ ସହିଯାଏ । ନୋହିଲେ...ତୁମ କଥା କେତେଦିନୁ ବୁଝିସାରନ୍ତାଣି ।

 

ପ୍ରକୃତରେ ଏଭଳି ପୁରୁଷଙ୍କୁ ବିଭା ନ ହୋଇ ବାଡ଼ୁଅ ହୋଇ ରହିବା ଉଚିତ ।

 

ପ୍ରକୃତିକୁ ଜୟ କରିବାକୁ କ୍ଷମତା କାହାର ବା ଅଛି ? ଇନ୍ଦ୍ରିୟଭୋଗର ପରିତୃପ୍ତି ପାଇଁ ସମସ୍ତ ଅପବାଦ ସହ୍ୟ କରିବା ଭଲ; କିନ୍ତୁ ଏଭଳି ସ୍ୱାମୀର ହାତଧରି କଲବଲ ହୋଇ ଦରମରା ହେବା ଉଚିତ ନୁହେଁ । ଖାଇ, ପିଇ, ଶାଢ଼ୀ, ଗହଣା ପିନ୍ଧି ମନକୁ କେତେ ବା ବୁଝାଇବେ ? ଏହି କଥା ସବୁବେଳେ ଭାବନ୍ତି ସୁମିତ୍ରା ।

 

ଆଖିପତା ଆପେ ଆପେ ଢାଙ୍କି ହୋଇଯାଏ । ସେ ସ୍ୱପ୍ନ ଦେଖନ୍ତି ତାଙ୍କର ସେହି ଚିର ଈପ୍‌ସିତ ମଣିଷଟିକୁ ।

 

ସାହିତ୍ୟ ସମାଜରେ ସେ ଦେଖିଲା ଦିନଠାରୁ ପ୍ରଶାନ୍ତକୁ ମୋଟେ ଭୁଲିପାରୁ ନାହାନ୍ତି । ଇସ୍‍ କି ରୁଚି ମାର୍ଜିତ ପୁରୁଷଟିଏ । କେଉଁ ସ୍ତ୍ରୀର ବା ଲୋଭ ନ ହେବ ? ସୁନ୍ଦର ଜିନିଷପ୍ରତି ମନ ବଳାଇବା କ’ଣ ପାପ ?

 

ହେଟା ବାଘ ଶବ ସନ୍ଧାନରେ ଧାଏଁ; କିନ୍ତୁ ବାଘୁଣୀ ଧାଏଁ ଶିକାର ସନ୍ଧାନରେ । ଶିକାର ନ ମଳିବାଯାଏ ତାହା ମନରେ ଶାନ୍ତି ଥାଏ କି ?

 

ପ୍ରଶାନ୍ତ ଉଦ୍ଧତ ଯୁବକ । ନିଜର ପ୍ରତିଭାପାଇଁ ସେ ଗର୍ବିତ । ଭଗବାନ କ’ଣ କାହାରି ଗର୍ବ ସତେ ସହ୍ୟ କରନ୍ତି ? ଟିକିଏ ଏଆଡ଼ୁ ସେଆଡ଼ୁ ବାରକଥା ଜାଣିଲ ବୋଲି କ’ଣ ଗର୍ବ କରିବ-?

 

ସିଂହ କେବଳ ନିଜର ଶକ୍ତିପାଇଁ ଗର୍ବ କରେ; କିନ୍ତୁ ଶୃଗାଳର କ’ଣ ଅଛି ଯେ ସେ ଗର୍ବ କରିବ ?

 

ସୁମିତ୍ରା ଭାବୁଥିଲେ ପ୍ରଶାନ୍ତ ତାଙ୍କ ପାଖରେ ଦିନେ କ’ଣ ଧରାପଡ଼ିବ ନାହିଁ ? ପୁରୁଷ ପରା ସବୁବେଳେ ପ୍ରକୃତି ନିକଟରେ ହାରମାନେ ।

 

ଯେଉଁମାନେ ଶାକ୍ତ ସେମାନେ ଶକ୍ତିର ଉପାସନା କେବଳ କରନ୍ତି । ପ୍ରକୃତି ହିଁ ସର୍ବ ଶକ୍ତିର ଆଧାର ।

 

ତେର

 

ମଣିଷ ତା’ର ଚିର ଈପ୍‍ସିତ ପଦାର୍ଥକୁ ଲାଭ କରିବାପାଇଁ ଏତେ ଆଗ୍ରହ ପ୍ରକାଶ କରେ କାହିଁକି ? ଯିଏ ଯାହା ମନପ୍ରାଣ ଢାଳି ଖୋଜେ ସେତିକି ତାହାକୁ ମିଳିଗଲେ କ’ଣ ତାହାର ଜୀବନରେ ପୂର୍ଣ୍ଣତା ଆସେ ?

 

ଯୋଗୀ, ଋଷି କହନ୍ତି–ଯେ କାମନାବର୍ଜିତ ସେହି କେବଳ ଚିଦାନନ୍ଦ ପୁରୁଷର ସନ୍ଧାନ ପାଏ । କାମନାର ଶେଷ ନାହିଁ । ଆଶା ଓ ତଟୁଘୋଡ଼ା ଉଭୟଙ୍କର ବେଗ ସମାନ ଯଦିଓ ନୁହେଁ ତେବେ ଜାଣି ଜାଣି ମଣିଷ ଆଶା ପଛରେ ଏତେ ଜୋରରେ ଧାଇଁଥାଏ କାହିଁକି ?

 

ଆଶା ମଣିଷକୁ ନିରାଶା-ସାଗରକୁ ଠେଲି ଦିଏ ନାହିଁକି ? ତଥାପି ମଣିଷ ସବୁବେଳେ କ୍ଷୀଣ ଆଶା ହୃଦୟରେ ପୋଷଣ କରି ଏତେ ଆଶାବାଦୀ ହୁଏ କିପରି ? ଆଶାରୁ ଆଶଙ୍କାର ଉତ୍ପତ୍ତି । ଯାହାର ଆଶା ଯେତେ ତୀକ୍ଷ୍‌ଣ, ତାହାର ଦୁଃଖ ସେତେ ତୀବ୍ର । କୁହେଳି ପଛରେ ଯେ ଧାଇଁଥାଏ ସେ କୁହେଳିକାର ଝାପ୍‌ସା ଅନ୍ଧକାର-ପରଦା ତଳେ ନିଜେ ଢାଙ୍କି ହୋଇ ପଡ଼େ ।

 

ପ୍ରଶାନ୍ତ ସୁମିତ୍ରାଙ୍କୁ ଦେଖିଲା ମାତ୍ରେ ଜାଣି ପାରିଲେ ସେ ଯୁଗ ଯୁଗ ଧରି ଏହି ଦେବୀମୂର୍ତ୍ତିକୁ ମନେ ମନେ ଖୋଜୁଥିଲେ । ଯେଉଁ ଦିବ୍ୟ ଜ୍ୟୋତିର୍ମୟୀ ନାରୀକୁ ସେଦିନ ସ୍ୱପ୍ନରେ ଦେଖିଥିଲେ ସେ ହେଉଛନ୍ତି ଏହି ସୁମିତ୍ରା ।

 

ମନେ ମନେ ସେ ସୁମିତ୍ରାଙ୍କୁ ସମ୍ବୋଧନ କରି କହିଲେ ‘‘ଦେବୀ ! ମୁଁ ଅକଳସାଗରରେ ମୋର ପଥ ହରାଇ ପଥ ଖୋଜୁଅଛି । ତୁମେ କ’ଣ ଦୟାକରି ମୋତେ ମୋର ହଜାପଥ ଚିହ୍ନାଇ ଦେବ ନାହିଁ ? ତୁମେ ନାରୀ । ତୁମେ ଦୟାର ପ୍ରତିମୂର୍ତ୍ତି । ଅନ୍ୟର ଦୁଃଖ ଦେଖିଲେ ଦୟାରେ ତୁମ୍ଭମାନଙ୍କର ହୃଦୟ ବିଗଳିତ ହୋଇଯାଏ ।’’

 

ଏହି ନାରୀକୁ ଯେ କହେ ରହସ୍ୟମୟୀ ତାକୁ ଅଭିଶାପ ଦେବାକୁ ଇଚ୍ଛା ହୁଏ । ହେ ନିର୍ବୋଧ ମଣିଷ ! ଦେବୀ ମୂର୍ତ୍ତିକୁ ପାଷାଣୀ ଭାବି ତାକୁ ଉପହାସ କର ନାହିଁ । ଯାହାର ଆବରଣ ପାଷାଣରେ ଗଢ଼ା ତାହାର ଅନ୍ତରତଳେ ଝରେ ଦୟାର ଉତ୍ସ । ତୁମ୍ଭେମାନେ ତାକୁ ଉପାସନା କର । କାତର ସ୍ୱରରେ ତା’ର ଦୟା ଭିକ୍ଷା କର । ତୁମର ଶୂନ୍ୟ ଅଞ୍ଜଳି ସେ ହସି ହସି ଭରିଦେବ । ତାହାର କରୁଣାସାଗରରେ ଥରେ ନିମଗ୍ନ ହେଲେ ମରୁଭୂମିର ଝଡ଼ଝଞ୍ଜାର ଭୟ ମନ ମଧ୍ୟରୁ ଉଭେଇଯିବ ।

 

ଏହି ନାରୀ ହିଁ ଶକ୍ତି । ଏହାଠାରୁ ସବୁ ଶକ୍ତି ଉଦ୍ଭବ ହୁଏ । ‘‘ହେ ଦେବୀ ତୁମେ ମୋର କଳ୍ପନାକୁ ବାସ୍ତବତାରେ ପରିଣତ କର ।’’

 

କଳ୍ପନା କେବେ ବାସ୍ତବ ହୁଏ ନାହିଁ । ତଥାପି ମଣିଷ କଳ୍ପନା-ଜଗତରେ ବିଚରଣ କରି ଅପାର ଆନନ୍ଦ ଉପଭୋଗ କରେ ।

 

ଲେଖି ଲେଖି ହାତ ରହିଯିବାକୁ ବସିଲାଣି । ବିଷୟବସ୍ତୁ ବଢ଼ିଚାଲିଛି । ସୁନନ୍ଦାର ଜନ୍ମଦିନ ପାଖେଇ ଆସିଲାଣି । ଧାର୍ଯ୍ୟ ଦିବସ ପୂର୍ବରୁ ଲେଖାଟି କ’ଣ ଆଉ ଶେଷ ହୋଇପାରିବ ?

 

ସୁନନ୍ଦାର ଛଳ ଛଳ ଆଖି ଦୁଇଟି ସୁମନ୍ତର ଆଖି ଆଗରେ ଭାସି ଯିବାକୁ ଲାଗିଲା । ସୁନନ୍ଦା କେତେ ବ୍ୟାକୁଳ ହୋଇ ତାଙ୍କୁ ଖୋଜୁ ନ ଥିବ ?

 

ସମସ୍ତେ କହନ୍ତି ସ୍ତ୍ରୀ କେବେ ଭଲ ପାଇ ଜାଣେ ନାହିଁ; କିନ୍ତୁ ସୁମନ୍ତ କେବେହେଲେ ସେ କଥା ମନମଧ୍ୟରେ ଭାବି ପାରନ୍ତି ନାହିଁ । ସୁନନ୍ଦା ତାଙ୍କୁ ଭଲପାଏ । ନିଶ୍ଚୟ ଭଲପାଏ । ସେ ଯଦି ତାଙ୍କୁ ଭଲପାଇ ନ ଥାନ୍ତା ତେବେ ଜନ୍ମଦିନକୁ ଯିବାପାଇଁ ଅନୁରୋଧ ବା କରନ୍ତା କିପରି ?

 

ଏହିପରି କେତେ କଥା ସେ ଚିନ୍ତା କରିବାକୁ ଲାଗିଲେ । ପୁଣି ଲେଖିବାରେ ମନନିବେଶ କଲେ ।

 

‘ଆନନ୍ଦ’ ଓ ‘ନିରାନନ୍ଦ’ ଦୁଇଟି ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ପୃଥକ୍ । ଗୋଟିଏ ଋକ୍ଷ ମରୁଭୂମି ହେଲେ ଅନ୍ୟଟି କଳନାଦିନୀ ନିର୍ଝରିଣୀ । ଗୋଟିଏ ବଜ୍ର ଭଳି କର୍କଶ ହେଲେ ଅନ୍ୟଟି ଫୁଲ ଭଳି କୋମଳ । ଅନେକ ସମୟରେ ଆନନ୍ଦ ଉପଭୋଗ କରିବାକୁ ଯାଇ ନିରାନନ୍ଦ ଭୋଗ କରେ ନାହିଁକି-?

 

ଏହି ଦୁନିଆ ଏକାବେଳକେ ବିଚିତ୍ର । ପୁଣି ସବୁଠାରୁ ବିଚିତ୍ର ହେଉଛି ଏହି ଦୁନିଆର ମଣିଷ । ସେ ଅବୁଝା ପିଲାପରି ଦୁନିଆକୁ ସବୁବେଳେ ଜୟ କରିବାକୁ ବ୍ୟସ୍ତ ।

 

ଦୁନିଆକୁ କେହି କେବେ ଜୟ କରିପାରିଲାଣି ? ସମସ୍ତେ ଦୁନିଆ ପାଖରେ ହାରିଯାଇ ଚାଲିଯାଆନ୍ତି ଯେ ଯାହାର ରାସ୍ତା ଧରି । ଦୁନିଆ କେବଳ ସେମାନଙ୍କୁ ଉପହାସ କରେ ।

 

ତଥାପି ମଣିଷ ଆପ୍ରାଣ ଚେଷ୍ଟା କରେ ଦୁନିଆକୁ ନାନା ଉପାୟରେ ମନ୍ଥନ କରି ସବୁ ସାରବସ୍ତୁ ସଂଗ୍ରହ କରିବାକୁ; କିନ୍ତୁ ପାରେ କି ? ଏ ଦୁନିଆ ପ୍ରକୃତରେ ବିଚିତ୍ର । ଏହାକୁ ବୁଝିବା କମ୍‌ କଷ୍ଟ ନୁହେଁ ।

 

ସୁମିତ୍ରା କଥା ପ୍ରଶାନ୍ତ ଅନେକ ସମୟରେ ଭାବନ୍ତି । ନିରୋଳାରେ ଭାବିବାକୁ ତାଙ୍କୁ ଆନନ୍ଦ ଲାଗେ । ପ୍ରକୃତରେ ସୁମିତ୍ରା କେତେ ଭଲ ମଣିଷ । ପ୍ରଥମ ଦେଖାରେ ନିଜର ସରଳତାଦ୍ୱାରା ଗୋଟିପଣେ ପ୍ରଶାନ୍ତକୁ ନିଜର କରିନେଲେ ।

 

ଯେଉଁମାନଙ୍କଠାରେ ଗର୍ବ, ଦମ୍ଭ, ଅଭିମାନ ନ ଥାଏ ସେମାନଙ୍କୁ ବୋଧହୁଏ ଲୋକେ କହନ୍ତି ଦେବତା । ସୁମିତ୍ରାଙ୍କର ନିଷ୍କପଟତା ଦେଖି ପ୍ରଶାନ୍ତ ନିଜେ ନିଜକୁ ପ୍ରଶ୍ନ କରନ୍ତି ତେବେ ସୁମିତ୍ରା କ’ଣ ଏହି ମର୍ତ୍ତର ମାନବୀ ନୁହଁନ୍ତି ?

 

ସେ ଅନେକ ସ୍ତ୍ରୀଙ୍କୁ ଦେଖିଛନ୍ତି । ଅନେକ ତାଙ୍କୁ ନିଜର କରିବାକୁ ଆଗେଇ ଆସିଥିଲେ, ସମସ୍ତ ନୈବେଦ୍ୟ ତାଙ୍କ ପଦ ତଳରେ ଓଜାଡ଼ି ଦେବାକୁ; କିନ୍ତୁ ସମସ୍ତେ ନୈରାଶ୍ୟ ହୃଦୟରେ ଯେ ଯାହାର ପଥରେ ଫେରିଗଲେ ।

 

ସୁମିତ୍ରା ତାଙ୍କୁ କେବେହେଲେ ଆଡ଼ନୟନରେ ଯେ ଅନାଇବେ ନାହିଁ ଏହା ପ୍ରଶାନ୍ତଙ୍କର ଧ୍ରୂବ ବିଶ୍ୱାସ ନୁହେଁ । ସୁମିତ୍ରା ଯଦି କେବେ ତାଙ୍କର ନୈବେଦ୍ୟ ଆଣି ପ୍ରଶାନ୍ତର ପାଦତଳରେ ଓଜାଡ଼ି ଦେବାକୁ ବସନ୍ତି ପ୍ରଶାନ୍ତ ହସି ହସି ସୁମିତ୍ରାଙ୍କ ହାତରୁ ସାଦରେ ତାହା ଗ୍ରହଣ କରି ପୁଣି ସୁମିତ୍ରାର ପାଦତଳରେ ସେ ନିଜେ ଓଜାଡ଼ି ଦେବେ ।

 

ବାଉଳା ମନ କେତେ କ‘ଣ ନ ଭାବେ ? ସେଥିପାଇଁ ପ୍ରବାଦ ଅଛି ମନ-ପକ୍ଷି ଥରେ ଯଦି ଉଡ଼ିଛି ତାକୁ ପୁଣି ପିଞ୍ଜରାରେ ପୁରାଇବା ସହଜ ନୁହେଁ ।

 

କାବ୍ୟ କହ, କବିତା କହ ଏ ସବୁ ଆଶ୍ରୟ ବିହୁନେ ବର୍ତ୍ତି ପାରନ୍ତି ନାହିଁ । ପ୍ରତେକ କବି ତାଙ୍କର କାବ୍ୟନାୟକଙ୍କୁ ଖୋଜି ବୁଲନ୍ତି । କାବ୍ୟନାୟିକାର ସନ୍ଧାନ ନ ମିଳିବା ପର୍ଯ୍ୟନ୍ତେ ସେ ଯାହା ଲେଖନ୍ତି ସେ ଲେଖାରେ ନା ଥାଏ ରସ, ନା ଥାଏ ଗନ୍ଧ ।

 

ଯାହାର ଲେଖାକୁ ଲୋକେ ପଢ଼ନ୍ତି ନାହିଁ, ନାଁ ଶୁଣିଲେ ଦୂର୍‌ ଦୂର୍ ମାର୍‍ ମାର୍ କରନ୍ତି ସେହି ଲେଖକ ଦିନେ ମଧ୍ୟ ସ୍ୱୀୟ ପ୍ରତିଭାବଳରେ ନିଜର ଆସ୍ଥାନ ପାଠକ ହୃଦୟରେ ଜମାଇବସେ ଯେତେବେଳେ ସେ ତା‘ର କାବ୍ୟ ନାୟିକାର ସନ୍ଧାନ ପାଏ ।

 

ତେଣୁ କବି କହେ ତା’ର ନିଜସ୍ୱ କିଛି ନାହିଁ । ସେ ସବୁ ଅପର ପାଖରୁ ଧାର ଆଣି ଅନ୍ୟ ପାଖରେ ପରିବେଷଣ କରିଛି । ନିଜେ ଧରାପଡ଼େ ପଛେ; କିନ୍ତୁ କାବ୍ୟ ନାୟିକକୁ ଧରାପକାଏ ନାହିଁ । କବି ହେଲା ବୋଲି କ’ଣ ତା’ର ହୃଦୟ ନାହିଁ ?

 

ପ୍ରଶାନ୍ତ ଅନେକଥର ମନେ ମନେ ସ୍ଥିର କଲେଣି ବର୍ମା ମାଇନ୍‌ସ ରୋଡ଼ ବାଟରେ ସେ ଥରେ ସୁମିତ୍ରା ଘରକୁ ବୁଲିଯିବେ । ଗଲେ ସୁମିତ୍ରା ସଙ୍ଗେ ନିଶ୍ଚୟ ଦେଖାହେବ; କିନ୍ତୁ ସୁମିତ୍ରା ଘରକୁ ବୁଲିଯିବେ । କିନ୍ତୁ ସୁମିତ୍ରା ଯଦି ଆଦର ଅଭ୍ୟର୍ଥନା ନ କରନ୍ତି ତେବେ..... ??

 

ଆଦର ଅଭ୍ୟର୍ଥନା ନୁହେଁ ସୁମିତ୍ରା ପ୍ରଶାନ୍ତକୁ ଦେଖୁ ଦେଖୁ ଆସି କୁଣ୍ଢାଇପକାଇ ଗାଲରେ ଓଠ ଲଗାଇ ଛାତିରେ ଛାତି ମିଶାଇ ହସି ହସି କହିବେ ‘‘ଆସିଲ ସତେ ପ୍ରିୟ, ସ୍ୱପନ ସମ ଲାଗେ ।’’

 

କପେ ଚା, ଖଣ୍ଡେ ଚାରମିନାର ଅତି ବେଶି ହେଲେ ଗୋଟିଏ ସିଙ୍ଗଡ଼ା, ପଚାଶ ଗ୍ରାମ୍‌ ମିକ୍‌ସଚାର । ମିଠା ଗୋଟାଏ ହେଲେ ତ ଅତି ବଡ଼ କଥା । ନ ହେଲେ ସେପରି ବିଶେଷ କ୍ଷତି ନାହିଁ । ଏହାକୁ କହନ୍ତି ଅଭ୍ୟର୍ଥନା । ଏସବୁ ପରେ ଇଚ୍ଛା ନ ଥିଲେ ବି ଟିକିଏ ହସି ଦେଇ ଏ ଗରୀବ କୁଟୀରରେ ଆଉ କେବେ ପାଦ ପଡ଼ିବ ? ଏହାର ନାମ ଆଦର । ଏତିକି କ’ଣ ସୁମିତ୍ରା କରିବେ ନାହିଁ ?

 

ଏ ଯୁଗର ମଣିଷଗୁଡ଼ାକ ଟିକିଏ ବୋକା । ଖାଲି ତ ବୋକା ନୁହନ୍ତି ବୋକାଙ୍କର ବୋକାଚା ବୁହା । କେହି କାହାକୁ ଦେଖି ହସିଲା, ଖଣ୍ଡିକାଶ କାଶିଲା, ଶାଢ଼ୀଟା ଟିକିଏ ଖସାଇ ଦେଇ ବ୍ଲାଉଜଟା ଟିକିଏ ଦେଖାଇ ଦେଲା ଏଥିରୁ ଯଦି କେହି ବୁଝେ ଏହା ପ୍ରେମ ନିବେଦନର ଗୋଟିଏ ଗୋଟିଏ ଲକ୍ଷଣ ତେବେ ଜାଣିବ ତା’ କପାଳରେ କାଉ ଉଡ଼ିଲା ।

 

ଲିପ୍‌ଷ୍ଟିକ, ପୋମେଡ଼୍‌, ସ୍ନୋ, କ୍ରିମ୍ ଯୁଗରେ ଏ ସବୁ ଧର୍ତ୍ତବ୍ୟ ଅପରାଧ ନୁହେଁ କିମ୍ୱା ସେ ସମ୍ୱନ୍ଧରେ ସବିଶେଷ ଆଲୋଚନା ନିଷ୍ପ୍ରୟୋଜନ । ତଥାପି କେହି ଯଦି କାହାକୁ ଚାହିଁ ହସିଦେଲା କିମ୍ୱା ଖଣ୍ଡିକାଶଟିଏ କାଶିଦେଲା ତେବେ ପାଲା ଦେଖ । ମାସ ମାସ ଧରି ବର୍ଷ ବର୍ଷ ଧରି ନାକରେ କାନରେ ପାଣି ନ ପଶିଲା ପର୍ଯ୍ୟନ୍ତ କେହି କାହାକୁ ଛାଡ଼ି ପାରନ୍ତି ନାହିଁ । ସମସ୍ତେ ଜାଣିବେ, ହାଟ ବସିବ, ତେବେ ଯାଇ ଯେଝା ରାସ୍ତାରେ ଯେ ଯାହାର ଚାଲିଯିବେ ।

 

ସତରେ ତ ଗଲ । ତେବେ ଏତେ ରଙ୍ଗ କଲ କିଆଁ ? ଏ ସବୁ ଜାଣି ଜାଣି କେଉଁ ନାରୀ ବା କାହାକୁ ଭଲ ପାଇବ ? ଯଦି ଭୁଲରେ ମଧ୍ୟ ଭଲ ପାଇଲା ତେବେ ଜାଣିବ ତା’ର ଦୁର୍ଯ୍ୟୋଗ ଆସିଗଲା ବୋଲି ।

 

ପ୍ରଶାନ୍ତ ବହୁତ ଭାବିଚିନ୍ତି ସୁମିତ୍ରାଙ୍କ ଘର ଆଡ଼କୁ ମୁହାଁଇଲେ । କୁଆଡ଼େ ଆସିଲେ, ପ୍ରଶ୍ନ ଯଦି ହୁଏ ଟିକିଏ କାମ ଥିଲା ଯେ ଜଣେ ବନ୍ଧୁଙ୍କ ପାଖକୁ ଆସିଥିଲି ଓ ତହିଁ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ସାକ୍ଷାତ୍ କରିବାକୁ ଚାଲି ଆସିଲ । ଏହି ଉତ୍ତରଟି ମଧ୍ୟ ମନେ ମନେ ଠିକ୍ କରିନେଇ ଥାଆନ୍ତି । ମନ ଗଗନରେ ଉଡ଼ୁଥାଏ ତ ପାଦ ଧରଣାରେ ପଡ଼ୁ ନ ଥାଏ ।

 

ଆଗରେ ରମଣୀରଞ୍ଜନଙ୍କର ବିରାଟ ବଙ୍ଗଳା । ସନ୍ଧ୍ୟା ଆଗତ-ପ୍ରାୟ । ରମଣୀରଞ୍ଜନ କାର୍ଯ୍ୟବ୍ୟସ୍ତ ଥିଲେ । ବୈଠକଖାନାରେ ବସିଥିଲେ ସୁମିତ୍ରା ।

 

ପ୍ରଶାନ୍ତ ଯେପରି ପାଦ ଦେଇଛନ୍ତି ସୁମିତ୍ରା ଶ୍ୱସ୍ତିର ନିଶ୍ୱାସ ପକାଇ କହିଲେ ‘‘ଆରେ ପ୍ରଶାନ୍ତବାବୁ ଯେ, ବହୁତ ଦିନ ପରେ ।’’

 

ସୁମିତ୍ରାଙ୍କ ଆଖି ଦୁଇଟି ଦେଖି ମନେ ହେଉଥିଲା ଯେପରି ସେହି ଆଖି ଦୁଇଟି ବହୁ ଯୁଗ ଧରି ପ୍ରଶାନ୍ତକୁ ଖୋଜୁଥିଲା । କି ବ୍ୟାକୁଳ ସେ ଚାହାଣି ?

 

ପ୍ରଶାନ୍ତ ନମସ୍କାର କହି ଚେୟାରଟି ଟାଣି ନେଇ ବସିବାକୁ ଯାଉଛନ୍ତି- ସୁମିତ୍ରା କହିଲେ ଆଗ କହନ୍ତୁ କାହିଁକି ଆଜି ପର୍ଯ୍ୟନ୍ତ ଆସୁ ନ ଥିଲେ ? ଆମ୍ଭେମାନେ ଆପଣଙ୍କର କ’ଣ କ୍ଷତି କଲୁ ଯେ ଆପଣ ଏତେଦିନ ପରେ ଯାଇ ଦେଖାଦେଲେ ।’’ ସୁମିତ୍ରାଙ୍କ କଣ୍ଠରେ ଥିଲା କାତରତା ।

 

ପ୍ରଶାନ୍ତ ବର୍ତ୍ତମାନ ଜାଣି ପାରିଲେ ସେ ସୁମିତ୍ରା ସମ୍ୱନ୍ଧରେ ଯାହା ଭାବିଛନ୍ତି ତାହା ଏକାବେଳକେ ଠିକ୍ । ପ୍ରଶାନ୍ତ ଯଦିଓ ସ୍ତ୍ରୀ ନୁହଁନ୍ତି ତଥାପି ସେ ଜାଣନ୍ତି ସ୍ତ୍ରୀ କ’ଣ ଚାହେଁ । ସ୍ତ୍ରୀର ମନ ବୁଝିବା ଭାରି କଷ୍ଟସାଧ୍ୟ । ଯେଉଁ ପୁରୁଷ ସ୍ତ୍ରୀର ମନ ବୁଝିପାରେ ସେହି ପୁରୁଷ ସ୍ତ୍ରୀର ଆଖିରେ ଅତି ଲୋଭନୀୟ ହୋଇଥାଏ ।

 

ସୁମିତ୍ରା ସିନା ଉପରଠାଉରିଆ ଏତେ` କଥା କହିଗଲେ; କିନ୍ତୁ ତାଙ୍କର ଅନ୍ତର ଚାହୁଁଥିଲା ଭିନ୍ନ ପ୍ରକାର । ସେ ପ୍ରଶାନ୍ତକୁ ଦୁଇ ବାହୁରେ ବେଷ୍ଟନ କରି ପଚାରିବାକୁ ଚାହୁଥିଲେ ’’ତୁମେ ସୁପୁରୁଷ । ତୁମେ ତ ରମଣୀରଞ୍ଜନ ପରି ଅମଣିଷ ନୁହଁ ଯେ ତୁମେ ମୋର ମନର ବ୍ୟଥା ବୁଝି ପାରିବ ନାହିଁ । ତୁମେ ବୁଝିଛ । ସବୁ ବୁଝି ପାରିଛ । ତଥାପି ତୁମେ ମୋତେ ଅସହ୍ୟ ଜ୍ୱାଳା-ଯନ୍ତ୍ରଣା ମଧ୍ୟକୁ ଠେଲିଦେଇ ଏତେଦିନ ନିଶ୍ଚିନ୍ତ ହୋଇ ରହିଲ କିପରି ?’’

 

ଶିକାରୀ ଯେତେବେଳେ ଜାଣିପାରେ ତା’ର ଲକ୍ଷ୍ୟ ନିର୍ଭୁଲ ସେତେବେଳେ ସେ ଆନନ୍ଦରେ ଆତ୍ମହରା ହୋଇଉଠେ ଗୁଳିବିଦ୍ଧଜନ୍ତୁର ଯନ୍ତ୍ରଣା ଦେଖି ସେ ଦୟାରେ ବିଗଳିତ ହୁଏ ନାହିଁ । ସୁମିତ୍ରାଙ୍କ ମନର ହାବଭାବରୁ ପ୍ରଶାନ୍ତ ସବୁ ଜାଣି ପାରିଲେ ତଥାପି ଯେ କିଛି ନ ଜାଣିଲା ପରି କହିଲେ ‘‘ଆପଣଙ୍କ ପାଖରେ ତ କାମ ମୋର ନାହିଁ । ତୁଚ୍ଛାକୁ ଆସି ଆପଣଙ୍କୁ ବିରକ୍ତ ବା କାହିଁକି କରନ୍ତି ?’’

 

‘‘ତେବେ ଆଜି ଯେ ପୁଣି ବିରକ୍ତ କରିବାକୁ ଆସିଲେ’’ ହସର ଲହରୀ ଖେଳାଇ ପଚାରିଲେ ସୁମିତ୍ରା ।

 

‘‘ଦେଖନ୍ତୁ ସୁମିତ୍ରା ଦେବୀ ! ସ୍ତାବକୁ ଲୋକ ସହଜରେ ଭୁଲିଯାଏ; କିନ୍ତୁ ନିନ୍ଦକକୁ ମଣିଷ ମୋଟେ ସହଜରେ ଭୁଲି ପାରେ ନାହିଁ । ମୁଁ ଆସିଛି ଆପଣଙ୍କୁ ବିରକ୍ତ କରିବାକୁ; ଆପଣ ଅସନ୍ତୁଷ୍ଟ ହେଲେ ଚା କପେ ମଧ୍ୟ ଭାଗ୍ୟକୁ ଘଟିବ ନାହିଁ । ଏଣୁ ଯେତେ ମୋର ଚିହ୍ନା ଅଚିହ୍ନା ବନ୍ଧୁ ଅଛନ୍ତି ସମସ୍ତଙ୍କୁ ଖୋଜି ଖୋଜି ସମସ୍ତଙ୍କ ପାଖରେ ଆପଣଙ୍କର ଦୁର୍ନାମ ଗାଇବି । ଏମିତିଭାବେ ଆପଣଙ୍କର ନିନ୍ଦା କରିବି ଯେ ଆପଣ କୋକେଇ ନ ଚଢ଼ିବା ପର୍ଯ୍ୟନ୍ତ ମୋତେ ଆଉ ପାସୋରି ନ ଥିବେ’’ କହିଲେ ପ୍ରଶାନ୍ତ ।

 

‘‘ସୁପରସୋନିକ ବିମାନଯୁଗରେ କୋକେଇ ? ‘‘ଇସ୍ ! କେତେ ପୁରୁଣାକାଳିଆ କଥା ଆପଣ କହୁଛନ୍ତି ।’’

 

‘‘ଯେ ପୁରାତନକୁ ଅନାଦର କରେ ସେ ନୂତନକୁ ଆଦର କ’ଣ କରି ପାରିବ’’ ପ୍ରଶାନ୍ତଙ୍କର କଣ୍ଠରେ ଥିଲା ଦୃଢ଼ତା ।

 

ସୁମିତ୍ରା ହସି ହସି କହିଲେ ‘‘ଟିକିଏ ଦୟାକର ଖୋଲି କରି କହନ୍ତୁ । ଆପଣଙ୍କ କବିଭାଷା ବୁଝିବାକୁ ଉର୍ବର ମସ୍ତିଷ୍କ ଲୋଡା । ସେ ମସ୍ତିଷ୍କ ଆମର ନାହିଁ । ଆମର ହେଲା ପଖାଳ, ଲୁଣ ଲଙ୍କାର ଗଢ଼ା ମସ୍ତିଷ୍କ ।‘‘

 

ସୁମିତ୍ରା କ୍ଷଣକାଳ ଧରି ଅନାଇଲେ ପ୍ରଶାନ୍ତକୁ । କାହାରି ମୁହଁରେ ଭାଷା ନାହିଁ ।

 

ସୁମିତ୍ରା ଭାବୁଥାନ୍ତି ତେବେ ସବୁ ପୁରୁଷ କ’ଣ ସମାନ ନୁହନ୍ତି ?

 

ପୁରୁଷ କହିଲେ ସୁମିତ୍ରା ବୁଝନ୍ତି ନାକତଳରେ ହଳେ ନିଶ, ଆଖିରେ ବାଘୁଆ ଚାହାଣି, ଦେହରେ ପଶୁର ବଳ, –ଭାଷାବିହିନ ମୁଖ ଏବଂ ହସ-ବିହିନ ଓଠ-

 

ଏହା ହେଉଛି ସୁମିତ୍ରାଙ୍କ ଭାଷାର ପୁରୁଷ ଶବ୍ଦର ଅର୍ଥ ।

 

ଗୋଟାଏ ଲୋକକୁ ଦେଖି ସମୁଦାୟ ଜାତି ଉପରେ ଗୋଟାଏ ପ୍ରକାର ଅବାସ୍ତବ ମନ୍ତବ୍ୟ ପ୍ରକାଶ କରିବା କେତେ ଯେ ଗୁରୁତର ବ୍ୟାପର ଏହା କ’ଣ କେହି ସ୍ୱୀକାର କରନ୍ତି ସହଜରେ ?

 

ରମଣୀରଞ୍ଜନ ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ଉଚ୍ଚ ଶିକ୍ଷିତ ପୁରୁଷ । ଏହା ସମସ୍ତଙ୍କୁ ଜଣା । ମାତ୍ର ସୁମିତ୍ରା କହନ୍ତି କାହାର ପଦବୀ ଅଥବା ବିଶ୍ୱବିଦ୍ୟାଳୟରେ ଡିଗ୍ରୀକୁ କୌଣସି ସ୍ତ୍ରୀ ବିବାହ କରେ ନାହିଁ । ସ୍ତ୍ରୀ ବିବାହ କରେ ପୁରୁଷକୁ । ପୁରୁଷ, ପୁରୁଷପଦବାଚ୍ୟ ହେବା ଉଚିତ୍ ।

 

ଶାସ୍ତ୍ରରେ ଅଛି ସ୍ୱର୍ଗପୁରୀର ସଂପଦକୁ ତୁଚ୍ଛ କରି ଦେଇ, ସ୍ୱର୍ଗର ଦେବତାମାନଙ୍କର ନିବେଦନକୁ ଗୋଡ଼ରେ ଆଡ଼େଇ ଦେଇ ଦମୟନ୍ତୀ ନଳରାଜାକୁ ବରଣ କରିଥିଲେ । ଏଥିରୁ କ’ଣ ପ୍ରତ୍ୟୟ ହୁଏ ନାହିଁ ଯେ ଯୋଗ୍ୟତା ଥିଲେ ମର୍ତ୍ତ୍ୟର ଏହି ମାନବ ମଧ୍ୟ ହୁଏ ଦେବତାଙ୍କଠାରୁ ସର୍ବ ଗୁଣରେ ଶ୍ରେଷ୍ଠ ।

 

ଆମ୍ଭମାନଙ୍କର କୌଣସି ସଦ୍‌ଗୁଣ ନାହିଁ ଏବଂ ଆମ୍ଭେମାନେ ଟିକିଏ କଥାକୁ ଡରିଯାଇ ଠାକୁର ଠାକୁର ରଡ଼ିଛାଡ଼ି ଆକାଶ-ବସୁଧା କମ୍ପାଇ ଦେଉଁ । ସତରେ ଆମ୍ଭେମାନେ କେତେ ଦୁର୍ବଳ । ଯେଉଁ ଦେବତାମାନଙ୍କୁ ଆମ୍ଭେମାନେ ଡାକୁଁ ଓ ଯେଉଁମାନଙ୍କର ଆମ୍ଭେମାନେ ସ୍ତୁତିଗାନ କରି ତାଙ୍କୁ ସର୍ବଶକ୍ତିମାନ୍ ପୁରୁଷ ବୋଲି କହୁଁ ସେମାନେ ପୁଣି ତ ଏହି ମର୍ତ୍ତ୍ୟକୁ ଆସି ଏହି ମଣିଷର ଅସ୍ଥିରେ ଆୟୁଧ ତିଆରି କରି ଆତ୍ମରକ୍ଷା କରିଥିଲେ । ଦୁର୍ବଳ ମାତ୍ରେହିଁ ଅନ୍ୟକୁ ବଳଶାଳୀ ମନେକରି ତା’ର ଶକ୍ତି- ନିକଟରେ ମଥା ନୁଆଁଇ ଦିଏ ।

 

ଜୀବନ-ମରଣ ସଂଗ୍ରାମରେ ଯେ ପଛଘୁଞ୍ଚା ଦିଏ ଲୋକେ ତାହାକୁ ଛିଛିକାର କରନ୍ତି । ତଥାପି ସେ ତ ବଞ୍ଚିରହେ । ସ୍ତ୍ରୀର ଦୁଷ୍ଟ ବୁଦ୍ଧି ନିକଟରେ ଯେଉଁ ପୁରୁଷ ପରାଜୟ ସ୍ୱୀକାର କରେ ତାକୁ ଲୋକେ କହନ୍ତି ‘ମେଣ୍ଢା’ । ମଣିଷ ‘ମେଣ୍ଢା’ ହୋଇ କ’ଣ ଆନନ୍ଦ ପାଏ ନାହିଁ ନା ଛୁଆ ପିଲାର ବାପ ହୁଏ ନାହିଁ ?

 

ପ୍ରଥମେ ସୁମିତ୍ରା କଥା ଆରମ୍ଭ କଲେ । ‘‘ଆଚ୍ଛା ପ୍ରଶାନ୍ତ ବାବୁ ! ଆପଣ ଯେ କବିତା ଲେଖନ୍ତି ତାହା କ’ଣ ଆପଣଙ୍କର ପେଷା ?’’

 

‘‘ପେଷା ନୁହେଁ ଯେ ତାହା ହେଉଛି ଗୋଟିଏ ପ୍ରକାର ସୌଖିନ୍ ନିଶା ।’’ ହସିଦେଇ କହିଲେ ପ୍ରଶାନ୍ତ ।

 

‘‘କିନ୍ତୁ ସେ ନିଶା ଆପଣଙ୍କୁ ଅସ୍ତବ୍ୟସ୍ତ କଲାଭଳି ଜଣା ପଡ଼େ ନାହିଁତ ? ଏ ପ୍ରକାର ମନ୍ତବ୍ୟ ପ୍ରକାଶ କରିଲି ବୋଲି ଆପଣ କିଛି ଭାବିବେ ନାହିଁ ?’’

 

‘‘କବିତାର ମାଦକତା କବିକୁ ଯେତେ ନ ଘାରେ......

 

ପ୍ରଶାନ୍ତର ପାଟିରୁ କଥା ଚଢ଼ାଇ ନେଇ ସୁମିତ୍ରା କହିଲେ ‘‘ତେବେ କ’ଣ ପାଠକ, ପାଠିକାକୁ ବେଶି ଘାରେ ?’’

 

‘‘ତାହା ମଧ୍ୟ ନୁହେଁ । ଘାରେ କାବ୍ୟ-ନାୟିକାକୁ’’ କହି ପ୍ରଶାନ୍ତ ସୁମିତ୍ରାର ମୁହଁକୁ ଉତ୍ତେଜନାରେ ଚାହିଁଲେ ।

 

‘‘ଏହାର ଅର୍ଥ’’ ପଚାରି ସୁମିତ୍ରା ତଳକୁ ଦୃଷ୍ଟି ନିକ୍ଷେପ କଲେ ।

 

‘‘ଧରି ନିଅନ୍ତୁ ଆପଣ କବିତା ପଢ଼ିଲେ । କବିତାର ଅର୍ଥ ବୁଝିଲେ । ପଣଙ୍କର ଗାଲ ଓ ମୁହଁ କବିତା ପଢ଼ିବା ସମୟରେ ରଙ୍ଗ ହୋଇଗଲା । ସର୍ବାଙ୍ଗରେ ହେଲା କଦମ୍ୱର ରୋମାଞ୍ଚ । କବିତା କାହିଁକି ଲୋକେ ଲେଖନ୍ତି ? ମଣିଷ କାହିଁକି ଏହାକୁ ପଢ଼ିବ ? ଏମିତି କେତେ କ’ଣ ପ୍ରଶ୍ନ ଆପଣଙ୍କ ମନମଧ୍ୟରେ ଉଦ୍ରେକ ହେଲା । ଏଥର ବୁଝିଲେ କାବ୍ୟ-ନାୟିକା କିଏ ?’’ ପ୍ରଶାନ୍ତ ଏତିକି କହି ହସିଲେ ।

 

ସୁମିତ୍ରା ଅସ୍ଥିର ଭାବେ କହିଲେ ‘‘ଆପଣ ଯାହା କହନ୍ତୁ ମୋତେ କବିତା ପଢ଼ିବାକୁ ମୋଟେ ଭଲ ଲାଗେ ନାହିଁ ।’’

 

‘‘କବିତାର ବିଷ ଆପଣଙ୍କୁ ମର୍ମେ ମର୍ମେ ଘାରେ ବୋଲି ଆପଣ କବିତା ପଢ଼ିବାକୁ ଭୟ କରନ୍ତି । ଯାହାର ହୃଦୟ ଅଛି ସେ କବିତା ପଢ଼ିବାକୁ ଭୟ କରେ । ହୃଦୟହୀନ ବ୍ୟକ୍ତି କବିତାର କବିକୁ ସାବାସ୍ ଜଣାଏ; କିନ୍ତୁ ଯେ କବିତା ବୁଝେ ସେ କବିର ସାତ ପୁରୁଷକୁ ପିଣ୍ଡ ବାଢ଼େ ।’’

 

ସୁମିତ୍ରା ନରମଭାବେ କହିଲେ ‘‘କ୍ଷମା କରିବେ । କବିର ଦୂରବସ୍ଥା ଦେଖିଲେ ଦୟାଲାଗେ । ବିଚରା ଆଖିରୁ ଲୁହ ଢାଳି ଢାଳି ସେ କେତେ କ’ଣ ଲେଖିଥାଏ ତା’ର ପାଉଣା କେହି କ’ଣ କେବେ ଦେଇପାରେ ?’’

 

‘‘ଜଣେ କେବଳ ଦେବାକୁ ସାହାସ କରି କବି ଆଗକୁ ଆଗେଇ ଆସେ । ମାତ୍ର ବିଚରା କବି ଗ୍ରହଣ କରି ପାରେ ନାହିଁ ।’’

 

ପ୍ରଶାନ୍ତର ଗଳା ଭାରି ଶୁଭୁଥିଲା ।

 

ଗ୍ରହଣ ନ କରିବାର କାରଣ ? ପଚାରିଲେ ସୁମିତ୍ରା ।

 

‘‘ହୁଏତ ଅନେକେ କହିବେ ତାହା ହେଉଛି କବିର ଦାମ୍ଭିକତା; କିନ୍ତୁ ମୋ ମତରେ ତାହା କବିର ଅଭିମାନ ।’’

 

ପ୍ରଶାନ୍ତ ଆହୁରି କ’ଣ କହିବାକୁ ଯାଉଥିଲେ; କିନ୍ତୁ ବାଧାଦେଇ ସୁମିତ୍ରା କହିଲେ, ‘‘ଠିକ୍ କହିଛନ୍ତି ପ୍ରଶାନ୍ତ ବାବୁ । କବିମାନେ ପ୍ରକୃତରେ ଭାରି ଅଭିମାନୀ । ପ୍ରାଣ ପଛେ ବାହାରି ଯାଉ କେବେ ଖୋଲିକରି କହିବେ ନାହିଁ ।’’

 

କବିର ଦୁଃଖ ଯେ ବୁଝେ ସେ ଯଦି ତା’ର ଦୁଃଖମୋଚନ କରିବାକୁ ଚେଷ୍ଟା ନ କରେ ତାକୁ କହି କଉଁ ଲାଭ ମିଳିବ ଯେ କବି ତାକୁ ପୁଣି ନିବେଦନ କରିବ ? ‘‘କବି ନିଜେ ଜଳି ଜଳି ତା’ର ପାଉଣା ପାଏ । ଜଳିବାରେ ହିଁ ଥାଏ ତା’ର ଆନନ୍ଦ ।’’ ପ୍ରଶାନ୍ତର ଆଖି ଛଳଛଳ ହୋଇଗଲା-

 

‘‘ଜୁହାର ବାବା ଏ କବି-ଜାତିକୁ । ସେମାନେ ଯେଉଁ କାଳକୂଟ ବିଷୋଦ୍‌ଗାର କରନ୍ତି, ସେଥିରେ ଅନ୍ୟର ପ୍ରାଣ ଯାଏ ନାହିଁ କିମ୍ବା ସ୍ଥିର ହୋଇ ରହି ପାରେ ନାହିଁ । ସେଥିପାଇଁ ସେମାନଙ୍କ ପାଖରୁ ସବୁବେଳେ କୋଶେ ଦୂରରେ ରହିବା ଉଚିତ’’ ବୋଲି କହିଲେ ସୁମିତ୍ରା ।

 

‘‘କୋଶେ ଦୂରରେ ରହିଲେ ବି କ’ଣ ନିସ୍ତାର ମିଳେ ? ‘‘ଯା ଯସ୍ୟ ପ୍ରୀତି ନହି ତସ୍ୟ ଦୂରଂ’’ କହି ହସିଲେ ପ୍ରଶାନ୍ତ ।

 

‘‘ଦେଖନ୍ତୁ ପ୍ରଶାନ୍ତ ବାବୁ, ସ୍ଥାନ, କାଳ, ପାତ୍ର ଦେଖି କଥା କହନ୍ତୁ । ଆପଣ କଥା କହୁଁ କହୁଁ ଅନେକ ଦୂରକୁ ଚାଲି ଗଲେଣି ।’’

 

ମୁଁ ତ ଚାଲି ଯାଇ ନାହିଁ । ଆପଣ ମୋତେ ଦୂରରେ ଛାଡ଼ିଦେଇ ପଳାଇ ଆସିଥିଲେ । ମୁଁ ଖୋଜି ଖୋଜି ପାଖେଇ ଆସିଛି’’ କହି ପ୍ରଶାନ୍ତ ଦୀର୍ଘଶ୍ୱାସ ପକାଇଲେ ।

 

‘ଏହାର ଅର୍ଥ ?’ ଉତ୍ସୁକ ଭାବେ ପଚାରିଲେ ସୁମିତ୍ରା ।

 

ଅର୍ଥ ନ ଜାଣି ମଧ୍ୟ ଅନେକ କଥା ଆପେ ଆପେ ବୁଝା ପଡ଼େ । ଏହା ଆପଣ ପ୍ରଥମ ସାକ୍ଷାତରୁ ଉପଲବ୍‌ଧି କରି ସାରିଥିବେ ।

Unknown

 

‘‘ମୁଁ ତ କିଛି ଜାଣେ ନାହିଁ’’ କହି ମୁରୁକି ମୁରୁକି ହସିଲେ ସୁମିତ୍ରା ।

 

‘‘ସବୁ କଥାରେ ନାହିଁ କରିବା ଏକଚାଟିଆ ଅଧିକାର ଆପଣମାନଙ୍କୁ ଦିଆ ଯାଇଅଛି ସୃଷ୍ଟିର ପ୍ରାରମ୍ଭରୁ । ଆଜି ଆଉ ହଁ କରିବେ କିପରି ?’’ କହି ତୁନି ହେଲେ ପ୍ରଶାନ୍ତ ।

 

ଇସ୍ ଲୋକଟା କେଡ଼େ ଅଭଦ୍ର । ଟିକିଏ ଉପ୍ରୋଧ ନ ରଖି ଏକାବେଳକେ ମୁହେଁ ମୁହେଁ-। ଏ ମଣିଷଟା ଆଉ କେବେ ନ ଆସନ୍ତା କି ? ଭଦ୍ରଲୋକର ପୋଷାକ ପିନ୍ଧି ପୁଣି ମଣିଷ ଏତେ ଅଭଦ୍ର ହୁଏ କିପରି ? ସୁମିତ୍ରା ଏତିକି ଭାବି ଭାବି ଗମ୍ଭୀର ହୋଇଗଲେ ।

 

ତାଙ୍କର ଇଚ୍ଛା ହେଉଥିଲା ମୁହଁ ଖୋଲି କହି ଦେବାକୁ ‘‘ପ୍ରଶାନ୍ତ ବାବୁ, ଆପଣ ବର୍ତ୍ତମାନ ଯାଇ ପାରନ୍ତି ।’’ କିନ୍ତୁ କହି ପାରିଲେ ନାହିଁ । ମଣିଷର ପୁଣି ସାଧାରଣ ଭଦ୍ରାମି ତ ଅଛି । ସେ ଆଜି ଗଲେ କଉ ଆସିବେ ଯେ ? କିଏ ତାଙ୍କୁ ଡାକିଥିଲା କି ? ଆପେ ବଳେ ବଳେ ଯାଚି ହୋଇ ଧାଇଁ ଆସିଛନ୍ତି ନା ?

 

ଏ ଭଳି ମଣିଷ ମୋଟେ ନ ଆସିବା ହିଁ ଭଲ । ଆଖି ଅଛି ତ ମଣିଷ ଚିହ୍ନ । ମଣିଷକୁ ଚିହ୍ନି ନ ଜାଣିଲେ ସାରା ଜୀବନଟାଯାକ ପୁହିବାକୁ ହେବ ।

 

ସୁମିତ୍ରାଙ୍କର ଗମ୍ଭୀର ଭାବ ଦେଖି ପ୍ରଶାନ୍ତ ମନେ ମନେ ଶଙ୍କି ଗଲେ । ସେ ଭାବିଲେ କ୍ଷଣିକ ଆଗରୁ କେବଳ ମାତ୍ର କେଇ ମିନିଟର ଆଳାପ । ସେଥିରେ ପୁଣି ସେ ସୀମା ଲଙ୍ଘନ କରି କେତେ କଥା କହିଗଲେ । ସୁମିତ୍ରା କ’ଣ ଭାବିଥିବେ ? ସେ ପରିସ୍ଥିତିକୁ ସମ୍ଭାଳି ନେବା ଉଦ୍ଦେଶ୍ୟରେ ସୁମିତ୍ରାଙ୍କୁ କହିଲେ ‘‘ବିଦାୟ ନେଉଛି ସୁମିତ୍ରାଦେବୀ ! କ୍ଷମା କରିବେ । ଆପଣଙ୍କର ବହୁ ମୂଲ୍ୟବାନ୍ ସମୟ ନଷ୍ଟ କଲି ।’’

 

ଏ ପୁରୁଷଗୁଡ଼ାକର ଭଦ୍ରାମି ଦେଖ ହେ । ଯାହା କହିବାର ନ ଥିଲା ତାହା ତ କହିଲ । ପୁଣି ମୁହଁରେ ଗାଇବାକୁ ଲାଜ ଲାଗେ ନାହିଁ ? କେଡ଼େ ଅଲାଜୁକ ଏଗୁଡ଼ାକ ଲୋ ମା । ଏହା କେବଳ ଚିନ୍ତା କରୁଥାନ୍ତି ସୁମିତ୍ରା ।

 

ଏହା ଭିତରେ ପ୍ରଶାନ୍ତ ଚେୟାର ଛାଡ଼ି ଛିଡ଼ା ହେଲେ । ଆରେ ସତରେ କ’ଣ ତାହାହେଲେ ପ୍ରଶାନ୍ତ ବାବୁ ଚାଲିଯିବେ ? ଯଦି ଆଉ କେବେ ନ ଆସନ୍ତି ? ସେ ଅଧିକା ବା କ’ଣ କହିଲେ ଯେ ସେଥିପାଇଁ ସୁମିତ୍ରା ମନଦୁଃଖ କରିବେ । ମଣିଷ ମନର ମଣିଷକୁ ପାଇଲେ ସବୁ କହିଯାଏ । ମନର ମଣିଷକୁ ନ କହିବ ତ ଆଉ କ’ଣ କାଠ ପଥର ପାଖେ କହିବ । ସୁମିତ୍ରା କେବଳ ଏୟା ଭାବୁଥିଲେ ।

 

‘‘ତେବେ ଆସୁଛି ସୁମିତ୍ରା ଦେବୀ । ଆଚ୍ଛା ନମସ୍କାର’’ କହି ପ୍ରଶାନ୍ତ ଯିବାପାଇଁ ତିଆର ।

 

ମନୋଭାବ ଗୋପନରେ ରଖି ମୁହଁ ଭୁରୁଡ଼ି ଦେଖାଇବା ଏହି ନାରୀମାନଙ୍କର ସ୍ୱଭାବ । ମନ ପଛକେ ଜଳି ଯାଉଥିବ; କିନ୍ତୁ ଉପରଟା କେଡ଼େ ହସ ହସ । ସତେ ଯେପରି ମୁକ୍ତା ଝରିପଡ଼େ-। ନାରୀ ହସେ ? ହସର ମୂଲ୍ୟ ବୁଝିପାରି କ’ଣ ହସେ । ପ୍ରଶାନ୍ତ ମନେ ମନେ ଏହି କଥାହିଁ ଭାବୁଥିଲେ ।

 

‘‘ବାଃ ଏତେ ସହଜରେ ଆପଣ ଚାଲିଯିବେ ? ସେ କଥା ହେବ ନାହିଁ । ଏତେ ଦିନ ପରେ ଦେଖା ମିଳିଛି । ଏଠାରେ ଖାଇ ପିଇ ଯିବେ । ଘରେ ତ ଗୃହିଣୀ ନାହାନ୍ତି । ସେ ଥିଲେ ବା ମିଛ କହିବାକୁ ପଡ଼ନ୍ତା’’ କହିଲେ ସୁମିତ୍ରା ।

 

ନୀତିଶାସ୍ତ୍ର କହେ ରାଜା ପାଖରେ ସତ କହିବ ଓ ସ୍ତ୍ରୀ ପାଖରେ ମିଛ କହିବ । ଏତିକି ନ କଲେ ମଣିଷ ଆତ୍ମରକ୍ଷା କରିବାକୁ ସମର୍ଥ ହୁଏ ନାହିଁ ।

 

‘ମିଛ ?’ ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇଲେ ପ୍ରଶାନ୍ତ ସୁମିତ୍ରା ମୁହଁକୁ ହସ-ହସ-ମୁଖରେ ।

 

‘‘ପୁରୁଷ ହୋଇ ଏତକ ବୁଝି ପାରିଲେ ନାହିଁ ? ପୁରୁଷମାନେ ତ ସତ୍ୟବାନ୍‌ ନୁହଁନ୍ତି’’ କହି କୁଟୀଳ ଚାହାଣୀରେ ଅନାଇଲେ ସୁମିତ୍ରା ।

 

ପ୍ରଶାନ୍ତ ଅତ୍ୟଧିକ ଧୃର୍ତ୍ତ । ତାଙ୍କୁ କଥାରେ ଜିଣିବା ଏତେ ସହଜ ନୁହେଁ । ସେ କହିଲେ, ‘‘ସାବିତ୍ରୀ ପାଖରେ ପୁରୁଷ ବାଧ୍ୟ ହୋଇ ସତ୍ୟବାନ୍‌ ହୁଏ ।’’

 

ଏ କଥାର ମର୍ମ ସୁମିତ୍ରା ମୋଟେ ବୁଝିପାରିଲେ ନାହିଁ । କଥାର ଗୁମର ଖୋଲିଗଲେ କଥାର ମାଧୁର୍ଯ୍ୟ ରହେ ନାହିଁ । ନାରୀର ମନ ପୁରୁଷ କଳିଗଲେ ନାରୀର ସମ୍ମାନ ପୁରୁଷ ପାଖରେ ରହେ ନାହିଁ; ଏହି କଥା ଯେତେବେଳେ ନାରୀ ଜାଣିପାରେ ସେ ସେତେବେଳେ ଖେଳିବାକୁ ଭଲ ପାଏ ନାହିଁ ।

 

ସୁମିତ୍ରା ଖେଳିବାକୁ ଭଲ ପାଆନ୍ତି । ଖେଳରେ ହାରଜିତ ରହିଛି । ନୂଆ ଖେଳାଳି ହାରିବାକୁ ପସନ୍ଦ କରେ ନାହିଁ; କିନ୍ତୁ ଯେ ପ୍ରକୃତ ଖେଳାଳି ହାରିବା କି ଜିଣିବାର ମୂଲ୍ୟ ତା ପାଖରେ ସମାନ । ପୋଖତ ଖେଳାଳି କେବଳ ଖେଳେ । ଫଳାଫଳପାଇଁ ସେ ମୋଟେ ବ୍ୟଗ୍ର ନୁହେଁ ।

 

କବି କହନ୍ତି ଜୀବନ-ଯୌବନ ପଦ୍ମପତ୍ରରେ ନୀର ସଦୃଶ; କିନ୍ତୁ ନାରୀର ପ୍ରେମ ପଦ୍ମପତ୍ରର ନୀରଠାରୁ ମଧ୍ୟ ଚଞ୍ଚଳ । ସେ ଯେ କେତେବେଳେ କାହାକୁ ଭଲ ପାଏ ତାହା ସେ ମଧ୍ୟ ଜାଣେ ନାହିଁ ।

 

କିନ୍ତୁ ପ୍ରଶାନ୍ତ ଏହା ଅସ୍ୱୀକାର କରନ୍ତି । ସେ କହନ୍ତି ନାରୀ ପ୍ରେମମୟୀ ।

 

ପ୍ରେମ କେବଳ ସତ୍‌ପାତ୍ର ଦେଖି ଦାନ କରାଯାଏ । ଅପାତ୍ରକୁ ହୃଦୟ ସମର୍ପଣ କରିବା ଯାହା କାମୁଡ଼ାଘୋଡ଼ା ମୁଖରେ ଚୁମ୍ବନ ଦେବା ମଧ୍ୟ ସେୟା ।

 

ପ୍ରେମର ମହତ୍ତ୍ୱ ଉପଲବ୍‌ଧି କରନ୍ତି କେତେଜଣ ? ପ୍ରେମ, ପ୍ରେମ କହି ଆଜି ସମସ୍ତେ ରାସ୍ତାଘାଟରେ ପାଗଳପରି ଘୂରି ବୁଲନ୍ତି । ଯେଉଁମାନେ ପ୍ରେମକୁ କଳଙ୍କ କହି ଭୟପାଇ ଯାଆନ୍ତି ସେମାନେ ମୋଟେ ପ୍ରେମିକ ନୁହଁନ୍ତି ବରଂ ସେମାନେ ବ୍ୟଭିଚାରୀ । ଯେ ବ୍ୟଭିଚାର କରିବାକୁ ଆସେ ସେ ପ୍ରେମର ପବିତ୍ରତା ଦେଖି ଭୟ ପାଇଯାଏ । ପ୍ରେମର ଉପାସକ ଦୁନିଆରେ ବା କେତେଜଣ ଅଛନ୍ତି ?

 

ଦେହ ଦେହର ମୈଥୁନ ଚାହେଁ । ଦେହର ମୈଥୁନରେ ମନରେ ତୃପ୍ତି ଆସେ ନାହିଁ । ଦେହ ଓ ମନ ପୃଥକ୍‌ ଜିନିଷ । ଦେହର କ୍ଷୁଧାଠାରୁ ମନର କ୍ଷୁଧା ଆହୁରି ତୀବ୍ର । ମନ ନ ମାନିଲେ ଦୁନିଆ ବିଷ ଜଣାଯାଏ । ଏହି ମନକୁ ଆୟତ୍ତ କରି ନ ଜାଣିଲେ ବିଷମୟ ଫଳ ଉପୁଜେ । ସେଥିପାଇଁ କବିତାରେ ଲେଖାଅଛି ।

 

‘‘ଏହି ମନ ଅଟେ ବୃନ୍ଦାବନ ।

ଏଠି କେତେ ବିଳପେ ଯମୁନା, ପୁଣି ଉଛୁଳେ ଯମୁନା ।

କେବେ ପୁଣି ବାଜେ ବଂଶୀ, ନ ଶୁଭେ ତା ସ୍ୱନ ।’’

 

ମନ ଦୃଢ଼ କଲେ ଗାଡ଼ିଆ ଗଙ୍ଗା । ସେ ବଳିଷ୍ଠ ମନୋଭାବ କ’ଣ ସମସ୍ତଙ୍କର ଅଛି ? ସେତିକି ଯଦି ସୁମିତ୍ରା ଆଜି ଭାବୁଥାନ୍ତେ ଏହି ରମଣୀରଞ୍ଜନ ହୋଇଥାନ୍ତେ ଆଜି ତାଙ୍କର ସର୍ବସ୍ୱ । ନା, ସେ କୌଣସି-ପ୍ରକାରେ ନିଜକୁ ପ୍ରତାରିତ କରି ଗାଡ଼ିଆକୁ ଗଙ୍ଗା କହି ପାରିବେ ନାହିଁ । ସେ ଯାହା ବୁଝିଛନ୍ତି ତାଙ୍କର ବୁଝିବାରେ ମୋଟେ ଭୁଲ୍‌ ନାହିଁ ।

 

ରାଧା ଚନ୍ଦ୍ରସେଣାପାଇଁ ଜନ୍ମ ହୋଇ ନ ଥିଲା । କେବଳ ଘଟଣାଚକ୍ରରେ ପଡ଼ି ସେ ହୋଇଥିଲା ଚନ୍ଦ୍ରସେଣା ଅଙ୍କଶାୟିନୀ । ମନ ଛଟପଟ ହେଉଥିବ । ଏ ଆଡ଼େ ମୁହଁଫୁଟାଣି ଦେଖ । ପୋଡ଼ୀ ଯାଉ ସେ ସତୀ ପଣିଆ । ସତୀତ୍ୱର ଅର୍ଥ ଅଭିଧାନରେ ଥାଉ ।

 

ମଣିଷ ଯେତେବେଳେ ନିଜକୁ ଅସହାୟ ମନେ କରେ ସେ ଯେ କେତେ ଅବାନ୍ତର ଯୁକ୍ତି ନିଜ ସପକ୍ଷରେ ନ କରେ ତାହାର ହିସାବ ରଖିବାକୁ କେହି କ’ଣ ସମର୍ଥ ହୁଏ ?

 

ସୁମିତ୍ରାର ଆଜି ମଧ୍ୟ ସେହି ଦଶା । ସେମାନକୁ ପୁଣି ତ ପ୍ରବୋଧ ଦେବାକୁ ହେବ । ଯେଉଁମାନେ ମନକୁ ଆୟତ୍ତ କରି ପାରନ୍ତି ସେମାନେ ସବୁ କରି ପାରନ୍ତି ଏବଂ ଯେଉଁମାନେ ମନଦ୍ୱାରା ଆୟତ୍ତ ହୁଅନ୍ତି ସେମାନେ ମଧ୍ୟ ସବୁ କରି ପାରନ୍ତି ।

 

ଅସୁନ୍ଦରୀ ନାନାଉପାୟରେ ନିଜକୁ ସଜାଇ ସୁନ୍ଦରୀ ହେବାକୁ ଚେଷ୍ଟା କରେ ଓ ଇଚ୍ଛା ମଧ୍ୟ କରେ । ଅତୃପ୍ତ ଆତ୍ମା ମଧ୍ୟ ନାନାକଥା ମନମଧ୍ୟରେ ଚିନ୍ତା କରି ତୃପ୍ତିଲାଭ କରିବାକୁ ଚେଷ୍ଟା କରେ; କିନ୍ତୁ ଫଳ ଫଳେ ଓଲଟା । ମଣିଷ ଶାନ୍ତି ପାଇବାପାଇଁ ବ୍ୟସ୍ତ; କିନ୍ତୁ କେଉଁ ବାଟରେ ଗଲେ ଶାନ୍ତି ମିଳିବ ସେହି ବାଟକୁ ଚିହ୍ନିବାପାଇଁ ସେ ମୋଟେ ବ୍ୟସ୍ତ ନୁହେଁ ।

 

ଗ୍ରହଶାନ୍ତିପାଇଁ କେତେ ଆୟୋଜନ ନ କରେ ଏହି ମଣିଷ; କିନ୍ତୁ ମନକୁ ଶାନ୍ତ କରିବାକୁ ସେ କେବେ କିଛି କରେ କି ? ଯାହା କିଛି କରିବ ସେ ତାହା ନ କରିବା ହିଁ ଭଲ ।

 

ଅନାସକ୍ତ ଭାବହିଁ ସର୍ବଶାନ୍ତିର ଆଧାର ।

 

ଚଉଦ

 

ରମଣୀରଞ୍ଜନ ସୁମିତ୍ରାଙ୍କୁ ସଙ୍ଗରେ ନେଇ ଆସିବାଦିନଠାରୁ ସେ ମୋଟେ ଘରଖବର ବୁଝନ୍ତି ନାହିଁ । ସେ କେଉଁଦିନ ବୁଝୁଥିଲେ ଯେ ଆଜି ବୁଝିଥାନ୍ତେ ।

 

ରମଣୀରଞ୍ଜନଙ୍କ ଅନୁପସ୍ଥିତିରେ ପାରୀକୁ ନାନାପ୍ରକାର କୁଶିକ୍ଷା ଦେଇ ରଜନୀବାବୁ କଚେରୀରେ ମାମଲାଟିଏ ଯୋଡ଼ି ଦେଇଛନ୍ତି । ପଦ୍ମାବତୀ ଲୋକଦେଖଣାକୁ କୃଷ୍ଣାଦେବୀଙ୍କୁ ହେମତ୍‌ ଦେଇ କହୁଥିଲେ ‘‘ବୁଝିଲ ସମୁଦୁଣୀ ! ଛୋଟ ଲୋକଙ୍କୁ ମୁହଁ ଦେଲେ ଏହିପ୍ରକାର କୁଫଳ ଭୋଗ କରିବାକୁ ପଡ଼େ । ଦେଖହେ, ପତର ସାଉଁଟୀଟେ । ଆଜି ପୁଣି କେଉଁ ବୋପାର ବହପ ପାଇ କହୁଛି କ’ଣ ନା ସେ ରାଧାକୃଷ୍ଣ ଦାସଙ୍କର ରକ୍ଷିତା ସ୍ତ୍ରୀ । ଦୋଳମୁଣ୍ତାଇ ଛକରେ ଯେଉଁ ଚାରିବଖରା ଘର ଓ ଚଣ୍ତୀଖୋଲ ଯିବା ବାଟରେ ଯେଉଁ ଆଠ ଏକର ଜମି ଦାସେ ଖରିଦ୍‌ କରିଥିଲେ ସେ ସମସ୍ତ ସମ୍ପତ୍ତି ସେ ଗାଁ ଲୋକଙ୍କୁ ଡକାଇ ପଞ୍ଚାୟତ ମୁକାବିଲାରେ ପାରୀକୁ ଲେଖିଦେଇ ଯାଇଛନ୍ତି । ଏଣୁ ସେ ସମ୍ପତ୍ତିରେ ପାରୀକୁ ହକ ହେଉଛି । ଏ କଉଁ ଅଜ୍ଜବ୍‌ କଥା ସେ ମାଇକିନା ନ କହୁଛି ହେ ?

 

କୃଷ୍ଣାଦେବୀ ସବୁ ଶୁଣି ଚୁପ୍‌ଚାପ । ସେ କାହାକୁ ଆଉ କହିବେ ? ସମସ୍ତେ କ’ଣ ଆଉ ସୁମିତ୍ରା ହୋଇଛନ୍ତି ଯେ ତାଙ୍କ କଥା ଚୁପ୍‌ଚାପ୍‌ ହୋଇ ସହିଯିବେ । ହଠାତ୍‌ ସୁମିତ୍ରା ପ୍ରତି ତାଙ୍କ ମନମଧ୍ୟରେ ଟିକିଏ ଦରଦ ଆସିଲା । ବିଚାରୀ କେତେ ନ ସହିଛି ତାଙ୍କର ଉପଦ୍ରବ ? ଗୋଟାଏ ଅପଦାର୍ଥର ହାତ ଧରିଛି ବୋଲି ସିନା ଏତେ ସହିଗଲା ।

 

ଯେଉଁ ପୁରୁଷକୁ ସ୍ତ୍ରୀମାନେ ଭଲ ନ ପାଆନ୍ତି ଅନେକ ବିଶେଷଣ ସେମାନେ ସେ ପୁରୁଷର ନାମ ପାଖରେ ଯୋଡ଼ି ଦିଅନ୍ତି ।

 

ପଦ୍ମାବତୀଙ୍କୁ କିଛି ଉତ୍ତର ଦେବାକୁ କୃଷ୍ଣାଦେବୀ ଦୁନିଆରେ ଉଚିତ ମନେ କରୁ ନ ଥିଲେ । ଏହି କୃଷ୍ଣାଦେବୀ ଦୁନିଆରେ ମଣିଷ ଚିହ୍ନନ୍ତି । ମଣିଷକୁ ଦେଖିଲାମାତ୍ରେ କିଏ କେଉଁ ଦରର ମଣିଷ ତାହା କୃଷ୍ଣାଦେବୀ ଜାଣି ପାରୁଥିଲେ ।

 

ରତ୍ନମଣିଙ୍କୁ ମହାପ୍ରସାଦ ଦେଇ ଝିଅ କଲାପରେ କୃଷ୍ଣାଦେବୀ ଜାଣିଥିଲେ ଏହା ଗୋଟିଏ ଅମଙ୍ଗଳର ସୂଚନା । ଯେଉଁଦିନ ପ୍ରଥମେ ପଦ୍ମାବତୀ କୃଷ୍ଣାଦେବୀଙ୍କୁ କୁଣ୍ଢାଇ ପକାଇ ସମୁଦୁଣୀ ସମୁଦୁଣୀ ବୋଲି ଆନନ୍ଦରେ ଗଦ୍‌ ଗଦ୍‌ ହୋଇଗଲେ ସେହିବେଳଠାରୁ ଆଜିଯାଏ କୃଷ୍ଣାଦେବୀଙ୍କର ଡାହାଣ ଆଖି ଫର ଫର ହେଉଅଛି । ସେଦିନ ପୁଣି ଠାକୁରଘରୁ ଆସିବାବେଳେ କାଉଟାଏ କେଉଁଠାରେ ଉଡ଼ିଆସି ମଥାରେ ବସିଗଲା । ସବୁ ଅମଙ୍ଗଳ ସୂଚନା ମିଳୁଥିଲା । ତେବେ ତାଙ୍କର ଧର୍ମଭାବରୁ କିଛି ଅମଙ୍ଗଳ ଘଟୁ ନ ଥିଲା ।

 

ଝିଟିମିଟିଖେଳରୁ ମହାଭାରତ ଯୁଦ୍ଧ ହେଲାପରି ପାରୀ ସୁମିତ୍ରା ସଙ୍ଗେ ଅଯଥାରେ ଲଗାଇଲା । ସୁମିତ୍ରା ଯାଇ ଶାଶୁ ପାଖରେ ଗୁହାରି କଲେ । ଶାଶୁଙ୍କ ଗୋଦରଗୋଡ଼ ଯେ ସେ ନିଜ ଖବର ବୁଝିବାକୁ ବେଳ ପାଉ ନାହାନ୍ତି । ସୁମିତ୍ରାଙ୍କ ଖବର ବୁଝିବାକୁ ତାଙ୍କୁ ସମୟ କାହିଁ ? ତେଣୁ ସୁମିତ୍ରା ଉତ୍ତ୍ୟକ୍ତ ହୋଇ ରମଣୀରଞ୍ଜନଙ୍କୁ ସେଦିନ କହିଲେ ‘‘ତୁମ ଭଳିଆ ଗୋଟାଏ ପଶୁର ହାତଧରି ମଣିଷ ଜଳି ଜଳି ମରିଯିବାକୁ ବସିଲା ।’’

 

ମଣିଷଟାକୁ ମଣିଷ ନ କହି ପଶୁ କହିଲେ କାହାର ବା ରାଗ ନ ହେବ ? ରମଣୀରଞ୍ଜନଙ୍କୁ ସେଦିନ ଅପମାନ ଟିକିଏ ବାଧିଲା । କାହିଁକି ନା କାଙ୍ଗାଳିର ଉପସ୍ଥିତିରେ ରମଣୀରଞ୍ଜନଙ୍କର ଅପମାନ ? ସହଜରେ କ’ଣ ରମଣୀରଞ୍ଜନ ସହିବେ ?

 

କାଙ୍ଗାଳି ଆଖିରେ ରମଣୀରଞ୍ଜନ ଗୋଟାଏ ଆଦର୍ଶ ପୁରୁଷ । ଭାଙ୍ଗ ଗ୍ଳାସ ସଙ୍ଗକୁ ସନ୍ଦେଶ ଗୋଟାଏ ବଢ଼ାଇ ଦେଇ ରମଣୀରଞ୍ଜନଙ୍କୁ ତାରିଫ କରି କାଙ୍ଗାଳି କହେ ‘‘ବାବୁଭଳି ମଣିଷ ଆଉ ମିଳିବ ?’’ ବାବୁ ଖୁସିରେ ମସଗୁଲ ହୋଇ ସୁଉକିଟିଏ କାଙ୍ଗାଳି ହାତକୁ ବଢ଼ାଇ ଦିଅନ୍ତି ।

 

ଯେଉଁ କାଙ୍ଗାଳି ଆଖିରେ ରମଣୀରଞ୍ଜନ ଗୋଟିଏ ସୁପୁରୁଷ ସେହି କାଙ୍ଗାଳି ଉପସ୍ଥିତିରେ ସୁମିତ୍ରା ତାଙ୍କୁ ପଶୁ କହିବେ ? ରମଣୀରଞ୍ଜନ ସେଦିନ ଉଗ୍ରରୂପ ଧାରଣ କରି ଗୋଟାଏ ରୁଲ ବାଡ଼ିରେ ଯେପରି ସୁମିତ୍ରା ପିଠିରେ ପାହାରଟେ ବସାଇଛନ୍ତି ସୁମିତ୍ରାଙ୍କର କି ଦୁର୍ଯ୍ୟୋଗରେ ରାତି ପାହିଥିଲା ଯେ ସେ ସ୍ୱାମୀବୋଲି ମୋଟେ ଖାତିର ନକରି ଚକ୍ରବୃଦ୍ଧି ହାରରେ ହିସାବ କରି ଥୋଇଲେ ରମଣୀରଞ୍ଜନଙ୍କ ପଥରେ ଦୁଇଟା । ମଥା ଇଞ୍ଚେ ଫାଟି ଧାର ଧାର ହୋଇ ରକ୍ତର ସୁଅ ଛୁଟିଲା । ସମସ୍ତେ କହିଲେ ରମଣୀରଞ୍ଜନଙ୍କର ମାରକଦଶା ଥିଲା, ହେଲେ ଏତିକିରେ ଖଣ୍ତନ ହୋଇଗଲା ।

 

ମାଆ ମନ ତ । କଥା ପଦକରେ କ’ଣ ବୁଝିଯାଏ ? ଜ୍ୟୋତିଷ ଡକାଇ କୋଷ୍ଠି ଗଣା ପଢ଼ା ହେଲା । ପାଠରେ ବାହାରିଲା ଶନି ମହାଯଶା ଷୋହଳ ବର୍ଷ । ପ୍ରତି ଶନିବାରକୁ ହବିଷାନ୍ନ ଆମିଷଭକ୍ଷଣ ନିଷେଧ ।

 

ଯିବା ବେଳକୁ ଜ୍ୟୋତିଷ ମହାରାଜ ରମଣୀରଞ୍ଜନଙ୍କୁ ପାଖକୁ ଡାକି କହିଲେ ‘‘ବାବୁ ! ଗୋଟିଏ କଥା ଆଜିଠାରୁ ଏ ବୁଢ଼ାର ମନେ ରଖିଥିବ । ଯେତେ ଦାନ ଧର୍ମ କଲେ ମଧ୍ୟ ଏହି ଶନି ଗ୍ରହଟି (ସୁମିତ୍ରାଙ୍କ ଉଦ୍ଦେଶ୍ୟରେ) ଯେ ଘରେ ଆଣି ବାନ୍ଧିଅଛ ତାହା ସଙ୍ଗେ କେବେହେଲେ ଦୁର୍ବ୍ୟବହାର କରିବ ନାହିଁ । ଯଦି କରିବ ମୃତ୍ୟୁରେବ ନ ସଂଶୟ ।’’

 

ରମଣୀରଞ୍ଜନ ହାକିମ ହେବା ପାଠ ସିନା ପଢ଼ିଛନ୍ତି । ତେବେ ଦୁନିଆକୁ ବୁଝି ସମଝି ଚଳିବା ପାଠ ସେ ପଢ଼ି ନାହାନ୍ତି । ଜ୍ୟୋତିଷେ ଯାହା କହିଲେ ସେଥିରୁ ସେ ବୁଝିଲେ ସୁମିତ୍ରାକୁ ଦୁର୍ବବ୍ୟବହାର କରିବା ଅର୍ଥ ମୃତ୍ୟୁକୁ ବରଣ କରିବା ନିଶ୍ଚିତ । ଯେତେବେଳେ ଶନି ମହାଯଶା ପଡ଼ିଛି ଜ୍ୟୋତିଷ କ’ଣ ମିଛ କହିବେ ?

 

ସ୍ୱାମୀଠାରୁ ମାଡ଼ ଖାଇ ପିଠି ଫାଟିଗଲେ ବି ସ୍ତ୍ରୀ କ’ଣ ସ୍ୱାମୀଙ୍କୁ ପାଟି ଖୋଲି କିଛି କହିପାରିବ ? ଯଦି ସ୍ତ୍ରୀ କହିଦେଲା ତା’ର ସ୍ୱାମୀପଣିଆ ଆଉ କ’ଣ ରହିଲା ?

 

କୃଷ୍ଣା ଦେବୀ ବହୁତ ପାଠ ପଢ଼ିଛନ୍ତି । ହିନ୍ଦୁଘରେ ଯେତେ ପୁରାଣ ପୋଥି ଅଛି ସେ କାହାରିକୁ ଛାଡ଼ି ନାହାନ୍ତି । ସବୁ ପୁରାଣ ଜିଭ ଅଗରେ । ହେଲେ ସ୍ତ୍ରୀ ସ୍ୱାମୀଙ୍କୁ ବାଡ଼େଇବା ଅର୍ଥ ବିପଦ ପଡ଼ିଲା ବୋଲି ଜାଣିବ ।

 

କୃଷ୍ଣା ଦେବୀଙ୍କ ଅନୁମାନ ଠିକ୍‌ ହୋଇଛି । ଗ୍ରହ ମନ୍ଦ ନ ପଡ଼ିଲେ ପାରୀ କେଉଁକାଳରେ ପାର୍ବତୀ ହୋଇପାରେ ? ସବୁ ଗ୍ରହ କରୁଛି । ୟାକୁ ତାକୁ ଦୋଷ ଦେଇ ଲାଭ କ’ଣ ?

 

ରଜନୀବାବୁ ସାପ ହୋଇ କାମୁଡ଼ିଲେ ପୁଣି ଗୁଣିଆ ହୋଇ ଝାଡ଼ିଲେ । ଭିତିରିଆ ଦୁଇ ତିନି ହଜାର ପକେଟରେ ପୁରାଇ ଗୋଟାଏ ଫଇସଲା କରିଦେଲେ । ପାରୀ ଯେତେ ଦିନ ବଞ୍ଚିଛି ସେତେଦିନ ସେ ଏ ଘରେ ରହିବ । ଦୋଳମୁଣ୍ତାଇର କୋଠା ଚଣ୍ତିଖୋଲ ଯିବା ବାଟରେ ଯେଉଁ ଆଠ ଏକର ଜମି ରହିଛି ତାହା ଜୀବଦ୍ଦଶାରେ ଥିବାଯାଏ ସେ ଭୋଗଦଖଲ କରିବ । ଯଦି କେବେ ଅଭାବ ଅନାଟନ ପଡ଼େ କିମ୍ବା ସମ୍ପତ୍ତି ହସ୍ତାନ୍ତର କରିବା ଦରକାର ପଡ଼େ ତେବେ ହରିମାଧବ ବା ରମଣୀରଞ୍ଜନ ବ୍ୟତୀତ ଜମି ଓ ଘର କାହାରିକୁ ସେ ବିକ୍ରି କରିପାରିବ ନାହିଁ ।

 

ଯିଏ ଶୁଣିଲା ସେ ରଜନୀବାବୁଙ୍କ ବୁଦ୍ଧିକୁ ସାବାସ ଦେଲା । ରଜନୀବାବୁ ମଥାରେ ହାତ ବୁଲାଉଁ ପଦ୍ମାବତୀ ଦେବୀଙ୍କୁ ଟିକିଏ ଲୋଭନୀୟ ଆଖିରେ ଅନେଇ କହିଲେ ‘‘ଓକିଲ ସୁନାରୀ ଦାରୀ, ଏ ନୁହନ୍ତି କାହାରି’’ ।

 

ସୁନାରୀ ଶବ୍ଦର ଅର୍ଥ ପଦ୍ମାବତୀ ବୁଝି ନ ପାରି କହିଲେ, ଓକିଲ ସୁନାରୀ, ଦାରୀ ସମସ୍ତେ ପୈସା ପ୍ୟାରା । ତୁମ ଚାର ଖୁରାକୁ ବାବା ଜୁହାର ।

 

‘‘କିହୋ ! ଚତୁଷ୍ପଦ ପଶୁ କ’ଣ ଆମକୁ ବନେଇ ଦେଲ କହିଲେ ରଜନୀବାବୁ ।

 

ପଶୁ କ’ଣ ଆଉ ଗଛରୁ ଫଳେ ? ମହାପ୍ରସାଦ ଦେଇ ମଧ୍ୟ...’’

 

ସୁମିତ୍ରାଙ୍କ କଥା ଶେଷ ନ ହେଉଣୁ ‘‘ମହାପ୍ରସାଦ ଦେଇ ସମୁଦୁଣୀ ଯେତେବେଳେ ବନାଇଥିଲି ସମୁଦୁଣୀଙ୍କ ଧନ ସମୁଦୁଣୀ ଖାଇଲା । କେହି ତ ପର ଖାଇଲା ନାହିଁ ଯେ ସମୁଦୁଣୀ ମନ କଷ୍ଟ କରିବେ ?’’ କହି ହସି ହସି ଗଡ଼ିଗଲେ ରଜନୀବାବୁ ।

 

‘‘ମନ୍ଦ ଅଦୃଷ୍ଟଫଳେ

ପଥର ଭାସଇ ଜଳେ ।’’

 

ଭାଗ୍ୟ ସବୁ କରେ । କୃଷ୍ଣାଦେବୀ ଏ ଘରେ କେହି ନୁହଁନ୍ତି । ଏବେ ଏ ଘରେ ମାଲିକାଣି ହେଲା ପାରୀ । ଏଣିକି ତା ପଣତରେ ମାଳେ ଚାବିକାଠି ବନ୍ଧା । ଘରେ ଯେତେ କୋଲପ ନାହିଁ କଞ୍ଚିକାଠିର ସଂଖ୍ୟା ତା’ର ତିନିଗୁଣରୁ ଅଧିକା । ଏ ସବୁ କୃଷ୍ଣାଦେବୀଙ୍କୁ ଦେଖାଇବାପାଇଁ । ସତକୁ ସତ ଏବଂ କୃଷ୍ଣାଦେବୀ ପୋଇଲୀଠାରୁ ମଧ୍ୟ ହୀନ ହୋଇ ଗଲେଣି ।

 

ପାରୀ ପାର୍ବତୀ ହେବା ଦିନଠାରୁ ସେ ରମଣୀଙ୍କ ବୁଦ୍ଧିକୁ ତାରିଫ୍‌ କରି କହେ ‘‘ମାଇପି ଟେ ସିନା । ମରଦ ପୁଅ ହୋଇଥିଲେ କ’ଣ ନ କରନ୍ତା ? ଏହି ମାଇପି ଝୁଅ ହୋଇ ତ ପେଟରେ ଚାରି ଚାରିଟା ବାରିଷ୍ଟରର ବୁଦ୍ଧି । ପାରୀ ଯେ ଲୋକମୁହଁରେ ପାର୍ବତୀ ହେଲା, କାଗଜ କଲମରେ ଶ୍ରୀମତୀ ପାର୍ବତୀ ଦେବୀ ହେଲା ଏ ସବୁ ମୂଳରେ ରହିଛନ୍ତି ରତ୍ନମଣି ।

 

ପଦ୍ମାବତୀ ଶୁଣି ଶୁଣି କହନ୍ତି ‘‘କିମିତି ବାପର ଝୁଅ ସେ ।’’

 

ପୁଅ ନ ହେଲେ ପୁଅ କହି ଲୋକେ କୁଳ ରକ୍ଷାପାଇଁ କେତେ ବାର ବ୍ରତ କରି ଦିଅଁ ପାଖରେ ଧାରଣା ପଡ଼ନ୍ତି । କୁଳ ରକ୍ଷାପାଇଁ ଯେତେ ଲୋଭ ନାହିଁ ବୁଢ଼ାକାଳକୁ ତୋରାଣୀ ଟିକିଏ ପାଇବାପାଇଁ ସେତେ ବେଶି ଲୋଭ । ସେଥିପାଇଁ ମଣିଷ ପୁଅ ଖୋଜେ ।

 

ମାତ୍ର କୃଷ୍ଣାଦେବୀଙ୍କ ଚିନ୍ତାଧାରା ଅନ୍ୟ ପ୍ରକାର । ସେ ଚାହାନ୍ତି ଯେ ପୁଅ ହୋଇ ଜନ୍ମ ହେବ ‘ସାକ୍ଷାତ ଈଶ୍ୱର ବୋଲି ମଣିବ ହେ ଜନନୀ ଜନକେ’ ଏହି ଉକ୍ତିକୁ ଯେପରି ସେ ମରିବା ପର୍ଯ୍ୟନ୍ତ ହୃଦୟରେ ଧାରଣ କରି କାଳ କାଟିବ ।

 

ଭାଗ୍ୟ ମନ୍ଦ ପଡ଼ିବାରୁ ସିନା ଏତେ କଥା ହେଲା । ସୁମିତ୍ରା ଯଦି ରମଣୀରଞ୍ଜନଙ୍କୁ ବାଡ଼େଇ ନଥାନ୍ତା ତାଙ୍କ ଘରକୁ ଦୁର୍ଯ୍ୟୋଗ କିଆଁ ବା ପଡ଼ନ୍ତା ? ପାରୀ ଯେତେ ବାଡ଼େଇ ପିଟି ହେଲେ ସୁଦ୍ଧା ସେ କ’ଣ ଆଉ ପାର୍ବତୀ ହୋଇ ପାରିଥାନ୍ତା ?

 

ସବୁ ଦୁର୍ଯ୍ୟୋଗ ସୁମିତ୍ରା ହେତୁ ଘଟିଛି । ତେଣୁ କୃଷ୍ଣାଦେବୀ କଥା ପଦକେ ଠାକୁରଙ୍କୁ ଡାକି କହନ୍ତି ‘‘ଯଦି ସତରେ ନର୍କ ଦେଶରେ ଅଛୁ, ଯଦି ମା କଟକଚଣ୍ତୀ କଟକରେ ଚକା ପକାଇ ବସିଛୁ, ତେବେ ସୁମିକୁ କୌଣସି ଜନ୍ମରେ ଶାନ୍ତି ନ ମିଳୁ ।’’

 

‘‘ସେ ତ ଯାହା ହେବାର ହେଲା । ପୁଣି ଲୋକକୁ କେତେ ଚକ୍ରାନ୍ତ ନ ଆସେ । ଧରମ ଝିଅ କରିଥିଲ ବୋଲି କୂଟ କପଟ କରି ପାରୀକୁ ଶିଖାଇ ପୁଣି ରତ୍ନମଣିଙ୍କ ନାମରେ ପାରୀର ସଂପତ୍ତି ଲେଖାଇ ଦିଆଗଲା । ହେ ଧର୍ମ ! ତୁ ଦେଖୁଛୁ’’ କହି ପୁଣି କୃଷ୍ଣାଦେବୀ ଠାକୁରଙ୍କୁ ଡାକି କହନ୍ତି ‘‘ମୁଁ ଯଦି ସତରେ ମାଇଗୁଲିଆ ରମଣୀର ମା ହୋଇଥିବି ତେବେ ମୋ ଅଭିଶାପ ନିଶ୍ଚେ ତା’ ମାଇପ ଉପରେ ପଡ଼ିବ ।’’

 

ପୁଣି ଚାଲିଗଲା ଲୋକଙ୍କୁ କୃଷ୍ଣାଦେବୀ ଶୁଣାଇ କହନ୍ତି, ବୁଝିଲ ଭଉଣୀ ! ଅସୁନ୍ଦର ପୁଅପାଇ ଯଦି ରମ୍ଭା, ଉର୍ବଶୀ ଭଳି ସୁନ୍ଦରୀ ବୋହୂ ଆଣିବ ତେବେ ଘରୁ ଧର୍ମ ଗଲାବୋଲି ଜାଣିବ-। ଖାଲି କ’ଣ ସେତିକି ? ଖଣ୍ତିଆ ଦରପୋଡ଼ା ସିଗାରେଟ, ଦୁଆର ମୁହଁରେ ପନ୍ଦର ମିନିଟକୁ ନୂଆ ନୂଆ କିସମର ଜୋତା ଗଣି ପାରିଲେ ହେଲା । ବଜାର ସାରା ତ ବନ୍ଧୁ । କିଏ ଆଉ ପର ହୋଇଛି ଯେ ଦୁଆର ବନ୍ଦ କରିଦେବୁ ।’’

 

ଯିଏ ଯାହାକୁ ଦେଖି ସହି ପାରେ ନାହିଁ ସେ ତାହା ନାମରେ ଏହି ପ୍ରକାର ମନ୍ତବ୍ୟ ପ୍ରକାଶ କରେ । ସେଥିପାଇଁ ମଣିଷ ଏହି ମଣିଷକୁ ଭୟକରେ ।

 

ପନ୍ଦର

 

କ୍ୟାଲେଣ୍ତରରେ ଦିନ ପରେ ଦିନ ଗଡ଼ି ଚାଲିଛି । ସମୟ କୌଣସି ହାନିଲାଭର ହିସାବ କରେନାହିଁ; କିନ୍ତୁ ହିସାବ ନିକାଶ କରେ ଏହି ମଣିଷ ।

 

ନିରୋଳାରେ ବସି ସୁମିତ୍ରା ଚିନ୍ତା କରୁଥିଲେ ପ୍ରଶାନ୍ତକୁ । ଗତ କାଲିକୁ ହେଲା ପନ୍ଦର ଦିନ । ଏହା ଭିତରେ ପ୍ରଶାନ୍ତ ଆଉ ଆସି ନାହାନ୍ତି ।

 

ପ୍ରଶାନ୍ତ ତା’ର କିଏ କି ? ସେ କାହିଁକି ପ୍ରଶାନ୍ତ କଥା ଏତେ ଭାବିବ ? କେବଳ ମାତ୍ର ଦୁଇ ଦିନର ପରିଚୟ । ସେଥିରେ ଏମିତି ପୁଣି କେଉଁ ବନ୍ଧୁତା ହୋଇଗଲା ଯେ ସେ ଅଖିଆ ଅପିଆ ରହି ତାଙ୍କୁ ଚିନ୍ତା କରିବ ? ସେ ନ ଆସନ୍ତୁ । ତାଙ୍କର ମୋଟେ ନ ଆସିବାହିଁ ଭଲ । ନାଁ, ଆଉ ପ୍ରଶାନ୍ତ କଥା ମୋଟେ ସେ ଭାବିବେ ନାହିଁ ।

 

ଛିଃ ପରପାଇଁ ପର ପୁଣି ଏତେ ଦହଗଞ୍ଜ ହୁଏ ?

 

ସେ ପ୍ରଶାନ୍ତର ସ୍ମୃତି ମନ ମଧ୍ୟରୁ ଯେତେ ଠେଲି ଦେବାକୁ ବସୁ ଅଛନ୍ତି ପୁଣି ତାଙ୍କର ହସ ହସ ମୁଖଟି ସେତେ ଦିଶି ଯାଉଥାଏ ।

 

ଆଃ, କି ସୁନ୍ଦର ସେ ରୂପ ! କି ସୁନ୍ଦର ସେ ଚାହାଣି ! ଗୋରା ତକତକ ଦେହକୁ ନେଳିଆ ହାବାଇନ୍‌ କେତେ ସୁନ୍ଦର ଦେଖା ନ ଯାଏ ।

 

ସୁମିତ୍ରାର ସେଦିନ ଇଚ୍ଛା ହେଉଥିଲା କହିଦେବାକୁ ‘‘ପ୍ରଶାନ୍ତ ବାବୁ ! ଆପଣଙ୍କ ଦେହକୁ ଏ ନେଳୀ ହାବାଇନଟା ମୋଟେ ମାନୁନାହିଁ; କିନ୍ତୁ କହି ପାରିଲେ ନାହିଁ । ପ୍ରଶାନ୍ତ ତ ଆଉ ବୋକା ନୁହଁନ୍ତି ଯେ ସୁମିତ୍ରା ଯାହା କହିବେ ସେହି କଥାକୁ ସେ ସତ ବୋଲି ମଣିବେ ।

 

ପୁଣି ସୁମିତ୍ରା ଭାବିବାକୁ ଲାଗିଲେ କାହିଁ ସେ ତ ଖୋଲିକରି ପ୍ରଶାନ୍ତକୁ ସେପରି କିଛି କହି ନାହାନ୍ତି । ପ୍ରଶାନ୍ତ ତେବେ କିପରି ଜାଣିଲେ ଯେ ସୁମିତ୍ରା କବିତା ପଢ଼ିବାକୁ ଭଲ ପାଆନ୍ତି ? ଇସ୍‌, କେଡ଼େ ମିଛୁଆ ଲୋକଟା । ଖାଲି ଗାଳି ଦେବାକୁ ଇଚ୍ଛା ହୁଏ ଏମିତି ମିଛୁଆ ମଣିଷଙ୍କୁ । ବନେଇ ଚୂନେଇ ଏତେ କଥା କହିପାରେ ?

 

ସତେ ଯେପରି ସେ ଏକା ମଣିଷ ? ରମଣୀରଞ୍ଜନ ବି ତ ସେହିପରି ପୁରୁଷଟିଏ । ପ୍ରଶାନ୍ତ କେଉଁ ଗୁଣରେ ରମଣୀରଞ୍ଜନଠାରୁ ସରସ ପଡ଼େକି ? ଗୋଟିଏ କଲେଜର ପ୍ରଫେସର । କେତେ ବା ଦରମା ଆଉ ପାଉଥିବେ କି ?

 

ଦରମା ଓ ପଦବୀଦ୍ୱାରା କ’ଣ ମଣିଷ ଜୀବନର ମାନଦଣ୍ତ କଳନା କରାଯାଏ ନାହିଁ ? ଭାବୁଥିଲେ ଏହିକଥା ସୁମିତ୍ରା ।

 

ହଠାତ୍‌ ପୁଣି ମନେପଡ଼ିଲା । ସେଦିନ ସେ କାରଖାନା ବୁଲି ଯାଇଥିଲେ । ଜଣେ ଉଚ୍ଚପଦସ୍ଥ ମୋଟା ବେତନଧାରୀ ଲୋକ ସଙ୍ଗେ ତାଙ୍କର ଆଳାପ ହେଲା । ସୁମିତ୍ରାଙ୍କୁ ରମଣୀରଞ୍ଜନ ଉକ୍ତ ଭଦ୍ରବ୍ୟକ୍ତିଙ୍କର ପରିଚୟ ଦେଇ କହିଲେ ‘‘ଏ ମାସକୁ ପାଆନ୍ତି ପନ୍ଦରଶହ ।’’

 

ମାସ ଶେଷକୁ ଶହ, ହଜାର ଗଣି ଆଣିଲେ କ’ଣ ମଣିଷ ହୁଏ ? ଯେଉଁମାନେ ଭଙ୍ଗା କୁଡ଼ିଆରେ ତିନି ଓଳିରେ ଓଳିଏ ଖାଇବାକୁ ନ ପାଇ ଅନ୍ତରର ବ୍ୟଥା କଲମ ମୂନରେ ଫୁଟାଇ ଲେଖନ୍ତି ‘କାହା ଘରେ ଜଳିବାକୁ ନାହିଁ ସଞ୍ଜସଳିତା’ ତେବେ ସେମାନେ କ’ଣ ମଣିଷ ନୁହଁନ୍ତି ?

 

ସୁମିତ୍ରାର ଅନ୍ତରାତ୍ମା ସେତେବେଳେ କାନ୍ଦି ଉଠିଥିଲା । ସେ ଦୁଇ ଟୋପା ଲୁହ ଗଡ଼ାଇ ଏ ଦେଶ ଓ ଜାତିର ସର୍ବହରା କବିଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳି ମନେ ମନେ କହିଥିଲେ ‘‘ହେ ଚିର କାଙ୍ଗାଳ ସର୍ବହରା କବି ! ତୁମେ ତୁମର ଲେଖନୀ ଚଳାଇ ଏ ଜାତିକୁ ବଞ୍ଚାଇ ରଖ । ଏ ଜାତିର ମସ୍ତକକୁ ଆଜି ଅନ୍ୟ ପାଖରେ ଉନ୍ନତ କରିବ ତୁମ୍ଭେମାନେ । ତୁମର ଲେଖନୀଦ୍ୱାରା ତୁମେ ଏ ଜଡ଼ ଜାତିର ପ୍ରାଣରେ ଚେତନା ଭରି ଦିଅ । ହେ ଅବହେଳିତ, ଲାଞ୍ଛିତ କବି ! ତୁମେ ଜାତିର ନମସ୍ୟା ।

 

କେବେ କିମିତି ଗୋଟାଏ ଦୁଇଟା ପ୍ରେମ-କବିତା ଲେଖି ଦେଲେ ବୋଲି ପ୍ରଶାନ୍ତ ହେବେ କବି ଓ ସୁମିତ୍ରା ତାଙ୍କୁ ନମସ୍କାର କରିବ ? ଯେଉଁମାନେ ପ୍ରେମ କବିତା ଲେଖନ୍ତି ସେହି କବିମାନଙ୍କ ମୁହଁରେ ଚୂଲିରୁ କାଢ଼ି ଦୁଇ ଚଟୁ ଢାଳି ଦେବାକୁ ଇଚ୍ଛା ହୁଏ ।

 

ଦୀର୍ଘନିଶ୍ୱାସ ପକାଇ କହିଲେ ‘‘ନା, ପ୍ରଶାନ୍ତ ଆଜି ମଧ୍ୟ ଆସିବେ ନାହିଁ ।’’

 

ଯାହାର ହୃଦୟ ନାହିଁ ସେ ପୁଣି କିପରି ଲେଖେ ପ୍ରେମ-କବିତା ? କାହିଁକି ନ ଜାଣି ନ ଶୁଣି ସେ ଜଣେ ଅଚିହ୍ନା ଲୋକକୁ ଭଲପାଇଲେ ?

 

କାମ ନ ଥିଲାବେଳେ ବସିବାଠାରୁ କାଶିବା ଭଲ । ତୁଚ୍ଛାରେ ଏମିତି ବସିରହିଥାନ୍ତେ, ନ ହେଲା ଜଣେ ଲୋକ କଥା ଟିକିଏ ମନେ ପକାଇଲେ । ଏୟାକୁ କ’ଣ କହନ୍ତି ଭଲପାଇବା ? କେହି କ’ଣ ତେବେ କାହାରି କଥା ମନେପକାଇବ ନାହିଁ ? କେତେ ପ୍ରକାରେ ମନକୁ ପ୍ରବୋଧ ଦେବାକୁ ଲାଗିଲେ ।

 

ରାଧାର ହୃଦୟ ଯେତେବେଳେ କୃଷ୍ଣମୟ ସେତେବେଳେ ଚନ୍ଦ୍ରସେଣାର କଥା କ’ଣ ରାଧାର କର୍ଣ୍ଣକୁହରରେ ପ୍ରବେଶ କରୁଥିଲା ? କେତେବେଳୁ ରମଣୀରଞ୍ଜନ ଖାଇବାକୁ ମାଗି ମାଗି ଥକି ଗଲେଣି; କିନ୍ତୁ ସୁମିତ୍ରାଙ୍କ ପାଖରୁ ସେ କୌଣସି ଜବାବ୍‌ ନ ପାଇବାରୁ ବିରକ୍ତିରେ କହିଲେ ‘‘ଗଣ୍ତେ ଖାଇବାକୁ ବାଢ଼ି ଦେଲେ କ’ଣ ଭାରତ ଅଶୁଦ୍ଧ ହୋଇଯିବ ?’’

 

‘‘ଯାହାକୁ କଥା କହି ଆସେ ନାହିଁ ସେ ପୁଣି କଥା କହେ କାହିଁକି ?’’ ନାକ ଛିଞ୍ଚାଡ଼ି କହିଲେ ସୁମିତ୍ରା ।

 

କୁଆର କା କା ଶବ୍ଦ ଶୁଣି ମନ ତିକ୍ତତାରେ ଭରିଯିବାବେଳେ କୋଇଲି ଆମ୍ବଗଛରେ ଗହଳି ପତ୍ରର ଆଢ଼ୁଆଳରେ ଥାଇ କୁ, କୁ, କରିଦେଲେ ପ୍ରାଣରେ ଯେପରି ଅପରିସୀମ ଆନନ୍ଦ ଜାତ ହୁଏ ଠିକ୍‌ ସେହିପରି ‘‘ନମସ୍କାର ଶ୍ରୀମତୀ ଦାସ’’ ପଦକ ଶୁଣି ଆନନ୍ଦରେ ଆତ୍ମହରା ହୋଇଗଲେ ସୁମିତ୍ରା ।

 

ଦେଖିଲେ ଆଗରେ ପ୍ରଶାନ୍ତବାବୁ ଛିଡ଼ା ହୋଇ ସ୍ୱଭାବସୁଲଭ ଭଙ୍ଗିରେ ହସୁଛନ୍ତି ।

 

‘‘ଆରେ ମି: ଦାସ ଯେ ? କ୍ଷମା କରିବେ ଆପଣଙ୍କୁ ପ୍ରଥମେ ନମସ୍କାର କରିବାର ଥିଲା-।’’ କହିଲେ ପ୍ରଶାନ୍ତ ।

 

ରମଣୀରଞ୍ଜନ ପ୍ରତିନମସ୍କାର ଜଣାଇଲେ ଏବଂ କହିଲେ ‘‘ପ୍ରଶାନ୍ତବାବୁ ! ଆପଣଙ୍କୁ ସମୟ ତ ଯଥେଷ୍ଟ ମିଳୁଛି । ଆମର ଏଆଡ଼େ ଆସିବାକୁ କ’ଣ ଆପଣଙ୍କର ମନ ବଳେ ନାଇଁ ?’’

 

‘‘ପ୍ରଶାନ୍ତବାବୁ ନ ଆସି ଭଲ କରିଛନ୍ତି । ଅନ୍ତତଃ ମଣିଷ ଚା’ କପକର ଦାମ୍‌ ତ ସଞ୍ଚୟ କରିପାରୁଛି ।’’ ଏକାନିଶ୍ୱାସରେ କହିଗଲେ ସୁମିତ୍ରା ।

 

‘‘ଆପଣଙ୍କର ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ୱନ୍ଧରେ ଯେ ବିରାଟ ଅଭିଜ୍ଞତା ରହିଛି ଏ କଥା ସରକାର ଜାଣିଅଛନ୍ତି ନା ନାହିଁ ?’’ ସିଧାସଳଖ ଭାବେ ପଚାରିଲେ ପ୍ରଶାନ୍ତ ।

 

ସୁମିତ୍ରା ଟିକିଏ କୁଟୀଳଚାହାଣୀ ଢାଳି କହିଲେ ‘‘ଆପଣମାନଙ୍କ ଲେଖାରୁ ଯାହା ଶିଖିଛି ନା ।’’ ସ୍ୱରରେ ଟିକିଏ ଲହର ଦେଇ କହିଲେ–

 

‘‘କ୍ଷୁଦ୍ର ବିନ୍ଦୁ କେତେ ମିଶି ହୁଅଇ ସାଗର,

କ୍ଷୁଦ୍ର ଧୂଳିକଣା ଗଢ଼େ ବିଶାଳ ସଂସାର,

ଦୁନିଆରେ ହେଲି ବୋଲି କ୍ଷୁଦ୍ର

ସେଥିପାଇଁ ନାହିଁ ଅଭିମାନ,

ଅହନଶ ତୁମକୁ ମୁଁ ଧ୍ୟାୟି

କରୁଥିବି ତବ ଜୟଗାନ ।’’

 

ପ୍ରଶାନ୍ତ ବିଷ୍ଫାରିତ ନୟନରେ ଚାହିଁ ରହିଲେ ସୁମିତ୍ରାକୁ । ସୁମିତ୍ରା ଓଠ ଟିପି ଟିପି ହସୁଥିଲେ କେବଳ ।

 

ରମଣୀରଞ୍ଜନ ଆସି କହିଲେ ‘‘ପ୍ରଶାନ୍ତବାବୁ ! ଦେଖନ୍ତୁ ଆପଣ ଯାଇ ନ ଥିବେ । ମୁଁ ଆସିଲେ ଟିକିଏ ଖୁସିଗପ କରିବା । ଆପଣ ଆଜି ଆମଘରେ ଖାଇବେ ।’’ ଏତିକି ଏକନିଶ୍ୱାସରେ କହି ରମଣୀରଞ୍ଜନ କାମରେ ଚାଲିଗଲେ ।

 

ଯେତେବେଳେ ରମଣୀରଞ୍ଜନ କହିଲେ ଆଜି ଟିକିଏ ଖୁସିଗପ ହେବା । ସେତେବେଳେ ସୁମିତ୍ରା ମନେ ମନେ ହସୁଥିଲେ ଓ ଭାବୁଥିଲେ କଥା ପୁଣି ଏହାଙ୍କୁ କହିଆସେ ? ଥାନା, ଚୋର, ଗୁଣ୍ତାଗହଣରେ ଯାହାର ଦିନ କଟିଯାଏ ସେ ପୁଣି ଖୁସିଗପ କରି ଜାଣେ ?

 

ସୁମିତ୍ରା ପଚାରିଲେ ‘‘ଆଚ୍ଛା ପ୍ରଶାନ୍ତବାବୁ ! ଆପଣ ଶିକାର କରିବାକୁ ଭଲପାଆନ୍ତି ?’’

 

ଭଲ ସେମିତି ପାଏ ନାହିଁ ଯେ ତେବେ ମଝିରେ ମଝିରେ ଶିକାର କରିବାକୁ ଇଚ୍ଛା ହୁଏ’’ କହିଲେ ପ୍ରଶାନ୍ତ ଅତି ସହଜଭାବରେ ।

 

‘‘ଗୁଳି ଫୁଟାଇଲା ପରେ ଜନ୍ତୁଟା ଯଦି ପଳାଇଯାଏ ତାକୁ ଖୋଜାଖୋଜି କରନ୍ତି, ନା ନ ଖୋଜି ପଳାଇ ଆସନ୍ତି ?’’ ଏତିକି ପଚାରି ଉତ୍ସୁକଭାବେ ପ୍ରଶାନ୍ତକୁ ଅନାଇଲେ ସୁମିତ୍ରା ।

 

ଲକ୍ଷ୍ୟ ନିର୍ଭୁଲ ହେଲେତ ଖୋଜିବାର ପ୍ରଶ୍ନ ମୋଟେ ଉଠେ ନାହିଁ । କେବଳ ଗୋଟେଇ ଆଣିବା କଥା । ଯଦି ଲକ୍ଷ୍ୟସ୍ଥଳରେ ଗୁଳି ନ ବାଜେ ଜନ୍ତୁ ପଳାଇଯାଏ ।’’ କହିଲେ ପ୍ରଶାନ୍ତ ।

 

‘‘ପଳାଇଗଲା ବୋଲି ଶିକାରୀ କ’ଣ ଆଉ ଖୋଜିବ ନାହିଁ ?’’ ଦରଦ କଣ୍ଠରେ ପଚାରିଲେ ସୁମିତ୍ରା ।

 

‘‘ନିଶ୍ଚୟ ଖୋଜିବ ନା,’’ ଅକୃତ୍ରିମ ସ୍ୱରରେ କହିଲେ ପ୍ରଶାନ୍ତ ।

 

ସେଥିପାଇଁ ଆଜି ପନ୍ଦର ଦିନ ପରେ ଆସିଲେ । ସୁମିତ୍ରାର ଆଖି ଦୁଇଟି ଛଳ ଛଳ ହୋଇଗଲା ।

 

ପ୍ରଶାନ୍ତ ଚମକି ପଡ଼ିଲେ । ନାରୀର ଆଖିରେ ଲୁହ ଦେଖି ଯେଉଁ ପୁରୁଷ ଆଖିରେ ଲୁହ ନ ଆସେ ସେ ଯେ କେଉଁ ଜାତିର ପୁରୁଷ ତାହା କାମଶାସ୍ତ୍ର ପ୍ରଣେତା ବାତ୍ସ୍ୟାୟନ କହିପାରିବେ ।

 

ପ୍ରଶାନ୍ତର ଆଖିରେ ଲୁହ ଜମିଗଲା । ପ୍ରଶାନ୍ତ ଅପରାଧୀ ଭଳି କହିଲେ ‘‘ସୁମିତ୍ରା ଦେବୀ-! ମୋତେ କ୍ଷମା କରନ୍ତୁ । ମୋର ଅନୁପସ୍ଥିତି ଯେ ଆପଣଙ୍କୁ ଏତେ ଆଘାତ ଦେଇଛି...’’

 

ସୁମିତ୍ରାଙ୍କର ଦୁଇ ଆଖିରୁ ଲୁହ ଧାର ଧାର ହୋଇ ଗଡ଼ିଆସିଲା । ସେ ବାଷ୍ପାକୁଳ କଣ୍ଠରେ କହିଲେ ‘‘ଆପଣ ଯାଆନ୍ତୁ । ଚାଲିଯାଆନ୍ତୁ ଆପଣ ପ୍ରଶାନ୍ତବାବୁ । କାହିଁକି ଆପଣ ଆସିଲେ ? କିଏ କହିଥିଲା ଆପଣଙ୍କୁ ଆସିବାକୁ ?’’

 

‘‘ସୁମିତ୍ରା ଦେବୀ ! ଟିକିଏ ଅନାନ୍ତୁ ’’ କହି ପ୍ରଶାନ୍ତ ସୁମିତ୍ରା ପାଖକୁ ଘୁଞ୍ଚିଗଲେ ।

 

‘‘ଆପଣ ବସନ୍ତୁ । କିଛି ଭାବିବେ ନାହିଁ । ମଝିରେ ମଝିରେ ମୋର ଏମିତି ହୁଏ । କ’ଣ ଯେ କାହାକୁ କହେ ମୁଁ ମଧ୍ୟ ବୁଝିପାରେ ନାହିଁ ।’’ କହି କଇଁ କଇଁ କାନ୍ଦିଲେ ସୁମିତ୍ରା ।

 

ପ୍ରଶାନ୍ତ ରୁମାଲ କାଢ଼ି ସୁମିତ୍ରାର ଲୁହ ପୋଛି ଦେଇ କହିଲେ ‘‘ଏତେ ଅଧୈର୍ଯ୍ୟ ହୋଇ ଲାଭ କ’ଣ-? ଏ ଭୁଲ୍‌ ଜୀବନରେ ଆଉ କେବେ କରିବି ନାହିଁ । ଥରକପାଇଁ ମୋତେ କ୍ଷମା କରନ୍ତୁ-।’’

 

ସୁମିତ୍ରା ତେବେ ସୁଦ୍ଧା ପ୍ରକୃତିସ୍ଥ ହୋଇ ନ ଥିଲେ । ସେ ପୂର୍ବପରି ଅସହିଷ୍ଣୁ ଭାବେ କହିଲେ ‘‘କୁମୁଦିନୀ ଝୁରି ଝୁରି ମରିଯାଏ । ତା’ର ଦୁଃଖ କ’ଣ ଚନ୍ଦ୍ର ବୁଝେ ? ଓଲଟି ସେ ଉପହାସ କରେ ନାହିଁକି ?’’

 

‘‘ମୋତେ ଭୁଲ୍‌ ବୁଝନ୍ତୁ ନାହିଁ ସୁମିତ୍ରା ଦେବୀ !’’ ପ୍ରଶାନ୍ତ କହିଲେ, ‘‘ପାଖରେ ଯେତେବେଳେ ଅଛନ୍ତି କେତେ ସମବେଦନା ଯେ ପ୍ରକାଶ ନ କରିବେ ତା’ର ହିସାବ କିଏ ବା ରଖିବ ? କିନ୍ତୁ ଏଠାରୁ ଚାଲିଗଲେ ବିଦ୍ରୂପ କରି କହିବେ ସ୍ୱାମୀକୁ ହତାଦାର କରି ଅନ୍ୟ ଜଣକୁ ଭଲ କେହି ପାଏ ଯେ ଏ ମୋତେ ପୁଣି ଭଲ ପାଇବେ । କେବଳ ଏ ସବୁ ଛଳନା । ଯାହାର ଚରିତ୍ର ନାହିଁ ସେ ଅନେକ କଥା କହିଜାଣେ ।’’

 

ପ୍ରଶାନ୍ତ ଭାବୁଥିଲେ ପ୍ରାଣର ନିଭୃତତମ ପ୍ରଦେଶରେ ଯେଉଁକଥା ଗୁମୁରି ଉଠେ ତାହା ନିଜର ଭାବି ଅନ୍ୟ କାହାକୁ କହିଦେଲେ ନାରୀ କ’ଣ ହୁଏ ଚରିତ୍ରହୀନା ?

 

ବିବାହ ବେଦୀ ଉପରେ ଯାହା ହାତରେ ତା’ର ହାତକୁ ଜବରଦସ୍ତ ନେଇ ବାନ୍ଧି ଦିଆଯାଏ ସେ କ’ଣ ହୁଏ ତା’ର ସବୁ ?

 

ବିଚିତ୍ର ବୁଝାମଣା ଏ ସମାଜର । ଧନ୍ୟ ସମାଜ ! ଧନ୍ୟ ତା’ର କୁସଂସ୍କାର !!!

 

ପ୍ରଶାନ୍ତ ଟିକିଏ ଉତ୍ତେଜିତଭାବେ କହିଲେ ‘‘ସୁମିତ୍ରା ଦେବୀ ! ଆପଣଙ୍କର ଭାଷାଜ୍ଞାନ ନାହିଁ ।’’

 

ମୁଁ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ଠିକ୍‌ । ଆପଣ ପୁରୁଷ । ନାରୀକୁ ସମାଲୋଚନା କରିବା ଆପଣମାନଙ୍କର ସ୍ୱଭାବ । ପୁଣି ସହଜେ ଆପଣ କବି । ଛୋଟକଥାକୁ ବଢ଼ାଇ କେତେ ବିଶ୍ଳେଷଣ କରି ଲେଖିବେ-

 

‘‘ଅନ୍ୟ ପାଶେ ବିକି ହୃଦ

କୁଳଟା ବି କହେ ମୁହିଁ ସତୀ ।’’

 

‘‘ସୁମିତ୍ରା ଦେବୀ ! ଆପଣ ଜଣେ ଭଦ୍ରଲୋକ ସଙ୍ଗେ କଥାବାର୍ତ୍ତା କରୁଛନ୍ତି ? ଏହା କ’ଣ ଭୁଲି ଯାଉଛନ୍ତି ?’’ କହିଲେ ପ୍ରଶାନ୍ତ ।

 

‘‘ଯେଉଁମାନେ ମିଠାକଥା କହି ନିଜକୁ ଭଦ୍ରବୋଲି କହି ବୁଲନ୍ତି ସେମାନେ କ’ଣ ପ୍ରକୃତରେ ଭଦ୍ର ?’’ ପ୍ରଶ୍ନବାଚକ ଦୃଷ୍ଟିରେ ପ୍ରଶାନ୍ତ ମୁହଁକୁ ଅନାଇଲେ ସୁମିତ୍ରା ।

 

‘‘ତେବେ ସେମାନେ କ’ଣ ଗଣ୍ଠିକଟା ?’’

 

‘‘ଗଣ୍ଠିକଟାଠାରୁ ସେମାନେ ଆହୁରି ‘‘ଭୟଙ୍କର । ସେମାନେ ହେଉଛନ୍ତି ତଣ୍ଟିକଟା । ଗଣ୍ଠିକଟା ଧନ ଲୋଭରେ ଯାହାକିଛି କରେ; କିନ୍ତୁ ଆପଣଙ୍କ ପରି ଲୋକ ତ ଧନ ଚାହାନ୍ତି ନାହିଁ, ଚାହାନ୍ତି ଅପରର ପ୍ରାଣ ନେବାକୁ । କେଡ଼େ ଜଘନ୍ୟ ଆପଣମାନଙ୍କର ମନୋବୃତ୍ତି । ନୋହିଲେ କି ଗୋଟାଏ କୁଳର ଭୁଆସୁଣୀ ଜଣକପାଇଁ କୁଳ, ମାନ ଛାଡ଼ି ଶେଷରେ ବିରକ୍ତ ହୋଇ କହିଥାନ୍ତା ‘‘ଶ୍ୟାମକୁ ଜୁହାର, ତା’ର ପ୍ରେମକୁ ଜୁହାର ।’’ ଏତିକି କହି ହସକୁ ସମ୍ବରଣ କରିବାକୁ ସୁମିତ୍ରା ମୁହଁରେ ଲୁଗା ଯାକିଲେ ।

 

‘‘ସତରେ ସୁମିତ୍ରା ଦେବୀ ! ଦ୍ୱିତୀୟା ତିଥି ଚନ୍ଦ୍ରମାର ହସ କେଡ଼େ ହୃଦୟସ୍ପର୍ଶୀ ?’’ କହିଲେ ମୃଦୁ ହସ ହସି ପ୍ରଶାନ୍ତ ।

 

‘‘ବେହିଆ ଲାଜଲାଗୁ ନାହିଁ । ଏତେ ଶୁଣି ସୁଦ୍ଧା ଆପଣଙ୍କୁ ସରମ ନାହିଁ ଯେ ପୁଣି ହସୁଛନ୍ତି । ଆପଣପରା ପୁରୁଷ । ଟିକିଏ ପୌରୁଷ ମଧ୍ୟ ଆପଣଙ୍କର ନାହିଁ ? କହିଲେ ସୁମିତ୍ରା ।

 

‘‘କୃଷ୍ଣ ରାଧାର ପଦତଳେ ବସି ଯେତେବେଳେ ପ୍ରେମ ନିବେଦନ କରି କହିଥିବେ ‘ଦେହି ପଦ-ପଲ୍ଲବ ମୁଦାରଂ’ ସେତେବେଳେ ନିଶ୍ଚୟ ଶ୍ରୀମତୀ ରାଧା କୃଷ୍ଣଙ୍କ ପୌରୁଷ ସମ୍ବନ୍ଧରେ ପ୍ରଶ୍ନ କରିଥିବେ ।’’

 

ଅନେକ ସ୍ଥଳରେ ଦେଖାଯାଏ ଯେ ସ୍ତ୍ରୀମାନେ ମନ ଅପେକ୍ଷା ଦେହଟା ବିଶେଷ କରି ଯାବୁଡ଼ି ଧରନ୍ତି । ଏଣୁ ନିକାଞ୍ଚନରେ ପ୍ରେମିକ, ପ୍ରେମିକା ଶୃଙ୍ଗାର ରସ ସମ୍ବନ୍ଧରେ ଚର୍ଚ୍ଚା କରିବା ସମୟରେ ହଠାତ୍‌ ସ୍ତ୍ରୀଟି ଯେତେବେଳେ ଅଧିକ ପରିମାଣରେ ଭାବପ୍ରବଣ ହୋଇଉଠେ ସେ ସେତେବେଳେ ନିଜ ଦେହ ସମ୍ବନ୍ଧରେ ବିଶେଷ କିଛି ଚିନ୍ତା ନ କରି ମନେ ମନେ ଭାବେ ଯାହାକୁ ମନ ଦେଇ ଦେଲି ତାହାକୁ ଦେହଟା ଦେଇଦେଲେ କ୍ଷତି କ’ଣ ? କିନ୍ତୁ ପରକ୍ଷଣରେ ମନ ପୁଣି ବାସ୍ତବ ଜଗତକୁ ଦେହଟା ଜଗତକୁ ଫେରିଆସେ । ସେ ସଜାଗ ହୋଇଯାଏ । ଭାବେ ଦେହଟା ଦେଇଦେବ ଏତେ ସହଜରେ ? ଦେହ କ’ଣ ଦେବା ଜିନିଷ । ତେଣୁ ସେ ଆଲୋଚ୍ୟ ବିଷୟ ଏଡ଼ିଦେଇ ଅନ୍ୟ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟାକରେ । ଠିକ୍‌ ସୁମିତ୍ରା ମଧ୍ୟ ପ୍ରଶାନ୍ତକୁ ବାଧା ଦେଇ କହିଲେ ‘‘ଆଉ ସେ କଥା । ପ୍ରେମରୁ ଆମକୁ କ’ଣ ମିଳିବ ? ଆଗ କହିଲେ ଆପଣ କାହିଁକି ଆଜିଯାଏ ଏଠାକୁ ଆସୁ ନ ଥିଲେ ? ଦେଖନ୍ତୁ ସରଳ ମଣିଷ ଭଳି ଉତ୍ତର ଦେବେ । କବି ଭାଷାରେ ମୋଟେ ଉତ୍ତର ଦେବେ ନାହିଁ ।’’

 

‘‘ତେବେ ଆପଣଙ୍କ ଭାଷାରେ କବିମାନେ କ’ଣ ମୋଟେ ସରଳ ନୁହଁନ୍ତି ?’’ କହି ପ୍ରଶାନ୍ତ ହସିଲେ ।

 

‘‘ଦେଖନ୍ତୁ ପ୍ରଶାନ୍ତ ବାବୁ ! ହସିବା ଲୋକଙ୍କୁ ମୋଟେ ମୋତେ ଭଲ ଲାଗେ ନାହିଁ । ପୁରୁଷ ପରା ସବୁବେଳେ ସମୁଦ୍ରଭଳି ଗମ୍ଭୀର ହେବା ଉଚିତ ।’’ କହିଲେ ସୁମିତ୍ରା ।

 

ନଦୀ କଳଗାନରେ ଯେ ସାଗରର ଗାମ୍ଭୀର୍ଯ୍ୟ ଉଭେଇଯାଏ । ସେଥିପାଇଁ ସେ ତା’ର ପ୍ରିୟତମାକୁ ଆଦରରେ ଆଲିଙ୍ଗନ କରିବାକୁ ଆତ୍ମହରା ହୋଇ ଧାଇଁଆସେ ନାହିଁକି ? ଭ୍ରୂଲତା ନଚାଇ କହିଲେ ପ୍ରଶାନ୍ତ ।

 

‘‘କଥା ତ କହିବେ । ସେଥିରେ ପୁଣି ଭ୍ରୂଭଙ୍ଗୀ, ମୁରୁକି ହସ, କେତେ ଛଇ ଛଟକ ଆପଣଙ୍କୁ ନ ଆସେ ? ଫୁଟିଯାଆନ୍ତା ହେଲେ ଆଖି ଦୁଇଟା ।’’ ସୁମିତ୍ରାଙ୍କ ଓଠରେ ହସର ସରୁ ରେଖାଟିଏ ଫୁଟି ଉଠିଲା ।

 

‘‘ମୁଁ ତ ସେୟା ଚାହୁଁଛି । ବିଲ୍ୱମଙ୍ଗଳ ଭଳି ଦୁଆରେ ଦୁଆରେ ଗାଇ ବୁଲନ୍ତି ‘ତୁମକୁ ନ ଦେଖି ଅନ୍ଧ ହେଲା ମୋ ନୟନ, ପ୍ରିୟା ହେ ! ପ୍ରିୟା ହେ !’’

 

‘‘ହେ ପ୍ରଶାନ୍ତ ବାବୁ ! ଚୁପ କରନ୍ତୁ । ଆପଣ କ’ଣ ସତେ ଆଉ ପାଗଳ ହୋଇଗଲେକି ? ଆପଣ ପାଗଳ ହୁଅନ୍ତୁ ସେଥିରେ ମୋର କ୍ଷତି କିଛି ନାହିଁ; କିନ୍ତୁ ଆଉ ଜଣେ ଯଦି ପାଗଳୀ ହୋଇଯାଏ......’’କହି ହସିଲେ ସୁମିତ୍ରା ।

 

‘‘ବିକୃତ ମସ୍ତିଷ୍କ ବିଶିଷ୍ଟ ଲୋକ ତା’ର ଖେୟାଲ ନେଇ ରାସ୍ତା ଘାଟରେ ଘୂରିବୁଲେ; କିନ୍ତୁ ତା’ର ମସ୍ତିଷ୍କ ବିକୃତିପାଇଁ ଯେ ଦାୟୀ ତାହାର ମାନସିକ ଅବସ୍ଥା କେହି କ’ଣ ବୁଝିପାରେ ?’’

 

ବାଗେଇ ବେଗେଇ ମିଠା କଥା କହି ସିଧା ରାସ୍ତାରେ ଯିବା ମଣିଷକୁ ବଙ୍କା ରାସ୍ତାରେ ନେଇଯିବା ପରା କବିମାନଙ୍କର ସ୍ୱଭାବ । ସତରେ ଏହି କବିଗୁଡ଼ାକ ଉପରେ ଆକାଶଟା ଖସିପଡ଼ନ୍ତା କି ? କ’ଣ କହୁଛନ୍ତି ପ୍ରଶାନ୍ତ ବାବୁ ! ଭଲ ହୁଅନ୍ତା ନାହିଁ ?

 

‘‘ଯାହାର ଉପସ୍ଥିତିରେ ଦେହ ଜଳିଯାଏ, ତାହାର ଅନୁପସ୍ଥିତିରେ ପ୍ରାଣ ଯେ ଅସ୍ଥିର ହୁଏ ଏହା କ’ଣ ଆପଣ ଅସ୍ୱୀକାର କରନ୍ତି’’ କହି ପ୍ରଶାନ୍ତ ଘଣ୍ଟାକୁ ଅନାଇଲେ । ‘‘ଦୁଇ ବାଜିବ’’ କହି ପ୍ରଶାନ୍ତ କହିଲେ ‘‘ତେବେ ମୁଁ ଆସୁଛି ଶ୍ରୀମତୀ ଦାସ ।’’

 

‘‘ଏଠାରେ ଖାଇବେ ପରା । ଖାଇଲେ କ’ଣ ଦେହ ମାରା ହୋଇଯିବ ?’’ ଏତିକି ଟିକିଏ ଅସ୍ୱାଭାବିକ ଭାବେ କହିଲେ ସୁମିତ୍ରା ।

 

‘‘ଦେହଟା ସ୍ତ୍ରୀ ପାଖରେ ଅଧିକ ମୂଲ୍ୟବାନ ତେଣୁ...’’

 

ସୁମିତ୍ରା ପ୍ରଶାନ୍ତ କଥାରେ ବାଧାଦେଇ କହିଲେ ‘‘ଆପଣ ଗଲେ ଶୀଘ୍ର ଗଲେ ଏଠାରୁ । ମଣିଷ ପୁଣି ଭଦ୍ରାମିର ସୀମା ଟପିଯାଏ କିପରି ?’’ ସୁମିତ୍ରାଙ୍କ ମୁହଁରେ ଉଛୁଳା ହସର ଲହରୀ ।

 

‘‘ନିଜ ଲୋକଠାରୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ଭାରି ଭଲ ଲାଗେ ସତରେ ସୁମିତ୍ରା ଦେବୀ । ଆଖି କୋଣରେ ପ୍ରଶାନ୍ତର ଥିଲା କୁଟୀଳ ଚାହାଣୀ ।

 

‘‘ଆପଣ ତ କବିତା ଲେଖନ୍ତି । କୃଷ୍ଣଙ୍କ ଆଖି କୋଣରେ ବଙ୍କିମ ଚାହାଣୀ ଦେଖି ରାଧା ଯେତେବେଳେ ତନ୍ମୟ ହୋଇ...’’

 

ସୁମିତ୍ରାଙ୍କୁ କହିବାକୁ ନ ଦେଇ ପ୍ରଶାନ୍ତ ହସି ହସି କହିଲେ ରାଧା ତନ୍ମୟ ହୋଇ ଯାଉଥିବା ନା ଦେଖି ଜଳିପୋଡ଼ିଯାଇ କହୁଥିବ ହେ ନଟନାଗର ! ତୁମ ନୟନ କୁନ୍ତର ତୀକ୍ଷ୍‌ଣତା ଆଉ ନାହିଁ । ତେଣୁ ମୁଁ ପାଷାଣପରି ଅଟଳ । ଯେତେବେଳେ ରାଧା ଏହା କହିବେ କାହିଁ ଯାଆନ୍ତି ଆଉ ଶ୍ରୀକୃଷ୍ଣ । ସେ ତତ୍‌କ୍ଷଣାତ୍ ରାଧା ପଦ ତଳରେ ବସି କହୁଥିବେ ‘ସ୍ମର ଗରଳ ଖଣ୍ଡନଂ ।’ ଏତିକି କହି ନିଜେ ବସିପଡ଼ିଲେ ସୁମିତ୍ରାଙ୍କ ପଦ ତଳରେ ।

 

ସୁମିତ୍ରା ହସି ହସି, ଗଡ଼ିଗଲେ; କିନ୍ତୁ କେଉଁ କଥା କେଉଁ ବାଟକୁ ଯେ ଗଲାଣି ସେ କଥାକୁ କ’ଣ ସୁମିତ୍ରାଙ୍କର ନଜର ଥାଏ । ରଙ୍ଗରସ କରୁ କରୁ ପାଣି ତାଳୁକୁ ଉଠିଲାଣି । ସୁମିତ୍ରା ଛାନିଆ ହୋଇ କହିଲେ ‘‘ହେ ପ୍ରଶାନ୍ତ ବାବୁ ! ଦୟା କରି ଶୀଘ୍ର ଉଠନ୍ତୁ । ଲୋକ ଦେଖିଲେ ଆଉ ମୁହଁ ଦେଖାଇ ହେବ ?’’

 

‘‘ଠିକ୍ ଆପଣଙ୍କ ଭଳି ରାଧା ଛାନିଆ ହୋଇ ପଡ଼ିଥିବେ; କିନ୍ତୁ କୃଷ୍ଣ ପକ୍‌କା ମଣିଷ । ସେ କ’ଣ ସେତିକିରେ ଛାଡ଼ୁଥିବେ ।’’ ପୁଣି ସୁମିତ୍ରାଙ୍କ ପଦ ଦୁଇଟିରେ ମଥା ରଖି ପ୍ରଶାନ୍ତ କହିଲେ ‘‘ହେ ଦେବୀ ! ଚିର ଦାସ ହେବାକୁ ଶ୍ରୀପଦ ତଳରେ ମୋର ଏକାନ୍ତ ଅଭିଳାଷ । ଏ ଦାସର ନିବେଦନ ରକ୍ଷା କରନ୍ତୁ ।’’

 

ସୁମିତ୍ରା ଗୋଡ଼ ଜବରଦସ୍ତ ଛଡ଼ାଇ ନେଇ ଉପରେ ବିରକ୍ତଭାବ ପ୍ରକାଶ କରି ପ୍ରଶାନ୍ତକୁ କହିଲେ ‘‘ପ୍ରଶାନ୍ତ ବାବୁ ! ଆପଣ ଏତେ ନୀଚ ମନୋବୃତ୍ତି ନେଇ ଦୁନିଆରେ ଯେ ବଞ୍ଚି ରହିଛନ୍ତି ସେ କଥା ଦୁନିଆ କ’ଣ ଜାଣିପାରୁ ନାହିଁ ?’

 

ଦୁନିଆ ଜାଣିପାରିଲା ବୋଲି ତ ଆପଣଙ୍କୁ ଆଣି ଏତେ ଦିନ ପରେ ଜୁଟାଇ ଦେଲା । ଯିଏ ଯାହା ନିଷ୍ଠା ସହକାରେ ଖୋଜେ ଭଗବାନ ତାହା ତାକୁ ଆଣି ନିଶ୍ଚୟ ଦିଅନ୍ତି । ସେ ପରା ଅନ୍ତର୍ଯ୍ୟାମୀ ।

 

‘‘ହେ ପ୍ରଶାନ୍ତ ବାବୁ ! ଭଗବାନଙ୍କୁ ଆଣି ଏଠାରେ ଆଉ ପୂରାନ୍ତୁ ନାହିଁ । ଯାହା ତ କଲେଣି, ପୁଣି ଭଗବାନଙ୍କୁ ନେଇ ଖେଳ ?’’ କହିଲେ ସୁମିତ୍ରା ।

 

ସେ ଯେତେବେଳେ ମୋତେ ଆଣି ଖେଳରେ ପୂରାଇଲେ ମୁଁ କ’ଣ ତାଙ୍କୁ ସହଜରେ ଛାଡ଼ିଦେବି ।’’

 

ପ୍ରଶାନ୍ତ ମୁହଁରୁ ‘ଖେଳ’ ଶବ୍ଦଟା ଶୁଣି ଶିହରି ଉଠିଲେ ସୁମିତ୍ରା । ତେବେ ପ୍ରଶାନ୍ତ କ’ଣ ଖେଳିବାକୁ ଆସିଛନ୍ତି ?

 

ଆଜି ଅନେକ ଦିନ ତଳର କଥା ସୁମିତ୍ରାଙ୍କ ମନ ମଧ୍ୟରେ ବିଜୁଳୀ ବେଗରେ ଖେଳିଗଲା-। ଯୌବନର ପ୍ରଥମ ସୋପାନରେ ସେ ପାଦ ବଢ଼ାଇଥା’ନ୍ତି । ହସି ହସି ଆଗେଇ ଆସିଥିଲେ ବୀରେନ୍ଦ୍ର ଖେଳିବାକୁ ସୁମିତ୍ରା ସାଥୀରେ । ସେ ଖେଳିଲେ । ପାରିଲେ ନାହିଁ ସୁମିତ୍ରାଙ୍କୁ । ଖେଳରେ ହାରିଯାଇ ଫେରିଗଲେ ।

 

ବୀରେନ୍ଦ୍ର ଯିବା ପରେ କେତୋଟି ଦିନ ଛାଡ଼ି ଆସିଲେ ପ୍ରଣବ । ବେଶ ଚଲାକ ଚତୁର ପୁରୁଷ । ତାଙ୍କୁ ଜିଣିବାକୁ ଅବଶ୍ୟ ସୁମିତ୍ରାଙ୍କୁ ଟିକିଏ ପରିଶ୍ରମ କରିବାକୁ ପଡ଼ିଥିଲା । ହାରିଯାଇ ଚାଲିଗଲେ ଚିରଦିନପାଇଁ ପ୍ରଣବ ।

 

ତା’ପରେ ଆସିଲେ ଶ୍ରୀଚନ୍ଦନ । ତାଙ୍କର କଥାରେ ଅବଶ୍ୟ ସୁମିତ୍ରା ପ୍ରଥମେ ଆଶଙ୍କା କରିଥିଲେ; କିନ୍ତୁ ଶେଷରେ ଶ୍ରୀଚନ୍ଦନ ସୁମିତ୍ରାଙ୍କର ପଦଧୂଳି ମଥାରେ ମାରି ବାହୁଡ଼ିଗଲେ ।

 

ସେତେବେଳେ ସୁମିତ୍ରାଙ୍କୁ ଆନନ୍ଦ ଲାଗୁଥିଲା । ସେଦିନର ଆନନ୍ଦ କିମ୍ୱା ସ୍ପୃହା ସୁମିତ୍ରାଙ୍କର ଆଜି ନାହିଁ । ସେ ସଂସାରର ଝଡ଼ ଖାଇ ଖାଇ ଭାଜି ପଡ଼ିଛନ୍ତି । ସେ ଚାହାନ୍ତି ଜୀବନରେ ଗୋଟିଏ ବନ୍ଧୁ ଯେ ତାଙ୍କୁ ଆଜି ଛିଡ଼ାକରାଇ ଦେଇ ପାରିବ ଓ ପାଖେ ପାଖେ ଥାଇ ବାଟ କଢ଼ାଇ ନେବ ।

 

ବଳ ବୟସ ଥିଲେ ମଣିଷ ହିମାଳୟ ଉପରକୁ ଫିଙ୍ଗିଦେଇ ତଳେ ମଥାପାତି ଦେବାକୁ ମଧ୍ୟ ଦୁଃସାହସ କରେ । ମନର ବଳ ଭାଙ୍ଗିଗଲେ ମଣିଷ ବସିବା ସ୍ଥାନରୁ ମଧ୍ୟ ଉଠିବାକୁ ଇଚ୍ଛା କରେ ନାହିଁ ।

 

ଦିନେ ସୁମିତ୍ରା ନିଜର ରୂପପାଇଁ ଓ ମୋହିନୀ ଶକ୍ତିପାଇଁ ଗର୍ବ କରୁଥିଲେ । ସେଦିନ ତାଙ୍କ ସାଥୀରେ ଖେଳିବାକୁ ଯେଉଁ ବୀରେନ୍ଦ୍ର, ଶ୍ରୀଚନ୍ଦନ ପ୍ରଭୃତି ଆସିଥିଲେ ସେହି ବୀରେନ୍ଦ୍ର ଇତ୍ୟାଦି ବୁଝିପାରିଥିଲେ ସେ ଖେଳରେ ସୁମିତ୍ରାଙ୍କର ଆନ୍ତରିକତା ମୋଟେ ନ ଥିଲା । ସୁମିତ୍ରା ସେତେବେଳେ ବେଶ୍‌ ହୃଦୟଙ୍ଗମ କରିଥିଲେ ଅନଳ ଦେଖି ପତଙ୍ଗ ଯେପରି ଅଗ୍ନିରେ ଝାସ ଦେବାକୁ ଆଗେଇ ଆସେ ଠିକ୍‌ ସେହିପରି ବୀରେନ୍ଦ୍ର, ପ୍ରଣବ ଇତ୍ୟାଦି ତାଙ୍କର ରୂପର ଜ୍ୱଳନ୍ତ ଲାଭାସ୍ରୋତରେ ଅବଗାହନ କରିବାକୁ ଆସିଥିଲେ ଏବଂ ସାହସ ନ ହେବାରୁ ପୁଣି ଫେରିଗଲେ ।

 

ଆଜି ସୁମିତ୍ରାର ଆଉ କ’ଣ ଅଛି ଯେ ସେ ଖେଳିବେ । ମନ ମଧ୍ୟରୁ ରୂପର ଗର୍ବ ଅନେକ ଦିନରୁ ଉଭେଇ ଗଲାଣି । ତାଙ୍କର ଯଦି ରୂପର ଆକର୍ଷଣୀ ଶକ୍ତି ଥିଲା ତେବେ ସେ ରମଣୀରଞ୍ଜନ ଭଳି ଗୋଟାଏ କଦାକାର ପୁରୁଷର ମନ କିଣି ପାରିଲେ ନାହିଁ କାହିଁକି ?

 

ପୁଣି ସୁମିତ୍ରା ଭାବୁଥିଲେ ଯାହାର ସୌନ୍ଦର୍ଯ୍ୟବୋଧ ନାହିଁ ସେ ପୁଣି ସୌନ୍ଦର୍ଯ୍ୟର ବ୍ୟାଖ୍ୟା କରି ପାରିବ କିପରି ? ମନକୁ ଏ ଯୁକ୍ତି ଖାପ ଖାଇଲା ନାହିଁ ।

 

ସେ ପୁଣି ଭାବିଲେ ଜଗତରେ ବହୁତ ସୁନ୍ଦରୀ ସ୍ତ୍ରୀ ଦେଖା ଯାଆନ୍ତି । ନାରୀଙ୍କ ତୁଳନାରେ ସୁନ୍ଦର ପୁରୁଷଙ୍କ ସଂଖ୍ୟା ବହୁତ କମ୍‌ । ଏଣୁ ପୁରୁଷର ସୌନ୍ଦର୍ଯ୍ୟ ପାଖରେ ନାରୀର ସୌନ୍ଦର୍ଯ୍ୟ କିଛି ନୁହେଁ । ତେବେ ପ୍ରଶାନ୍ତ ନିକଟରେ ନିଜର ସୌନ୍ଦର୍ଯ୍ୟ ପାଇଁ ଗର୍ବ ନ କର ସେ ପ୍ରଶାନ୍ତର ପ୍ରଣୟ ଭିକ୍ଷା କରିବେ । ସେ ପ୍ରଶାନ୍ତ ପାଖରେ ହାରିଯିବାକୁ ଚାହାନ୍ତି । ପ୍ରଶାନ୍ତକୁ ସେ କୌଣସି ପ୍ରକାରେ ଛାଡ଼ି ଦେବେ ନାହିଁ । ତେବେ କ’ଣ ସେ ପ୍ରଶାନ୍ତ ପାଖରେ ଗୋଟିଏ ଉପଯାଚିକା ସ୍ତ୍ରୀ ହୋଇ ଛିଡ଼ା ହେବେ ?

 

ପୁରାଣରେ ଅଛି ଉର୍ବଶୀର ପ୍ରଣୟପାଇଁ ପୁରୁରବାଙ୍କୁ ବହୁଶ୍ରମ ସ୍ୱୀକାର କରିବାକୁ ହୋଇଥିଲା । ପୁଣି ସେହି ଉର୍ବଶୀଙ୍କୁ ତ ଅର୍ଜ୍ଜୁନ ଅନାୟସରେ ଫେରାଇ ଦେଇଥିଲେ ।

 

ଜଳି ଜଳି ମରିଯିବା ଉଚିତ; କିନ୍ତୁ ପାଟି ଖୋଲି ହଁ କହିଲେ ସ୍ତ୍ରୀର ମର୍ଯ୍ୟାଦା ନଷ୍ଟ ହୋଇଯାଏ । ସ୍ୱାମୀ ହେଉ ବରଂ ତାଙ୍କ ପାଖରେ ମଧ୍ୟ ନାହିଁ କରିବାକୁ ପଡ଼ିବ । ଯେଉଁ ଜିନିଷ ଯେତେ ଆବରଣ ମଧ୍ୟରେ ରହେ ତାହାର ମୂଲ୍ୟ ସେତେ ବେଶି ।

 

ସୁମନ୍ତଙ୍କ କପାଳରେ ବିନ୍ଦୁ ବିନ୍ଦୁ ହୋଇ ଝାଳ ଦେଖାଗଲା । ଇସ୍‌, ସେ ନିଜେ କେଡ଼େ ସ୍ୱାର୍ଥପର ! ସେ ନିଜର ଭୁଲ ବୁଝି ନ ପାରି ସୁନନ୍ଦା ଉପରେ ଦୋଷ ସେଦିନ ଢାଳି ଦେଇ ସୁନନ୍ଦା ସଙ୍ଗେ କୌଣସି ସମ୍ପର୍କ ସେହି ଦିନ ପାଖରୁ ରଖି ନାହାନ୍ତି । ପ୍ରକୃତରେ ସୁନନ୍ଦାର ବା ଅପରାଧ କେଉଁଠି ରହିଥିଲା ? ଏ ରହସ୍ୟ ସେ ଆଜି ସୁଦ୍ଧା ଭେଦ କରି ପାରିଲେ ନାହିଁ ।

 

ସୁନନ୍ଦା ନିଶ୍ଚୟ ଆଜି ମନେ ମନେ ଆନନ୍ଦ ଅନୁଭବ କରି କହୁଥିବ ଭଗବାନଙ୍କର ଅସୀମ ଦୟା ଯେ ସେ ଗୋଟିଏ ଅପଦାର୍ଥ ହାତରୁ ତାକୁ ରକ୍ଷା କରିଛନ୍ତି । ନିଜର ଆଚରଣପାଇଁ ସେ ଲଜ୍ଜିତ ହେଲେ । ଆଜି ଏତେ ଦିନ ପରେ ସୁମନ୍ତ ବୁଝିଲେ ‘ନା’ କହିବା ହେଉଛି ନାରୀ ଜାତିର ଜନ୍ମଗତ । ‘ଅକାଳେ ନିୟମ ନାସ୍ତି’ ଏହା କ’ଣ ତେବେ ନାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ?

 

ଲେଖନୀ ଅବିଶ୍ରାନ୍ତ ଚାଲିଲା । ସୁମନ୍ତ ପୁଣି ଲେଖିଲେ ଧୂଳି ଖେଳିବାକୁ ସୁମିତ୍ରା ଆଜି ରାଜି ନୁହଁନ୍ତି । ଗାଁ ଦାଣ୍ତରଧୂଳି ଘର ଠିକ୍‌ ଘର ନୁହେଁ । ଇଟା, ଚୂନ, ସୁରକିରେ ଯେଉଁ ଘର ଗଢ଼ାଯାଏ ତାହା ଠିକ୍‌ ଘର । ଏ ଘର ମୋଟେ ଭାଙ୍ଗିବ ନାହିଁ; କିନ୍ତୁ କିଛି ଦିନ ଇଟା ସୁରକି ଘରେ ରହିବା ପରେ ସୁମିତ୍ରାଙ୍କର ଗୋଟିଏ ଅଦ୍ଭୁତ ଧାରଣା ମନ ମଧ୍ୟରେ ଆସି ସ୍ଥାନ ପାଇଛି । ସେ ଭାବୁଛନ୍ତି ଇଟା ଓ ସୁରକିରେ ମଧ୍ୟ ସରକାର ଜେଲଖାନା ଗଢ଼ି ସେଠାରେ ଦୋଷୀ ଅପରାଧୀମାନଙ୍କୁ ବନ୍ଦୀ କରି ରଖନ୍ତି ।

 

ସେ ଆଜି ଇଟା ଓ ସୁରକିର କାରାଗାର ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଚାହାନ୍ତି ନାହିଁ । ସେ ଚାହାନ୍ତି ଝାଟିମାଟିର ସଂସାର ମଧ୍ୟକୁ ଚାଲିଯିବାକୁ । ଯେଉଁଠାରେ ଚାଷୀ ଲଙ୍ଗଳ ମୁନରେ ମାଟି ଚଷି ଦେଶ ଓ ଜାତିର କ୍ଷୁଧା ନିବାରଣ କରେ ଏବଂ କବି ଲେଖନୀ ଚଳାଇ ଅମର ସଂଗୀତ ରଚନା କରି ଚାଲିଯାଏ । ଉତ୍ତର ଦାୟାଦମାନେ ଭାବପ୍ରବଣ ହୋଇ ସୁଲଳିତ କଣ୍ଠରେ ଆବୃତ୍ତି କରନ୍ତି–

 

‘‘ଏହି ଗାଁ ଧୂଳି ଅଟଇ ଆମର

କୋଟି ତୀର୍ଥର ରେଣୁ

ଜୀବନ ଜାହ୍ନବୀ ଉଛୁଳଇ ଶୁଣି

ଗୋପାଳ ବାଳକ ବେଣୁ ।’’

 

ସେ ପଲ୍ଲୀର ସରଳା ବାଳିକାମାନଙ୍କ ଗହଣରେ ମିଶି ନିଜକୁ ହଜାଇ ଦେବାକୁ ଚାହାନ୍ତି-

 

ପଲ୍ଲୀର ସରଳତା କ’ଣ କୃତ୍ରିମ ସଭ୍ୟତା ମଧ୍ୟରେ ବଢ଼ିଥିବା ମଣିଷକୁ ଆନନ୍ଦିତ କରିପାରିବ ? ଯେ ପୂତିଗନ୍ଧମୟ ସହରର ଆବର୍ଜନା ମଧ୍ୟରେ ବଢ଼ିଥାଏ ସେ ଆଜି ପଲ୍ଲିଗ୍ରାମର ସରଳ ଓ ନିଷ୍ପାପ-ହୃଦୟ ମଣିଷକୁ ନାସିକା କୁଞ୍ଚନ କରି କହେ ‘ନେଷ୍ଟି’ ।

 

X X X

 

ସନ୍ଧ୍ୟା ଧୀରେ ଧୀରେ ଗଛଲତା ଉପରକୁ ନଇଁ ଆସିଥାଏ । ତରବରରେ ଚା’ତକ ପିଇ ଦେଇ ପ୍ରଶାନ୍ତ କହିଲେ, ମି: ଦାସ ତେବେ ମୁଁ ଆସେ ।

 

ରମଣୀରଞ୍ଜନ ସିଗାରେଟ୍‌ଟା ଜୋରରେ ଟାଣି ନେଇ ବାଘୁଆ ନିଶ ହଳରେ ଟିକିଏ ହାତ ବୁଲାଇ ନେଇ କହିଲେ ଆପଣଙ୍କ ଯିବା ନ ଯିବା ଶ୍ରୀମତୀ ଦାସଙ୍କ ଇଚ୍ଛା ଉପରେ ନିର୍ଭର କରେ ।

 

ରମଣୀରଞ୍ଜନଙ୍କ ପରିବାର ସଙ୍ଗେ ପ୍ରଶାନ୍ତଙ୍କର ମୋଟେ ବର୍ଷେ ଛଅ ମାସ ହେଲା ସମ୍ପର୍କ ସ୍ଥାପିତ ହୋଇଅଛି । ଏହି ସ୍ୱଳ୍ପକାଳ ମଧ୍ୟରେ ସେ ନିଜର ସରଳ ବ୍ୟବହାରଦ୍ୱାରା ରମଣୀରଞ୍ଜନ ଭଳିଆ ଗୋଟାଏ ହୃଦୟହୀନ ମଣିଷର ବନ୍ଧୁତା ଲାଭ କରିପାରିଛନ୍ତି ।

 

ରମଣୀରଞ୍ଜନଙ୍କ ଘରେ ଯେଉଁ ଦିନ ପ୍ରଶାନ୍ତ ପାଦ ଦିଅନ୍ତି ସୁମିତ୍ରା ଅପେକ୍ଷା ବେଶି ଆନନ୍ଦ ଅନୁଭବ କରନ୍ତି ରମଣୀରଞ୍ଜନ । କାହିଁକି ନା ସୁମିତ୍ରାଙ୍କର ଉଗ୍ରରୂପ ପ୍ରଶାନ୍ତକୁ ଦେଖିଲେ ଆପେ ଆପେ ଶାନ୍ତ ହୋଇଯାଏ ।

 

ରମଣୀରଞ୍ଜନ ମନେ କରନ୍ତି ବୋଧହୁଏ ପ୍ରଶାନ୍ତବାବୁଙ୍କୁ କୌଣସି ଗୁଣିଗାରୁଡ଼ି ଜଣା । ତାହା ନ ହେଲେ ସୁମିତ୍ରା ଭଳି ଗୋଟିଏ ଉଗ୍ରଚଣ୍ତୀ ସ୍ତ୍ରୀର ସାନ୍ନିଧ୍ୟ ସେ ଏତେ ସହଜରେ ଲାଭ କରିପାରିଲେ କିପରି ? ପ୍ରଶାନ୍ତବାବୁ ମୋଟେ ଏଠାରୁ ନ ଯାଆନ୍ତେ କି ?

 

ବିଷ ଦାନ୍ତ ଭାଙ୍ଗି ନାଗକୁ ବଶ କରାଯାଏ । ବାଘକୁ ଜନ୍ତାରେ ପୂରାଇ ବଶ କରାଯାଏ । କୁକୁରକୁ ମାଂସର ଲୋଭ ଦେଖାଇ ବଶ କରାଯାଏ ଏବଂ ମଧୁର କଥା କହି ସ୍ତ୍ରୀକୁ ବଶ କରାଯାଏ-। ଏତିକି ଯିଏ କରି ନ ପାରେ ସେ ରମଣୀରଞ୍ଜନ ଭଳି ଅସୁବିଧାର ସମ୍ମୁଖୀନ ହୁଏ ।

 

ଲୁହା ନରମ ଦେଖିଲେ ବିରାଡ଼ି ଯେପରି ପୁଳେ କାମୁଡ଼ି ଖଶିଯିବାକୁ ଛାଡ଼େନାହିଁ, ଠିକ୍‌ ସେହିପରି ସ୍ତ୍ରୀ ମନକୁ ପୁରୁଷ ନ ଗଲେ ପୁରୁଷ ସ୍ତ୍ରୀର ଦାଉ ସହିପାରେ ନାହିଁ । ଯେଉଁ ସ୍ତ୍ରୀକୁ ଆଜି ଆମ୍ଭେମାନେ ଉଗ୍ରଚଣ୍ତୀ ବୋଲି ଆଖ୍ୟା ଦେଉଁ ସେ ତ ଦିନେ ସ୍ୱାମୀଘରକୁ ନୂଆ ହୋଇ ଆସିଲାବେଳେ ଗୋଡ଼ ଟିପି ଟିପି ଚାଲିଥିବ । ‘ଚୁ’, ‘ଚୁ’ ହେଇ କଥା କହିଥିବ । ମଥା ଉପରକୁ ହାତେ ଲମ୍ବ ଓଢ଼ଣା ଟାଣିଥିବ । ତେବେ କାହିଁକି ଆଜି ସେ ଚଣ୍ତୀ ରୂପ ଧାରଣ କଲା ? ସେଥିପାଇଁ ତା’ର ପାରିପାର୍ଶ୍ୱିକ ଅବସ୍ଥା ବା କାହିଁକି ଦାୟୀ ନ ହେବ ?

 

ସେଦିନ କଥା କହୁଁ କହୁଁ ସୁମିତ୍ରା କହିଲେ ମୋତେ ଏଣିକି ଆପଣ ସୁମିତ୍ରା ଦେବୀ ବୋଲି ସମ୍ବୋଧନ କରିବେ ନାହିଁ ।’’

 

ତେବେ କ’ଣ ମିସେସ ଦାସ ବୋଲି କହିବି ?’’ ହସି ଦେଇ ପଚାରିଲେ ପ୍ରଶାନ୍ତ ।

 

‘‘ନାମ ଧରି ଡାକିବେ, ସୁମିତ୍ରା ।’’ ଏତିକି କହି ପ୍ରଶାନ୍ତଙ୍କ ମୁହଁକୁ ଅନାଇଲେ ସୁମିତ୍ରା ।

 

‘‘ଇସ୍‌ କେତେ ଅସନା ନାଁଟେ ? ମୋ ପାଟିରେ ଏମିତି ଅସନା ନାଁ ମୋଟେ ପଇଟିବ ନାହିଁ । ଯଦି ଆପଣ କିଛି ନ ଭାବିବେ ଏଣିକି ଡାକିବି ‘ମିତ୍ରା’ ।’’

 

‘‘କ’ଣ କହିଲେ ମିତ୍ରା ?’’ ସୁମିତ୍ରା ମନ ମଧ୍ୟରେ ଏହି ମିତ୍ରା ଶବ୍ଦଟିକୁ ଦୁଇ ଚାରି ଥର ଆବୃତ୍ତି କରି ଆତ୍ମ ସନ୍ତୋଷ ଅନୁଭବ କରି ଭାବିଲେ, ବାଃ କି ସୁନ୍ଦର ନାଁଟା ତାଙ୍କର । ତାଙ୍କ ନିଜ ନାମଟା ଯେ ଏତେ ସୁନ୍ଦର ସେ ନିଜେ ମଧ୍ୟ ଜାଣି ନ ଥିଲେ । ମନେ ମନେ କହିଲେ ‘‘ଧନ୍ୟରେ କବି ! ଧନ୍ୟ ତୋର ଅମୃତମୟୀ ଭାଷା ।’’

 

ଆଖୁର ରସ ଯେ ଏତେ ମିଠା ତାହା ଆଖୁ କ’ଣ ଜାଣିପାରେ, ନା ତାହା ଆଖୁପେଡ଼ା କ’ଣ ଜାଣିପାରେ ?

 

ସୁମିତ୍ରା ପୁଣି ତୁହାଇ ତୁହାଇ ପଚାରିଲେ ‘‘ମୋତେ ଏଣିକି କ’ଣ ବୋଲି ଡାକିବେ ପ୍ରଶାନ୍ତ ବାବୁ ?’’

 

ପ୍ରଶାନ୍ତ ନରମ କଣ୍ଠରେ କହିଲେ ‘‘ମିତ୍ରା ।’’

 

ସୁମିତ୍ରା ଧୀରେ ଧୀରେ ପ୍ରଶାନ୍ତର ଛାତି ଉପରେ ଟଳି ପଡ଼ିଥିଲେ । ପ୍ରଶାନ୍ତ ଦୁଇ ବାହୁରେ ତାଙ୍କୁ ବେଷ୍ଟନ କରି କାନ ପାଖରେ ଡାକିଲେ ‘‘ମିତ୍ରା, ରାଣୀ ମୋର ! ଥରେ ଆଖି ଖୋଲି ଦେଖ । ପୂଜାରୀର ନୈବେଦ୍ୟ କ’ଣ ହସି ହସି ଗ୍ରହଣ କରିବ ନାହିଁ ?’’

 

ସୁମିତ୍ରା ଲାଜରେ ପ୍ରଶାନ୍ତର ଛାତି ଉପରେ ମୁହ ରଖି ପଚାରିଲେ ‘‘ସେତିକି ବିଶ୍ୱାସ କ’ଣ ମୁଁ ତୁମ ଉପରେ ରଖିପାରିବି ? ତୁମେ ମୋତେ ଅସତୀ ବୋଲି ଘୃଣା କରିବ ନାହିଁ ତ ?’’

 

ପ୍ରଶାନ୍ତର ଆଖିରୁ ଟପ ଟପ ହୋଇ ଦୁଇଟୋପା ଲୁହ ସୁମିତ୍ରାର ମୁହଁ ଉପରେ ଗଡ଼ିପଡ଼ିଲା । ସୁମିତ୍ରା ବାଷ୍ପାକୁଳ ସ୍ୱରରେ ଡାକିଲେ ‘‘ପ୍ରଶାନ୍ତ !’’

 

ପ୍ରଶାନ୍ତର ଭାରାକ୍ରାନ୍ତ ମୁହଁଟି ଧୀରେ ଧୀରେ ସୁମିତ୍ରାର ମୁହଁ ଉପରକୁ ନଇଁ ଆସିଲା । ସୁମିତ୍ରା ଥରି ଥରି ପ୍ରଶାନ୍ତର ଓଠରେ ଓଠ ଲଗାଇଲେ ।

 

ପ୍ରଶାନ୍ତ ଭଙ୍ଗା ଭଙ୍ଗା ଗଳାରେ ଡାକିଲେ ‘ମିତ୍ରା !’

 

ଗୋଟିଏ ଲାଜୁଆ ଚାହାଣି ଢାଳି ସୁମିତ୍ରା ପ୍ରଶାନ୍ତକୁ କୋଳ ଉପରକୁ ଟାଣି ଆଣିଥିଲେ ।

 

X X ତା’ପରେ କହିଲେ ‘‘ଛିଃ, ପ୍ରଶାନ୍ତ ତୁମେ କେଡ଼େ ଅଭଦ୍ର !

 

ଷୋହଳ

 

ଗଛରେ ନୂଆ ହୋଇ ଗୋଲାପଟି ଫୁଟିଥାଏ । ଲତିକା ଗଛମୂଳେ ଛିଡ଼ା ହୋଇ ମନ ପ୍ରାଣ ଢାଳି ଫୁଲଟିକୁ ଅନାଇ ଭାବିବାକୁ ଲାଗିଲା–ଯେଉଁମାନେ ଖଳ ଓ ପରଶ୍ରୀକାତରତା ଯାହାଙ୍କର ସମ୍ବଳ, ସେହିମାନେ ହିଁ କେବଳ ଏହି ରକ୍ତ ଗୋଲାପଟିକୁ ଦେଖି ଜଳିଯିବେ ଓ ଈର୍ଷାପରବଶ ହୋଇ କହିବେ ଫୁଲଟା ଏତେ ଲାଲ ଦେଖା ଯାଉଅଛି ଯେ ଆଖି ଠିକରି ଯାଉଛି । ରଙ୍ଗଟା ଟିକିଏ ଫିକା ହୋଇଥିଲେ ଭଲ ହୋଇ ଥାଆନ୍ତା ।

 

ଯେଉଁ ଦୁନିଆରେ ମଣିଷ ବିଧାତାକୁ ମଧ୍ୟ ସମାଲୋଚନା କରିବାକୁ ପଛାଏ ନାହିଁ ସେଠାରେ ମଣିଷ ବା କେଉଁ ଛାର ?

 

ଯେଉଁମାନେ ପ୍ରଥମେ ପ୍ରଥମେ ପ୍ରଶାନ୍ତକୁ ସମାଲୋଚନା କରୁଥିଲେ, ପ୍ରଶାନ୍ତର କବିତା ବିଷୟରେ ବ୍ୟଙ୍ଗୋକ୍ତି ପ୍ରକାଶ କରୁଥିଲେ ସେମାନେ ବର୍ତ୍ତମାନ ଲତିକାର ପାଖ ପଶୁ ନାହାନ୍ତି । ଲତିକା ସେମାନଙ୍କୁ କେତେବେଳେ କେମିତି ମୁହେଁ ମୁହେଁ ଜବାବ ଦେଇଦିଏ ।

 

ଯେଉଁମାନେ ନିଜର ଢୋଲ ନିଜେ ବାଡ଼େଇ ବଡ଼ଲୋକ ବୋଲି ନିଜର ବଡ଼ାଇ କରନ୍ତି ସେମାନଙ୍କୁ ଲତିକା କହେ ‘‘ବଡ଼ଲୋକଙ୍କୁ କଥା କହି ହୁଏ ନାହିଁ; କିନ୍ତୁ ସେମାନଙ୍କର କଥା ଅନେକ ଶୁଣିବାକୁ ମିଳେ । ଶୁଣି ସାରିଲା ପରେ ଅନ୍ୟ କାହା ପାଖରେ ଦ୍ୱିତୀୟ ଥର ଆବୃତ୍ତି କରିବାକୁ ଲାଜ ଲାଗେ । ଏହାର କାରଣ ଯେ କହିବ ତାହାର ପୁଣି ତ ଆତ୍ମସମ୍ମାନ ଜ୍ଞାନ ଅଛି ।

 

କେତେ ଲୋକ ଅଯାଚିତ ଭାବରେ ଆସି ଲତିକାକୁ ପ୍ରଶାନ୍ତ ସମ୍ବନ୍ଧରେ ନ କହିଛନ୍ତି ? ଲତିକା ଶୁଣେ । ତା’ର ଆଖି କୋଣରେ ଲୁହ ଦେଖାଦିଏ । ସେ ବୋକା ଭଳି ଅନାଇ ରହେ ଆକାଶକୁ । ମହାଶୂନ୍ୟତା ମଧ୍ୟରେ ନିଜର ସ୍ଥାୟିତ୍ୱ ଉପଲବ୍‌ଧି ସହଜରେ କରି ହୁଏ ନାହିଁ ।

 

ବେଶି କହେ ଅନୁରାଧା । ଅନୁରାଧା ଯେ ପୁରୁଷଙ୍କ ନାଁ ଶୁଣିଲେ କାହିଁକି ରାଗରେ ଜଳିଯାଏ ସେହି କଥା ସେ କେବଳ ଏକା ଜାଣେ ।

 

ଟିକିଏ କଥାକୁ କହେ ପୁରୁଷର ସ୍ନେହ ଗ୍ରୀଷ୍ମକାଳୀନ ବର୍ଷାଧାରା ସଦୃଶ । ସେଥିପାଇଁ ପରା ସୁଆଙ୍ଗରେ ବେଶ ପକାଇ ଯାତ୍ରା ପିଲାଏ ବୋଲନ୍ତି ‘ସବୁ କାଳେ ନାହିଁ ଗୋ ଦୂତି ! ଚାନ୍ଦନୀ ରାତି, ଏ ଭାବ ପୀରତି ।’

 

ଏତିକି କହି ମଧ୍ୟ ମନ ତା’ର ମାନେ ନାହିଁ । ସେ ବିଶେଷ ଭାବେ ରବେଇ ଖବେଇ ହୋଇ କହେ ପୁରୁଷଙ୍କୁ ଜାଣିବୁ କି ଭ୍ରମରକୁ ଜାଣିବୁ । ଯେତେଦିନ ରୂପ ଅଛି, ରସ ଅଛି ସେତିକି ଦିନ । ତାହା ପରେ ପାଞ୍ଚ ମାସରେ ଦିନେ ଦର୍ଶନ ମିଳିବା ମୁସ୍କିଲ ।

 

କେତେବେଳେ କେତେବେଳେ ଲତିକା ଭାବେ ବିଚିତ୍ର ଏ ଦୁନିଆର ନାରୀ ଜାତି । ତା’ର ଭାବନା ଓ ଚିନ୍ତାଧାରା ଆହୁରି ବିଚିତ୍ର । ସେମାନେ ଯେତେବେଳେ ଅନ୍ୟ ପାଖରେ ନିଜର ସ୍ୱାମୀଙ୍କ ରୂପ ଓ ଗୁଣ ସମ୍ୱନ୍ଧରେ ଆଲୋଚନା କରି କହନ୍ତି କେବଳ ମୁଁ ଝିଅ ବୋଲି ଏହାଙ୍କ ପାଖରେ ଚଳୁଛି । ଅନ୍ୟ କେହି ହେଲେ କେତେବେଳୁ ଆତ୍ମହତ୍ୟା କରି ସାରନ୍ତାଣି ।’’ ସେତେବେଳେ ତାଙ୍କ ସମ୍ବନ୍ଧରେ ଶୁଣିବା ଲୋକ ଯେ କ’ଣ ଭାବୁଥିବ ସେମାନେ ତାହା ମୋଟେ ଭାବି ପାରନ୍ତି ନାହିଁ । କହିବା ବେଳେ କହି ଯାଆନ୍ତି । ପଛରେ ପୁଣି ପସ୍ତାଇ ହୁଅନ୍ତି, ନ କହିବା କଥା କହିଦେଲି ବୋଲି ।

 

ମଣିଷର ଦେବୋପମ ଚରିତ୍ରରେ କଳଙ୍କ ବୋଳେ ଏହି ମଣିଷ । ଏହି ମଣିଷମାନଙ୍କୁ ସାତ ଜୁହାର ।

 

ଫୁଲରୁ ଫୁଲକୁ ଉଡ଼ିଯାଏ ଭ୍ରମର । ଫୁଲ ଯଦି ତାକୁ ବାନ୍ଧି ରଖିବାକୁ ସମର୍ଥ ହୁଅନ୍ତା ଭ୍ରମର କ’ଣ ତାକୁ ତ୍ୟାଗ କରି ଅନ୍ୟ ଫୁଲକୁ ଉଡ଼ି ଯାଆନ୍ତା ?

 

ଲତିକା ଠାକୁରଙ୍କୁ ଡାକି କହେ ‘‘ହେ ଭଗବାନ ! ମୋତେ ଫୁଲ ପରି ନିଷ୍ପାପ, ସରଳ ଓ ସୁନ୍ଦର କରିଦିଅ । ମୋର ଅନ୍ତରରେ ଅସରନ୍ତି ମଧୁର ଭଣ୍ତାର ଭରିଦିଅ । ଭ୍ରମର ଯେପରି ମୋ ପାଖରୁ ଅନ୍ୟ ଫୁଲକୁ ଉଡ଼ି ନ ଯାଏ ।

 

ଇସ୍‌ କେତେ ସରଳ ତା’ର ଭାବନା ! ! ଲକ୍ଷ କୋଟି ଫୁଲରୁ ମଧୁ ଚୁମ୍ବନ କରିବା ଯାହାର ଧର୍ମ ସେ କ’ଣ ଗୋଟିଏ ଫୁଲର ରୂପ ଓ ମଧୁ ଲୋଭରେ ବନ୍ଦୀ ହୋଇ ପାରିବ ?

 

ତା’ ପରେ ପୁଣି ଲତିକା ଭାବେ ସେ ନାରୀ । ସେ ଫୁଲ ହେବାକୁ ଚାହେଁ ନାହିଁ । ସେ ତା’ର ନାରୀ ସୁଲଭତା ଗୁଣରେ ପ୍ରଶାନ୍ତକୁ ବାନ୍ଧି ରଖିବାକୁ ଚାହେଁ । ସେ ତା’ର ଅନ୍ତର ଖୋଲି ସ୍ୱାମୀକୁ ଭଲ ପାଇବ । ସ୍ୱାମୀଙ୍କ ପାଖରେ ସ୍ତ୍ରୀର ପୁଣି ଅଭିମାନ ଗୋଟାଏ କ’ଣ ? ଅଭିମାନ କେବଳ ପ୍ରେମିକ ପାଖରେ କରାଯାଏ । ମାନଭଞ୍ଜନ ନ ଦେଖିବା ଲୋକ ଅଭିମାନର ଅର୍ଥ ବୁଝିପାରେ ନାହିଁ ।

 

ହରିପ୍ରିୟା କେତେ ଥର ବୋହୂକୁ ବାର ବ୍ରତ କରିବାକୁ କହି ଥକି ଗଲେଣି । ଲତିକା କେବଳ କହେ ‘‘ବାର ବ୍ରତରୁ ଅଧିକା କ’ଣ ମିଳିବ ? କଦଳି ନଡ଼ିଆ ଲାଞ୍ଚ ଦେଇ ଠାକୁରକୁ ଡାକିଲେ ଲାଭ କ’ଣ ? ମନ୍ଦିରକୁ ସମସ୍ତେ ଯାଆନ୍ତି । ସେଠାରେ ପ୍ରକୃତରେ ଠାକୁର ରହୁଥିଲେ ସେ ଶୂନ୍ୟ ହସ୍ତରେ ମଣିଷକୁ କ’ଣ ବାହୁଡ଼ାଇ ଦେଉଥାନ୍ତେ ?’’

 

ହରିପ୍ରିୟା ବୋହୂକୁ କହନ୍ତି ‘‘ନ ବୁଝିବା ଲୋକକୁ ନିଜେ ଭଗବାନ ମଧ୍ୟ ବୁଝାଇ ନ ପାରି ହାରି ଯାଆନ୍ତି । ଠାକୁର ଦେବତା ଯଦି ଦୁନିଆରେ ନାହାନ୍ତି ତେବେ ମଣିଷ ମନ୍ଦିରକୁ ଯାଏ କାହିଁକି-?’’

 

ଶାଶୁ ଶଶୁରକୁ ବଢ଼ି ତୁଡ଼ି କହିବା ଅନୁଚିତ । ଯେଉଁ ବୋହୂ କହିଲା ସେ କ’ଣ ଆଉ ବୋହୂପଣକୁ ଲେଖା ? କିନ୍ତୁ ମହାପାତ୍ରଙ୍କ ପରିବାରରେ ଏ ସଂକୀର୍ଣ୍ଣ ମନୋଭାବ କାହାରିଠାରେ ପରିଲକ୍ଷିତ ହୁଏ ନାହିଁ । ‘‘ପ୍ରତ୍ୟେକର ଭାବ ବ୍ୟକ୍ତ କରିବାର ଅଧିକାର ରହିଛି । ପୁଅ ହେଉ କି ବୋହୂ ହେଉ ଅଥବା ଯେ କୌଣସି ସମ୍ମାନାସ୍ପଦ ବ୍ୟକ୍ତି ହେଉ ସେ ନିଜର ମତ ସ୍ୱାଧୀନ ଭାବରେ ବ୍ୟକ୍ତ କରିବା ଉଚିତ । ଘରର କର୍ତ୍ତା ହିସାବରେ ଜୋର ଜବରଦସ୍ତ ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ଅନୁଚିତ ।’’ ଏହି କଥା ବାମନ ମହାପାତ୍ରେ କହନ୍ତି ।

 

ଲତିକା ଏହି ମହାପାତ୍ରଙ୍କ ଘରେ ସ୍ୱାଧୀନତା ଯଥେଷ୍ଟ ପାଏ । ସେ ସକାଳର ସୂର୍ଯ୍ୟ ଭଳି ହସି ହସି ଉଠେ । ମନରେ ପରାଧୀନତାର ମନୋଭାବ ମୋଟେ ତାହାର ନ ଥାଏ । ଯେଉଁ ଘରେ ବାମନ ମହାପାତ୍ରଙ୍କ ଭଳି ମଣିଷ ରହେ ସେଠାରେ ମଣିଷ ପୁଣି ପରାଧୀନତା ସ୍ୱୀକାର କରି ଅନ୍ୟ କାହା ପାଖରେ ମଥା ନୁଆଁଇବ ?

 

ଲତିକା କହେ, ‘‘ଭଗବାନଙ୍କ ସ୍ଥାୟିତ୍ୱ ଉପଲବ୍‌ଧି କରି ନ ପାରି ମଣିଷ ମନ୍ଦିର, ମସଜିଦ୍‌, ମେଳା ମଉଛବକୁ ଯାଏ; କିନ୍ତୁ ଭଗବାନ ସେଠାରେ ରହନ୍ତି ନାହିଁ । ଯେଉଁ ଲୋକ ଖରା କାକରକୁ ଭ୍ରୂକ୍ଷେପ ନ କରି ହସି ହସି କର୍ମ କରେ ଭଗବାନ ତାହା ପାଖରେ ଛିଡ଼ା ହୋଇଥାନ୍ତି ଏବଂ ଯିଏ ଯାହାକୁ ପ୍ରାଣ ଦେଇ ଭଲ ପାଏ ଭଗବାନ ତାହାରି ଭିତରେ ଥଆନ୍ତି ।’’

 

ମହାପାତ୍ରେ ହସି ହସି ଗଡ଼ି ଯାଆନ୍ତି । କହନ୍ତି ‘‘ମା ମୋର କେତେ କଥା ଜାଣିଲାଣି ।’’

 

ବାମନ ମହାପାତ୍ରେ ଲତିକାକୁ ସମୟ ସମୟରେ ଅନେକ କଥା ବୁଝାଇ ବସନ୍ତି । ସେ କହନ୍ତି ‘‘ସ୍ୱାର୍ଥ ଆଶାରେ ସମସ୍ତେ ବନ୍ଧୁ ବାନ୍ଧନ୍ତି । ନିସ୍ୱାର୍ଥପର ବନ୍ଧୁ ଜଗତରେ ବିରଳ । ମଣିଷ ମଣିଷକୁ ସ୍ନେହକରି ଯଦି ଜାଣୁଥାନ୍ତା ତେବେ ଦୁନିଆ ଆଜି ବଦଳି ଯାଆନ୍ତା । ସ୍ନେହ ଶବ୍ଦର ବ୍ୟୁତ୍‌ପତି ଅତି ଜଟିଳ । ତୁମେ ଯଦି କାହାରିକୁ ପ୍ରକୃତରେ ସ୍ନେହ କରୁଥିବ ସେ କେବେ ତୁମ ପାଖରେ କୃତଘ୍ନ ହେବ ନାହିଁ । ଯାହାକୁ ଭଲ ପାଉଛ ତାହାକୁ ଜୀବନ ଦେଇ ଭଲପାଅ । ଦେଖିବ ଦିନେ ଭଗବାନ ତା’ର ମୂଲ୍ୟ ତୁମକୁ ଦେବେ । ଭଲ ପାଇବାରେ ଛଳନା କର ନାହିଁ କିମ୍ବା କୃପଣତା ପ୍ରକାଶ କର ନାହିଁ ।’’

 

ଲତିକା ମହାପାତ୍ରଙ୍କୁ ପଚାରେ ‘‘ରାଧାଙ୍କର ଭଲ ପାଇବାରେ କ’ଣ ତ୍ରୁଟିଥିଲା ଯେ କୃଷ୍ଣ ମଥୁରାରୁ ପୁଣି ରାଧାପାଖକୁ ଲେଉଟି ଆସିଲେ ନାହିଁ ?’’

 

‘‘ଜ୍ଞାନ ଚକ୍ଷୁରେ ଦର୍ଶନ କଲେ ଯେଉଁ ଆନନ୍ଦ ମିଳେ ସେହି ଆନନ୍ଦ ଚର୍ମଚକ୍ଷୁରେ ଦର୍ଶନ କରିବାରେ ମିଳେ ନାହିଁ । କୃଷ୍ଣ ମଥୁରାରୁ ନ ଆସିଲେ ବୋଲି ରାଧାଙ୍କ ମନରେ ମୋଟେ ଦୁଃଖ ହେଉ ନ ଥିବ । କାହିଁକି ନା ରାଧା ଜାଣିଥିଲେ କୃଷ୍ଣ ବିଶ୍ୱମୟ । କର୍ମଯୋଗୀଙ୍କ ଅପେକ୍ଷା ଜ୍ଞାନଯୋଗୀଙ୍କ ଅଜ୍ଞାନ ଆସ୍ଥାନ ଅନେକ ଉଚ୍ଚରେ ।’’ କହିଲେ ମହାପାତ୍ରେ ।

 

ଲତିକା କିଛି ବୁଝି ନ ପାରି ପଚାରିଲା ‘‘ତେବେ ସ୍ଥୂଳବସ୍ତୁ ଅପେକ୍ଷା ସୂକ୍ଷ୍ମବସ୍ତୁ ଲାଭ କରିବାକୁ ମଣିଷ କ’ଣ ଚେଷ୍ଟା କରିବା ଉଚିତ ?’’

 

ମହାପାତ୍ରେ କହିଲେ ‘‘ଚେଷ୍ଟା କେବଳ କଲେ ଚଳିବ ନାହିଁ । ପ୍ରଗାଢ଼ଯତ୍ନ କରିବା ଦରକାର । ପ୍ରଗାଢ଼ ଚେଷ୍ଟାର ଅନ୍ୟ ଅର୍ଥ ହେଉଛି ଯୋଗାଭ୍ୟାସ । ଏହି ଯୋଗାଭ୍ୟାସ ବଳରେ ମଣିଷ ସ୍ଥୂଳବସ୍ତୁକୁ ଛାଡ଼ି ସୂକ୍ଷ୍ମବସ୍ତୁର ସନ୍ଧାନ ପାଏ । ସ୍ଥୂଳବସ୍ତୁ ହିଁ କେବଳ କ୍ଷଣକ ସକାଶେ ଆନନ୍ଦ ଦେଇଥାଏ ମାତ୍ର ନିରବଚ୍ଛିନ୍ନ ଆନନ୍ଦ ସୂକ୍ଷ୍ମବସ୍ତୁ ଲାଭରୁ ଜାତହୁଏ ।’’

 

ଲତିକାର କଞ୍ଚା ମନ ସାଙ୍ଗକୁ ବୟସ ପାଚିଲା ବୟସ୍କ ମଣିଷର ଭାଷା ବୁଝିବା ତାହା ପକ୍ଷରେ ସବୁ ସମୟରେ ସମ୍ଭବ ହୋଇ ପାରେନାହିଁ । ସେ କେବଳ ଏତିକି ବୁଝେ ଯେ ନାରୀ ଦୟାରେ ଜନନୀ ଓ ସେବାରେ ଭଗିନୀ ଏବଂ ସହିଷ୍ଣୁତା ଗୁଣରେ ବସୁମତୀ ହେବା ଉଚିତ ।

 

ରାଜକନ୍ୟା ସୀତା ରାଣୀହଂସପୁରୀ ତ୍ୟାଗ କରି ସ୍ୱାମୀଙ୍କର ସୁଖ ଦୁଃଖର ସାଥୀ ହୋଇଥିଲେ ବୋଲି ସେ ଆଜି ଯୁଗେ ଯୁଗେ ପୂଜ୍ୟା । ଏହି ଦେଶର କବି ତାଙ୍କର ଗୁଣ ଗାନ କରି ଲେଖି ଯାଇଛନ୍ତି ‘କାନ୍ତା ରତ୍ନଂ ଜନକ ତନୟା ।’

 

ସେ ମଧ୍ୟ ନାରୀ । ସେ ତାହାର ସମସ୍ତ ସ୍ନେହ ଓଜାଡ଼ି ଦେଇ ସ୍ୱାମୀକୁ ଭଲ ପାଇବ । ସେ ପୂର୍ବଜନ୍ମ ତପସ୍ୟାରୁ ପାଇଛି ଉପଯୁକ୍ତ ସ୍ୱାମୀ । ରୂପରେ କନ୍ଦର୍ପ, ବିଦ୍ୟାରେ ଗଣେଶ, ବୁଦ୍ଧିରେ ବୃହସ୍ପତି ସଦୃଶ । ଏଭଳି ସ୍ୱାମୀକୁ ପାଇ ସ୍ତ୍ରୀ ଯଦି ଖୁସି ହୋଇ ନପାରେ ତେବେ ତା’ର କର୍ମରେ ସୁଖ ନାହିଁ ବୋଲି ଜାଣିବ ।

 

ଯେଉଁ ପୁରୁଷ ଅନ୍ୟର ଦୁଃଖରେ ବ୍ୟଥିତ ହୋଇ କଲମ ମୂନରେ ତାକୁ ସୁଖୀ କରିବାକୁ ଯାଇ ଅସଂଖ୍ୟ କାବ୍ୟ ଓ କବିତା ରଚନା କରେ ସେ କ’ଣ ଲତିକାର ମନକଥା ବୁଝି ପାରିବ ନାହିଁ ଯେ ଲତିକା ପୁଣି ତାକୁ ଅବିଶ୍ୱାସ କରିବ ?

 

ଲତିକା କାବ୍ୟ ନାୟିକା ହେବାର ଅଭିଶପ୍ତ ଜୀବନ ନେଇ ଦୁନିଆକୁ ଆସିନାହିଁ । ସେ ଆସିଛି ସ୍ୱାମୀ ସେବା କରିବାକୁ । ସ୍ୱାମୀ ତା’ର ସର୍ବସ୍ୱ । ସେ ସ୍ୱାମୀ ବ୍ୟତୀତ ଦିଅଁ ଦେବତା କିଛି ଜାଣେ ନାହିଁ । ସେ ଘଣ୍ଟା ଘଣ୍ଟା ଆଖି ବୁଜି, ଗୀତା ଭାଗବତ ପଢ଼ି ଠାକୁରଙ୍କୁ ଡାକି ପାରିବନାହିଁ । ସେ କେବଳ ଅପଲକ ନୟନରେ ସ୍ୱାମୀଙ୍କର ଶାନ୍ତ ସୌମ୍ୟରୂପ ଦର୍ଶନ କରି ଭଗବାନଙ୍କର ରୂପ ଦର୍ଶନର ସୁଖ ଲାଭ କରିବ ।

 

ସ୍ୱାମୀ ହେଉଛନ୍ତି କାହାର ଭଗବାନ । କେବଳ ଭଗବାନ ନୁହଁନ୍ତି, ଭଗବାନଙ୍କଠାରୁ ମଧ୍ୟ ବଡ଼ ।

 

ସୁମନ୍ତ କଲମ ଥୋଇ ଦେଇ ଅସ୍ପଷ୍ଟ ସ୍ୱରରେ କହିଲେ ଧନ୍ୟରେ ନାରୀ ! ତୋର ଏହି ବଳିଷ୍ଠ ମନୋଭାବ ନିକଟରେ କିଏ ବା ମଥା ନ ନୁଆଁଇବ ?

 

ସତର

 

ମଣିଷ କେବେହେଲେ ନିଜକୁ ଅନ୍ୟ ପାଖରେ ଛୋଟ କରି ଦେବାକୁ ଚାହେଁ ନାହିଁ । ଯାହା ହେଉନା କାହିଁକି ସେ ସବୁବେଳେ ନିଜକୁ ଅନ୍ୟ ପାଖରେ ଦେଖାଇ ହୁଏ । ଏହି ଦେଖାଇ ହେବାକୁ ଆଜିକାଲି ଲୋକେ କହନ୍ତି ବଡ଼ଲୋକି ।’

 

ଏହି ଧରଣର ବଡ଼ଲୋକିର ଅର୍ଥ ଯେ ଦେଖାଇ ହୁଏ ସେ କେବଳ ବୁଝିପାରେ ନାହିଁ, ଦେଖିଲା ଲୋକେ ତାହାର ଅନୁପସ୍ଥିତିରେ ସମାଲୋଚନା କରନ୍ତି । ଉପହାସ କରିବାକୁ ମଧ୍ୟ ଛାଡ଼ନ୍ତି ନାହିଁ । ଦେଖାଇ ହେବା ହେଉଛି ମଣିଷର ସହଜାତ ପ୍ରବୃତ୍ତି ।

 

ସୁମନ୍ତ ମନେ ମନେ ଭାବୁଥିଲେ ସୁନନ୍ଦା ମଧ୍ୟ ଦିନେ ଦେଖାଇ ହେବାକୁ ଯାଇ ତାହାଙ୍କ ପାଖରେ ଧରାପଡ଼ି ଯାଇଥିଲା । ଧରାପଡ଼ି ଯିବାପରେ ସୁନନ୍ଦା କେତେ ଯେ ଡହଳ ବିକଳ ହୋଇଥିଲା ସେ କଥା କେବଳ ସୁନନ୍ଦା ଜାଣେ । ସୁମନ୍ତ ସବୁ ଜାଣିସୁଦ୍ଧା କିଛି ନଜାଣିଲାପରି ସରଳ ବାଳକପରି ସୁନନ୍ଦା ସଙ୍ଗେ ବ୍ୟବହାର କରିଥିଲେ । ଏହା ସୁମନ୍ତଙ୍କର ଦୟା ବ୍ୟତୀତ ଅନ୍ୟ କ’ଣ କିଛି କୁହାଯାଇ ପାରେ ?

 

ସୁମନ୍ତଙ୍କର ଗଳ୍ପର ନାୟିକା ସୁମିତ୍ରାଙ୍କର ମଧ୍ୟ ଆଜି ସେହି ଦଶା । ସୁମନ୍ତ ମନକୁ ନ ହସି ଦେଇ ପୁଣି ଲେଖିବାକୁ ଆରମ୍ଭ କଲେ......

 

ସୁମିତ୍ରା କାହିଁକି ନିଜକୁ ନିଜେ ପ୍ରଶାନ୍ତ ଆଖିରେ ଛୋଟ କରି ଦେବେ ? ତାଙ୍କର କ’ଣ ନାହିଁ ? ଯୋଗ୍ୟ ଓ ଉପଯୁକ୍ତ ସ୍ୱାମୀ ସେ ପାଇଛନ୍ତି । ଦାସ ଦାସୀର ଅଭାବ ନାହିଁ । ଅକଳନ୍ତି ଧନ ସମ୍ପତ୍ତି । ଲୋକ ଦେଖିବାକୁ ସୁଖର ପାରିଜାତ ନିତି ତାଙ୍କର ମନ ଉପବନରେ ପ୍ରସ୍ପୁଟିତ ହୁଏ । ତେବେ ସେ ନିଜକୁ ଏତେ ହେୟ ମଣିବେ ବା କାହିଁକି ?

 

ଘୁଣଖିଆ ମନ ଉପରେ ଫ୍ରେଞ୍ଚପଲିସ ଲେପି ମଣିଷ କେତେଦିନ ବା ଆନନ୍ଦରେ ଜୀବନ ଯାପନ କରିବ ? କାହା ମନ ମଧ୍ୟରେ କେଉଁଠି କ’ଣ ଅଭାବ ରହି ଯାଇଛି ତାହା କେବଳ ଅନୁଭବୀ ଜାଣେ ।

 

ସୁମିତ୍ରା କ’ଣ ପାଇଁ ଏତେ ଯେ ଆଜି ଚିନ୍ତା କରୁଛନ୍ତି ସେ କଥା କେବଳ ସେ ନିଜେ ଜାଣନ୍ତି । ଦୁନିଆ ତାଙ୍କୁ ଆଜି ସତୀ ସାବିତ୍ରୀ ବୋଲି ପୂଜା କରିପାରେ; କିନ୍ତୁ ପ୍ରଶାନ୍ତ ବାବୁ କ’ଣ ତାଙ୍କୁ ସେହି ସମ୍ମାନ ଆଜି ଦେବେ ? ପ୍ରଶାନ୍ତ ହୁଏତ ଭଦ୍ରତା ଖାତିରିରେ ତାଙ୍କୁ କିଛି କହି ନ ପାରନ୍ତି; କିନ୍ତୁ ମନ ମଧ୍ୟରେ ତାଙ୍କ ସମ୍ୱନ୍ଧରେ ଧାରଣା ବା କ’ଣ ହେଉ ନ ଥିବ ?

 

ଯେ ଜୀବନରେ କେବେ ହାରି ନ ଥାଏ ସେ ଯଦି ଦିନକପାଇଁ ଏହି ହାରଜିତ୍‌ ଦୁନିଆରେ ଥରେ ହାରିଯାଏ, ସେ ଚିରଦିନପାଇଁ ହାରିଯାଏ । ସେ ଯେତେ ଦମ୍ଭ ଧରି ଛିଡ଼ା ହେବାକୁ ଚେଷ୍ଟା କଲେ ମଧ୍ୟ ସିଧାସଳଖ ଭାବେ ଛିଡ଼ା ହୋଇପାରେ ନାହିଁ । ସତରେ ଏ ମଣିଷଗୁଡ଼ାକ କେଡ଼େ ଦୁର୍ବଳ । ଏହି ପ୍ରକାର ଦୁର୍ବଳ ମଣିଷମାନଙ୍କୁ ନେଇ ଦୁନିଆରେ ବା କ’ଣ କରାଯାଇପାରେ ?

 

ସୁମିତ୍ରା ଭାବୁଥାନ୍ତି ପ୍ରଶାନ୍ତ ମୋଟେ ନ ଆସନ୍ତେ କି ? ତାଙ୍କର ଉପସ୍ଥିତି ମୋଟେ ଆଉ ସହ୍ୟ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ସେ ଦୀର୍ଘ ନିଃଶ୍ୱାସ ପକାଇ ପୁଣି ଭାବିଲେ ଏତେ ଦିନ ପରେ ତାଙ୍କର ଗର୍ବର ଅଟ୍ଟାଳିକା ଭାଙ୍ଗି ପଡ଼ି ଚୁରମାର ହୋଇ ଯାଇଛି । ମାଟିରୁ ଭଙ୍ଗା ଇଟା ଗୋଟାଇ ପୁଣି ଆଉ ଥରେ ଅଟ୍ଟାଳିକା ଗଢ଼ିବାର ସତ୍‌ସାହସ ତାଙ୍କର ନାହିଁ କିମ୍ବା ବଳ ମଧ୍ୟ ପାଉନାହିଁ ।

 

ଚିରା ଲୁଗାକୁ ଯେତେ ସିଇଁଲେ ମଧ୍ୟ ଚିରିଯିବା ସ୍ଥାନଟି ଯେପରି ମୋଟେ ଲୁଚେ ନାହିଁ ଠିକ୍‌ ସେହିପରି ମନ ମଧ୍ୟରେ ଥରେ ଦୁର୍ବଳତା ଦେଖା ଦେଲେ ଯେତେ ଲୁଚାଇଲେ ମଧ୍ୟ ଛାଏଁ ଛାଏଁ ଧରା ପଡ଼େ । ମଣିଷ ନିଜ ମନ ପାଖରେ ନିଜେ ଛୋଟ ହୋଇଯାଏ । କେହି ତାକୁ କିଛି ନ କହିଲେ ମଧ୍ୟ ନିଜର ମନ ନିଜକୁ ବିଦ୍ରୂପ କରେ । ଅଟ୍ଟହାସ କରେ । ମଣିଷ ମନର ଅଟ୍ଟହାସ ମୋଟେ ସହ୍ୟ କରିପାରେ ନାହିଁ । ମଣିଷ ସମସ୍ତଙ୍କୁ ଅନାୟାସରେ ଜୟ କରିପାରେ, ମାତ୍ର ନିଜ ପାଖରେ ନିଜେ ଥରେ ହାରିଗଲେ ସେ ନିଜ ମନକୁ ମୋଟେ ଜୟ କରିପାରେ ନାହିଁ ।

 

ସୁମିତ୍ରା ପ୍ରଶାନ୍ତ ପାଖରେ ହାରି ଯାଇଛନ୍ତି । ସେ ପ୍ରଶାନ୍ତକୁ କାହିଁକି ପ୍ରଶୟ ଦେଲେ ? ପ୍ରଶାନ୍ତ ଯେପରି ଅଯାଚିତଭାବେ ଆସିଥିଲେ ସେ ଦିନେ ପୁଣି ନିଜ ବାଟରେ ନିଜେ ଫେରିଯାଇ ଥାଆନ୍ତେ, ଯଦି ସୁମିତ୍ରା ତାଙ୍କ ସଙ୍ଗେ କୌଣସି ସମ୍ପର୍କ ସ୍ଥାପନ କରି ନ ଥାନ୍ତେ ।

 

ମଣିଷ ମଣିଷ ସଙ୍ଗେ ସମ୍ବନ୍ଧ ଗଢ଼େ । ସେ ମଧ୍ୟ ପ୍ରଶାନ୍ତକୁ ମଣିଷ ଭାବି ସମ୍ପର୍କ ସ୍ଥାପନ କରିଥିଲେ; କିନ୍ତୁ କିଏ ଜାଣିଥିଲା ବନ୍ଧୁ ତାର ଦ୍ୱାହି ଦେଇ ତଣ୍ଟି କାଟିବାର ମନୋବୃତ୍ତି ଧରି ପ୍ରଶାନ୍ତ ତାଙ୍କର ଦ୍ୱାରସ୍ଥ ହୋଇଥିଲେ ବୋଲି କେଉଁ ଜନ୍ମରୁ ଶତ୍ରୁତା ଯେ ତାଙ୍କର ଥିଲା ସେ କଥା ସୁମିତ୍ରା ବା ଜାଣିବେ କିପରି ? ସେ ସହଜରେ ମାଇପି ଲୋକ । ଭଲ ମଣିଷ ଜାଣି ସେ ପ୍ରଶାନ୍ତଙ୍କ ପ୍ରତି କେବଳ ଆକୃଷ୍ଟ ହେଲେ । ସେ କ’ଣ ଜାଣିଥିଲେ ଏହାଦ୍ୱାରା ତାଙ୍କର ସର୍ବନାଶ ହେବ ବୋଲି ?

 

‘ଜଙ୍ଘରେ ବସାଇ ଶତ୍ରୁକୁ ସାଦନ କରାଯାଏ’ ଏହି କଥା କେବଳ ସେ ଶୁଣିଥିଲେ; ମାତ୍ର ଏବେ ସେ ସେହି କଥା ଅଙ୍ଗରେ ଲିଭାଇଲେ ।

 

ସେ କାହିଁକି ସ୍ୱାମୀଙ୍କ ନିକଟରେ ଅଭିନୟ କଲେ ? କାହିଁକି ବା ମନପ୍ରାଣ ଢାଳି ସ୍ୱାମୀଙ୍କୁ ଭଲ ନ ପାଇଲେ ? ପୁଣି ନିଜକୁ ନିଜେ ସାନ୍ତ୍ୱନା ଦେବାକୁ ଯାଇ ଭାବିଲେ ଗୌତମଙ୍କର କେଉଁ ରୂପ ଥିଲା ନା ଗୁଣ ଥିଲା ଯେ ଅହଲ୍ୟା ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତେ । ସ୍ୱାମୀ ଯଦି ସ୍ୱାମୀପଣିଆ ଦେଖାଇ ନ ପାରେ କେଉଁ ସ୍ତ୍ରୀ ବା ସ୍ୱାମୀଙ୍କ ପଦତଳରେ ସାରା ଜୀବନର ସଞ୍ଚିତ ନୈବେଦ୍ୟ ଓଜାଡ଼ି ଦେଇ କହିବ ‘ତୁମେ ମୋର ଆରାଧ୍ୟ ଦେବତା ?’

 

ସେ କେବଳ ପ୍ରଶାନ୍ତକୁ ଭଲ ପାଇଛନ୍ତି । ଏହି ଭଲ ପାଇବା ବ୍ୟତୀତ ସେ ପ୍ରଶାନ୍ତକୁ ଅଧିକ ଅନୁଗ୍ରହ ଦେଖାଇ ନାହାନ୍ତି । ପ୍ରଶାନ୍ତ ଦିନେ ଆଗେଇ ଆସିଥିଲେ ତାଙ୍କର ଭଲ ପାଇବାର ପାଉଣା ସୁମିତ୍ରାଙ୍କଠାରୁ ଆଦାୟ କରିବାକୁ । ମାତ୍ର ସୁମିତ୍ରା ଏତେ ବୁଦ୍ଧିହୀନା ନୁହଁନ୍ତି । ସେ ନିଜର ବୁଦ୍ଧିବୃତ୍ତି ଖଟାଇ ସତୀତ୍ୱ ରକ୍ଷା କରିପାରିଛନ୍ତି । ସେଥିପାଇଁ ମନେ ମନେ ଯଥେଷ୍ଟ ଗର୍ବ ଅନୁଭବ କରନ୍ତି । ଦେହ ନ ଦେଲେ ସତୀତ୍ୱ ନଷ୍ଟ ହୁଏ ନାହିଁ’ ଏ କଥା ସୁମିତ୍ରାଙ୍କୁ ଜଣା ।

 

ତଥାପି ସୁମିତ୍ରା ଅନୁଶୋଚନା କରନ୍ତି । କ୍ଷଣିକ ଉତ୍ତେଜନାରେ ସେ ପ୍ରଶାନ୍ତଙ୍କ ହାତରେ ଧରା ଦେଇଥିଲେ । ସତରେ ପୁରୁଷଗୁଡ଼ାକ କେଡ଼େ ଘୃଣ୍ୟ ? ?

 

ଏଣିକି ପ୍ରଶାନ୍ତ ଆସିଲେ ସିଧାସଳଖ ସେ ତାଙ୍କୁ ମନା କରିଦେବେ । ତାଙ୍କ ଘରକୁ ପ୍ରଶାନ୍ତ ନ ଆସିଲେ ଉଭୟଙ୍କର ମଙ୍ଗଳ । ମଣିଷର ମାନ ମହତ ପୁଣି ତ ଅଛି । ରମଣୀରଞ୍ଜନ କିଛି ବୁଝି ପାରନ୍ତି ନାହିଁ ବୋଲି ସିନା ସେ ଆଜି ନିର୍ବିଘ୍ନରେ ଏଠାକୁ ଯିବା ଆସିବା ଆରମ୍ଭ କରିଦେଇ ଅଛନ୍ତି । ଯଦି ସେ ବୁଝିଥାନ୍ତେ ତେବେ ବାଘ ଘରେ ଆଉ ମିରିଗ ନାଟ ହୁଅନ୍ତା ନାହିଁ ।

 

ପରକ୍ଷଣରେ ସେ ଭାବିଲେ ପୁରୁଷଗୁଡ଼ାଙ୍କୁ ସବୁ ସୃଷ୍ଟିଛଡ଼ା କଥା ଜଣା । ସେମାନେ ଯେ କେତେଘର ନ ବୁଡ଼ାଉଛନ୍ତି, କେତେ ଅଘଟନ ନ ଘଟାଉଛନ୍ତି କିଏ ବା ତା’ର ଜମାଖର୍ଚ୍ଚ ତାଲିକା ରଖିଅଛି ? ମରଣ ଯା ହେଉ ନାହିଁ ସେମାନଙ୍କୁ ।

 

ସବୁ ଦିନିଆ ହସ ହସି ପ୍ରଶାନ୍ତ ପଶି ଆସିଲେ ଭିତରକୁ । ଛୋଟ ନମସ୍କାରଟିଏ ପକାଇ କହିଲେ, ମି: ଦାସ କ’ଣ ଘରେ ନାହାନ୍ତି ?

 

ସୁମିତ୍ରା ପ୍ରତିନମସ୍କାରଟିଏ ମଧ୍ୟ ନ ଜଣାଇ କହିଲେ ‘‘ପ୍ରଶାନ୍ତ ବାବୁ ! ଆପଣ ଏଠାକୁ ମୋଟେ ନ ଆସିଲେ ଭଲ ହୁଅନ୍ତା ।’’

 

‘‘ଚା କପେ ରକ୍ଷା କରିବାକୁ ତୁମେ ଯଥେଷ୍ଟ ବ୍ୟାକୁଳ ବୋଲି ବେଶ ଜଣା ପଡ଼ୁଅଛି’’ କହି ପ୍ରଶାନ୍ତ ହସିଲେ ।

 

‘‘ଆପଣ ମୋ କଥାକୁ ଥଟ୍ଟାରେ ଉଡ଼ାଇ ଦିଅନ୍ତୁ ନାହିଁ । ଆପଣ ଏଠାକୁ ଯେପରି ଭାବେ ଅବାଧରେ ଯିବାଆସିବା ଆରମ୍ଭ କରି ଦେଇ ଅଛନ୍ତି ଲୋକେ ରାସ୍ତା ଘାଟରେ ଆମ ସମ୍ବନ୍ଧରେ କ’ଣ କଥାଭାଷା ହେଉଥିବେ ସେ କଥା ଟିକିଏ ଚିନ୍ତାକରି ଅଛନ୍ତି କି ? ମୁଁ ଗୋଟିଏ କୁଳର ବୋହୂ । ମୋତେ ରାସ୍ତାରେ ଛିଡ଼ା କରାଇ ଆପଣଙ୍କର ଲାଭ ?’’

 

ପ୍ରଶାନ୍ତ ଚିତ୍କାର କରି ଉଠିଲେ ‘‘ମିତ୍ରା !’’

 

‘‘ମୁଁ କୌଣସି କଥାର ଜବାବ୍‌ ଦେବାପାଇଁ ପ୍ରସ୍ତୁତ ନୁହେଁ । ଆପଣ ଏଠାରୁ ଶୀଘ୍ର ଚାଲି ଯାଆନ୍ତୁ । ଆପଣଙ୍କର ମନେ ରଖିବା ଉଚିତ ଆପଣଙ୍କ ବଂଶ ମର୍ଯ୍ୟାଦା ତୁଳନାରେ ଆମ୍ଭର ବଂଶ ମର୍ଯ୍ୟାଦା କେତେ ଉଚ୍ଚ । ଆଜିକାଲି ପାଠପଢ଼ି ବାଉରି, କଣ୍ତରା ପୁଅ ମଧ୍ୟ ବାବୁ ସାଜୁଛନ୍ତି । ସେ ବାବୁପଣିଆ କଉଁ ଆଡ଼କୁ ପାଏ ?’’

 

ପ୍ରଶାନ୍ତ ନିର୍ବାକ ପିତୁଳା ଭଳି ସୁମିତ୍ରାଙ୍କ ମୁହଁକୁ ଚାହିଁ ରହିଥିଲେ ।

 

ପୁଣି ସୁମିତ୍ରାଙ୍କର ପାଟି ଖୋଲିଲା । ସେ ପୂର୍ବାପେକ୍ଷା ଅଧିକ ଉତ୍ତେଜିତ ହୋଇ କହିଲେ ‘‘ଦେଖନ୍ତୁ; ଆପଣ ଏଣିକି ଏଠାକୁ ମୋଟେ ଆସିବେ ନାହିଁ । ପୁଣି ଆଜି ଆପଣଙ୍କୁ ଶପଥ କରିବାକୁ ପଡ଼ିବ ଯେପରି ଦିନକପାଇଁ ଆପଣଙ୍କର ପାଦ ଆମଘରେ ନ ପଡ଼େ ।’’

 

ପ୍ରଶାନ୍ତ ଅବିଚଳିତ କଣ୍ଠରେ କହିଲେ ‘‘ସୁମିତ୍ରାଦେବୀ ! ଆପଣଙ୍କର ଆଜ୍ଞା ମୋର ଶିରୋଧାର୍ଯ୍ୟ ।’’

 

ରୁକ୍ଷ ଗଳାରେ ସୁମିତ୍ରା କହିଲେ ‘‘ପରିଷ୍କାର ଭାବେ ଆପଣ କହନ୍ତୁ ଆଜିଠାରୁ ଆଉ କେବେ ଆସିବେ ନାହିଁ । ମନେ ରଖନ୍ତୁ, ଆପଣ ମୋର କେହି ନୁହନ୍ତି । କିମ୍ବା ଆପଣଙ୍କ ସଙ୍ଗେ ମୋର କୌଣସି ସମ୍ପର୍କ ନାହିଁ, କିମ୍ବା କେବେ ମଧ୍ୟ ନଥିଲା ।’’

 

ପ୍ରଶାନ୍ତ ଚାଲିଯିବାର ଉପକ୍ରମ କରି କହିଲେ ‘‘ଶେଷ ଦିନପାଇଁ ଆଜି ବିଦାୟ ନେଇ ଯାଉଛି । ଆଚ୍ଛା ନମସ୍କାର ।’’

 

‘‘କିନ୍ତୁ ମୁଁ ଜାଣେ ଆପଣ ନିଶ୍ଚୟ ଆସିବେ । ଆପଣଙ୍କୁ ଯଥେଷ୍ଟ ଅଭିନୟ ଜଣା ।’’ ସୁମିତ୍ରାଙ୍କର ଅଧରରେ ଥିଲା ବିଦ୍ରୂପର ହସ ।

 

ସହ୍ୟ କରିବାର ଗୋଟାଏ ସୀମା ଅଛି । ସେହି ସୀମା ଲଙ୍ଘନ କରିଗଲେ ମଣିଷର ଭାଷା ଜ୍ଞାନ ରହେ ନାହିଁ ।

 

ପ୍ରଶାନ୍ତ ଉତ୍ତେଜିତ ହୋଇ ପଡ଼ିଥିଲେ । ସେ ସ୍ୱରକୁ ଦୁଇଗୁଣ ବଢ଼ାଇ କହିଲେ ‘‘ସୁମିତ୍ରା ଦେବୀ ! ଆପଣଙ୍କର କଥାବାର୍ତ୍ତାରୁ ଜଣା ପଡ଼ୁଅଛି ଆପଣଙ୍କର ଦୃଢ଼ ବିଶ୍ୱାସ ଯେ ଗରୀବ ଘରେ ମାଆମାନେ କେବଳ ଜାରଜ ସନ୍ତାନ ପ୍ରସବ କରିଥାଆନ୍ତି ।’’

 

ଏତିକି ପ୍ରଶାନ୍ତ କହି ସାରିଛନ୍ତି କି ନାହିଁ ହଠାତ୍ ସୁମିତ୍ରା ଗୋଟିଏ ଚପୋଟାଘାତ ପ୍ରଶାନ୍ତର ବାମ ପାର୍ଶ୍ୱର ଗାଲ ଉପରେ ଥୋଇଦେଇ କହିଲେ ‘‘ମଣିଷ ଭାଷା ହୁଡ଼ିଗଲେ ତାକୁ ଯାହା ପାଉଣା ମିଳେ ତାହା ବର୍ତ୍ତମାନ ଆପଣ ପାଇଲେ । ଏଥର ଚାଲି ଯାଆନ୍ତୁ ।’’

 

+ + +

 

କାହାରି ମୁହଁରେ ଭାଷା ନାହିଁ । ପ୍ରଶାନ୍ତ ପଲକହୀନ ଦୃଷ୍ଟରେ ସୁମିତ୍ରାକୁ ଅନାଇ ରହିଥିଲେ । ସୁମିତ୍ରାର ଆଖିରୁ ଶ୍ରାବଣର ଧାରା ସଦୃଶ ଲୋତକର ପ୍ରବାହ ଛୁଟି ଚାଲିଥାଏ ।

 

ନୀରବତା ଭଙ୍ଗ କରି ପ୍ରଶାନ୍ତ କହିଲେ ‘‘ଏତିକି ମୋର ସାରା ଜୀବନର ପାଥେୟ ।’’ ଧୀରେ ଧୀରେ ସେ ବାହାରକୁ ଆସିଲେ ।

 

‘‘ଶୁଣି ଯାଆନ୍ତୁ ପ୍ରଶାନ୍ତ ବାବୁ !’’ ସୁମିତ୍ରାଙ୍କ କଣ୍ଠରେ ଥିଲା ଦୃଢ଼ତା ।

 

‘‘ମୋତେ ଡାକୁଛନ୍ତି ?’’ କହି ପ୍ରଶାନ୍ତ ଭିତରକୁ ଆସିଲେ । ‘‘ଓଃ; ଏ ଗାଲଟା ପରା ବାକି ରହିଯାଇଛି ।’’ କହି ପ୍ରଶାନ୍ତ ଆର ପଟ ଗାଲ ଦେଖାଇଲେ ସୁମିତ୍ରାକୁ ।

 

ପ୍ରଶାନ୍ତକୁ ଦୁଇ ବାହୁରେ ବେଷ୍ଟନ କରି ସୁମିତ୍ରା କହିଲେ- ‘‘ପ୍ରଶାନ୍ତବାବୁ ! ମୋତେ କ’ଣ ଆପଣ କ୍ଷମା କରିବେ ନାହିଁ । ମୁଁ କ’ଣ ଆପଣଙ୍କର ପ୍ରାଣର ମିତ୍ରା ନୁହେଁ ? ଆପଣ କ’ଣ ଆପଣଙ୍କ ମିତ୍ରା ଉପରେ ପ୍ରତିଶୋଧ ନେଇ ସୁଖୀ ହେବେ ? କହନ୍ତୁ ? କହନ୍ତୁ ପ୍ରଶାନ୍ତବାବୁ ! ଆଜିଠାରୁ ଆପଣଙ୍କର ମିତ୍ରା ମରିଯାଇଛି ବୋଲି ।’’

 

‘‘ମିତ୍ରାକୁ ମୁଁ ଏତେ ସହଜରେ ମରିବାକୁ ଦେଇ ପାରିବି ନାହିଁ ସୁମିତ୍ରା ଦେବୀ ! ମିତ୍ରା ହେବ ମୋର କାବ୍ୟ କବିତାର ନାୟିକା । ସେ ପଦରେ ନୂପୁର ପିନ୍ଧି ମୋର କବିତା ଛନ୍ଦର ତାଳେ ତାଳେ ନାଚି ମୋର ଲେଖନୀକୁ ସାର୍ଥକ କରିବ ।’’ ପ୍ରଶାନ୍ତର କଣ୍ଠ ମାଡ଼ି ମାଡ଼ି ପଡ଼ୁଥିଲା ।

 

‘‘ପ୍ରଶାନ୍ତ ବାବୁ ! ଏହି ସାମାନ୍ୟ ଦୋଷପାଇଁ ଆପଣ ଆପଣଙ୍କ ମିତ୍ରାକୁ ଶାସ୍ତି ଦେବେ-? ଆପଣ ଆପଣଙ୍କ ଲେଖନୀରେ ସଜାଇବେ ତାକୁ ରାଜ ନର୍ତ୍ତକୀ ?’’

 

‘‘ନର୍ତ୍ତକୀ ନୁହେଁ ସୁମିତ୍ରା ଦେବୀ ! ମିତ୍ରା ହେବ ମୋର କାବ୍ୟ କବିତାର ରାଣୀ । ରାଣୀ ହେବା କ’ଣ ନାରୀର ସୌଭାଗ୍ୟ ନୁହେଁ ?’’ ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇଲେ ପ୍ରଶାନ୍ତ । ତା’ପରେ କ’ଣ କହିବାକୁ ଯାଉଥିଲେ ସୁମିତ୍ରା କହିଲେ ‘‘ପ୍ରଶାନ୍ତବାବୁ ! ଆପଣଙ୍କର ମିତ୍ରା ଆଖି ଲୁହରେ କ୍ଷମା ପ୍ରାର୍ଥନା କରୁଛି । ପ୍ରତିଶୋଧ ନିଅନ୍ତୁ ନାହିଁ । ତାକୁ ଆଦରରେ ଗ୍ରହଣ କରନ୍ତୁ । ଆପଣଙ୍କ ଦୁନିଆରେ ତାକୁ ଟିକିଏ ସ୍ଥାନ ଦିଅନ୍ତୁ ।’’

 

ପ୍ରଶାନ୍ତ ତାଚ୍ଛଲ୍ୟର ହସ ହସି କହିଲେ ‘‘ସୁମିତ୍ରା ଦେବୀ ! ମୋର ଦୁନିଆ ହେଉଛି ଝାଟି ମାଟିର ଦୁନିଆ । ମିତ୍ରା ଝାଟି ମାଟି ଦୁନିଆର ସରଳ ମଣିଷକୁ ଉପହାସ କରେ । ସେ ଇଟା ସୁରକି ଦୁନିଆର ମଣିଷ । ଝାଟି ମାଟି ଦୁନିଆର ମଣିଷକୁ ସେ ଘୃଣା କରେ । ସେମାନଙ୍କୁ ଦେଖିଲେ ସେ ନାକ ଟେକେ ।’’

 

‘‘ତେବେ କ’ଣ ଆପଣ ଆପଣଙ୍କ ମିତ୍ରାର ଦୋଷ ମାର୍ଜନା କରିବେ ନାହିଁ ? ଆପଣ କ’ଣ ତା’ର ସର୍ବନାଶ ଚାହାନ୍ତି ?’’

 

‘‘ବର୍ଷାର ଛିଟିକା ବାଜିଲେ ଝାଟି ମାଟିର ଦୁନିଆ ଭାଙ୍ଗିଯାଏ । ସେହି ଦୁନିଆ କୋଳରେ ଯେଉଁମାନେ ବଢ଼ିଥାନ୍ତି ସେମାନେ ନିହାତି ଦୁର୍ବଳ । ଚୂନ ଇଟା ଦୁନିଆର ମଣିଷଠାରୁ ସେମାନେ ନିହାତି ବଳହୀନ । ଯେ ବଳହୀନ ସେ ସର୍ବଦା ଦୟାର ପାତ୍ର । ପ୍ରତିଶୋଧ ସେ ନିଜ ଉପରେ ନେଇ ଜାଣେ । ଅନ୍ୟ ଉପରେ ପ୍ରତିଶୋଧ ନେବାର ଶୈଳୀ ତାକୁ ଜଣା ନାହିଁ ।’’ ପ୍ରଶାନ୍ତ ଏତିକି କହି ଚାଲିଯିବାକୁ ବସିଲେ ।

 

ସୁମିତ୍ରା ତାଙ୍କୁ ଯାବୁଡ଼ି ଧରି କହିଲେ ‘‘ପ୍ରଶାନ୍ତବାବୁ ! ଆପଣଙ୍କ ଝାଟି ମାଟି ଦୁନିଆରେ କ’ଣ ମୋର ସ୍ଥାନ ନାହିଁ ?’’

 

‘‘ସେଠାରେ କେବଳ ଲତିକାଭଳି ସରଳା ସ୍ତ୍ରୀର ସ୍ଥାନ ରହିଛି । ସେ ନିଜକୁ ନିଜେ ଜାଳି ମୋତେ ଆନନ୍ଦ ଦିଏ । ସେ ମୋର ଭଲ ପାଇବାଟାକୁ ପଣତରେ ସାତ ଶହ ଗଣ୍ଠି ପକାଇ ସାଇତି ରଖେ । ସେ ମୋର ସ୍ନେହକୁ ପଣ୍ୟ ଦ୍ରବ୍ୟଭଳି ବିକ୍ରୟ କରିବାକୁ ଜାଣେ ନାହିଁ । ସେ ଚୂନ ଇଟାରେ ଗଢ଼ା ଦୁନିଆର ମଣିଷଠାରୁ ରହେ ବହୁତ ଦୂରରେ ।’’ ଏତିକି କହି ପ୍ରଶାନ୍ତ ବାହାରକୁ ପାଦ କାଢ଼ିଲେ ।

 

ସୁମିତ୍ରା ପ୍ରଶାନ୍ତକୁ ବାଟ ଓଗାଳି ଛିଡ଼ା ହୋଇ କହିଲେ ପ୍ରଶାନ୍ତବାବୁ ! ଆପଣଙ୍କୁ ମୁଁ ନିଜେ ଅଧବାଟରେ ଛାଡ଼ିଦେଇ ଆସିବି । ତେବେ ଯିବା ଆଗରୁ କେବଳ ଥରେ କହିଯାଆନ୍ତୁ । ଆପଣଙ୍କର ମିତ୍ରା ମରିଯାଇଛି । କେବଳ ସେତିକି ଥରେ କହନ୍ତୁ ।’’

 

କ୍ଷମା କରନ୍ତୁ ସୁମିତ୍ରା ଦେବୀ ! ପ୍ରଶାନ୍ତ ଏତେ କୃତଘ୍ନ ନୁହେଁ ଯେ ସେ ତା’ର ମିତ୍ରାକୁ ଏତେ ଶୀଘ୍ର ଭୁଲିଯିବ । ମିତ୍ରାଠାରୁ ଯାହା ଚାହିଁଥିଲା ତାହା ପାଇ ଯାଇଛି । ଏଣୁ ମୁଁ ତାହାଠାରେ ଚିରରୁଣୀ ।’’ ଏତିକି କହି ପ୍ରଶାନ୍ତ ଝଡ଼ବେଗରେ ବାହାରିଗଲେ ।

 

ସୁମିତ୍ରା ଉଚ୍ଚ ସ୍ୱରରେ କ୍ରନ୍ଦନ କରି କହିଲେ, ପ୍ରଶାନ୍ତବାବୁ ! ଆପଣଙ୍କ ପୁରୁଷକାର ପାଖରେ ମୁଁ କାହିଁକି ଯେ କୌଣସି ସ୍ତ୍ରୀ ଆପେ ବଶ୍ୟତା ସ୍ୱୀକାର କରିବ । ଫେରିଆସନ୍ତୁ ପ୍ରଶାନ୍ତବାବୁ ଆପଣଙ୍କ ପାଇଁ ସବୁ କଳଙ୍କ ହସି ହସି ସହିନେବି ।’’

 

କିନ୍ତୁ ପ୍ରଶାନ୍ତ ଫେରିଲେ ନାହିଁ । ଯେ ଥରେ ଯାଏ ସେ ଚିରଦିନ ପାଇଁ ଯାଏ ।

 

ଅଠର

 

ମଣିଷ ଯାହାକୁ ସର୍ବସ୍ୱ ଦେଇ ଭଲପାଏ ସେ କ’ଣ ପ୍ରତିବଦଳରେ ତାହାଠାରୁ କିଛି ଆଶା କରେ ନାହିଁ ? ଆଶା ନ କରିବା ହିଁ ଭଲ ।

 

ସେଦିନର ଘଟଣା ପରେ ପରେ ପ୍ରଶାନ୍ତ ଚାକିରି ଛାଡ଼ି ଗାଁକୁ ଚାଲିଆସିଲେ । ସେ ସୁମିତ୍ରାକୁ ଭୁଲିଯିବାକୁ ଚେଷ୍ଟା କଲେ; କିନ୍ତୁ ଜଣକୁ ଜୀବନଦେଇ ଭଲ ପାଇବା ପରେ ଆଉ ତାକୁ ମୋଟେ ଭୁଲି ହୁଏ ନାହିଁ ।

 

ତଥାପି ମଣିଷ କହେ ଅତୀତକୁ କେବଳ ଦୁର୍ବଳ ମାତ୍ରେ ହିଁ ଆବୃତ୍ତି କରନ୍ତି, କିନ୍ତୁ ଅତୀତକୁ ବିସ୍ମୃତି ଗର୍ଭକୁ ଠେଲି ଦେଇ କେହି ବଞ୍ଚି ପାରିଛି କି

 

ଟିକିଏ ଅବସର ମିଳିଲେ ସୁମିତ୍ରା ପ୍ରଶାନ୍ତଙ୍କ ବିଷୟରେ ଚିନ୍ତା କରନ୍ତି । ସେ କେବଳ ପ୍ରଶାନ୍ତଙ୍କୁ ଖୋଜନ୍ତି । ପ୍ରଶାନ୍ତଙ୍କୁ କାହିଁକି ସେ ଭଲ ପାଇଲେ ? ସତେ ପ୍ରଶାନ୍ତ କେଡ଼େ ନିଷ୍ଠୁର ? ଏ ଭଳି ଉଦ୍ଧତ ପୁରୁଷକୁ ସ୍ତ୍ରୀ ପୁଣି ଭଲପାଏ ?

 

ଯେତେ ପତ୍ରପତ୍ରିକା ବାହାରେ ସୁମିତ୍ରା ସବୁ ପଢ଼ନ୍ତି, ମାତ୍ର କୌଣସି କାଗଜରେ ପ୍ରଶାନ୍ତଙ୍କର ଲେଖା ବାହାରିବାରେ ସେ ଆଉ ଦେଖୁ ନାହାନ୍ତି । ତେବେ କ’ଣ ପ୍ରଶାନ୍ତ ଏକାବେଳକେ ଲେଖିବା ବନ୍ଦ କରିଦେଲେ ? ସେ କାହିଁକି ଆଉ ଲେଖିବେ ? କିଏ ବା ତାଙ୍କର କବିତା ପଢ଼ି ତନ୍ମୟ ହେବ ? କିଏ ବା ତାଙ୍କର ପାଉଣା ଦେଇ ପାରିବ ଯେ ସେ କବିତା ଲେଖି ନିବେଦନ କରିବେ–

 

‘‘ଶୂନ୍ୟ ଅଞ୍ଜଳି ଭରିଦେଇ ସ୍ନେହେ ପ୍ରଣୟମୟୀ

ଏ ଦୀନକବିର ଏତିକି ଗୁହାରି ତୁମରଠେଇଁ ।’’

 

ପ୍ରଶାନ୍ତ ସୁମିତ୍ରାର ପଦତଳରେ ବସି କେତେ ବା ନିବେଦନ ନ କରିଛନ୍ତି ? ସୁମିତ୍ରା ତାଙ୍କୁ କ’ଣ କେବେ କିଛି ଦେଇଛନ୍ତି କି ? ବରଂ ଓଲଟି ସେ ପ୍ରଶାନ୍ତଙ୍କୁ ଆଘାତ ଦେଇଛନ୍ତି ।

 

ଯେଉଁମାନେ ନାରୀକୁ କ୍ଷମାଶୀଳା କହନ୍ତି ସେମାନଙ୍କୁ ସୁମିତ୍ରା କହନ୍ତି ‘‘ତୁମ୍ଭେମାନେ ନାରୀକୁ ଚିହ୍ନି ନାହଁ । ତାହାକୁ ଚିହ୍ନଥିଲେ ତାହାକୁ ଏତେ ଉଚ୍ଚ ଆସନ କ’ଣ ଦେଇଥାନ୍ତ ? ବିଶେଷତଃ ଏହି ଭଦ୍ରସମାଜର ନାରୀକୁ ବହୁତ ଭାଷା ଜଣା । ରୂପ ବଦଳାଇବାରେ ସେ ବିଶେଷ ଧୂରନ୍ଧର । ଯେତେବେଳେ ଯାହା ଦରକାର ତାହା ସେ କରେ । ଦରକାର ନ ପଡ଼ିଲେ ମଧ୍ୟ ସେ ଅନେକ କିଛି କରିଯାଏ ।

 

ପୁରୁଷଙ୍କୁ ସିନା ଭ୍ରମର କହି ଲୋକେ ଅଯଥା ଅପବାଦ ଦିଅନ୍ତି । ଭ୍ରମର ପଦ୍ମମଧ୍ୟରେ ମରିଗଲା ପରି ଏହି ପୁରୁଷ ମଧ୍ୟ ତା’ର ପ୍ରେମିକାପାଇଁ ହସି ହସି ମରଣ ବରଣ କରିବାକୁ ଜାଣେ; କିନ୍ତୁ ନାରୀ କରେ କ’ଣ ? ସେ ପୁରୁଷର ହୃଦୟ-ସର୍ବସ୍ୱ ଲୁଣ୍ଠନ କରିନେଇ ତାକୁ ସଜାଇ ଦିଏ ସର୍ବହରା ।’’

 

ସୁମିତ୍ରାର ଆଖିର ଲୁହ ଆଖିରେ ମରିଯାଏ । ଦିନ ପରେ ଦିନ ବିତିଯାଏ; କିନ୍ତୁ ସେ ପ୍ରଶାନ୍ତକୁ ମୋଟେ ଭୁଲି ପାରନ୍ତି ନାହିଁ ।

 

ସତରେ କାହିଁକି ଜଣେ ଜଣକୁ ଭଲପାଇ ଏତେ ହଟହଟାରେ ପଡ଼ିବ ? ସେଥିରେ ପେଟ ପୂରେ ନା ମନ ପୂରେ । କେବଳ ପାଣିକଖାରୁ ପରି ଭିତରେ ଭିତରେ ସଢ଼ିଯିବା ସାର ହୁଏ ନା ?

 

ତୁମକୁ ଧିକ୍ ତୁମ ଭଲ ପାଇବାକୁ ଧିକ୍ । ଆଖିର ଲୁହ ଯଦି ଆଖିରେ ନ ମଲା ତେବେ ଭଲପାଇବାର ସ୍ୱାଦୁ ଜାଣିଲ କିପରି ?

 

ସୁମିତ୍ରା ଧାର ଧାର ଲୁହ ଗଡ଼ାଇ କହନ୍ତି ‘‘ହେ ଭଗବାନ ! ମୋର ପ୍ରଶାନ୍ତଙ୍କୁ ମୋତେ ଫେରାଇ ଦିଅ । ସେ ଯଦି ନ ଆସିବେ ମୋତେ ମିତ୍ରା କହି କିଏ ମୋ ଆଖିରୁ ଲୁହ ପୋଛିଦେବ ?

 

ଯାହାକୁ ମନ, ଜୀବନ ଦେଇ ଭଲପାଇଥିଲି ଛାର ଦେହଟାକୁ ଦେଇ ତାଙ୍କୁ କଳଙ୍କିତ କରିଥାଆନ୍ତି କାହିଁକି ? ତାଙ୍କୁ କଳଙ୍କିତ କରିବାର ଅଭିପ୍ରାୟ ମୋଟେ ମୋର ନ ଥିଲା । ଥରେ ଦେହଟାକୁ ଭୋଗ କରିଲା ପରେ ଦେହର ମୂଲ୍ୟ ବା କ’ଣ ରହେ ? ତଥାପି ସବୁବେଳେ ମୋର ଏହି ଦେହଟା ହିଁ ଚାହୁଥିଲା ତାଙ୍କର ନରମ ସ୍ପର୍ଶ । ସେ ଥିଲେ ଯାଦୁକର । ନୋହିଲେ କ’ଣ ସୁମିତ୍ରା ଭଳି ଗୋଟାଏ ହୃଦୟହୀନା ସ୍ତ୍ରୀକୁ ବଶ କରି ପାରିଥାନ୍ତେ ?’’

 

ଆଖିଥିବା ଲୋକ ଆଖିର ମୂଲ୍ୟ ବୁଝେ କି ?

 

ପ୍ରଶାନ୍ତର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଛି । କବିତା ନାଁ ଶୁଣିଲେ ସେ ଭୟରେ ଥରି ଉଠନ୍ତି । ଲତିକା ତାଙ୍କୁ ଅନୁନୟ କରେ କବିତା ଲେଖିବାକୁ ।

 

ସେ କହନ୍ତି ‘‘କବିତା ଲେଖି ପେଟ ପୋଷି ହୁଏ ନାହିଁ ଲତିକା । ଏଣୁ ତୁମକୁ ଅନୁରୋଧ ମୋତେ ଆଉ କବିତା ଲେଖିବାକୁ କେବେ କହିବ ନାହିଁ ।’’

 

ତୁମର ପ୍ରତିଭା ମୁଁ ନଷ୍ଟ କରିବାକୁ ଦେବି ନାହିଁ । ମୁଁ ଚାହେ ତୁମେ ହେବ କବି । ତୁମେ କବିତା ଲେଖିବ । ତୁମର କବିତା ପଢ଼ି ମୋର ଜୀବନ-ଜାହ୍ନବୀରେ ଜୁଆର ଆସିବ । ମୁଁ ମୋର ଅସ୍ତିତ୍ୱ ଭୁଲିଯିବି ଏବଂ କହିବି ବିଶ୍ୱମୟ ବ୍ରହ୍ମ । ଆଖି ଛଳଛଳ କରି କହିଲା ଲତିକା । ସ୍ୱାମୀଙ୍କୁ କିପରି ଜୀବନ ଦେଇ ଭଲପାଇବାକୁ ହୁଏ ଏ କଥା ଜାଣିଥିଲା ଲତିକା ।

 

‘‘ହସି ପାରିବ ଲତିକା ତୁମେ ସେହି ସ୍ୱର୍ଗୀୟ ହସ- ସେ ଯେପରି ଦିନେ ହସିଥିଲା ?’’

 

‘‘ପାରିବି ।’’

 

‘‘କୌଣସି ଦ୍ୱିଧା ନ ରଖି ଦିନର ଆଲୁଅରେ ତୁମର ଅନାବୃତ ଶରୀରକୁ ମୋତେ ଦେଖାଇ ପାରିବ ? ସେ ମୋତେ ଦେଖାଇଥିଲା । ମୁଁ ଆଖିପୂରାଇ ଦେଖିଥିଲି ସେହି ବିଶ୍ୱସୁନ୍ଦରୀକୁ ସହସ୍ର ଲୋଚନରେ ।’’ ପ୍ରଶାନ୍ତର ଆଖିରୁ ଲୁହ ଝରି ପଡ଼ୁଥିଲା ।

 

‘‘ତୁମେ କାନ୍ଦୁଛ ? କହିଲି ପରା ତୁମର ଆଖିରେ ଲୁହ ଦେଖିଲେ ମୋର ଧୈର୍ଯ୍ୟଚ୍ୟୁତି ଘଟେ’’ କହିଲା ଲତିକା ।

 

‘‘ତୁମେ ମିଛ କହୁଛ ଲତିକା; ତୁମେ ମୋଟେ ହସିପାରିବ ନାହିଁ କିମ୍ୱା ନିର୍ବିକାରଭାବେ ତୁମର ଉଲଗ୍ନ ଶରୀରକୁ ମୋଟେ ଦେଖାଇ ପାରିବ ନାହିଁ । ମୋର ଆଖିରେ ଲୁହ ଦେଖି ତୁମେ ଆନନ୍ଦ ଯଦି ଅନୁଭବ ନ କର ତେବେ କହ କେଉଁ ଦମ୍ଭରେ କହିବି ତୁମେ ମୋତେ ଜୀବନ ଦେଇ ଭଲପାଅ ବୋଲି ?’’ ପ୍ରଶାନ୍ତର ଗଳାର ସ୍ୱର ଓଜନିଆ ଶୁଭୁଥିଲା ।

 

ତା’ପରେ ପ୍ରଶାନ୍ତ କହିଲେ ‘‘କବି ଆଖିରୁ ଲୁହ ଢାଳି ଆନନ୍ଦ ପାଏ । ଆଉ ସେ ଚାହେଁ ସମସ୍ତେ ଯେପରି ତାକୁ ଉପହାସ କରନ୍ତୁ ।’’

 

‘‘ଉପହାସ ?’’ ପଚାରିଲା ଲତିକା ।

 

‘‘ସେତିକି ମାତ୍ର କବିର ପ୍ରାପ୍ୟ’’ କହି ହସି ଉଠିଲେ ପ୍ରଶାନ୍ତ ।

 

ସମୟର ସୁଅ ବଦଳି ଯାଇଛି । ରମଣୀରଞ୍ଜନ ଇତିମଧ୍ୟରେ ଦିଲ୍ଲୀକୁ ଚାଲିଆସିଛନ୍ତି । ସୁମିତ୍ରା ଏକାବେଳକେ ପାସୋରି ଦେଇଛନ୍ତି ପ୍ରଶାନ୍ତକୁ । ପ୍ରଶାନ୍ତ ତାଙ୍କର କିଏ କି ? ସେ ତାଙ୍କୁ ବା କାହିଁକି ମନେ ରଖନ୍ତେ ?

 

ପତିବ୍ରତା ନାରୀ ଅନ୍ୟ ପୁରୁଷକୁ ଚିନ୍ତା କରିବା ପାପ ନୁହେଁ କି ?

 

ଲତିକା ହସେ । ଫୁଲର ହସଠାରୁ ସେ ହସ ଆହୁରି ଅନାବିଳ । କୋଣାର୍କର ଅର୍ଦ୍ଧନଗ୍ନ ମୂର୍ତ୍ତି ଭଳି ସେ ଆସି ପ୍ରଶାନ୍ତ ଆଗରେ ଛିଡ଼ା ହୁଏ । ପ୍ରଶାନ୍ତ ମୃଦୁ ହସି କବିତା ଲେଖନ୍ତି–

 

‘‘ତୁମେ କିଗୋ ଅଟ ଦ୍ୱାପର ଯୁଗର

ଛଇଳା ରାଧା ?’’

 

ଲତିକା ହସି ହସି କହେ ‘‘ମୁଁ ତୁମର ଛଇଳା ରାଧା ନୁହେଁ । ମୁଁ ତୁମର ଉର୍ବଶୀ ଆଉ ତୁମେ ମୋର ପୁରୁର୍‌ବା’’ ।

 

‘‘ତୁମେ ମୋର ପଦ୍ମାବତୀ ହୋଇପାରିବ ନାହିଁ ?’’ ପଚାରନ୍ତି ପ୍ରଶାନ୍ତ ।

 

‘‘ପାରିବି’’ କହି ଲତିକା ପ୍ରଶାନ୍ତର କୋଳରେ ଲୋଟିଯାଏ ।

 

ପ୍ରଶାନ୍ତ ଲତିକାର ଅନାବୃତ ଶରୀରକୁ ନିରୀକ୍ଷଣ କରି ତନ୍ମୟ ହୋଇ କହନ୍ତି ‘‘ଚଳ ସଖୀ କୁଞ୍ଜଂ ସତିମିରପୁଞ୍ଜଂ... ।’’

 

ଲତିକାର ଆଖି ଦୁଇଟି ଆପେ ଆପେ ନଇଁ ଆସେ ।

 

ପ୍ରଶାନ୍ତ କହନ୍ତି ‘‘ସିଂହୀର ଆଖି ଦୁଇଟି ଦେଖିବାକୁ ଭାରି ସୁନ୍ଦର । ଆହୁରି ସୁନ୍ଦର ଦିଶେ ଯେତେବେଳେ ଶିକାର ଅପେକ୍ଷାରେ ଥାଏ ।’’

 

ଊଣେଇଶି

 

ଆଜି ମହାନଗରୀ ଲୋକାରଣ୍ୟ । ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହେଉଥାଏ । ଏହି ମହାନ୍‌ ଦେଶ ଓ ବିରାଟ ଜାତିର ଲେଖକ ଲେଖିକାମାନଙ୍କୁ ଭାରତର ରାଷ୍ଟ୍ରପତି ମାନପତ୍ର ପ୍ରଦାନ କରିବେ । ରାଷ୍ଟ୍ରୀୟ ସମ୍ମାନରେ ଲେଖକ, ସାହିତ୍ୟିକମାନଙ୍କୁ ଭୂଷିତ କରାଯିବ । ଏହି ସମ୍ମିଳନୀକୁ ଆସିଥାନ୍ତି ପ୍ରଶାନ୍ତ ।

 

ଯଥା ସମୟରେ ପ୍ରଶାନ୍ତ ମଞ୍ଚ ଉପରକୁ ଆସିଲେ । ସଂକ୍ଷିପ୍ତ ଭାଷଣ ଦେଇ ରାଷ୍ଟ୍ରପତି କହିଲେ ‘‘କବିର ପାଉଣା କେହି ଦେଇପାରେ ନାହିଁ । କବି ସମ୍ମାନ ଖୋଜେ ନାହିଁ ! ସମ୍ମାନ କବିକୁ ଖୋଜି ବୁଲେ ।’’

 

ଲୋକଗହଳି ଠେଲି ପ୍ରଶାନ୍ତ ଖୋଲା ଜାଗାକୁ ଆସିଲେ । ସାଥୀରେ ଥାଏ ଲତିକା । ହଠାତ୍ ପ୍ରଶାନ୍ତଙ୍କର ନଜର ବତିଖମ୍ୱ ଆଡ଼େ ପଡ଼ିଗଲା । ସେ ଆଗେଇ ଆସିଲେ ବତିଖମ୍ୱ ଆଡ଼କୁ-। ଛିଡ଼ା ହୋଇଥାନ୍ତି ସୁମିତ୍ରା ।

 

ପ୍ରଶାନ୍ତ ସୁମିତ୍ରାଙ୍କୁ ଭଙ୍ଗା ସ୍ୱରରେ କହିଲେ ‘‘ଶ୍ରୀମତୀ ଦାସ ! ମିତ୍ରାକୁ ଦେଖାହେଲେ କହିବେ ମୁଁ ଦୁନିଆରେ ଯେତେ ସମ୍ମାନିତ ବ୍ୟକ୍ତି ହେଲେ ସୁଦ୍ଧା ସବୁଦିନ ପାଇଁ ମିତ୍ରା ପାଖରେ ଅତି ଦୀନ, ହେୟ ଓ ନଗଣ୍ୟ ହୋଇ ରହିଗଲି ।’’

 

ଲତିକା ପ୍ରଶାନ୍ତ ନିକଟରେ ଛିଡ଼ା ହୋଇଥାଏ । ପ୍ରଶାନ୍ତ ଲତିକାକୁ କହିଲେ ‘‘ଶ୍ରୀମତୀ ଦାସଙ୍କ ପଦତଳରେ ମଥା ଲଗାଇ ଜୁହାର ହୁଅ । ସେ ଦିନେ ଥିଲେ ମୋର ଅନ୍ନଦାତ୍ରୀ ।

 

ଲତିକା ଆଶ୍ଚର୍ଯ୍ୟଭାବେ ସୁମିତ୍ରାକୁ ଅନାଇଲା । ସୁମିତ୍ରା ମ୍ଳାନ ମୁଖରେ କହିଲେ ‘‘ପ୍ରଶାନ୍ତବାବୁ ! କଟା ଘା’ରେ ଚୂନ ଦେଇ ଲାଭ କ’ଣ ? ଆପଣଙ୍କର ମିତ୍ରା ଅନେକ ଦିନରୁ ମରିଗଲାଣି ।’’ ଏତିକି କହି ସୁମିତ୍ରା ଆଖିରୁ ଲୁହ ପୋଛିଲେ ।

 

‘‘ତଥାପି ସେ ତା’ର ସମାଧିତଳେ ଶୋଇ ଶୋଇ ଚିତ୍‌କାର କରି ନିଶ୍ଚୟ କହିଥିବ ମୁଁ ପୁରୁଷର ସ୍ନେହ ଚାହେଁ ନାହିଁ । ତା’ ଠାରୁ ମୁଁ ଚାହେଁ ସମ୍ମାନ ।’’

 

ସେତେବେଳେ ପ୍ରଶାନ୍ତର ଆଖି ଦୁଇଟା ଜଳନ୍ତା ଅଙ୍ଗାରଭଳି ଜଳୁଥିଲା ।

 

ଲତିକା ହେଉଛି ଝାଟି ମାଟି ଦୁନିଆର ମଣିଷ । ନିଜର ଜୀବନ ବିନିମୟରେ ସ୍ୱାମୀର ମନୋରଞ୍ଜନ କରିବା ହେଉଛି ତା’ର ଧର୍ମ । ସେ କୌଣସି ଗୂଢ଼ତତ୍ତ୍ୱ ବୁଝି ନ ପାରି ସୁମିତ୍ରାର ଗୋଡ଼ତଳେ ମଥା ଲଗାଇଲା ।

 

ସୁମନ୍ତ କଲମ ଥୋଇ ଦେଇ ମନେ ମନେ ଭାବିଲେ, ଇସ୍ ପ୍ରଶାନ୍ତ କେଡ଼େ ଜଘନ୍ୟ ! ସେ ମୁର୍ଦ୍ଦାର ଦେହରେ ମଧ୍ୟ ଛୁରୀ ଚଳାଇବାକୁ ପଛଘୁଞ୍ଚା ଦେଲା ନାହିଁ ।

 

ଗୋଟିଏ ଦୀର୍ଘଶ୍ୱାସ ପକାଇ ଉପରକୁ ଅନାଇଲେ । ଦେଖିଲେ ଦୁଆର ପାଖରେ ଛିଡ଼ା ହୋଇଛି ଅଶ୍ରୁସିକ୍ତ ମୁଖରେ ସୁନନ୍ଦା ।

 

ସୁମନ୍ତ ଚିତ୍‌କାର କରି କହିଲେ ‘‘ତୁମେ ଫେରିଯାଅ ସୁନନ୍ଦା । ମୋର ସ୍ନେହର ମୂଲ୍ୟ ତୁମେ ଦେଇପାରିବ ନାହିଁ । ତୁମେ ଇଟା-ସୁର୍‌କିରେ ଗଢ଼ା ଦୁନିଆର ମଣିଷ । ଝାଟି ମାଟି ଦୁନିଆର ମଣିଷଠାରୁ ତୁମେ ଅଛ ବହୁତ ଦୂରରେ ।

 

ସୁନନ୍ଦା ଆଖିରୁ ଲୁହ ପୋଛିଲା, ପୁଣି ସୁମନ୍ତ ଦୃଢ଼ ଭାବରେ କହିଲେ ଝାଟି ମାଟି ଦୁନିଆର ନିଷ୍ପାପ ମଣିଷକୁ ଚିହ୍ନିବାର ଶକ୍ତି ତୁମର ନାହିଁ । ତୁମେ ଆଉ ଅନ୍ୟର ସର୍ବନାଶ କର ନାହିଁ-

 

କାହାର ସରଳତାର ସୁଯୋଗ ଆଉ କେବେହେଲେ ନେବ ନାହିଁ ସୁନନ୍ଦା । ତୁମକୁ ମୋର ଏତିକି ଅନୁରୋଧ ।

 

ପଡ଼ିଶାଘରୁ ରେଡ଼ିଓ ଗାଉଥିଲା !

 

‘‘ପଲ୍ଲୀ ଗାଁର ସଜ ଗୋଲାପ ସରଗ ଅପସରୀ

ନାହିଁ ଦାଗ, ନାହିଁ କଳଙ୍କ ନୁହେଁ ବାରନାରୀ ।’’

 

ସୁନନ୍ଦା ଦ୍ୱାର ପାଖରେ ଛିଡ଼ା ହୋଇ ସିମିତି ଲୁହ ଢାଳୁଥିଲା ।

Image